କ୍ଷୁଦ୍ରଗଳ୍ପ – ରେଜଲ୍ଟ – ସିପ୍ରା ନାମତା (ନମ୍ରତା)

ଓଃ……  ମୁଣ୍ଡ ଭୀଷଣ ବିନ୍ଧୁଛି । ସହି ନ ପାରି ଶୃତି ତକିଆ ଚାପିଲା ମୁଣ୍ଡରେ । ଫୋନ ରିଙ୍ଗ ହେଉଛି । ହେଉଥାଉ । ସେଇ ଗୋଟିଏ କଥା !!! ଝିଅ କେମିତି କରିଛି ? କ’ଣ ଉତ୍ତର ଦବ ? କେତେ ଜଣ ଙ୍କୁ ଦେଇସାରିଲାଣି । ନା — ଆଉ ପାରିଵନି । ଆର ଘରେ ସିନି ମୁହଁ ମାଡି ପଡିଛି । ଏତେ ତ ଭଲ କରିଥିଲା ବୋଲି କହୁଥିଲା, ଏମିତି କେମିତି ହେଲା ? ବୋଲି ଆଶ୍ଚର୍ଯ୍ୟ ଲାଗୁଛି ତା’ନିଜକୁ । କାହାରି କଥା ମାନି ନ ଥିଲା  । ସି .ବି .ଏସ. ଇ ରେ ଇଂରାଜୀ ମାଧ୍ୟମରେ ପଢ଼ାଇଥିଲା ଝିଅ କୁ । ଘରେ ଟ୍ୟୁସନ, ଗ୍ରୁପ ରେ ଟ୍ୟୁସନ, କୋଉ କଥାରେ ହେଳା କରି ନ ଥିଲା ସେ । ତେବେ ଏମିତି କାହିଁକି ହେଲା ଯେ ?? କେତେବେଳେ ଆଖି ଲାଗିଯାଇଛି ଶୃତି ର । ହଠାତ ଧଡାମ….. କିନା ଶବ୍ଦରେ ଠାଏ କରି ନିଦ ଟା ଭାଙ୍ଗିଗଲା । ତରବର ହୋଇ ଉଠିବସିଲା ଓ ଦ୍ରୁତ ଗତିରେ ଆର କୋଠରୀ ଆଡ଼କୁ କୁ କ୍ଷେପି ଗଲା ସେ । ଆଖି ତା’ର ଶୁନ୍ୟ ରେ ଫଟା କୁ ଫଟା ରହିଗଲା । କଣ କରିବ ନ କରିବ ତା ମଧ୍ୟରେ ରହି,, ସିନି …..ସିନି… ଡାକି ଡାକି ଯାଇ ତା ଗୋଡ ଦୁଇଟାକୁ ଜାବୁଡି ଧରି ଯେତେ ବଳ ଖଟେଇହେବ ଖୁବ୍ ଜୋର ରେ ଡକା ପାରିଲା, ବାପା ………. ବୋଉ ………… ଭାଇ ……… ଅପା,, ଧାଇଁଆସ ଗୋ ….. ମୋ ଦୁନିଆ ସରିଗଲା…….। କ୍ରନ୍ଦନ ର ଧ୍ୱନୀ ଗୁଞ୍ଜରି ଉଠୁଥିଲା ବାୟୁମଣ୍ଡଳ ରେ । ସେଦିନ ହେବାକୁ ଯାଉଥିବା ଏକ ମସ୍ତବଡ ଅପରାଧ ବୋଧ ଓ ଦୁର୍ଘଟଣା ରୁ ବଂଚିଯାଇଥିଲେ ସେମାନେ । ସିନି କୁ ତତକ୍ଷଣାତ ହସ୍ପିଟାଲ କୁ ବୋହି ନିଆଗଲା । ସିନି ଚାରିପଟେ ପରିବାର ସଦସ୍ୟ ଭର୍ତ୍ତି । ଏକ ଯୌଥ ପରିବାର ର ନିଆରା ଦୃଶ୍ୟ ଦେଖିବାକୁ ପାଇଥିଲେ ହସ୍ପିଟାଲ ଷ୍ଟାଫ ମାନେ । ସିନି ର ଦେହ ସାରା ବରଷି ଯାଉଥିଲା ସ୍ନେହ ର ପରଶ । ଭଲ ହୋଇ ଫେରିଆସିଲା ସେ ଘରକୁ ।

