ରଙ୍ଗମଞ୍ଚର ପ୍ରତିଛବି – ପ୍ରଶାନ୍ତ କୁମାର ସାହୁ

ରଙ୍ଗମଞ୍ଚ କି ପାରେ କହି
ଅଭିନେତାର ସଉଦାବାଜୀ
ନିଜକୁ ନିଜ ଭିତରେ ଚାପିଦେଇ
ଆପଣାର କରି ହଜିଯାଏ
ଦେଖଣାହାରୀର ବିମୁଗ୍ଧ
ହୃଦୟ ଭିତରେ …
ନିସ୍ତବ୍ଧ ପ୍ରହର ଚାହିଁରହେ ପଚାରିଦେବ ପଦେ
ହେଲେ ରାତି କାହିଁ?
ନାଟକର ଯବନିକା ପରେ
କେବେ ଠିଆ ହୁଅ ରଙ୍ଗମଞ୍ଚରେ…
ଦେଖୁଥିବ ଘରମୁହାଁ ଦର୍ଶକମାନଙ୍କୁ ,
ଶୁଣିବ ସାଇତି ରଖୁଥିବା ବେଳେ
ବାଦ୍ୟଯନ୍ତ୍ରର ବେସୁରା ଶବ୍ଦକୁ,
ଆଉ କିଛି ଗଭୀର ଭାବରେ ପ୍ରେରିତ
ସନ୍ଦିହାନ ଦର୍ଶକ ବନ୍ଧୁଙ୍କୁ ,
ଆଉ ଟିକେ ନିରେଖି ଦେଖିବ !
କେହି ଜଣେ ଶାନ୍ତିରେ ଶୋଇଛି !
ନିର୍ଜନତାର ସୁଯୋଗରେ ଗଳି ପଶିଥିବା
ଅପାଙ୍କ୍ତେୟ ଅସଲୀ ନାୟକକୁ !
ଉଠାଅନି ଶୋଇଛି ସେ
କାନଭାସ୍ ଘେରା ରଙ୍ଗିନ୍ ଦୁନିଆ ଭିତରେ
ଭାବନା ଠାରୁ ବହୁଦୂରେ
ଦୁଇ ଆଣ୍ଠୁ ଦୁଇ ହାତର ବୋଝକୁ ଓହ୍ଲେଇ
ଥକାମାରୁଛି ଆସନ୍ତାକାଲିର ସପନ ପାଇଁ ।


ଛତ୍ରଗଡ଼, ଖୋର୍ଦ୍ଧା

ମନ୍ତବ୍ୟ ରଖନ୍ତୁ: