କ୍ଷୁଦ୍ରଗଳ୍ପ – ହାପି ରଜ – ସୁଵଳ ମହାପାତ୍ର

ସକାଳୁ ସକାଳୁ ନାନୁଆଁ ଡାକିଲା, “ବବୁଲୁ, ଶୀଘ୍ର ଆ….ସିଆଡେ ଦଳ ସବୁ ଆସି ସାରିଲେଣି”। ଗାଁ ରେ ସମସ୍ତଙ୍କ ନାଁ ପଛରେ ଆ ଲାଗିବା ଥୟ। କୁନିଆ, ପିଣ୍ଟୁଆ, ମଣ୍ଟୁଆ, ସନିଆଁ, ମାନିଆଁ, ନାନୁଆଁ ଏମିତି ସବୁ। ମୋ ନାଁ ଟା ବବୁଲୁ ବୋଲି ଟିକେ ଅଲଗା। ଯାହା ହଉ, ବୁଝିବାକୁ ଆଉ ବାକି ନଥିଲା ଯେ ପାଖ ଗାଁ ର ଝିଅ ଦଳ ଆମ ଗାଁ କୁ ଆସିଲେଣି ଦୋଳି ଖେଳି। ଗାଁ ରେ ଦୋଳି ଖେଳ ଟା ନିଆରା। ଗୋଟେ ଗାଁ ର ଝିଅ, ଆର ଗାଁ ର ଦୋଳି କେମିତି ହେଇଛି ନ ଦେଖିଲେ ତାଙ୍କ ପୋଡପିଠା ହଜମ ହୁଏନି। ପୋଡପିଠା ହଜମ ହୁଏନି କି ଖାସି ଟା ପେଟ ଭିତରେ ମେ ମେ କରେ ମା ଗଙ୍ଗାଙ୍କୁ ଜଣା। ତାଙ୍କ ମନ ଭିତରେ ବି କଣ ସେମିତି କିଛି ଥାଏ କି? ଯାହା ଏ ଗାଁ ର ଟୋକାଙ୍କ ମନରେ ଥାଏ? କେଜାଣି?

ମୋର ପୁରା ବାଲ୍ୟକାଳ ଟି ସହରରେ କଟିଛି, ସେଥିପାଇଁ ମୁଁ ଏ ସବୁ ବିଷୟ ରେ ଟିକେ ଅନଭିଜ୍ଞ। କିନ୍ତୁ ନାନୁଆଁକୁ ସବୁ ଜଣା । ଯାହା ହେଲେ ଗାଁ ଟୋକା ନା।ମାମୁଁ ଘର ଗାଁରେ ରଜ ରେ କବାଡି ଖେଳ ଟା ଭଲ ଜମେ। ବୁଢା ହଡା ଯେତେ ସବୁ ଟ୍ୱେଣ୍ଟି ନାଇଁନ ଖେଳିବାରେ ବସି ଯାଆନ୍ତି। କଥା କଥା ରୁ ହାତାହାତି ଯାଏଁ କଥା ଯାଇ ତାସ ଚିରିବା ରେ କଥା ସରେ। ପୁଣି ଆଉ ହଳେ ଆସେ। ଟୋକା ଦଳ କିନ୍ତୁ ଲାଗନ୍ତି କବାଡି ଖେଳ ରେ। କବାଡି ଯେଉଁଠି ଖେଳ ହୁଏ, କିଛି ଦୂର ଛାଡି ଆମ୍ବ ତୋଟା ରେ ଭିଡା ଯାଇଥାଏ ଦୋଳି। କବାଡି ଖେଳ ର ଆକର୍ଷଣ ସେତେବେଳେ ଜମେ, ଯେତେବେଳେ ପାଖ ଗାଁ ରୁ ଝିଅ ଦଳ ଆସନ୍ତି ଦୋଳି ଖେଳିବା ପାଇଁ। ନିଜ ଗାଁ ଝିଅ ତ ସିଙ୍ଘାଣିନାକୀ, ଯେତେ ଭଲ ହେଲେ ବି କେଉଁ ମନକୁ ଆସେ? ଯାହା ହେଲେ ପାଖ ଗାଁ ଝିଅ ନା…ସୁନ୍ଦରୀ ଗୁଡା ତ….ଆଉ । ପୁରୁଷ ପଣିଆ ଦେଖେଇବାର ଏଇଟା ପ୍ରକୃଷ୍ଟ ସମୟ। ଆଃ….କାହାର ନା କାହାର ହୃଦୟ ଟି ଆମ୍ବ ଗଛ ରେ ଲଟକି ଥାଏ ଆଉ ସେଇ ଝିଅଟିକୁ ଛାଡି ବାକି ସମସ୍ତେ ଜାଣିଥାନ୍ତି ଏ ବିଷୟରେ। “ନନା, ଭାଉଜ …ଭାଉଜ…” ଡାକରେ ଠରା ଠରି ହୋଇ ଯାଆନ୍ତି ସାଙ୍ଗମାନେ। ଥରେ ମୁହଁ ଉଠେଇ ଦେଖିଦେଲେ ତ ମନ କୁଣ୍ଢେମୋଟ।

ଗାଁ ରେ ପ୍ରେମ ମାନେ ଆଉ କଣ କି? ନା ପାର୍କ ଅଛି ନା ହୋଟେଲ। ମନ ଦିଆନିଆ ହୁଏ ଏଇ କବାଡି ଆଉ ଦୋଳି ଖେଳ ଭିତରେ। ପ୍ରେମ ଉଚ୍ଛୁଳେ କବାଟ ଫାଙ୍କ ରୁ ଅବା ନଈ କୁ ପାଣି ଆଣି ଗଲାବେଳେ। ସାଇକେଲ ଧରି ପ୍ରେମିକା ର ଗାଁ ଆଡେ ଘେରେ ମାରି ଆସିଲେ ମନ ଶାନ୍ତି। ସାଇକେଲ ର ଘଣ୍ଟି ଟା କେମିତି କେଜାଣି ଆପେ ଆପେ ବାଜି ଉଠେ ପ୍ରେମିକା ଘର ପାଖାପାଖି। କବାଟ ଫାଙ୍କ ରୁ ସତେ ଅବା କିଏ ଚାହିଁଥାଏ…ଦିଶିଯାଏ ଆଖିରୁ ଗୋଟେ କିମ୍ବା ମୁହଁ ରୁ ଫାଳେ। ବାସ…ଦିନ ଯାକର କଷ୍ଟ ଦୂର ହୋଇଯାଏ। ପ୍ରେମିକା ର ରଙ୍ଗ କେଉଁ କମ କି?? ନଈ କୁ ପାଣି ଆଣି ଗଲାବେଳେ ଆଖି ଦି ଥର ବୁଲି ଯାଏ ସବୁ ଆଡେ, କାଳେ ଆସିଲେ କି? ଦେଖା ହେଲେ ବି ମଝିରେ ଷଣ୍ଢ ପୁରାନ୍ତି ଗାଁ ର ବୟସ୍କ ଲୋକ କେହିଜଣେ। ଫେରୁଥିବେ ନଈ ଆଡୁ ନହେଲେ ଯାଉଥିବେ ବିଲ ଦେଖି। ଭାରି ଚିଡି ଲାଗେ। ଆଖି ନଚେଇ ଆଖି ଆଖି ରେ ଗୁଳି ମାରେ ପ୍ରେମିକା ଟି ଆଉ ପ୍ରେମିକ ବି ସେତିକି ରେ ବେହାଲ…..

ବ..ବୁ..ଲୁ..ଉ..ଉ..ଉ.. ଏଇ ଡାକଟି ଯଥେଷ୍ଟ ଥିଲା ଦାଣ୍ଡ ପଟୁ ବାଡ଼ି ଯାଏଁ । ଟି ଶାର୍ଟ ଟି ଗଳେଇ ଦେଇ ବାହାରି ପଡ଼ିଲି। ସିକ୍ସ ପକେଟ ବାଲା ହାଫ ପ୍ୟାଣ୍ଟ କୁ ଫୁଲ ହାତ ଵାଲା ଟି ଶାର୍ଟ। ନାନୁଆଁ କିନ୍ତୁ ହାତ କଟା ଗଞ୍ଜି ଖଣ୍ଡେ କୁ ଲୁଙ୍ଗି ଖଣ୍ଡେ ପିନ୍ଧି ଥାଏ। ତାକୁ ପୁଣି ଆଣ୍ଠୁ ପାଖରୁ ଭାଙ୍ଗି ଗଣ୍ଠି ମାରି ପିନ୍ଧିଥାଏ। ତା ବେଶ ଦେଖି ମୁଁ କଣ କହିବି ଭାବୁ ଭାବୁ, ସେ ସାଇକେଲ ର ରଡ଼ ରେ ବସି ସାରି ମୋତେ ଇଙ୍ଗିତ କରୁଥିଲା ସିଟ ରେ ବସି ସାଇକେଲ ଚଳେଇବାକୁ। “ନା ବେ, ତୁ ଚଲା” କହି ମୁଁ ଟିକେ କୁନ୍ଥୁ କୁନ୍ଥୁ ହେଲି।
“ମୋ ଭାଇଟା ପରା। ଲୁଙ୍ଗି ଟା ପିନ୍ଧିଛି, ନହଲେ ଚଳେଇଥାନ୍ତି । ଏଇଟା ରେ ପରା ସବୁଆଡୁ ଦିଶିବ । ମୁଁ ପଛେ ଡବଲ ମାରିବି” କହି ସେ ଅନୁନୟ ହେଲା। ଲୁଙ୍ଗି ଖଣ୍ଡେ ପିନ୍ଧି କେହି ଯେ ଝିଅଙ୍କୁ ଲାଇନ ମାରିବା ପାଇଁ ଯାଇପାରେ ଏହା ମୋ ଚିନ୍ତା ର ପରିସୀମା ବାହାରେ ଥିଲା। ଛାଡ଼, କହି ସାଇକେଲ ସିଟ ରେ ବସି ପେଡଲ ମାରିଲି ଆଗକୁ।

ନଈ ପାଖ ଆମ୍ବ ତୋଟା ରେ କବାଡି ଖେଳ ଟା ଜମି ଆସିଥାଏ, ତା’ସହ ଦୋଳି ଖେଳ ବି। “ସର” ସହ ଆଉ ଗୋଟେ ଝିଅ କୁ ଦେଖି ଆଖିଟା ବାରମ୍ବାର କାହିଁକି ସେପଟକୁ ଚାଲି ଯାଉଥାଏ। ସର, ମୋ ମାମୁଙ୍କ ଛାତ୍ରୀ। ମନଟା ଟିକେ ଖୁଜୁବୁଜୁ ହେଉଥାଏ କଣ ଗୋଟେ ପଚାରି ଦେବାକୁ। କିନ୍ତୁ ଆରପଟେ ଅଳ୍ପ ଟିକେ ଡର ବି ଲାଗୁଥାଏ। ହଠାତ ନାନୁଆଁ ର ଡାକ ରେ ଚମକି ପଡିଲି,”ଆମ ପଟୁ ବବୁଲୁ ଖେଳିବ, ତମେ ଶଳେ ସବୁ ଗଜା ଟୋକା ନବ ଆଉ ଆମକୁ ସେନ୍ତେରା ସବୁ ଦବ? ଚଳିବନି ନନା, ସେ ସବୁ ଥାଉ ଆର କାଳକୁ। ତେମେ ଆମକୁ କଣ ବୋଲି ଭାବିଛ କି? ଆଜି ପାଣି ପିଏଇବୁ ରୁହ। ଜଣ ଜଣ କରି ଯଦି ଟେକି ନ ଆଣିଛୁ…. ଆ ରେ ବବୁଲୁ, ଏଇ ପଟକୁ ଆ….”

କିଛି ସମୟ ଭିତରେ ଆରମ୍ଭ ହୋଇଗଲା କବାଡି, ଆମ ଦଳ ରୁ ଜଣେ ଜଣେ କରି ସବୁ ମରି (out ହୋଇ) ସାରିଥାନ୍ତି । ଏକା ମୁଁ, କଣ କରିବି? ଏପଟେ କବାଡି ର ଦାୟ ନା ସେପଟେ ଚାହାଣି ର ଦାୟ? ଦୋଳି ପାଖରୁ ଆଖି ଦୁଇଟି ମୋତେ ଚାହିଁଥାନ୍ତି। ଏପଟେ ଗାଁ ର କିଛି ପିଲା ମୋତେ ସାହସ ଦଉଥାନ୍ତି ତ ଆଉ କିଛି, “ଇଏ ଭାଇ ଆମ ପଖାଳ ବଡି ନୁହେଁ, ପାରିବନି” ବୋଲି ମନ୍ତବ୍ୟ ଦେଉଥାନ୍ତି।ଆର ଦଳ ର ପିଲା ବି ମୋତେ ହତୋସ୍ଛାହ କରିବାକୁ ଚେଷ୍ଟା କରୁଥାନ୍ତି। “ଯାହା ହବ ଦେଖାଯିବ” କହି ନାନୁଆଁ ମୋତେ ଆର ପଟକୁ ଯାଇ ଦି ଚାରିଟା କୁ ମାରି ଆସିବାକୁ ଇସାରା ଦେଲା। ଖେଳ ଖେଳ ରେ ହାର ଜିତ ଥାଏ। କିନ୍ତୁ ସେ ଝିଅଟି ଆଗରେ ହାରିବାକୁ ଜମାରୁ ଇଛା ନଥାଏ ମୋର। କବାଡି…କବାଡି…କବାଡି…କହି ଆଗକୁ ମାଡ଼ିଗଲି। ଦୁଇ ତିନି ଥର ଏପଟ ସେପଟ ହେଲା ପରେ ଭିତର ଗାର ଛୁଇଁ ଆସିଲା ବେଳକୁ ହାତ ଦୁଇଟି କୁଆଡୁ ଆସି ମୋତେ ଧରି ସାରିଥିଲେ। ଜଣେ ପରେ ଜଣେ ଛଅ ଜଣ ଟାଣି ଧରି ଭିଡି ନେବାକୁ ଚେଷ୍ଟା କରୁଥାନ୍ତି। ମୁଁ ବି ସବୁ ବଳ ଖଟେଇ ଖସି ଆସିବାକୁ ଚେଷ୍ଟା କରୁଥାଏ। ହଠାତ ଜଣଙ୍କ ହାତ ଖସି ଯିବାରୁ ମୋ ବଳ ର ପ୍ରଭାବରେ ଆଗକୁ ଭିଡି ହୋଇଗଲି ଆଉ…. ମୁହଁ ମାଡି ତଳେ।

