ସେଇ ଛୋଟ ଗାଆଁ ମୋର – ପବିତ୍ର କୁମାର ନାୟକ

ଯେଉଁଠି ସକାଳୁ ସୂରୁଜ ହସଇ
ସଂଧ୍ୟାରେ ଝରେ ଶିଶିର
ଓଳି ତଳୁ ଝରି ଛୋଟିଆ ଝରଟି
ପାଲଟେ ସ୍ରୋତ ପ୍ରଖର.!
ସେଇ ଛୋଟ ଗାଆଁ ମୋର…..!

ଯେଉଁ ଗାଆଁ କୋଳେ ଶୀତସାୟଂ କାଳେ
ଚହଟେ ମନ୍ଦିର ବାଟ
ଝାପସା ଅନ୍ଧାରରେ ଆଙ୍କିଦେଇ ଯାଏ
ଗୋଧୂଳି ତା ଚିତ୍ରପଟ..!

ଯେଉଁ ଗାଁ’ ବୁକୁରେ କୁଳୁ କୁଳୁ ନାଦେ
ବହିଯାଏ ମିଠା ନଈ
କିଅବା ଗାଇବି ତାହାରି ଗାରିମା
ସେଇ ମୋ ଜନମ ଭୂଇଁ.!

ଯେଉଁଠି ବୈଶାଖେ ମଳୟ ବହିଣ
ଦୂର କରିଦିଏ ତାତି
କିଅବା ବଖାଣେ ଫଗୁଣ ଦେହରେ
ସାତରଙ୍ଗ ପ୍ରଜାପତି.!

ଯେଉଁ ଗାଆଁ ଦେଇ ବହିଯାଏ ନିତି
ପୂରୁବା ଚଇତି ବାଆ
କେତେ ମନ ଲୋଭା ମଳୟ ବସନ୍ତ
ପୂନେଇଁର ମିଠା ଛୁଆଁ.!

ଯେଉଁ ଗାଁ’ ମୁଣ୍ଡରେ ଶାନ୍ତ ପରିବେଶ
ଗାଆଁ ଶେଷେ କୋଳା ହଳ
ପୋଖରୀ ତୁଠରେ ଟୁପୁରୁ ଟାପୁରୁ
ସାଥୀ ସଙ୍ଗାତଙ୍କ ମେଳ.!

ଯେଉଁ ଗାଁ’ ମାଟିରେ ସୁନାର ଫସଲ
ଉଡୁ ଥାଏ ଫର ଫର
ପାହାଡ଼ ବୁକୁରେ ଶେଫାଳି ଶାଳଯେ
ଦାଣ୍ଡେ ପାରିଜାତ ଝର.!
ସେଇ ଛୋଟ ଗାଆଁ ମୋର…..!

One thought on “ସେଇ ଛୋଟ ଗାଆଁ ମୋର – ପବିତ୍ର କୁମାର ନାୟକ

ମନ୍ତବ୍ୟ ରଖନ୍ତୁ..