କ୍ଷୁଦ୍ରଗଳ୍ପ – ପହିଲି ପ୍ରେମ – ସନ୍ତୋଷ ପଟ୍ଟନାୟକ

ପ୍ରେମ ଏକ ଫଗୁଣ ଫୁଲର ସହର, ପ୍ରେମ ଏକ ଶ୍ରାବଣ ଭିଜା ବର୍ଷା ଧାର, ପ୍ରେମ ଏକ ଅନାମିକା ଅନ୍ତ ନାହିଁ ସେ ଶବ୍ଦର, ପ୍ରେମ ଏକ ନିରୋଗ ଭାଷା ଆଖିର ଆଖିର.. ହେ ମୋର ପ୍ରିୟ ପାଠକେ ଇଶ୍ୱର ସ୍ରଷ୍ଟାଙ୍କ ସୃଷ୍ଟିରେ ଏ ପ୍ରେମ ସବୁଠୁ ଦାମି ଦରବ କେବେ ସିଏ ହସ ଟିଏ ଓଠ ତଳ ଗାଁଆର ନାଁ, କେବେ ପୁଣି ଲୁହ ହୁଏ ଆଖି ତଳ ନଈର ନାଁ ସେହି ଅଢେଇ ଅକ୍ଷରକୁ ନେଇ ମୋ ଗଳ୍ପ…

ପ୍ରେମ ଏକ ଗୋଲାପ ଫୁଲ ବା ପୁଷ୍କରିଣୀର ପଦ୍ମଫୁଲ ଭଳି । ଗୋଲାପ ଯେଉଁ ଡାଳରେ ଫୁଟିଥାଏ ସେହି ଡାଳରେ ଅନେକ କଣ୍ଟା ଥାଏ । ପଦ୍ମଫୁଲ ମୂଳରେ ବିଷାକ୍ତ ସାପ ରହିଥାଏ । ଏହା ଜାଣି ମଧ୍ୟ ଅନେକ ତାକୁ ପାଇବାକୁ ଇଛା କରନ୍ତି । ସେ ସମୟରେ ତାଙ୍କୁ କଣ୍ଟା ଫୋଡି ହେବାର କି ସାପ କାମୁଡ଼ିବାର ଭୟ ନଥାଏ । ଠିକ୍ ଏହି କ୍ରମେ ଏକ ଝିଅ ଓ ଏକ ପୁଅ ଦିନେ ସେହି ବୟସରେ ପାଦ ଥାପନ୍ତି ,ଯୋଉଠି କି ତାଙ୍କ ହୃଦୟରେ ପ୍ରେମ ସୃଷ୍ଟି ହୋଇଥାଏ । ସୁମନ ଓ ସରୋଜ୍ ସେଥିରୁ ବାଦ୍ ଯାଆନ୍ତେ କିପରି !