କିନ୍ତୁ ମନ କୁ ଯେତେ ବୁଝେଇଲେ ବି ମନ ବୁଝୁ ନ ଥିଲା । କଣ ପଢିବ ସେ ? ମ୍ୟାଥ ରେ ପୋର ମାର୍କ ଆସିଛି ତା’ର । ଅନ୍ୟ ବିଷୟ ଭଲ ହେଲେ ବି କଣ ଅଛି ! ସେ ତ ଆଉ ସାଇନ୍ସ ପାଇଁ ସେଲେକ୍ସନ ହେବନି ମାତ୍ର ୭୫ ପରସେଣ୍ଟ ରେ । ତାକୁ ହୁଏତ ଆର୍ଟସ ନେଇ ପଢିବାକୁ ହେବ । ତା ପରେ ବି ଭଲ କଲେଜ ରେ ହୁଏତ ଚାନ୍ସ ବି ମିଳି ନ ପାରେ । ତା ସାଙ୍ଗ ମାନେ ବିଜ୍ଞାନ ପଢିବେ ଆଉ ସେ ????? ଛିଃ…………..। ପ୍ରବଳ ଘୃଣା ଆସୁ ଥିଲା । ଶତକଡ଼ା ନବେ ପରସେଣ୍ଟ ଆସିବ ବୋଲି ସେ କହିବୁଲୁଥିଲା । ଏବେ ସମସ୍ତଙ୍କ ଆଗରେ ସେ ଉପହାସର ପାତ୍ରୀ କେବଳ । ମରି ଯାଇଥିଲେ ଭଲ ହୋଇଥାନ୍ତା କିନ୍ତୁ ଏ ମାମା … ତାଙ୍କ ପାଇଁ ବଞ୍ଚିଲି ଯେ ଏବେ କଣ ହେବ ??? ମନ ମାରି ସବୁବେଳେ ଉଦାସିଆ ହୋଇ ରହୁଥାଏ ସେ । ସନ୍ଧ୍ୟା ରେ ବାପା ଙ୍କ ର ସାଙ୍ଗ ଅମିତ ଅଙ୍କଲ ଆସନ୍ତି ସିନି ଘରକୁ ।
—-ଆରେ ସୁନାନାକୀ ଝିଅ ମୋର ମନ ମାରିଛି କାହିଁକି ?? କ’ଣ ଗୋଟେ ଏମିତି ଭାସିଯାଉଥିଲା ଯେ ? ତୁ ଏତେ ବଡ କାମ ଟିଏ କରିବାକୁ ବସିଥିଲୁ । …….ନାଇଁ …….. ନାଇଁ … ମୁଁ କହିବି ସବୁ ଦୋଷ କିନ୍ତୁ ଭାଉଜ ତୁମର । ଶୃତି ଙ୍କ ପ୍ରତି ଆକ୍ଷେପ ଥିଲା ଅମିତ ବାବୁ ଙ୍କର । ଆରେ ଏତିକି ରେ ତୁ ଖୁସିରେ ପଢିପାରିବୁ । ସାଇନ୍ସ ନେଇ ବି ପଢି ପାରିବୁ । କିଛି ନ ଜାଣି କାହିଁକି ଏମିତି ଭାବିଲୁ ଯେ ତୋତେ କେହି କିଛି କହିବେ !! ହଁ, ହେଲେ ମ୍ୟାଥ ବାଦ ଅନ୍ୟ ବିଷୟ ନେଇ ସାଇନ୍ସ ପଢିବୁ, ସେଥିରୁ କଣ ଟା ହୋଇଗଲା ଯେ । ଟିକେ ନୀରବ ରହି ପୁଣି ସେ କହିଲେ, ପାଠ ଗୋଟେ କ’ଣ କହିଲୁ ମା ? ଜୀବନ ରୁ ପାଠ ର ମୂଲ୍ୟ ଟା ଏତେ ବଡ ହୋଇଯାଏନି । ମନ ଟା କୁ ସାହସୀ କରି ଆଗେଇବାକୁ ପଡେ ତେବେ ଯାଇ ସବୁ ବାଧା ବିପଦ କୁ ଅତିକ୍ରମ କରିହୁଏ । ତୁ ମନ ଟା କୁ ଟିକେ ଟାଣ କଲୁ । ସେ ତାଙ୍କ ପୁଅ, ଝିଅ ଙ୍କ ର ଆହୁରି କେତେ କଣ ଘଟଣା, ସଂଘର୍ଷ ଓ କଥା ସବୁ ବର୍ଣ୍ଣନା କରି ଚାଲିଗଲେ ।

ସେ ଆଉ ଏବେ ଏକୁଟିଆ ରହିପାରୁନି । ମାମା ସବୁବେଳେ ତା ସହ ରହୁଛନ୍ତି ।ଏବେ ତା ଆଗରେ କିଛି ରାସ୍ତା ଦେଖା ଯାଉ ନ ଥିଲା। ସାଇନ୍ସ ପଢିବ କିମ୍ବା ଆର୍ଟସ ପଢିବ ଦୋ ଛକି ରାସ୍ତା ରେ ଠିଆ ହୋଇଥିଲା । ଅନେକ ସାଙ୍ଗ ମାନଙ୍କ ସହ ଯୋଗାଯୋଗ କରି ବୁଝିଲା ।ଶେଷରେ ଘରେ ସମସ୍ତଙ୍କ ପରାମର୍ଶ ଅନୁସାରେ ଆର୍ଟସ ପଢିବା ପାଇଁ ସ୍ଥିର ହେଲା । ଆଡ୍ମିସନ ପରେ କିଛିଦିନ କ୍ଲାସ କଲାପରେ ଧୀରେ ଧୀରେ ମନ ପରିବର୍ତ୍ତନ ହୋଇଗଲା ସିନି ର । ଅନେକ ପିଲା ଯୋଉମାନେ ବହୁତ ଭଲ ପରସେଣ୍ଟ ରଖିଛନ୍ତି ସେମାନେ ମଧ୍ୟ ଆର୍ଟସ ପ୍ରିଫର କରିଛନ୍ତି । ସେଥି ମଧ୍ୟରୁ କେତୋଟି ଭଲ ପିଲାଙ୍କ ସହିତ ବନ୍ଧୁତା ହୋଇଗଲା ତା ‘ର ।

—–ବିନୀତ, ତମେ କାହିଁକି ସାଇନ୍ସ ପଢିଲନି ? ତମର ତ ..…
—-ଆରେ, ଭଲ ପରସେଣ୍ଟ ରଖିବା ମାନେ ବିଜ୍ଞାନ ପଢିବାକୁ ହେବ ତମକୁ କିଏ କହିଲା ? ପଢିବା ଟା ନିଜ ଇଛା, ନିଜ ରୁଚି ଓ ଭବିଷ୍ୟତ କୁ ଆଗରେ ରଖି ହୁଏ । ମୁଁ ଆମ ସ୍କୁଲ ର ଟପ୍ପର । କିନ୍ତୁ ମୁଁ ଆର୍ଟସ ପଢିବାକୁ ରୁଚି ରଖିଲି । ଏ ଲାଇନ ରେ ବି ସକ୍ସେସ ଅଛି । ବିଭିନ୍ନ ବିଭାଗ ଅଛି ନିଜ ସ୍କିଲ ପ୍ରଦର୍ଶନ କରିବା ପାଇଁ । ଆମ ସମାଜ ଏବେ ପତନ ଆଡକୁ ଯାଉଛି । ଯଦି ସବୁ ପିଲା ଡାକ୍ତର, ଇଞ୍ଜିନିୟର ହେବେ ଅନ୍ୟ ବିଭାଗ ଗୁଡିକ ଚାଲିବ କେମିତି ?? ହେ.. ହେ… ହେ… ହେ… ହେ । ଆମ ଘରେ ମୋ ବାପା, ଦାଦା ଏମିତି କୁହନ୍ତି, ବୁଝିଲ । ହଉ ଚାଲ ଏଥର କ୍ଲାସ ଟାଇମ ହେଲାଣି ପୁଣି ପରେ ଡିସକସ କରିବା ।

ଲେଖା ମାଉସୀ, ମାମା ଙ୍କ ପିଉସୀ ଝିଅ ଭଉଣୀ ସେଦିନ ଆସି ମାମା ଙ୍କ ସହ ଆଲୋଚନା କରୁଥିବା ଆଲୋଚନା ରୁ କିଛି ତା’କାନ ରେ ପଡିଥିଲା । ତୁମେ ଖାଲି ଟିଉସନ ଦେଲ ଭାଉଜ, ଘରେ, ବାହାରେ, ସବୁଠି । କିନ୍ତୁ ସେ କେତେ ସମୟ ପ୍ରାକ୍ଟିସ କରିବାକୁ ପାଇଲା ବା କରୁଥିଲା ସେ କଥା କୁ ନଜର ଦେଇଥିଲ ? ନା ତୁମେ ଦେଇନ । ସେଥିପାଇଁ ମୁଁ ତମକୁ ବାରମ୍ବାର କହୁଥିଲି ସିନି କୁ ସବୁବେଳେ ଜଗ । କେତେ ସମୟ ସେ ପଢୁଛି, ନିଜେ ଏକ୍ସରସାଇଜ ଗୁଡିକୁ କରୁଛି ସେସବୁ କୁ ଦେଖ ।ଟିଉସନ ଖାଲି ଗାଇଡ ଦେବା ପାଇଁ । ଆଉ ଗୋଟେ କଥା କହିବି, ଖରାପ ଭାବିବନି, ତୁମେ କି ଭାଇ ଇଂରାଜୀ ମିଡିଅମ ରେ ପଢିନାହଁ । ତେଣୁ ଟିଉସନ ଦେବାକୁ ବାଧ୍ୟ ।ସେ କଣ ପଢିଲା, ମାଷ୍ଟ୍ରେ କଣ ପଢ଼ାଇଲେ ସେସବୁ ତୁମେ ଖାଲି ଦେଖିଲ ସିନା, କିନ୍ତୁ ବୁଝିଲ କି ?? ତେଣୁ ଯାହା ତ ହେବାର ହେଲାଣି । ଏଥର ତାକୁ ଖୁବ୍ ଭଲ ଭାବରେ ଗାଇଡ କରିବ, ଦେଖିବ ସେ ନିଶ୍ଚୟ ଭଲ କରିବ । ସତ କଥା ତ, କେତେ ଥକି ଯାଉଥିଲା ସେ ଟିଉସନ ର ପାଠ ସାରୁ ସାରୁ । ଆଉ ଅଧିକ ପଢିବାକୁ ଇଛା ହୁଏନି ଶୋଇପଡେ । ଯେତିକି ମାମା ଜଗି ବସନ୍ତି ସେତିକି ରେ ଏତେ ମାର୍କ ରଖିଛି । ମାମା ଙ୍କ ର ମ୍ୟାଥ ଟା ହୁଏନି ବୋଲି ନା… ନୋହେଲେ ସେଇଟା ବି ଭଲ ହୋଇପାରନ୍ତା । ଓଃ… ମାମା, ତୁମେ ଗୋଟେ ଡେଉଁରିଆ ଟେ ବି ଦେଇଥାନ୍ତ ଯଦି ମୋ ମାର୍କ କମି ନ ଥାନ୍ତା, ଯେମିତି ଶୀତଳ କୁ ତା ମାଆ ଦେଇଥିଲେ । ସିନି ନିଜ ଭାବନା ରେ ନିଜେ ଚମକି ପଡିଲା ହେଃ……. କି ବାଜେ କଥା !! ଏଗୁଡା ପୁଣି ମନ କୁ ଆସୁଛି କେମିତି ଯେ ?? ପ୍ରାକ୍ଟିସ କରିଥିଲେ ହୋଇଥାନ୍ତା ଏଇଟା ତ ହେଲା ମୂଳ କଥା….।

ସନ୍ଧ୍ୟା ନିଉଜ ପାଇଁ ଟି ଭି ସାମ୍ନା ରେ ବସିଥିଲା ଶୃତି । ଆଜିକୁ ମାସେ ହେଲାଣି ପ୍ରାୟ ଖବର ହେଉଛି, ଖରାପ ପରୀକ୍ଷା ଫଳ ହେତୁ ଛାତ୍ର /ଛାତ୍ରୀ ଆତ୍ମହତ୍ୟା । କେଉଁଠି ମାଆ ସହିତ ବିଷ ପିଇ ତ କେଉଁଠି ବେକରେ ଦଉଡି ଦେଇ, ତ କେଉଁଠି……. ନା, ଆଉ ହେଇପାରେନି ନିଉଜ ଦେଖା । ସେଦିନ ରୁ ବିଭିନ୍ନ ଅଞ୍ଚଳ ରୁ ବିଭିନ୍ନ କରୁଣ ପରିସ୍ଥିତି ମନ କୁ ଦୋହଲେଇ ଦିଏ । ପାଖ ପଡିଶା ଆସି ଯୋଗ ଦିଅନ୍ତି । ଶାଶୁ ମା, ଯାଆ କେତେବେଳେ କେତେବେଳେ ଆସି ଆଲୋଚନା ରେ ବସନ୍ତି । ପ୍ରକୃତରେ ଆଜିର ଦୁନିଆରେ ଭଲ ସଂସ୍କାରର ଘୋର ଅଭାବ । ଗୋଟେ ଦୌଡ ପ୍ରତିଯୋଗୀତା ଛଡା ଆଉ କିଛି ନୁହେଁ ।କେବଳ ହାଇ ଷ୍ଟାଟସ ଆଉ ପଦ ପଦବୀ ର । କିଏ କଣ ଚାକିରୀ କଲା, ମୋଟା ଅଙ୍କ ର ଟଙ୍କା ରୋଜଗାର କଲା, କେମିତି ଖାଉଛି, କେମିତି ପିନ୍ଧୁଛି, କାହା କାହା ସହ ବସା ଉଠା କରୁଛି, ଇତ୍ୟାଦି ଇତ୍ୟାଦି । ଆଉ ଭଲ ମଣିଷ ଟେ ମିଳିବ କାହୁଁ ?? ବର୍ତ୍ତମାନ ମଣିଷ ତିଆରି କାରଖାନା ରେ ଆଉ ଉତ୍ତମ ମାନ ର, ଗୁଣ ର, ସ୍ୱାଭିମାନ ର, ସାମ୍ୟବାଦ ର, ମୌଳିକତାର, ସଭ୍ୟତା ସଂସ୍କୃତି କୁ ବଞ୍ଚେଇବାର, ସ୍ନେହ ସୌହାର୍ଦ୍ଦ୍ୟ, ବନ୍ଧୁତ୍ୱ ର ଖୋଳପା ରେ ଆଚ୍ଛାଦିତ ମଣିଷ ଟିଏ ତିଆରି ହେଉନାହିଁ । ଯିଏ ଏଠୁ ବାହାରୁଛି ସେ ମଣିଷ ପରି ଦେଖଯାଉଛି ସତ କିନ୍ତୁ ତା’ଭିତରେ ହୃଦୟ ବୋଲି କିଛି ନାହିଁ । କେବଳ ଅର୍ଥ ରୋଜଗାର ଓ ଉପରକୁ ଉପରକୁ ଉଠିବାର ନିଶା ଲାଗିଛି । ଗୋଟେ ମେସିନରେ ପରିଣତ ହୋଇଛି । ସବୁ ସ୍ମାର୍ଟ ଭିତରେ ‘ଦରଦ’ ବୋଲି ଗୋଟେ ମାନସିକ ଚେତନା ଟି ସ୍ମାର୍ଟ ହୋଇପାରେନି କେମିତି ସେକଥା ଅବୁଝା ହୋଇ ରହିଯାଏ ।

ଲିଲି ଦେବୀ ଙ୍କ ଦୁଃଖ ପୁଅ ବିଦେଶ ରେ ପଢୁଛି । ଏବେ ରୁ କହିଲାଣି, ସେଇଠି ରହିବ । ଏ ଦେଶ କୁ ସେ ଆଉ ଆସିବ ନାହିଁ । କାରଣ ଏଠି ଜାତି ର କୋଟା ରେ ସେ ବ୍ରାହ୍ମଣ ହୋଇଥିବାରୁ ଭଲ ଚାକିରୀଟିଏ ପାଇବ ନାହିଁ । ପରିବାର ଚଳାଇବା ପାଇଁ ଅର୍ଥ ଦରକାର । ଝିଅ ଟିଏ ହୋଇଛି ଯେ ଭଲ ରୋଜଗାରିଆ ପିଲା ଦେଖି ବିବାହ ଦେଇଦେଲେ ସରିଲା ।
—-ନାଇଁ ମ ଦିଦି ,ସେ କଥା ନୁହେଁ ଝିଅ ଟିଏ ବି ଆତ୍ମନିର୍ଭରଶୀଳ ହେବା ପାଇଁ ଯୋଗ୍ୟତା ଥିବା ଦରକାର ।ତା ନୋହେଲେ ଆଜିକାଲି ଯୋଉ ସମସ୍ୟା ନା ,ଛାତିରେ ପାଣି ଅଟକି ଯାଉଛି ।
—-ହଁ ,ସେକଥା ଠିକ୍ କହିଲ ଯେ ଶୃତି, କିନ୍ତୁ ତମେ ଭାବୁନ, ଆମ ଦେଶରେ ଏଇ ଭେଦା ଭେଦ ଯୋଗୁଁ ହିଁ ଆମେ ସବୁ କଷ୍ଟ ପାଉଛୁ । ଅଭିଭାବକ ମାନେ ମଧ୍ୟ କଷ୍ଟ ପାଉଛନ୍ତି ସେମାନଙ୍କ ସନ୍ତାନ ମାନଙ୍କ ପାଇଁ । ଦେଶ ର ଉନ୍ନତି ଦିଗରେ କୌଣସି ଉଚିତ ପଦକ୍ଷେପ ନାହିଁ । ଆମେ ବି କିଛି କରିପାରୁନୁ ଚାଲିଥିବା ସିଷ୍ଟମ ବିରୁଦ୍ଧରେ ।କେବଳ ଏହି ଗଣତନ୍ତ୍ର ବନାମ ରାଜତନ୍ତ୍ର ରୂପକ ରେସ କୋର୍ସ ର ଗୋଟେ ଗୋଟେ ମୋହରା ହୋଇ ରହିଯାଉଛୁ । କିଛି ବାରଜାତିଆ କଥା ରେ ଆଉ ଜଣେ ଦି’ଜଣ ତାଳ ଦିଅନ୍ତି । କିନ୍ତୁ ପ୍ରକୃତ କଥା ହେଲା, ଏମାନେ ସମସ୍ତେ ମୂଷା ।ବିଲେଇ ବେକରେ ଘଣ୍ଟି ବାନ୍ଧୁଛି କିଏ ? ଯିଏ ବାନ୍ଧିବାକୁ ଯିବ, ତା ଅଗଣା ରେ ଶଗୁଣା ମାନେ ଚକ୍କର କାଟି ତାକୁ ଖିନଭିନ କରି, ରକ୍ତାକ୍ତ କରିଦେବେ, ଆଉ କିଛି ସନ୍ତ୍ରସବାଦ ନାଁ ରେ କେଉଁଆଡକୁ ଯେ ଉଡାଇ ଦିଆଯିବ ସେ କଥା କହିହେବନି । ତେଣୁ ଆପେ ବଞ୍ଚିଲେ ବାପ ର ନାଁ ପରି, ବଞ୍ଚିଗଲେ ହେଲା ।

ଯେତେ କଥାରେ ମନ ଭୁଲାଇଲେ ସେଇ ଝିଅ ପାଖରେ ଆସି ଅଟକିଯାଏ । ଦକ୍ଷତା ଥାଉ ନ ଥାଉ ,ରାତିରେ ସିନି ପାଖରେ ବସି ପଢା ସାଥୀ ହେବାକୁ ପଡେ ।ଯାହା ହେଲେ ବି ଭବିଷ୍ୟତ ପାଇଁ ଝିଅ କୁ ଯୋଗ୍ୟ କରିବାକୁ ପଡିବ । ତା ମୁଣ୍ଡର ପଡିଆ ରୁ ଅଳିଆ ବାହାର କରି ଖତ ଦେବାକୁ ପଡିବ । ଯେମିତି ଭଲ ଗୁଣ ଆଉ ସଣ୍ଠଣା ରେ ପରିପୂର୍ଣ୍ଣ ହୋଇପାରିବ । ଦୌଡ ତା ବାଟ ରେ ଯାଉ କିନ୍ତୁ ଆମକୁ ସେ ଦୌଡ ର ଅଂଶ ବିଶେଷ ନ ହୋଇ ସେଥିରୁ ଆସୁଥିବା କ୍ଷୟ କ୍ଷତି କୁ ଯେମିତି ଆଡେଇ ଆଗକୁ ଯାଇ ପାରିବ, ସେ କଳାଟିକୁ ହାସଲ କରିବାକୁ ପଡିବ । ତେବେ ଯାଇ ଝିଅ ତାଙ୍କର ସମାଜ ରେ ମୁଣ୍ଡ ଟେକି ଠିଆ ହୋଇପାରିବ । କାହା ଉପରେ ବୋଝ ନ ହୋଇ ଆତ୍ମନିର୍ଭରଶୀଳ ହୋଇ ବଞ୍ଚିବା ଜାଣିଯିବ । ଭବିଷ୍ୟତରେ କିଏ ଜାଣିଛି, ଏଇ ମ୍ୟାଥ ରେ ଦୁର୍ବଳ ପରସେଣ୍ଟ ରଖିଥିବା ଝିଅ ଟି କୋଉ କ୍ଷେତ୍ରରେ ଉତ୍ତମତା ପ୍ରଦର୍ଶନ ନ କରିବ ? ହୁଏତ କିଛିଟା କଷ୍ଟ ହୋଇପାରେ । କିନ୍ତୁ କୋଉ କାମ ରେ କଷ୍ଟ ନାହିଁ ?? ବିନା କଷ୍ଟ ରେ ଇଷ୍ଟ ମିଳିବା ସମ୍ଭବ କି ?? ଲେଖା ଦିଦି ଙ୍କ କଥା କୁ ,ଆଉ ଲିଲି ଦିଦି ଙ୍କ ପରାମର୍ଶ କୁ ଅନୁସରଣ କରିବା ବୁଦ୍ଧିମାନ ର କାମ ହେବ ବୋଧହୁଏ । ପରମ ବା ଚରମ ତୃପ୍ତି କିଛି ନ ମିଳୁଥିଲେ ମଧ୍ୟ, ଚାରିଛକି ଭିତରୁ କେଉଁ ରାସ୍ତା ରେ ଯିବା ର ଏକ ନିଷ୍ପତି ନେବାର ସାହସ କରିପାରିଥିବାରୁ, ଏକ ଦୀର୍ଘଶ୍ଵାସ ଛାଡିଲା ଶୃତି……. ପ୍ରତି ବର୍ଷ ଏଇ ରେଜଲ୍ଟ ବାହାରିବା ସମୟ ରେ ରେଜଲ୍ଟ ତ ବାହରେନି, କେତେ ଆଶା ନିରାଶା କୁ ଭାଙ୍ଗି ଚୁର ଚୁର କରିଦିଏ ତ କେତେ ବେଳେ ଛାତ୍ର ଆଉ ଅଭିବାବକ ଙ୍କ ପାଇଁ ଚରମ ପରୀକ୍ଷା ରେ ପକେଇଥାଏ ସବୁ ଶାନ୍ତି ହରଣ କରି, କିନ୍ତୁ ଦିନ ବିତିଯାଏ, ପୁଣି ଜୀବନ ଚାଲେ ଗତାନୁଗତିକ ରୀତିରେ……। ଯାହା ବି ହେଉ ଆଗେଇବାକୁ ତ ପଡିବ !! ପିଲାଙ୍କ ଭବିଷ୍ୟତ ଗଢିବାକୁ ପଡିବ ସେଇ ଗୋଟିଏ ଧାରା ରେ…….।


ସିପ୍ରା ନାମତା
ବାରିପଦା

ମନ୍ତବ୍ୟ ରଖନ୍ତୁ