ଆଲୋଚନା – ସାମାଜିକ ଅଧିକାରରୁ ବଞ୍ଚିତ ଦିବ୍ୟାଙ୍ଗ – ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

ପ୍ରଗତିଶୀଳ ଚିନ୍ତାଧାରାରେ ବ୍ୟବସ୍ଥା ଗୋଟିଏ ପଟେ କ୍ରମାନ୍ୱୟରେ ଆଗକୁ ଆଗ ମାଡି ଚାଲିଥିବା ବେଳେ ଦିବ୍ୟାଙ୍ଗନାମାନଙ୍କ ପ୍ରତି ଅଣଦେଖା, ଯାହା ଆମ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାର ଅନନ୍ୟ ବ୍ୟତିକ୍ରମ । ଏକ ବିକାଶୋନ୍ମଖୀ ରାଷ୍ଟ୍ରରେ ଏବେ ବି ଲକ୍ଷାଧିକ ଦିବ୍ୟାଙ୍ଗନା ମୁଖ୍ୟସ୍ରୋତରେ ସାମିଲି ହେବା ପରିବର୍ତ୍ତେ ରାଜରାସ୍ତାରେ ବେସାହାର ହୋଇ ଘୂରି ବୁଲୁଛନ୍ତି । ଏଥିପ୍ରତି ଆମେ ଦାୟୀ ନା ଆମର ଏ ବିଧି ବ୍ୟବସ୍ଥାକୁ ଦାୟୀ କରିପାରିବା (?) । କହିବାକୁ ଗଲେ, ଆମ ସମାଜରେ ଦିବ୍ୟାଙ୍ଗ ମାନଙ୍କ ଲାଗି ମାନସିକ ସ୍ତରରେ ଯେ ଗୁଡାଏ ଉପହାସ ଲାଗିରହିଛି, ତାହା ଅସ୍ୱୀକାର କରିହେବ ନାହିଁ । ସେମାନଙ୍କୁ ନ୍ୟାର୍ଯ୍ୟ ଅଧିକାର ସୁରକ୍ଷା ଦେବା ବଦଳରେ ବିଭିନ୍ନ ସ୍ତରରେ କଟୁତିକ୍ତ ଶଦ୍ଦ ବ୍ୟବହାର କରାଯାଇ ସମାଲୋଚନା କରୁଛେ । ସତେ ଯେଭଳି ସେମାନଙ୍କ ଜନ୍ମ କେବଳ ଉପହାସର ପାତ୍ର ହେବାପାଇଁ, ଭଗବାନଙ୍କ ସୃଷ୍ଟିରେ ସତେ ଯେମିତି ଗୋଟିଏ ନିରୀହ ଜୀବଟିଏ ।

ଆମେ କେହି ମାନୁନା, ଭଗବାନ କିଭଳି କାହାକୁ ଗଢିଛନ୍ତି, କିଏ ଡେଙ୍ଗା, କିଏ ବାବନ ଗେଡା, କାହାର ରଙ୍ଗ ଗୋରାତ କାହାର ଶ୍ୟାମଳ, ଚକ୍ଷୁ, କାନ, ନାସା, ମୁଖ, ହସ୍ତ, ଅଙ୍ଗୁଳି ପାଦ ଆଦି ସବୁଥିରେ ସାମଞ୍ଜସ୍ୟ ବାରି ହୋଇପଡେ । ବୁଦ୍ଧି, ବିବେକ, ପ୍ରକୃତି ଭଗବାନ ସମଭାବରେ ସମସ୍ତଙ୍କୁ ଦେଇଥିଲେ ମଧ୍ୟ ଆମ ବ୍ୟବହାର, ଚାଲି ଚଳଣି, ଦର୍ଶନ, ନୀତି ପରମ୍ଫରାରେ, ବୁଝିବା, କାର୍ଯ୍ୟ କରିବା ଆଦି ପ୍ରତ୍ୟେକଟିରେ ଜଣେ ଜଣକ ଠାରୁ ଭିନ୍ନ, କାରଣ ପରସ୍ପରକୁ ବୁଝିବାର ଶକ୍ତି ହରାଇ ଦେଇଛେ । ତେଣୁ କାହାର ସୁନ୍ଦର ରୂପକୁ ପ୍ରଶସାଂ କରୁଥିବା ବେଳେ କାହାର କଦାକାର ରୂପକୁ ଉପହାସ କରି ଆନନ୍ଦ ଲାଭ କରୁଛେ । ଅନ୍ତଃର୍ନିହିତ ଗୁଣ ନଦେଖି ବାହ୍ୟରୂପକୁ ତୁଚ୍ଛା ତାରିଫ୍ କରୁଛେ । ବିଭିନ୍ନ ରୋଗର ଯେଭଳି ଉପଶମ ରହିଛି, ଦିବ୍ୟାଙ୍ଗନା ମାନଙ୍କ ପାଇଁ ସେଭଳି ଉତ୍ତମ ଚିକିତ୍ସା ରହିଛି । କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ମଧ୍ୟ ସେମାନଙ୍କ ପାଇଁ ଚିକିତ୍ସାର ବ୍ୟବସ୍ଥା ରହିଛି, ଏହାକୁ ମାନବ ସମାଜର ବୃହତ୍ତମ ସମସ୍ୟା ଭାବେ ବିଚାରକୁ ନିଆଯାଇଛି ।

ସମୟର ଆଗମନରେ ସୁପ୍ରସିଦ୍ଧ ବୈଞ୍ଗାନିକ ମାନଙ୍କ ଦ୍ୱାରା ଯେଉଁ ମହାନ ଜୀବନର ବିଭିନ୍ନ କ୍ଷେତ୍ରରେ ସଫଳତାର ନୂଆ ମୋଡ ନୂଆ ସୋପାନ ଗଢି ଯାଇଛନ୍ତି, ତାହା ସମାଜର ମାନସିକତା ବଦଳାଇ ଦେଇଛି । ବୁଝିବାକୁ ହେବଯେ, ସମାଜରେ ଦିବ୍ୟାଙ୍ଗନା ମାନଙ୍କ ବ୍ୟକ୍ତିତ୍ୱକୁ କେତେକ ଶକ୍ତି ସିମିତ କରିବାରେ ଲାଗିଛନ୍ତି । ତଥାପି ଆବଶ୍ୟକାନୁଯାୟୀ ଦିବ୍ୟାଙ୍ଗନା ମାନଙ୍କ ପ୍ରଗତିର ସମସ୍ତ ସମ୍ଭାବନାକୁ ଅବରୁଦ୍ଧ କରାଯାଇ ପାରିବ ନାହିଁ । ଦିବ୍ୟାଙ୍ଗ ମାନଙ୍କୁ ଉଚିତ ସମ୍ବଳ ଓ ସମୁଚିତ ସହଯୋଗ ଦିଆଯିବ ଉଚିତ୍ । କହିବାର ଅର୍ଥ ଦିବ୍ୟାଙ୍ଗ ମାନଙ୍କ ବ୍ୟକ୍ତିତ୍ୱର ସଫଳତାକୁ ସମାଜ ଦୃଷ୍ଟିକୁ ଆଣିବାକୁ ହେବ । ସେମାନଙ୍କ ଚିକିତ୍ସା ସମସ୍ୟା ବୁଝି ମାନସିକ ସ୍ତରରେ ସହାନୁଭୂତିଶୀଳ ହୋଇପାରିଲେ ସେମାନଙ୍କ ବିକାଶର ଦ୍ୱାର ଆପେ ଆପେ ଖୋଲିଯିବ । ତେଣୁ, ସେମାନଙ୍କ ବ୍ୟକ୍ତିତ୍ୱ ଲାଗି ଶିକ୍ଷା ଓ ସାମାଜିକ ସ୍ତରରେ ଅଂଶ ରୂପେ ସୁନିଶ୍ଚିତ କରିବାକୂ ବିଭିନ୍ନ କ୍ଷେତ୍ରରେ ନୂତନ ଆଇନ୍ ବ୍ୟବସ୍ଥା ପ୍ରସ୍ତୁତ କରିବାକୂ ପଡିବ ।

ସଂଯୁକ୍ତ ରାଷ୍ଟ୍ର ଗୁଡିକ ପକ୍ଷରୁ ୨୦୦୭ ମସିହାରେ ଦିବ୍ୟାଙ୍ଗମାନଙ୍କ ଉଦ୍ଦିଷ୍ଟ ଅଧିକାର ସମ୍ମଳନୀରେ ସେମାନଙ୍କୁ ଭିନ୍ନ କ୍ଷମତାର ସାମର୍ଥଧାରୀ ବ୍ୟକ୍ତି ଭାବରେ ପରିଭାଷିତ କରାଯାଇଥିଲା । ସେମାନଙ୍କ ହିତ ପାଇଁ ଜନସ୍ରୋତରେ ସାମିଲ କରିବା ପାଇଁ ସଂରକ୍ଷଣର ବିଭିନ୍ନ ନିୟମ ନିର୍ଦ୍ଧାରଣ କରାଯାଇଥିଲା । ୨୦୧୧ ମସିହା ଭାରତର ଜନଗଣନା ଅନୁଯାୟୀ ଦୁଇକୋଟିରୁ ଅଧିକ ଦିବ୍ୟାଙ୍ଗ ଭାରତରେ ଥିବାର ଆକଳନ କରାଯାଇଛି । ଏପରିକି ଭାରତ ସଂଯୁକ୍ତ ରାଷ୍ଟ୍ରୀୟ ଦିବ୍ୟାଙ୍ଗ ଅଧିକାର ସମ୍ମଳନୀରେ ସକ୍ରିୟ ଅଂଶ ଗ୍ରହଣ କରି ଦିବ୍ୟାଙ୍ଗ ମାନଙ୍କ ଅଧିକାର ରକ୍ଷା କରିବା ସମ୍ବନ୍ଧରେ ନିର୍ଦ୍ଧାରିତ ଆଇନ୍ ପ୍ରତି ସମର୍ଥନ ଜଣାଇଛି । ଏହା ପୂର୍ବରୁ ଅର୍ଥାତ୍ ୧୯୯୫ ମସିହା ଠାରୁ ଭାରତ ଦିବ୍ୟାଙ୍ଗମାନଙ୍କ ସ୍ୱାଧିକାର ରକ୍ଷା, ଅବସରରେ ସମାନତା ଓ ସମାଜରେ ସେମାନଙ୍କ ପୂର୍ଣ୍ଣ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ `ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରଣାଳୟ’ରେ ଏକ (ଦିବ୍ୟାଙ୍ଗ ଅଧିନିୟମ-୧୯୯୫) ଆଇନ୍ ପ୍ରସ୍ତୁତ କରିଥିଲେ । ଏହାବ୍ୟତୀତ ୨୦୦୬ ମସିହାରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସମ୍ବୋଧିତ ଦେଶର ରାଷ୍ଟ୍ରୀୟ ନୀତିରେ ମତ ରଖିଥିଲେ ଯେ ଦିବ୍ୟାଙ୍ଗ ମାନେ ଦେଶ ପାଇଁ ଅତ୍ୟନ୍ତ ମୂଲ୍ୟବାନ ମାନବ ସମ୍ବଳ ଅଟନ୍ତି । ଏସବୁ କହିବାର ଅର୍ଥ ହେଉଛି ସରକାରଙ୍କ ଦ୍ୱାରା ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ଓ କାର୍ଯ୍ୟକ୍ରମ କରାଯାଉଛି/କରାଯାଇ ଆସୁଛି । ପ୍ରକୃତରେ ଏସବୁ ଯୋଜନା କାଗଜ ପତ୍ରରେ ସୀମିତ ଥାଏ । ବଡ ଆଡମ୍ବର ସହକାରେ କେବଳ ସାଧାରଣରେ ଡିଡିମ୍ବ ପିଟିବା, ଧର୍ମକୁ ଆଖିଠାର ମାରିବା ବ୍ୟତୀତ ଏସବୁ କିଛି ନୁହେଁ । କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାର ହୁଅନ୍ତୁ, ଊଭୟ ସରକାରଙ୍କ ମହତାକାଂକ୍ଷୀ କାର୍ଯ୍ୟକ୍ରମ କେବଳ ଅଫିସ୍ ଫାଇଲ୍ ଗଦାତଳେ ବାନ୍ଧି ହୋଇ ଅଣନିଶ୍ୱାସି ହୁଏ, କେବଳ ସେଥିରେ ଦିବ୍ୟାଙ୍ଗନାଙ୍କ ବିକାଶର ବିଭିନ୍ନ ଲମ୍ବା ଯୋଜନାର ପ୍ରାଧନ୍ୟ ବିସ୍ତୁତ ଭାବରେ ସଫେଦ କାଗଜ ପୃଷ୍ଠାରେ ଚାପି ହୋଇ ମଳିନ ପଡେ । ବିଡମ୍ବନା ଯେ ଦିବ୍ୟାଙ୍ଗମାନଙ୍କୁ କୌଶଳ ଯୁକ୍ତ କରି ରୋଜଗାର ଯୋଗ୍ୟ କରାଇବା ସରକାରଙ୍କ ପକ୍ଷରୁ ଯେତେ ପ୍ରୟାସ କଚ୍ଛପ ଗତି କରାଗଲେ ବି ଦେଶ ଓ ରାଜ୍ୟରେ ଲକ୍ଷାଧିକ ଦିବ୍ୟାଙ୍ଗ ରୋଜଗାର କ୍ଷମ ହୋଇପାରି ନାହାନ୍ତି, ରୋଜଗାର କରିବାରେ ବିବଶ ହୋଇପଡୁଛନ୍ତି । ନିଜେ ସ୍ୱାବଲମ୍ବନଶୀଳ ଭାବେ ବଞ୍ଚିବା, ରୋଜଗାର କ୍ଷମ ହେବାରେ ସେମାନେ ଯେ ବିତସ୍ପୃହ ଲକ୍ଷ୍ୟ କରାଯାଏ । ଆକଳନରୁ ସ୍ପଷ୍ଟ ଦେଶରେ ଯେତେ ଦିବ୍ୟାଙ୍ଗ ଅଛନ୍ତି ହୁଏତ ସେମାନଙ୍କ ମଧ୍ୟରୁ ୧.୫୦ ଶତକଡା ରୋଜଗାରକ୍ଷମ ଅଟନ୍ତି । ଏଭଳି ସ୍ଥିତି ପଛର କାରଣ ଖୋଜିବାର ଯଥେଷ୍ଟ ଆବଶ୍ୟକ ରହିଛି । ପ୍ରଥମ ଓ ସବୁଠାରୁ ମହତ୍ତ୍ୱ ପୂର୍ଣ୍ଣ କାରଣ ସରକାରଙ୍କ ଦ୍ୱାରା ସଞ୍ଚାଳିତ ଉପଯୁକ୍ତ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ କେବଳ ସହରାଞ୍ଚଳରେ ସିମିତ ବା ପ୍ରଶାସନିକ ଅବହେଳା, ଜନ ସଚେତନାର ଘୋର ଅଭାବ ପରିଲକ୍ଷିତ ହୁଏ । ସମସ୍ତ ଯୋଜନା ସହରାଞ୍ଚଳରେ ଯେଉଁ ପରିମାଣରେ ପହଞ୍ଚି ଥାଏ, ଗ୍ରାମାଞ୍ଚଳରେ ତାହା ସେଭଳି ପହଞ୍ଚି ପାରେ ନାହିଁ । ଗ୍ରାମାଞ୍ଚଳରେ ଥିବା ଦିବ୍ୟାଙ୍ଗନା ସେଠାରେ ଅବହେଳିତ, ଲାଞ୍ଚିତ ଓ ଉପହାସିତ ହୋଇ ପଡି ରହିଛନ୍ତି । ଏମାନଙ୍କ ଥଇଥାନର ବ୍ୟବସ୍ଥା କେବଳ ସରଙ୍କାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଏ । ଗୋଟିଏ ପରେ ଅନ୍ୟ ଗୋଟିଏ ସମସ୍ୟା/କାରଣ ହେଉଛି ସରକାରଙ୍କ ଦ୍ୱାରା ଆଧାରିତ କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୁଣବର୍ତ୍ତାର ଅଭାବ ଦେଖାଯାଏ । ଏଭଳିକି ଅନେକ ଜାଗାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କେବଳ କାଗଜ କଲମରେ ରହିଯାଏ, କେଉଁଠି ଅନୌପଚାରିକ ( କେବଳ ସ୍ୱଚ୍ଛା ସେବା ଅନୁଷ୍ଠାନ ମାନଙ୍କରେ ) ଦିଆଯାଏତ, କେଉଁଠି ଔପଚାରିକତା ପ୍ରଶିକ୍ଷଣ ଅଧାପାନ୍ତରା ହୋଇପଡି ରହେ ।

କହିବାର ଅର୍ଥ ସରକାର ଦିବ୍ୟାଙ୍ଗ ମାନଙ୍କୁ ସାମାଜିକ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ ଯୋଜନାର କାର୍ଯ୍ୟ କ୍ରମକୁ ଚାଲୁକରୁଥିବା ବେଳେ ସେ କ୍ଷେତ୍ରରେ ଉପୁଜିଥିବା ନାନା ସମସ୍ୟାକୁ ଦୃଷ୍ଟିରେ ରଖି ଉଚିତ୍ ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଏକଥା ସତ୍ୟ ଯେ ସରକାର ସମସ୍ୟା ପ୍ରତି ସଦା ବିମୁଖତା ପ୍ରଦର୍ଶନ କରି ଆସିଥାନ୍ତି । ବିଶେଷ ଭାବରେ ଦିବ୍ୟାଙ୍ଗ ପରିବାରବର୍ଗଙ୍କୁ ଚିହ୍ନଟ କରି ସରକାରୀ ଯୋଜନାରେ ପରିସରଭୃକ୍ତ କରିପାରିଲେ ସମସ୍ୟାର ଆଶୁ ସମାଧନ ବା ଅନ୍ତ ଘଟିବ ବୋଲି ଅନ୍ତତଃ ପକ୍ଷେ ଆଶ୍ୱାସନା ପାଇପାରିବା । ଦେଶର ହେଉ ବା ରାଜ୍ୟର ହେଉ ସର୍ବ ବିଭୂଷିତ ଅଞ୍ଚଳରେ ଦୀର୍ଘ ବହୁ ବର୍ଷ ଧରି କେତେ ଦିବ୍ୟାଙ୍ଗ ଅଛନ୍ତି ସଠିକ୍ ତଥ୍ୟ ନିର୍ଣ୍ଣୟ କରାଯାଇ ପାରିଲେ, ହୁଏତ କିଏ କେଉଁ ପ୍ରକାର ସ୍ଥିତିରେ ଅଛି ତାହାକୁ ଅନୁଧ୍ୟାନ କରି ନିରାକରଣ ନିମନ୍ତେ ଉତ୍ତମ ପଦକ୍ଷେପ ନିଆଗଲେ ସମାଜର ଉନ୍ନତି ଘଟନ୍ତା ।

କେବଳ ଦିବ୍ୟାଙ୍ଗଙ୍କ ପ୍ରତି ସରକାରଙ୍କ ଦାୟିତ୍ୱ ନୁହେଁ, ସମାଜର ତଥା ପରିବାରର ମଧ୍ୟ ଗୁରୁଦାୟିତ୍ୱ ରହିଛି । ସମାଜ ସେମାନଙ୍କ ପ୍ରତି ନିଜର ମାନସିକତାକୁ ଦୃଢକରି ସମ୍ବେଦନଶୀଳ ହେବା ଉଚିତ ଓ ସହଯୋଗର ହାତ ବଢାଇବାର ଆବଶ୍ୟକ ଯଥେଷ୍ଟ ରହିଛି । ଦେଖାଯାଏ ସମାଜରେ ଅନେକ ବ୍ୟକ୍ତି ଦିବ୍ୟାଙ୍ଗମାନଙ୍କ ପ୍ରତି ସହଯୋଗ ଭାବନା ରଖି ଆଗେଇ ଆସିବା ବେଳେ ଆଉ ଅନେକ ତାକୁ ଦୟାର ପାତ୍ର ମନେକରି ସେଭଳି ଭାବ ପ୍ରଦର୍ଶନ କରିଥାନ୍ତି । ଫଳତଃ ଦିବ୍ୟାଙ୍ଗ ମାନଙ୍କ ମନରେ ସମାଜ ପ୍ରତି କ୍ରୁରତା ଭାବ ସୃଷ୍ଟି ହୁଏ । ଯାହାଦ୍ୱାରା ସହଜରେ ସମସ୍ତଙ୍କ ସହ ବୁଝିବା, ମିଶିବା, ଭାବ ବିନିମୟ କରିବା ସେମାନଙ୍କ ପାଇଁ ସହଜ ହୁଏ ନାହିଁ । ତା’ସତ୍ତ୍ୱେବି ସମାଜରେ ସେମାନଙ୍କ ପ୍ରତି ସହାନୁଭୂତିର ସୁନ୍ଦର ଭାବନାକୁ ସ୍ଥାନ ଦିଆଯିବ ଉଚିତ୍ ଓ ଆତ୍ମ ବିଶ୍ୱାସର ସହ କିଛି ପ୍ରଯତ୍ନ କଲେ ହୁଏତ ସୁଧାର ଆସିବାର ଯଥେଷ୍ଟ ସମ୍ଭାବନା ଅଛି । ଅବଶ୍ୟ ବେଳେବେଳେ ଏଭଳି ସ୍ଥିତି ଉପୁଜେ ଯାହା ଖୁବ୍ ମାରାତ୍ମକ ହୋଇପାରେ, ସେମାନଙ୍କ ପ୍ରତି ସମାଜର ସହାନୁଭୂତିକୁ ଦିବ୍ୟାଙ୍ଗମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ସେମାନଙ୍କ ମନ ଓ ମସ୍ତିଷ୍କରେ ପ୍ତତିକୁଳ ପ୍ରଭାବ ପଡେ । ଯଦି ସରକାରଙ୍କ ପକ୍ଷରୁ କୌଣସି ଦିବ୍ୟାଙ୍ଗଙ୍କୁ ସରକାରି ଚାକିରିରେ ରଖାଯାଏ ଓ ସେ ତା’ସ୍ଥାନରେ କଠିନ ପରିଶ୍ରମ କଲେବି, ଅନେକ ବ୍ୟକ୍ତି ତା’ର ପରିଶ୍ରମକୁ ନବୁଝି ବରଂ କୁହାକୁହି ହୁଅନ୍ତି ସେ ଦିବ୍ୟାଙ୍ଗ ଯୋଗୁ ସଂରକ୍ଷଣରେ ବା ସରକାରଙ୍କ ଦୟା/ସହାନୁଭୂତିରୁ ଚାକିରି ଖଣ୍ତିକ ପାଇଛି ।

ପ୍ରକୃତରେ ଏହା କେବେ ସହାନୁଭୂତିର ପରିଭାଷା ନୁହେଁ, ବରଂ ଉପହାସ/ତାତ୍ସଲ୍ୟ ବୋଲି କୁହାଯିବ । ଫଳତଃ ଦିବ୍ୟାଙ୍ଗର ସକଳ ପରିଶ୍ରମ ବ୍ୟର୍ଥ ହୋଇଯାଏ, ତା’ମନରେ ସମାଜ ପ୍ରତି ଏକ ଭ୍ରାନ୍ତ ଧାରଣା ଆସେ, ଭଗବାନଙ୍କ ସୃଷ୍ଟିରେ ସେ ଏକ ନିକମା, ପଙ୍ଗୁ ଜୀବଟିଏ, ଯେ କେବଳ ଅନ୍ୟର ଦୟାରେ ବଞ୍ଚିବାକୁ ପଡୁଛି । ଏଭଳି କଟୁତିକ୍ତ ଇତର ଭାବନା ଦିବ୍ୟାଙ୍ଗନା ମାନଙ୍କୁ କେବେ ବି ସ୍ୱାବଲମ୍ବନଶୀଳ ହେବାରେ ସହାୟକ ହୋଇପାରିବ ନାହିଁ । ଅନେକ ଅସମ୍ବେଦନଶୀଳ ବ୍ୟକ୍ତି ସମାଜରେ ଏବେ ବି ଅଛନ୍ତି ଯେଉଁମାନେ ଦିବ୍ୟାଙ୍ଗ ମାନଙ୍କ ପ୍ରତି ଥଟ୍ଟା, ମଜା କରନ୍ତି । ସେମାନଙ୍କ ସରଳତାର ସୁଯୋଗ ନେଇ ଫାଇଦା ଉଠାନ୍ତି, ସେମାନଙ୍କୁ ପ୍ରତି କ୍ଷେତ୍ରରେ ହତୋତ୍ସାହ କରନ୍ତି, ସେମାନଙ୍କ ଆତ୍ମବିଶ୍ୱାସକୁ ପ୍ରତିହତ କରନ୍ତି । ଏଭଳି କଦାକାର ବ୍ୟକ୍ତିଙ୍କ ଅଭାବ ସମାଜରେ ନାହିଁ । ତେଣୁ ବୁଝିବାକୁ ହେବଯେ, ଦିବ୍ୟାଙ୍ଗ ମାନଙ୍କୁ ସମାଜରେ ବିଭିନ୍ନ କ୍ଷେତ୍ରରେ ଏପରିକି କ୍ଷମତାସିନ ଆଶ୍ରମରେ ଅବସ୍ଥାପିତ କଲେ ଦେଶ ଓ ସମାଜର ସମ୍ବଳ ଦୃତ ହୋଇପାରନ୍ତା । ସାମାଜିକ ସ୍ତରରେ ସେମାନେ ସଫଳତା ଅର୍ଜନ କରିବା ସଙ୍ଗେ ସଙ୍ଗେ ଦେଶ ଓ ସମାଜର ପ୍ରଗତି ମୂଳକ ମୁଖ୍ୟସ୍ରୋତରେ ସକ୍ରିୟ ଅଙ୍ଗ ହୋଇ ପାରିବେ । ସାଧାରଣରେ ଦିବ୍ୟାଙ୍ଗ ମାନଙ୍କ ପ୍ରତିଥିବା ଘୃଣ୍ୟ ଚିନ୍ତାଧାରାର ଅବସାନ ଘଟନ୍ତା ଓ ସେମାନଙ୍କ ପ୍ରତି ଚାଲୁଥିବା ମାନସିକ ଓ ଶାରୀରିକ ନିର୍ଯ୍ୟାତନାରୁ ମୁକ୍ତି ମିଳନ୍ତା ।

ବାସ୍ତବିକ ଦେଖିବାକୁ ଗଲେ ଦିବ୍ୟାଙ୍ଗମାନଙ୍କ ପ୍ରତି ପ୍ରଶାସନିକ ଉଦାସୀନତା, ରୁଗ୍ଣ ମାନସିକତା, ଦୃଢ ଆନ୍ତରିକତାର ଅଭାବ ଥିବା ବେଳେ ଅନ୍ୟ ପଟରେ ସରକାରି କଳ ମଧ୍ୟରେ ଘୋର ସମନ୍ୱୟର ଅଭାବ ରହୁଥିବାରୁ ଦିବ୍ୟାଙ୍ଗମାନେ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଦେଶ ହେଉ ଅବା ରାଜ୍ୟ ହେଉ ଆଇନର ଅଭାବ ନାହିଁ, ଏଠି କେବଳ ଯୋଜନାର ପାହାଡ, ଅଥଚ ଦିବ୍ୟାଙ୍ଗମାନେ ସେସବୁରୁ ବଞ୍ଚିତ ହୁଅନ୍ତି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ତରରେ ଯଦି ବ୍ୟାପକ ସମନ୍ୱୟ ସୃଷ୍ଟି ହୋଇ ପାରନ୍ତା, ତେବେ ଦିବ୍ୟାଙ୍ଗମାନଙ୍କ ଭାଗ୍ୟାକାଶରେ ନବ ସୂର୍ଯୋଦୟ ଘଟି ଯେ ପାରନ୍ତା ଏହା ମୁକ୍ତ କଣ୍ଠରେ ସ୍ୱୀକାର କରିହେବ ।


ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ,
ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୪୩୭୭୪୦୨୮୦

One thought on “ଆଲୋଚନା – ସାମାଜିକ ଅଧିକାରରୁ ବଞ୍ଚିତ ଦିବ୍ୟାଙ୍ଗ – ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

  1. ବହୁତ ଭଲ ବିଷୟ,ପଢି ଅନେକ ଅଜଣା କଥା ଜାଣିବାକୁ ପାଇଲି,ନମସ୍କାର ମହାଶୟ

ମନ୍ତବ୍ୟ ରଖନ୍ତୁ..