ସରୋଜ୍ ମଧ୍ୟ ଦିନେ ସେହି ବୟସରେ ପାଦ ରଖିଥିଲା । +୩ ପ୍ରଥମ ବର୍ଷରେ ପଢୁଥାଏ ସରୋଜ୍ । କିଛି ସାଙ୍ଗମାନଙ୍କ ଠାରୁ ତାଙ୍କ ପ୍ରେମିକା ମାନଙ୍କ ବିଷୟରେ ଶୁଣୁଥାଏ, ଶୁଣିବାକୁ ସେତେ ଇଛା ନଥିଲେ ମଧ୍ୟ ବିରକ୍ତ ଲାଗୁନଥାଏ । ଧିରେଧିରେ ଅନୁଭବ କଲା ସେ ଯେମିତି କାହାକୁ ଖୋଜୁଛି ପାଉନି । ବ୍ୟସ୍ତ ଲାଗୁଛି ପୁଣି ବେଳବେଳେ ଖୁସି ଅନୁଭବ କରୁଛି । ତା’ ହୃଦୟ ନୟନ ଏକ ପ୍ରେମିକାକୁ ମନେ ମନେ ଖୋଜିବାକୁ ଲାଗିଲା ଠିକ୍ ସେଇ ସମୟରେ କଲେଜର ଏକ ସୁନ୍ଦର ଝିଅ ସହ ତା’ର ଅଚାନକ ସାକ୍ଷାତ ହୁଏ । ତାକୁ ଦେଖି ଲାଗିଲା ଏଇ ସେଇ ତା’ ମନର ପ୍ରତୀମା, ଧିରେଧିରେ ସେ ତା’ ମନରେ ବସା ବାନ୍ଧିନେଲା । ପ୍ରତି ମୁହୁର୍ତ୍ତରେ ତା’ ଆଖିରେ ସେଇ ଝିଅର ପ୍ରତିଛବି ନାଚି ଉଠିଲା । ଡ୍ରଇଁରୁମ୍  କ୍ଳାସରୁମ୍, କମନ୍ ରୁମ୍ ସବୁଠି ତାରି ପ୍ରତିଛବି । ସେ ଅନୁଭବ କଲା ଯେପରି ତାକୁ ସେ ଭଲ ପାଇସାରିଛି । ତାକୁ ଦେଖି ଯେମିତି ସେ ତାକୁ ନୂଆଁ ଦେଖୁନି ସେ ତା’ର ବହୁ ଜନମ ଆଗରୁ ଚିହ୍ନା,ସେଇ ଚିହ୍ନା ଚିହ୍ନା ମୁହଁରେ ପଢିଲା ପ୍ରେମର ଅଢେଇ ଅକ୍ଷର,ଏକେଲା ପଣକୁ ଏଡେଇବା ପାଇଁ ଏ ଏକ ତରଫା ପ୍ରେମ ଥିଲା ଯେମିତି ତା ପାଇଁ କୋଟି ତପସ୍ୟାର ଫଳ , ନିଜକୁ ଧନ୍ୟେ ମନେ କରୁଥିଲା

