କ୍ଷୁଦ୍ରଗଳ୍ପ – କରୁଣ ପ୍ରଣୟ – ପ୍ରଦ୍ୟୁମ୍ନ ରଞ୍ଜନ ସାହୁ

ମୁକୁଳିତ କେଶରାଜି ଲୋଟିପଡିଛି ବିକ୍ଷିପ୍ତ ଭାବେ ଶଯ୍ୟା ଉପରେ । ଅବୟବର ଠାଏ ଠାଏ ଫୁଙ୍ଗୁଳା ପଡିଛି । ଅଲକ୍ଷ୍ୟ, ଅଚେତନ ତାର ମନ । ଜ୍ଞାନାଶୁନ୍ୟା କାଠଗଡ଼ି ପରି ଶୋଇରହିଛି ସେ ନିର୍ବିକାର ଭାବରେ । ଅନୁଶୋଚନା ନାହିଁ ତାର ବାହାର ଦୁନିଆରେ ଘଟିଯାଉଥିବା ଘଟଣା ସମ୍ପର୍କରେ । ମନରେ ନିକଟ ଅତୀତର ବିଷାଦ ଭରା ପୃଷ୍ଠା ଗୁଡ଼ାକ ସ୍ୱତଃପ୍ରବୃତ୍ତଭାବେ ଓଲଟେଇ ହୋଇ ଯାଉଛି । ଦୁଃଖଦ ଘଟଣାଟି ସବୁଜିମାର ରୂପ ନେଇ ମନର ଶୁଷ୍କ କଳ୍ପଦ୍ରୁମରେ କଅଁଳି ଉଠୁଛି । ସତରେ ଏହା ତାକୁ ଅସ୍ତବ୍ୟସ୍ତ କରିପକାଉଛି ପ୍ରତି ମୁହୂର୍ତ୍ତରେ ।

ମେଘୁଆ ଆକାଶର ଝର ଝର ବାରିଧାରା କାଳେ ମୋର ଅବୟବକୁ ବାରିସିକ୍ତ କରିଦେବ ବୋଲି ଅନନ୍ୟୋପାୟ ହୋଇ ଚାଲିଯାଇଥିଲି ତୁମର ଛତା ତଳକୁ ସେଦିନ ।ମନ୍ଦିରର ବେଢାରେ ସେହି ସମୟରେ ତୁମେ ଆଉ ମୁଁ । ମୋର ଯୌବନଭରା ଦେହଟି ତୁମକୁ ସ୍ପର୍ଶ କରିଥିଲା ଅଲକ୍ଷ୍ୟରେ । ସତରେ ଶିହରି ଉଠିଥିଲି ମୁ ସେହି ମୁହୂର୍ତ୍ତରେ ।ପ୍ରଥମ ସ୍ପର୍ଶରେ ଏତେ ଆକର୍ଷଣ ! ରହିପାରିଲିନି, ଚାହିଁଦେଇଥିଲି ତୁମ ମୁହଁକୁ । ବହୁତ ସମୟ ଚାହିଁପାରିଲିନି । ଲଜ୍ଜାନତ ହୋଇ ଝାଉଁଳିପଡିଥିଲି । ସ୍ୱଳ୍ପ ସମୟର କଥାବାର୍ତ୍ତାରେ ମୁଁ ସବୁକିଛି ଓଗାଳି ପକାଇଥିଲି ମୋ ବିଷୟରେ । ସତରେ କେତେ ବିଶ୍ୱାସ କରିଯାଇଥିଲି ମୁଁ । ତା ପରଠୁ ତ ଆମେ ପଛକୁ ଚାହିଁନେ । ସମସ୍ତଙ୍କ ଅଲକ୍ଷ୍ୟରେ କେତେ ସମୟ ଆମେ କାଟିଥିଲେ, କେତେ ସ୍ୱପ୍ନର ତାଜମହଲ ଗଢ଼ିଥିଲେ ଶିଳ୍ପୀର ଭାବନା ନେଇ । ମୋର ବୋଲି ତ ମୋ ପାଖରେ କିଛି ରଖିନଥିଲି । ତନୁ, ମନ, ହୃଦୟ ସବୁ କିଛି ସମର୍ପି ଦେଇଥିଲି ତୁମରି ପାଖରେ । ଶେଷରେ…. ଶେଷରେ……