ଶଳାଟାର ବଳ ଅଛି ବେ…ତମେ ସବୁଗୁଡା ମାଈ ଛୁଆ। ଛଅ ଜଣ ଭିଡି ଧରି ପାରୁନ…ବାଳ ଖେଳ ଖେଳୁଛ….ଏଭଳି ମନ୍ତବ୍ୟ ଗୁଡିକ କାନ ରେ ବାଜିବାକ୍ଷଣି ଦୋଳି ଆଡକୁ ଚାହିଁଲି। ଆଖି ଦୁଇଟି ଖୁସି ରେ କୁରୁଳି ଉଠୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ମୋ ସିକ୍ସ ପକେଟ ପେଣ୍ଟ ଟି ଚିରି ସାରିଥିଲା ଆଉ ମୁହଁ ତଳେ ମାଡ଼ ହୋଇ ରକ୍ତ ବାହାରି ସାରିଥିଲା। ଗୋଡ ହାତ କଥା ନକହିବା ଭଲ। ପଡୁ ପଡୁ କୁଆଡେ ମୁଁ ମଝି ଗାରଟି ଛୁଇଁ ଦେଇଥିଲି ଆଉ ଆର ଦଳ ର ଛଅ ଜଣ ଯାକ ମରି (out ହୋଇ) ସାରିଥିଲେ।

ଖେଳ ରେ ଖଣ୍ଡିଆ ଖାବରା ହୋଇ, ମୁଁ ଆଉ ଖେଳିବିନି ବୋଲି କହି ନଈ ଆଡେ ଧୋଇ ହେବାକୁ ଗଲି। ନାନୁଆଁ କିନ୍ତୁ ଖେଳିବାକୁ ରହିଲା। ନଈ ରେ ପଶି, ରକ୍ତ ବାହାରୁଥିବା ଜାଗା ଗୁଡାକୁ ଧୋଇଲା ବେଳେ ପାଖରୁ କିଛି ଶବ୍ଦ ଶୁଭିଲା, “ଜିତିବା କଣ ନିହାତି ଜରୁରୀ ଥିଲା”? ଚାହିଁ ଦେଖିଲି ସେଇ ଝିଅ ଟି। ଆଖିରେ ଆନନ୍ଦ ମିଶ୍ରିତ କଷ୍ଟ ର ସୂଚନା। ଆନନ୍ଦ, ମୁଁ ଜିତି ଯାଇଥିଲି। କଷ୍ଟ, ମୋ ଗୋଡ଼ ହାତ ଖଣ୍ଡିଆ ହୋଇଥିଲା। “ନା, ମାନେ ମୁଁ ତ ଖସି ଆସିବାକୁ ଚେଷ୍ଟା କରୁଥିଲି, କିନ୍ତୁ …ହଁ, ହୁଏ ଏସବୁ ଖେଳ ରେ…” କଷ୍ଟ ସମ୍ଭାଳି ମୁହଁରେ ହସ ଫୁଟେଇ ଏକାଥରେ କହିଗଲି ଏତକ। ଖଣ୍ଡିଆ ଯୋଗୁଁ ଜାଗା ଗୁଡିକ ପୋଡି ଉଠୁଥିଲେ ବି, ଏ ସମୟ ରେ ମୁଁ ଆହୁରି ତିନୋଟି ମ୍ୟାଚ ଖେଳି ପାରିବି ବୋଲି ମୋ ମନ କହୁଥିଲା।

ମୁଁ ବୋଧେ ପ୍ରେମ ରେ ଥିଲି….ଆଉ ସେ???


ଗାନ୍ଧିନଗର, ଗୁଜରାଟ,
ଦୂରଭାଷ: ୯୩୭୬୦୧୨୫୦୦

ମନ୍ତବ୍ୟ ରଖନ୍ତୁ