କିନ୍ତୁ ତାପର ଦିନ ଠାରୁ ଆଉ କୌଣସି ଦିନ ଦେଖିପାରିଲା ନାହିଁ କଲେଜରେ । ତା’ ଆଖି ତାକୁ କଲେଜର ପ୍ରତ୍ୟେକ କୋଣ ଅନୁକୋଣରେ ଖୋଜି ବୁଲିଲା । ପାଠପଢାରେ ଆଉ ମନନଥାଏ । ଦିନେ ଲିଜର ପିରିୟଡ଼ ରେ କଲେଜ ହତାରେ ଏକ କୃଷ୍ଣଚୁଡା ଗଛମୂଳେ ବସିଛି ସରୋଜ୍ ଏବଂ ସେଇ ଝିଅ କଥା ଭାବୁଥାଏ ।ସେ ଅନୁଭବ କଲା ଯେପରି ଆଉ କେହି ଜଣେ ଆସି ସେଠି ବସିଲା । ବୁଲିକି ଦେଖିଲା ଟିକେ ଦୂରରେ ଆଶ୍ଚର୍ଯ୍ୟର ସହ ଚକିତ ହୋଇଗଲା ।ସେ ଆଉ କେହି ନୁହେଁ ସେଇ ତ ତା’ ମନର ପ୍ରତୀମା , ବହି ପଢାରେ ଏକଦମ୍ ମଜ୍ଜିଯାଇଛି ଯେ କୌଣସି ପ୍ରତି ନଜର ନାହିଁ ତାର । ତାର ଓଢ଼ଣୀଟି ଫାଜିଲ୍ ପବନର ସାହାଯ୍ୟ ନେଇ ସରୋଜ୍ ମୁହଁ ଉପରେ ଘୁରି ବୁଲିବାକୁ ଲାଗିଲା କିନ୍ତୁ ସେଥିପ୍ରତି ସେ ଝିଅଟିର ନଜର ନଥାଏ । ସେ ଡାଇରିର ଲେଖାଗୁଡିକୁ ନିରୀକ୍ଷଣ କରି ପଢ଼ିବାରେ ବ୍ୟସ୍ତ । ତେଣୁ ବୋଧହୁଏ ସରୋଜ୍ ର ଉପସ୍ଥିତି ଜାଣିପାରିନାହିଁ । ତଳେ ଥିବା ତାର ଅନ୍ୟଏକ ବହିଟିକୁ ନିରିକ୍ଷଣ କରି ସରୋଜ୍ ଜାଣିନେଲା ସେ ବି +୩ ପ୍ରଥମ ବର୍ଷର ବିଜ୍ଞାନ ଛାତ୍ରୀ ଆଉ ତା ନା ‘ସୁମନ୍’ । ସରୋଜ୍ ତାକୁ କିଛି ପଚାରିବା ପୂର୍ବରୁ କ୍ଳାସ୍ ବେଲ ବାଜିଉଠିଲା । ଝିଅଟି ତାର ବହିପତ୍ର ଧରି ଉଠିଲା । ସରୋଜ୍ ବସିରହି ନିରିକ୍ଷଣ କରୁଥାଏ । ହଠାତ୍ ତାର ଅସଞ୍ଜତ ଓଢ଼ଣୀଟି ଆସି ସରୋଜ୍ ଦେହରେ ଲାଖିଗଲା । ସେ ଓଢ଼ଣୀ ନେବାକୁ ଆସି ସରୋଜକୁ ଦେଖି ଲାଜେଇ ଗଲା , ସରୋଜ୍ ବି ଟିକେ ଲାଜେଇ ଗଲା , ପରେ ପରେ ତାକୁ ଓଢ଼ଣୀଟି ତା’ହାତକୁ ବଢେଇ ଦେଲା । ଦୁହେଁ କ୍ଳାସରୁମ୍ ଆଡ଼କୁ ଚାଲିଲେ । କ୍ଳାସ୍ ରେ ପହଞ୍ଚି ସରୋଜ୍ ବାରଣ୍ଡାରୁ ଚାହେଁତ ସୁମନ୍ ବି ସରୋଜ କୁ ତାଙ୍କ କ୍ଳାସରୁମ୍ ର ବାରଣ୍ଡାରୁ ନିରିକ୍ଷଣ କରି ଚାହିଁ ରହିଛି । ଚାରି ଆଖିର ମିଳନ ପରେ ସେ ଟିକେ ମୁରୁକି ହସିଦେଇ ଚାଲିଗଲା । ସରୋଜ୍ ବି ତା ହସରେ ହସ ମିଳାଇ କ୍ଳାସ୍ କୁ ଗଲା ଓ ପାଞ୍ଚମିନିଟ୍ ଲେଟ୍ ରେ ପହଞ୍ଚିଲା ତାର ସେଇ ହସରେ ସରୋଜ ମନରେ ଖେଳି ଯାଇଥିଲା ଅପୂର୍ବ ଆନନ୍ଦ ଓ ଶିହରଣ । କ୍ଳାସ୍ ଥିଲା ଓଡ଼ିଆ ଓ ବିଷୟ ଥିଲା ଉପେନ୍ଦ୍ର ଭଞ୍ଜଙ୍କ “ଭଞ୍ଜସାହିତ୍ୟ” । ସେଥିରେ ଥିବା ପ୍ରେମାଳାପକୁ ଓଡ଼ିଆ ମେଡ଼ମ୍ ସରଳ କରି ବିଭିନ୍ନ ଉଦାହରଣ ଦେଇ ବୁଝଉଥାନ୍ତି । ସରୋଜ କୁ ଭାରି ଭଲ ଲାଗୁଥାଏ ବିଷୟଟି । ମନେ ମନେ ଭାବୁଥାଏ ମୁଁ’ ବି ଏପରି ପ୍ରେମାଳାପ ଶୁଣାଇବି ଦିନେ ଏକାଞ୍ଚନରେ ମୋ ମନର ମାନସୀକୁ ଆଙ୍କିଦେବି ତା’ର ମନ ମାନସପଟ୍ଟରେ ପ୍ରେମର ପ୍ରସଙ୍ଗ । ତା’ ମନ ଓ ହୃଦୟର ପ୍ରେମ ଉନ୍ମାଦନା ଅତି ପ୍ରବଳରୁ ପ୍ରବଳତ୍ତର ହେବାକୁ ଲାଗିଲା ।

