ରଜ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପହିଲି ଆଷାଢେ ରଜ ପରବ, ପ୍ରକୃତି ନାଚଇ ହୋଇଣ ସଜ
କେକାରବେ ଉଛୁଳଇ ବନାନୀ, କଳାମେଘ ଦେଖି ଗଗନେ ପୁଣି ସେ
ପୁଛ୍ଛଟେକି ନୃତ୍ୟ କରେ ଯେ
ପୁରି ଉଠୁଅଛି ସକଳ ଭୁବନ
ଗଜ ଡାକେ ବନସ୍ତରେ ଯେ । ପୁଛ୍ଛଟେକି ନୃତ୍ୟ କରେ ଯେ ।।

ରଜଷ୍ଫଳା ହେବେ ଧରଣୀ ରାଣୀ, ପିନ୍ଧି ନୂଆ ନୀଳ ଝୀନ ପତନୀ
ସଜବାଜ ହୋଇ ଆନନ୍ଦ ରୋଳେ, ଦୋଳି ଖେଳୁଥାନ୍ତି ଆସି ସକଳେ ସେ
ଝିଅ, ବୋହୂ ମିଳିମିଶି ଯେ
ମନଫୁଲା ଗୀତ ଗାଇଣ ସରବେ
ଆନନ୍ଦରେ ହସି ହସି ଯେ । ଝିଅ ବୋହୂ ମିଳିମିଶି ଯେ ।।

ଅଭୁଲା ଲଗନ ରଜ ପରବ, ଦିନକଟେ ହୋଇ ଗେଲ ଗରବ
ଦେଇ ହୁଳହୁଳି ସକଳ ବାଳୀ, ବନ୍ଦାପନା କରି କରନ୍ତି ଅଳି ସେ
ସତୀଦେବୀ ଦୟାବତୀ ଯେ
ସଦୟ ହୋଇଲେ ସଂସାର ହସିବ
ହେଉଛନ୍ତି ନିଉଛାଳି ଯେ । ସତୀଦେବୀ ଦୟାବତୀ ଯେ ।।

ରଜ ପରେ ବୀଯ ବପନ ହେବ, ଅଙ୍କୁରୋଦ୍ଗମ କେଦାରେ ହୋଇବ
ଏହି ରଜ ଆମ ଜାତୀୟ ପର୍ବ, ଅନନ୍ୟ ଅଟେ ଏ ପର୍ବ ଅପୂର୍ବ ସେ
ପିଠାପଣା ଜାତି ଜାତି ଯେ
ଆମ୍ବ, ପଣସ, ସପୁରୀ ନଇବେଦ୍ୟେ
ପୁଜାପାଏ ବସୁମତୀ ଯେ । ପିଠାପଣା ଜାତି ଜାତି ଯେ ।।


ମଙ୍ଗଳାଯୋଡି, ଖୋରଧା

ମନ୍ତବ୍ୟ ରଖନ୍ତୁ..