ସନ୍ଧ୍ୟା – ଉଷରାଣୀ ପଣ୍ଡା

ଅସ୍ତମିତ ହେଲେ ରବି
ସାଥେ ଧରି ରଙ୍ଗଛବି ,
ପଶ୍ଚିମ ଆକାଶ ଦିଗେ
ଲୁଚିଗଲେଣି ସରାଗେ ।
ପକ୍ଷୀଗଣ ଧାଡିଧାଡି
ନୀଡକୁ ଯାଆନ୍ତି ଉଡି ।
ଗାଈଆଳ ଗାଈ ଧରି
ବଇଁଶୀ ହାତରେ ଧରି ।
ବେସୁରା ରାଗରେ ଗୀତ
ଗାଇ ହୋଇ ଉଲ୍ଲସିତ ।
ଧୂଳି ଉଡାଇ ଦାଣ୍ଡରେ
ଚୁଣୁଟୁଣୁ ଶବଦରେ ।
ଛୁଆ ଦେଖିବା ଆଶାରେ ,
ଫେରନ୍ତି ଯେଝା ବାଟରେ ।
କଳା ଆଭୂଷଣ ଭରି
ଆସୁଛନ୍ତି ବିଭାବରୀ ।
ଗୃହଲକ୍ଷୀ ଆନନ୍ଦରେ
ବସି ଚଉରା ମୂଳରେ ।
ବୃନ୍ଦାବତୀ ମାତା ପାଶେ
ଗୃହ ମଙ୍ଗଳର ଆଶେ ।
ଘିଅଦୀପ ଜାଳିଦେଇ
ଭକ୍ତିରେ ମଥା ନୂଆଁଇ ।
ମନ୍ଦିରର ମୁଖଦ୍ବାରେ
ଭକ୍ତଗଣ ହରଷରେ ।
ତାଳ ସଂକୀର୍ତ୍ତନ ଗାନେ
ବଜାଉ ଅଛନ୍ତି ଧ୍ୟାନେ ।
ପାଇଣ ସଂନ୍ଧ୍ୟା ଆଳତୀ
ମନକୁ କରିଲେ ତୃପ୍ତି ।
କ୍ଷଣେ ଭାଙ୍ଗିଲା ଗହଳି,
ଯେଝା ଘରେ ଗଲେ ଚଳି ।
କ୍ଳାନ୍ତ ହେଲା ଅବସାନ ,
ଭୋଜନ କରି ବହନ ।
ଦିବସକୁ ଭୁଲିଯାଇ
ଶୟନ ମନ୍ଦିରେ ଯାଇ ।
ଭୁଲିଲେେ ବିଷାଦ କଥା ,
ଦୂରେଇ ଦେଇଣ ବ୍ୟଥା ।
ସର୍ବେ ନିଦ୍ରାଦେବୀ କୋଳେ,
ଆନନ୍ଦେ ଶୟନ କଲେ ।


ସୋମପେଟା, ଆନ୍ଧ୍ରପ୍ରଦେଶ

One thought on “ସନ୍ଧ୍ୟା – ଉଷରାଣୀ ପଣ୍ଡା

  1. ସନ୍ଧ୍ୟା କବିତାଟି ସରସ,ସୁନ୍ଦର ଓ ସରଳ ହୋଇଛି ଏବଂ ମୋତେ ଭଲ ଲାଗିଲା

ମନ୍ତବ୍ୟ ରଖନ୍ତୁ..