ପ୍ରବନ୍ଧ – ରୁଗବେଦ ବର୍ଣ୍ଣିତ ଦେବଦେବୀ – ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

ଯୁଗେ ଯୁଗେ ବୈଦିକ ଗ୍ରନ୍ଥଗୁଡିକ ଭାରତୀୟମାନଙ୍କ ଧର୍ମୀୟ ବିଶ୍ୱାସକୁ ବଳିଷ୍ଠ କରିଆସିଛି । ବୈଦିକ ଯୁଗରୁ ଆର୍ଯ୍ୟ ଉପଜାତିଗୁଡିକର ଧର୍ମବିଶ୍ୱାସ ରୂପ ପରିଗ୍ରହ ଓ ସ୍ଥାୟିତ୍ୱ ଲାଭ କରି ଆସିଥିବା ବୈଦିକ ସାହିତ୍ୟରେ ପ୍ରତିଫଳିତ ଘଟିଛି । ବୈଦିକ ଧର୍ମକୁ କିଛି ସର୍ତ୍ତ ସହିତ ଏକ ସୁନିଦ୍ଦିଷ୍ଟ ଧର୍ମ ବ୍ୟବସ୍ଥା, ସଂଶ୍ଳିଷ୍ଟ ସୁମଞ୍ଜସ ପ୍ରଥା, ଆଚାର, ପୂଜା, ପର୍ବ ସହ ଧର୍ମୀୟ ଓ ଦାର୍ଶନିକ ବିଶ୍ୱାସ, ବହୁ ପୁରୁଣାକାଳିଆ ଧ୍ୟାନ ଧାରଣା ଭାରତୀୟ ସଂସ୍କୃତିର ନିଦର୍ଶନ ପାଲଟିଛି । ବୈଦିକ ଆର୍ଯ୍ୟ ସମାଜର ବିକାଶରେ ଏହି ଧର୍ମୀୟ ଭାବନା ମହାମନ୍ତ୍ର ଭାବେ କାର୍ଯ୍ୟ କରିଆସିଛି । ବେଦବାଦ ଭାରତରେ ଜାତ ଧର୍ମବିଶ୍ୱାସ ସମୂହ ମଧ୍ୟରେ ସବୁଠାରୁ ପ୍ରାଚୀନ ଏକ ସମନ୍ୱିତ ବ୍ୟବସ୍ଥା ।

ବୈଦିକ ଧର୍ମର ଏକ ଅପରିହାର୍ଯ୍ୟ ଅଙ୍ଗ ହେଉଛି ବହୁ ଈଶ୍ୱରବାଦ , ଅର୍ଥାତ୍ ନରତ୍ୱ ଆରୋପିତ ବହୁ ସଂଖ୍ୟକ ଦେବଦେବୀ ଓ ଅବତାରର ଉପାସନା । ତେଣୁ ବୈଦିକ ଯୁଗରୁହିଁ ଭାରତୀୟମାନେ ନାନା ପ୍ରାକୃତିକ ପ୍ରପଞ୍ଚ ଓ ଦେବଦେବୀଙ୍କ ଉପରେ ମାନବିକ ଗୁଣାବଳୀ ଆରୋପିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଦୋଷତ୍ରୁଟି ଓ ଉତ୍ତମ ଗୁଣ ଦ୍ୱାରା ବିଭୂଷିତ କରୁଥିଲେ । ‘ଋଗ୍ ବେଦ’ରେ ଦେବତାମାନଙ୍କ ବର୍ଣ୍ଣନା ରହିଛି, ଆଉ ସେହି ଦେବତାମାନଙ୍କ ଉପରେ ଆରୋପଣ କରାଯାଇଛି ପାର୍ଥିବ ପ୍ରାଣୀମାନଙ୍କ ଆକାର ପ୍ରକାର । ସେହି ଦେବତା ମାନେ ମାନବେତର ପ୍ରାଣୀରୂପେ ଦେଖା ଦେଇଛନ୍ତି । ଏପରିକି ବିଭିନ୍ନ ପ୍ରବଞ୍ଚ ସହିତ ଏକ ଏକ ମୌଳିକ ସଂପର୍କ ସହ ଯୁକ୍ତ ହୋଇଛନ୍ତି, ଅର୍ଥାତ୍ ଇନ୍ଦ୍ର ଦେବତା ଅନେକ ସମୟରେ ଷଣ୍ଢ ରୂପରେ, ଅଗ୍ନି ଦେବତା ଅଶ୍ୱ ରୂପରେ ଉପସ୍ଥିତ ହୋଇଛନ୍ତି । ବୈଦିକ ଆର୍ଯ୍ୟମାନେ ସେହି ଦେବତାମାନଙ୍କୁ ସମ୍ବୋଧନ କରି ସ୍ରୋତ୍ର ନିବେଦନ କରିଛନ୍ତି । ସେହି ଦେବତାମାନଙ୍କ ଉଦ୍ଦେଶ୍ୟରେ ପୂଜା ଉପଚାର ଓ ଏପରିକି ବଳି କରିଛନ୍ତି । ଏସବୁ ସୋତ୍ରଗୁଡିକରେ ବୈଦିକ ଯୁଗର ଲୋକେ ଦେବତାମାନଙ୍କୁ ନିବେଦନ କରିଛନ୍ତି । ବହୁ ସଂଖ୍ୟକ ପଶୁ, ଯୁଦ୍ଧରେ ବିଜୟ, ଉତ୍ତମ ଫସଲ ହେଉ ଅବା ଅତି ସାଙ୍ଘାତିକ ବିପର୍ଯ୍ୟୟ ଓ ବିପତ୍ତିରୁ ପରିତ୍ରାଣ ପାଇଁ ଆକୁଳ ନିବେଦନ କରିଛନ୍ତି ।

ଏପରିକି ‘ଋଗ୍ ବେଦ’ରେ ଥିବା ଆରାଧ୍ୟ ଦେବତାମାନଙ୍କୁ ଶ୍ରେଣୀବିନ୍ୟାସ କରିବାର ପ୍ରୟାସ କରାଯାଇଥିବା ଜଣାଯାଏ । ଏକଥା ସ୍ପଷ୍ଟଯେ, ବୈଦିକ ଭାରତୀୟମାନେ ବିଶ୍ୱ ବ୍ରହାଣ୍ତକୁ ସ୍ୱର୍ଗ, ମର୍ତ୍ତ୍ୟ, ଅନ୍ତରୀକ୍ଷ ଏପରି ତିନୋନି ଅଂଶରେ ଭାଗ କରିବାର ଯେଉଁ ତତ୍ତ୍ୱ ସେମାନଙ୍କ ଦୃଷ୍ଟିରେ ଥିଲା ତାହା କରିଛନ୍ତି । ଆହୁରି ମଧ୍ୟ ସେମାନେ ସେମାନଙ୍କ ଉପାସ୍ୟ ଦେବତାମାନଙ୍କୁ ସେଭଳି ତିନୋଟି ଗୋଷ୍ଠୀରେ ଭାଗ କରିଯାଇଛନ୍ତି । ବିଶ୍ୱ ବ୍ରହ୍ମାଣ୍ତର ଏହି ତିନୋଟି ଅଂଶ ମଧ୍ୟରୁ ପ୍ରତ୍ୟେକଟିରେ ନିଜସ୍ୱ ଅଧିବାସୀ ଦେବଦେବୀ ଥିଲେ । ଯେଭଳି ସ୍ୱର୍ଗର ଦେବତାମାନଙ୍କ ଭିତରେ ଥିଲେ ସୂର୍ଯ୍ୟ ଦେବତା, ଉଷା ଦେବୀ ଉଷସ ଓ “ନୈତିକ ନିୟମରାଶିର ନିଦ୍ଧାରକ” ଦେବତା ବରୁଣ । ସେଭଳି ମର୍ତ୍ତର ଦେବତାମାନଙ୍କ ମଧ୍ୟରେ ସର୍ବୋଚ୍ଚ ଶ୍ରେଷ୍ଠ ସମ୍ମାନରେ ପ୍ରତିଷ୍ଠିତ ଥିଲେ ଅଗ୍ନି ଓ ପବିତ୍ର ମାଦକରସର ଦେବତା ସୋମ । ଏହା ବ୍ୟତିତ ଅନ୍ତରୀକ୍ଷ ଦେବତାମାନଙ୍କ ଭିତରେ ଥିଲେ ଝଡର ଦେବତା ରୁଦ୍ର, ପବନ ଦେବତା ବାୟୁ ଓ ମହାଶକ୍ତି ଇନ୍ଦ୍ର ।

ଏକଥା ସତଯେ, ବୈଦିକ ଆର୍ଯ୍ୟ ଉପଜାତି ମାନଙ୍କର ଏହି ସମସ୍ତ ଧ୍ୟାନ ଧାରଣା ସହିତ ପୌରାଣିକ ତତ୍ତ୍ୱ କଥାର ବିଶ୍ୱ ବ୍ରହ୍ମାଣ୍ତ ତ୍ରିବିଧ ଭାଗବଣ୍ଟା ଘନିଷ୍ଠ ଭାବରେ ସଂପୃକ୍ତ ଥିଲା । ତେଣୁ ଏଭଳି ଏକ ଭାରତୀୟ ବୈଦାନ୍ତିକ ପୌରାଣିକ ଦେବଦେବୀ ସଂପର୍କୀତ ଅବଧାରଣା ସହ ଅତି ପ୍ରାଚୀନ ଦେବଦେବୀଙ୍କ ସାଦୃଶ୍ୟ ମଧ୍ୟ ଭାରତୀୟ-ଇରୋପୀୟ ଓ ଇରାନୀୟ ସହ ରହିଛି । କେତେକ ବୈଦିକ ଦେବଦେବୀ ସ୍ପଷ୍ଟତଃ ଗ୍ରୀକ୍ ଦେବଦେବୀ ଭଳି ମନେ ହୁଅନ୍ତି । ତେଣୁ ଗ୍ରୀକ୍ ଦେବଦେବୀଙ୍କ ସହିତ ବୈଦିକ ଦେବଦେବୀଙ୍କ ମଧ୍ୟରେ ଭାରତୀୟ ଦେବଦେବୀ ମଧ୍ୟ ଅଛନ୍ତି । ବୈଦିକ ଆର୍ଯ୍ୟମାନେ ସମଗ୍ର ଭାରତରେ ବିଛେଇ ହୋଇଯିବା ଫଳରେ ଦେବଦେବୀଙ୍କ ଉପାସନା ଆରମ୍ଭ ହୋଇଥିଲା । ସବୁଠୁ ଦେବତାଙ୍କ ମଧ୍ୟରେ ଅନ୍ୟତମ ଦେବତା ହେଉଛନ୍ତି ଇନ୍ଦ୍ର, ଯାହାକି ତାଙ୍କ ନାମରେ ବହୁ ପ୍ରାକୃତିକ ପ୍ରପଞ୍ଚ ବା ଘଟଣା ରହିଛି । ଇନ୍ଦ୍ର ଦେବତାଙ୍କ ପ୍ରତି ‘ଋଗ୍ ବେଦରେ’ ଦୁଇଶହ ପଟାଶରୁ ଉର୍ଦ୍ଧ ସୂକ୍ତ ରହିଛି, ଯାହା ଇନ୍ଦ୍ରଙ୍କ ପ୍ରତି ନିବେଦିତ । ଇନ୍ଦ୍ରଙ୍କ ବର୍ଣ୍ଣନାରେ ସେ ବିରାଟକାୟ, ଅସୀମ ଶକ୍ତିଶାଳୀ ଏକ ପୁରୁଷ । ସେ ହେଉଛନ୍ତି ବ୍ରଜ ଧାରଣକାରୀ, ସହସ୍ର ସହସ୍ର ଶତ୍ରୁ ସେ ଆଖି ପଲକମାତ୍ରେ ବିଦ୍ୟୁତଗର୍ଭ ବ୍ରଜଶେଳହାଣି ନିଧନ କରିପାରନ୍ତି । ଏହି ପରାକ୍ରାନ୍ତ ଯୋଦ୍ଧା ଦେବତା ପୃଥିବୀର ଜଳ ଶୋଷଣକାରୀ ନାଗରାଜ ପୁତ୍ରକୁ ବଧ କରିଥିଲେ । ବୈଦିକ ଉପଖ୍ୟାନରେ ତାଙ୍କର ବିଭିନ୍ନ କ୍ରିୟାକଳାପକୁ ନେଇ ତାଙ୍କୂ ମାନବୋଚିତ ବୈଶିଷ୍ଟ୍ୟ ଆରୋପିତ କରାଯାଇଛି ।

ସେଭଳି ବରୁଣ ଦେବତା ସମଗ୍ର ଆକାଶ ଉପରେ ଆଧିପତ୍ୟ କରନ୍ତି, ରଥରେ ବସି ଆକାଶ ପରିକ୍ରମା କରନ୍ତି । ଜଗତର ଶୃଙ୍ଖଳା ରକ୍ଷା ସହ ମଣିଷର ଭାଗ୍ୟ କ୍ରିୟାକଳାପ ସହ ଗ୍ରହନକ୍ଷତ୍ରର ଚଳାଚଳକୁ ନିୟନ୍ତ୍ରଣ କରନ୍ତି । ସେ ମଧ୍ୟ ପୃଥିବୀ, ମହାଶୂନ୍ୟ ଓ ବାୟୁମଣ୍ତଳର ରକ୍ଷକ ଓ ଋତୁ ଫଳାଫଳର ନିୟନ୍ତା । ପାପୀକୁ କଠିନ ଶାସ୍ତି ବିଧାନ କରୁଥିବା ବରୁଣ ନିରାପରାଧ ଓ ଅନୁତପ୍ତଙ୍କ ପ୍ରତି କରୁଣାମୟ ହୁଅନ୍ତି । ସକଳ ଦେବତାଙ୍କ ଭିତରେ କୌତୁହଳୋଦ୍ଦୀପକ ଓ ଅସାଧାରଣ ଚରିତ୍ର ହେଉଛନ୍ତି ଝଡର ଦେବତା ରୁଦ୍ର । ସେ କେବଳ ନାସ୍ତିବାଚକ ଗୁଣର ଅଧିକାରୀ । ଋଗ୍ ବେଦରେ’ ତାଙ୍କର ସ୍ଥାନକୁ ଗୌଣ କରାଯାଇଛି । ଯେଉଁ ସବୁ ପୂଜା ଓ ବଳି ଅନ୍ୟ ଦେବତାମାନେ ଗ୍ରହଣ କରନ୍ତି ନାହିଁ, ସେ ସବୁ ରୁଦ୍ରଦେବତା କେବଳ ଗ୍ରହଣ କରନ୍ତି । ଏହି ରୁଦ୍ରଦେବତାଙ୍କୁ ଆର୍ଯ୍ୟମାନେ ଅନାର୍ଯ୍ୟ ଉପଜାତିଙ୍କ ଠାରୁ ଗ୍ରହଣ କରିଥିବା ଜଣାଯାଏ ।

ବୈଦିକ ଉପଜାତିମାନେ ବିଷ୍ଣୁଦେବତାଙ୍କ ସହ ପରିଚିତ ଥିଲେ । ଋଗବେଦରେ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଛଅଟି ସୂକ୍ତ ନିବେଦିତ ଅଛି । ମାତ୍ର ତିନୋଟି ପଦକ୍ଷେପରେ ବିଷ୍ଣୁ ବିଶ୍ୱବ୍ରହ୍ମାଣ୍ତ ପରିକ୍ରମା କରିଥାନ୍ତି, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଉପଖ୍ୟାନଟି ଯୋଗୁ ପରେ ବିଷ୍ଣୁ ହିନ୍ଦୁଧର୍ମରେ ପ୍ରଧାନ ଦେବତା ରୂପେ ପରିଣତ ହୋଇଛନ୍ତି । ବୈଦିକ ଦେବଦେବୀ ମଧ୍ୟରେ ଅଗ୍ନି ଓ ସୋମ ଦେବତାଙ୍କ ସ୍ଥାନ ସ୍ୱତନ୍ତ୍ର । ଧର୍ମୀୟ ଅନୁଷ୍ଠାନରେ ଅଗ୍ନି ଦେବତା ଏକ ମୌଳିକ ଗୁରୁତ୍ୱର ଅଧିକାରୀ । ବୈଦିକ ସୂକ୍ତରେ କୁହାଯାଇଛି, ଯଜ୍ଞାଗ୍ନିରୁ ଅଗ୍ନିଙ୍କ ଆନୁକୁଲ୍ୟରେ ଦେବତାମାନେ ଅମରତ୍ୱ ଲାଭ କରିଛନ୍ତି । ଏହିଦୃଷ୍ଟିରୁ ଦେବକୁଳ ଓ ମାନବକୁଳ ମଧ୍ୟରେ ଅଗ୍ନି ଯୋଗସୂତ୍ରର କାର୍ଯ୍ୟ କରନ୍ତି । ଅଗ୍ନି ହେଉଛନ୍ତି ପରିବାରର ମଙ୍ଗଳଦାୟକ । “ଋଗ୍ ବେଦରେ” ଅଗ୍ନିଙ୍କୁ ଗୃହର ରକ୍ଷାକର୍ତ୍ତା ଭାବେ ଦର୍ଶାଯାଇଛି । ସେହିପରି ପବିତ୍ର ମାଦକ ପାନୀୟର ଦେବତା ସୋମଙ୍କ ଉଦ୍ଦେଶ୍ୟରେ ‘ଋଗବେଦରେ’ ଶହେ କୋଡିଏଟି ଋକମନ୍ତ୍ର ଉତ୍ସର୍ଗିତ ଅଛି । ସୋମ ଦେବ ଅଗ୍ନିଙ୍କ ଭଳି ଦେବତାମାନଙ୍କ ଅମରତ୍ୱ ଅର୍ଜନର କାରକ । ଦେବତାମାନେ ଏହି ଅମରତ୍ୱ ବିଧାୟକ ପାନୀୟ ପାଇଁ ଅତିମାତ୍ରାରେ ବ୍ୟାକୁଳ ଥିଲେ । ମଣିଷ ମଧ୍ୟ ଏହି ପାନୀୟ ପାଇଁ ବ୍ୟାକୁଳ, କାରଣ ସେବି ଚାହେଁ ଦେବତାମାନଙ୍କ ସହ ଅନ୍ତଭୃକ୍ତ ହେବାକୁ ।

ପରବର୍ତ୍ତୀ ବୈଦିକ ଯୁଗରେ “ବିମୂର୍ତ୍ତ” ଦେବଦେବୀଙ୍କ ଆବିର୍ଭାବ ଘଟିଥିଲା । ଏମାନଙ୍କର କ୍ରିୟାକଳାପ ଅସ୍ପଷ୍ଟ, ଏମାନଙ୍କ ମଧ୍ୟରେ ଶ୍ରେଷ୍ଠଥିଲେ ବାକ୍ୟଦେବୀ ବାଚ୍ ଓ ବିଶ୍ୱାସର ଦେବ ଶ୍ରଦ୍ଧା । ଏସବୁ ନୂତନ ଦେବମଣ୍ତଳୀର ଆବିର୍ଭାବ ଘଟିଥିଲା ସର୍ବେଶ୍ୱରବାଦୀ ଧର୍ମଧାରଣାରୁ, ଏହାର ସୂଚନା `ଋଗ୍ ବେଦରୁ’ ମିଳେ । ବୈଦିକ ସୂକ୍ତ ସମୂହରେ ପ୍ରାକୃତିକ ଶକ୍ତିସମୂହ ଉପରେ ଦେବତ୍ୱ ଓ ମାନବିକ ଗୁଣାବଳୀକୁ ଆରୋପିତ କରେ । ଫଳତଃ ବିଭିନ୍ନ ଦେବତାଙ୍କ ବର୍ଣ୍ଣନାରେ ଥିବା ସାଦୃଶ୍ୟକୁ ଅନୁଭବ କରିହୁଏ । ଦେବତାମାନଙ୍କ ଭିତରେ କୌଣସି ଦୃଢ ବିନ୍ୟସ୍ତ ପଦ ପରଂପରା ଗଢି ଉଠିନି, ବରଂ ଗୋଟିଏ ଗୋଟିଏ ମୁହୂର୍ତ୍ତରେ, ଅବଶ୍ୟ ଗୋଟିଏ ଗୋଟିଏ ଦେବତାଙ୍କ ସ୍ତୁତିଗାନ କରିବାକୁ ଯାଇ ତାଙ୍କୁ ଅସାଧାରଣ ଏକମାତ୍ର ଦେବତା ବୋଲି ଦର୍ଶାଯାଇଛି । `ଏକ ବା ଅଦ୍ୱିତୀୟ ପରେମଶ୍ୱର’ଙ୍କ ପୂଜା ପରିବର୍ତ୍ତେ ଗୋଟିଏ ଗୋଟିଏ ସମୟରେ ଗୋଟିଏ ଗୋଟିଏ ଦେବତା ପ୍ରତି ଶ୍ରଦ୍ଧା ନିବେଦନ”ଏକ ଜାତୀୟ ଦେବତାର ବିଶ୍ୱାସ” ଆଣିଥିଲା । ଯାହାର ପ୍ରତିଫଳିତ ରୂପ ଏକେଶ୍ୱରବାଦ ପ୍ରତି ଆଣିଥିଲା ପ୍ରବଣତା । ପରବର୍ତ୍ତୀ ଉପନିଷଦରେ ଏହାର ବିଶଦ ବର୍ଣ୍ଣନା ଅଛି । ତାସତ୍ତ୍ୱେ ଭାରତୀୟ ଆର୍ଯ୍ୟ ଉପଳାତିମାନେ ଭାରତର ବିଭିନ୍ନ ଅଞ୍ଚଳରେ ରହି ସ୍ଥାନୀୟ ଅନାର୍ଯ୍ୟ ଉପଜାତିଙ୍କ ଅବଧାରଣା ଓ ଆଚାର ଅନୁଷ୍ଠାନକୁ ବେଦବାଦ ଆତ୍ମସ୍ଥ କରିନେଲା । ଯାହାର ପ୍ରମାଣ ଅର୍ଥବବେଦରେ ଥିବା ଐନ୍ଦ୍ରଜାଲିକ ବିଦ୍ୟା, ଜାଦୁମନ୍ତ୍ର ଉଚ୍ଚାରଣ ଆଦିରୁ ସ୍ପଷ୍ଟହୁଏ ।

ପରବର୍ତ୍ତୀ ବୈଦିକ ସାହିତ୍ୟରେ ‘ଏକୀଭୂତ ତ୍ରିମୂର୍ତ୍ତି’ କ୍ରମଶଃ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତିନି ଦେବତା ଭାବେ ଆବିର୍ଭୂତ ହେଲେ । ଏହି ବୈଦିକ ଯୁଗରେ ମଧ୍ୟ ଭାରତୀୟମାନେ ଅଶରୀରୀ ଶକ୍ତିକୁ ପୂଜା କରୁଥିଲେ । ଏପରିକି ନଦନଦୀ, ବନ ପାହାଡ, ବୃକ୍ଷ ଆଦିକୁ ଦେବତା ବୋଲି ମାନୁଥିଲେ । ଦେବ ଆରାଧନା ଲାଗି ପୂଜା, ମନ୍ତ୍ରପାଠ, ଯାଗ ଯଜ୍ଞ, ପ୍ରାର୍ଥନା କରାଯାଉଥିଲା । ବିଶେଷକରି ଏହି ପୂଢା ପର୍ବ, ଯାଗଯଜ୍ଞ, ମନ୍ତ୍ର ଉଂଚାରଣ, ପ୍ରାର୍ଥନା ସୁଖ ଶାନ୍ତି ପ୍ରାପ୍ତି ଲାଗି ପର୍ଯ୍ୟବେଶିତ ଥିଲା । ଏଥିଲାଗି ବ୍ୟକ୍ତିକୁ ମଧ୍ୟ ପ୍ରାତ୍ୟାହିକ ଜୀବନରେ ଅନେକ ସଂସ୍କାରକୁ ମାନି ନେବାକୁ ପଡିଛି । ସନ୍ତାନର ଜନ୍ମ, ବିବାହ ଓ ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁରେ ଶୋକ, ପିତୃ-ପିତାମହଙ୍କ ସ୍ମୃତିତର୍ପଣ ଲାଗି ପୂଜାନୁଷ୍ଠାନ ବ୍ୟକ୍ତି ଜୀବନର ଏକ ଗୌରବ କଥା ସମୟ କ୍ରମେ ପାଲଟିଛି ।

ବୈଦିକ ପରଂପରାକୁ ଗ୍ରହଣ କରି ଏସବୁ ପୂଜା ବିଦ୍ଧି, ଯଜ୍ଞାନୁଷ୍ଠାନ, ଧର୍ମାନୁଷ୍ଠାନ ମଣିଷର ମୁଖ୍ୟ ଗୁଣ ତଥା ଧାର୍ମିକତାର ରୂପ ନେଇଛି । ଯଜ୍ଞାନୁଷ୍ଠାନ ଓ ଉପଯୁକ୍ତ ମନ୍ତ୍ରୋଚାରଣ ଦ୍ୱାରା କେବଳ ଦେବତା ନୁହଁନ୍ତି, ଏମଣିଷ ମଧ୍ୟ ଅମରତ୍ୱ ଲାଭ କରି ପାରେ…!! ମନ୍ତ୍ରୋଚାରଣରେ ଦେବତା ମାନେ ସନ୍ତୁଷ୍ଟ ହୋଇ ମଣିଷର ବଂଶଧାରାକୁ ବଜାଏ ରଖନ୍ତି, ସନ୍ତାନ ସନ୍ତତି ଓ ସୁଖ ସ୍ୱାଚ୍ଛନ୍ଦ୍ୟ ନିରାମୟ ଶାନ୍ତି ପ୍ରଦାନ କରନ୍ତି । ବିଶେଷ କରି ବ୍ରାହ୍ମଣ ପୁରୋହିତମାନେ ଏହି ଧାରଣାକୁ ଲୋକଙ୍କ ମନରେ ବଦ୍ଧମୂଳ କରି ନେଇଥିଲେ । ସେମାନେ ସାଧାରଣଙ୍କ ମନରେ ଏଭଳି ବିଶ୍ୱାସ ଜନ୍ମାଇଥିଲେ ଯେ ଜନସାଧାରଣ ମନେ କରୁଥିଲେ ଏହି ବ୍ରାହ୍ମଣ ପୁରୋହିତମାନେ ଦେବତାମାନଙ୍କ ସହିତ ଏକ ବିଶେଷ ମୁହୂର୍ତ୍ତରେ ସଂପୂର୍ଣ୍ଣ ଏକାତ୍ମ ହୋଇଯାନ୍ତି । ତେଣୁ ସେହିମାନେ କେବଳ ଦେବତାମାନଙ୍କ ପୂଜା ବିଧି ମନ୍ତ୍ର ଉଚ୍ଚାରଣ କରିପାରିବେ । ସେମାନଙ୍କ ଦ୍ୱାରା ପୂଜାର ଉତ୍ସର୍ଗିତ ଯଜ୍ଞାହୁତିକୁ ଦେବତାମାନଙ୍କ ମଧ୍ୟରେ ନ୍ୟାୟିକ ବଣ୍ଟନ କରିବାରେ ଓ ସନ୍ତୁଷ୍ଟ କରିବାରେ ସମର୍ଥ ହେବେ ।

ଫଳତଃ ଋଗ୍ ବେଦାନୁଯାୟୀ ଯାଗ ଯଜ୍ଞରେ ବ୍ରାହ୍ମଣ ମନ୍ତ୍ରପୂତ କୂଶ ପକାଇ ଦେବତାମାନଙ୍କ ଲାଗି ଆସ୍ଥାନ ପ୍ରସ୍ତୁତ କରି ଆବାହନ କରନ୍ତି । ଯଜ୍ଞଗ୍ନି ଉଦ୍ଦୀପିତ କରି କିଛି ସୋମରସ ବା ଗୋରସରେ ଆହୂତି ଦିଅନ୍ତି, ପରେ ପରେ ଶସ୍ୟଦାନ ନିକ୍ଷେପ କରାଯାଇ ଯଜ୍ଞ ଉଦ୍ ଯାପନ କରାଯାଏ ବା ଯଜ୍ଞପଶୁ ବଳି ଦେଇ ଯଜ୍ଞ ସମାପନ କରୁଥିଲେ । ବୈଦିକ ଆର୍ଯ୍ୟ ଉପଜାତିମାନଙ୍କ ଦେବପୂଜା ପ୍ରଥମେ କୌଣସି ସ୍ୱତନ୍ତ୍ର ଗୃହ ବା ମନ୍ଦିର ନଥିଲା । କିନ୍ତୁ ପରେ ଧର୍ମୀୟ ଅନୁଷ୍ଠାନର ପ୍ରଭାବ ଦ୍ୱାରା ଦେବ ପୂଜାର୍ଚ୍ଛନା ପାଇଁ ମନ୍ଦିର ନିର୍ମିତ ହୋଇଛି । ଦେବତାମାନଙ୍କ ଦେବତ୍ୱ, ଶକ୍ତି, ମାନବିକ ଗୁଣାବଳୀ ଆରୋପାନୁଯାୟୀ ହେଉ ଅବା ଶ୍ରେଣୀ ବିନ୍ୟାସ କରି ବିଭିନ୍ନ ଦେବଦେବୀଙ୍କ ପାଇଁ ଭିନ୍ନ ଭିନ୍ନ ମନ୍ଦିର କରାଯାଇ ପୂଜାର୍ଚ୍ଛନା କରାଯାଉଛି ।


ଓଡିଆ ଭାଷା ଓ ସାହିତ୍ୟ ବିଭାଗ,
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ,
ଦୂରଭାଷ : ୯୪୩୭୭୪୦୨୮୦

1 thought on “ପ୍ରବନ୍ଧ – ରୁଗବେଦ ବର୍ଣ୍ଣିତ ଦେବଦେବୀ – ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ”

  1. ବହୁତ ସୁନ୍ଦର ଆଲେଖ୍ଯ ।
    ଚମତ୍କାର ପରିବେଷଣ ।
    ଧନ୍ୟବାଦ

ମନ୍ତବ୍ୟ ରଖନ୍ତୁ