କଲେଜ ଛୁଟିପରେ ସରୋଜ୍ ସମସ୍ତଙ୍କ ପଛରେ ରହିଗଲା । ଅନୁମାନ କଲା ସୁମନ୍ ମଧ୍ୟ ଜାଣିଶୁଣି ସବୁ ଝିଅଙ୍କ ପଛରେ ଯାଉଛି । ସରୋଜ୍ ପଛରୁ ଚୁପି ଚୁପି ଡାକିଲା ।

ସୁମନ୍…………………..

ସୁମନ୍ ଧିରେଚାହିଁ ହସିଦେଲା । ତାର ସେଇ ହସ ସରୋଜ୍ ମନ ଓ ଶରୀରକୁ ଆନନ୍ଦରେ ବିଭୋର କରିପକାଇଲା । ଲାଗିଲା ଯେମିତି ସାରା ଦୁନିଆଁର ହସ ଖୁସି ତା ହାତ ପାଆନ୍ତାରେ ଖସି ପଡିଛି ସରୋଜ୍ ମନେ ମନେ ନିଜକୁ ଧନ୍ୟ ମନେକଲା । ଏହାପରେ ଦୁହେଁ ଦୁହିଁଙ୍କ ବିଷୟରେ ବିସ୍ତୃତ କଥାବାର୍ତ୍ତା ହେଲେ , ଲିଜର ପିରିୟଡ଼ରେ ସେହି କୃଷ୍ଣଚୁଡା ଗଛ ମୂଳରେ ଏକାକୀ ଅନେକ ଦିନ ବସି ଗପ କଲେ । ଏଭଳି ତାଙ୍କ ସମ୍ପର୍କର ସେତୁ ଧିରେଧିରେ ବଢ଼ିବାରେ ଲାଗିଲା । ଦୁହେଁ ଦୁହିଁଙ୍କୁ ଭଲପାଉଛନ୍ତି ଏହା ଉଭୟଙ୍କୁ ଅଜଣା ନଥିଲା । ସେଇ କୃଷ୍ଣଚୁଡା ଗଛମୂଳରେ ବସି ସେମାନେ ତାଙ୍କ ସ୍ବପ୍ନର ମହଲ ଗଢ଼ିବାକୁ ସଙ୍କୋଚ କରିନଥିଲେ ।

କିନ୍ତୁ ହଠାତ୍ ତାଙ୍କ ଜୀବନର ମୋଡ଼ ବଦଳିଗଲା ।ସୁମନ ସେଇ ସହର ଛାଡ଼ି ଚାଲିଗଲା ଭୂବନେଶ୍ୱରରେ ଏମ୍.ଏ ପଢ଼ିବାକୁ । ସରୋଜ୍ ବି ଚାଲିଗଲା ରାଉରକେଲାରେ କର୍ମମୟ ଜୀବନ ଆରମ୍ଭ କରିବାକୁ । ଭାଗ୍ୟର ବିଡ଼ମ୍ବନା ଯୋଗୁଁ ଦୁହିଁଙ୍କ ଭିତରେ ଆଦାନପ୍ରଦାନ ରହିପାରିଲା ନାହିଁ । ଦୁହେଁ ଦୁହିଙ୍କୁ ପାଗଳ ପରି ଭଲ ପାଉଥିଲେ ,ହୃଦୟର ଡାକ ଲକ୍ଷେ ଯୋଜନକୁ ଶୁଭେ ଇଶ୍ୱର ବିଚାରବନ୍ତ ଦୟା କଲେ ହଠାତ୍ ଦିନେ କଟକ ସହରରେ ଦେଖାହୁଏ । ସରୋଜ୍ ଉତ୍କଣ୍ଠାର ସହ କିଛି ପଚାରିବା ପୂର୍ବରୁ ସୁମନ୍ ନିଜଆଡୁ ହାୟ୍ ….. କହି ସ୍ବାଗତ କଲା । ଦୁହେଁ କରମର୍ଦନ ପର୍ବ ସାରି ଆଗେଇଲେ ଏକ ପାର୍କ ଆଡ଼କୁ । ସୁସଜ୍ଜିତ ପୁଷ୍ପ ଶୋଭା ସହ ପ୍ରେମିକ-ପ୍ରେମିକାଙ୍କ ଭାବ ଆଦାନ ପ୍ରଦାନ ପରିବେଶକୁ ସୌନ୍ଦର୍ଯ୍ୟ ପ୍ରଦାନ କରୁଥିଲା । ଦୁହେଁ ଯାଇ ଘାସ ଗାଲିଚା ଉପରେ ବସିଗଲେ । ଅନେକ ଗପ ସପ ପରେ ଦୁହେଁ ଦୁହିଁଙ୍କ ଠିକଣା ବୁଝିନେଇଥିଲେ । ଏବଂ ବିବାହ ପ୍ରସ୍ତାବ ଘରେ ଦେବାପାଇଁ ଠିକ୍ କରିନେଇଥିଲେ ।

ମଣିଷର ଭାବନା ନିୟତିର ପରିକଳ୍ପନା ଯଦି ଏକ୍ ହୁଅନ୍ତା ତେବେ ମଣିଷ ଭଗବାନ ଭିତରେ କିଛି ପାର୍ଥକ୍ୟ ନଥାଆନ୍ତା ଆଜୀବନ ଯାଏଁ ଅତୁଟ ଡୋରୀରେ ବାନ୍ଧି ହୋଇ ରହିବାକୁ ଚାହୁଁଥିବା ଦୁଇ ପ୍ରେମର କପୋତ କପୋତୀ ସାଥେ ବିଧିର ବିଧାନ ଅଲଗା ହୋଇଗଲା। ଦୁହିଁଙ୍କ ପରିବାର ବିବାହ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟିକଲେ । ମିଳନର ଖୁସି ଠାରୁ ବିଚ୍ଛେଦର ଯନ୍ତ୍ରଣା ବେଶି ଭାରି ଜାଣି ମଧ୍ୟ୍ଯଶେଷରେ ଦୁହେଁ ପରିବାର ପ୍ରକେପରେ ନିଜ ପ୍ରେମ ଭଲ ପାଇବାକୁ କାଗଜ ଡଙ୍ଗା କରି ଅତୀତର ଅନ୍ଧ ମୁହାଣି ନଈରେ ଭସେଇ ନିଜ ନିଜ ବାଟ ବାଛିଲେ ।

ସରୋଜ୍ କଣ୍ଟକିତ ଡାଳରୁ ଗୋଲାପ ତୋଳିବାର ସାହାସକୁ ରୋକ୍ ଲଗେଇଲା । ଏ ଭିତରେ ଦୀର୍ଘ ବାରବର୍ଷ ବିତିଗଲାଣି । କିନ୍ତୁ ସରୋଜ୍ ଆଉ କେବେ ବି ସୁମନ୍ କୁ ଦେଖିନି । ଦେଖିବାକୁ ସୁଯୋଗ ବି ପାଇନି ସୁମନ ହିଁ ସରୋଜ୍ ର ପ୍ରଥମ ପହିଲି ପ୍ରେମିକା ଏବଂ ସେ ହିଁ ସରୋଜ୍ ଜୀବନର ପ୍ରଥମ ଓ ଶେଷ । ଏକେଲା ପଣକୁ ଏଡେଇବାକୁ ଯାଇ ସରୋଜ୍ ସାଥି ଆଉ ଖୋଜିଲାନି ସୁମନ୍ ସାଥିରେ ବିତେଇଥିବା ବୟସକୁ ଛାତି ତଳର ସାଇତା ସମ୍ପତ୍ତି କରି ତାହାରି ସ୍ମୁତିରେ ଜୀବନର ଗାଡି ଗଡେଇ ନେଲା…

【ଶିକ୍ଷା :- ତ୍ୟାଗ ବି ପ୍ରେମର ଏକ ଅଶଂ ବିଷେଶ 】

ମନ୍ତବ୍ୟ ରଖନ୍ତୁ