କୋଉ ସମାଜ, କୋଉ ଜାତି କଥା ତୁମେ କହିଥିଲ ସେଦିନ ? ଯୋଉ ସମାଜ କୋଟି ଅପ୍ସରୀନିନ୍ଦି ମହିୟସୀ ସତୀ ସୀତାଙ୍କ ଚରିତ୍ରକୁ ସନ୍ଦେହ କରିଥିଲା, କୋଟି ବ୍ରହ୍ମାଣ୍ଡପାଳକ ଅନ୍ତର୍ଯ୍ୟାମୀ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରେମମୟୀ ରାଧାଙ୍କ ସହ ମିଶିବାକୁ ଦେଇନଥିଲା, ଭରା ରାଜସଭାରେ ଏକାକିନୀ ଅସହାୟା, ନିଃସହାୟା ନାରୀର ଉଲଗ୍ନରୂପକୁ ମଧ୍ୟ ଦେଖିବାକୁ ପଛାଇନଥିଲା । ଏ ସେହି ଜାତି ସେହି ସମାଜ ଯିଏ ତୁମ ଆଗରେ ଛଳନାଭରା କପଟୀ ହସ ହସି ଭଲ କଥା କହେ ଓ ପଛରେ ତୁମ ପାଇଁ ଶତ ସହସ୍ର ଗର୍ତ୍ତ ଖୋଳେ, ଶତତ ନିନ୍ଦା ଗାନ କରେ, ଯିଏ ସ୍ୱାର୍ଥରୂପକ ପଙ୍କିଳ ସରୋବରରେ ବୁଡିରହି ଅନ୍ୟର ଆବେଗକୁ ବୁଝିନଥାଏ । ଏଇ ସ୍ୱାର୍ଥାନ୍ଧ ଲୋକ ଆଉ ସମାଜର ଦ୍ୱାହି ଦେଇ ମୋତେ ଏକାକିନୀ କରିଦେଲ ତୁମେ ! ପ୍ରେମ କରୁଥିଲି ତୁମକୁ । ପ୍ରେମ କଣ ଜାଣିଥିଲ ତୁମେ ? ଚିରନ୍ତନ, ଶାଶ୍ୱତ ଏ ପ୍ରେମ । ଧବଳ, ଶୁଭ୍ର ଅମୃତର ଫଲଗୁ ଏ । ଜୀବନ ନେବା ଜାଣେନି, ଦେଇଥାଏ । ଏଥିରେ ଖୁସିରେ ପୁଲକିତ ହେବାରେ ଆନନ୍ଦ ଥାଏ ପୁଣି ବିରହର ବେଦନାରେ ବି ଏହା ଶରୀରକୁ ରୋମାଞ୍ଚୀତ କରେ । ସମାଜ କଣ ଜାଣିପାରିନି ଦୂରଦିଗବଳୟରେ ସମସ୍ତଙ୍କ ଅଲକ୍ଷ୍ୟରେ ଆକାଶ ଓ ପୃଥିବୀ ପରସ୍ପରକୁ କୋଳାଗ୍ରତ କରି କିପରି ପ୍ରେମପ୍ରଣୟର କଥୋପକଥନରେ ମଗ୍ନ, ସାଗର କିପରି ନଦୀକୁ ସର୍ବସମ୍ମୁଖରେ ଆଲିଙ୍ଗନ କରି ପ୍ରେମର ପରାକାଷ୍ଠା ନିଦର୍ଶନ କରେ।ଜାତି କଣ ଜାଣିନି ଆମର ଆକାର ଭିନ୍ନ ହେଲେ ବି ରକ୍ତ, ଆକୃତି, ମନ ଅଭିନ୍ନ ବୋଲି ? ତୁମେତ ଥରେ ଜଣାଇ ପାରିଥାନ୍ତ, ଚିତ୍କାର କରି କହି ପାରିଥାନ୍ତ । ସେପରି ନକରି ମୋତେ ଫିଙ୍ଗିଦେଲ, ଅଲୋଡ଼ା କରି..। କଣ ଆଉ ବୁଝିଥିଲ ମୋତେ ? ତୁମେ ପ୍ରେମୀ ନୁହେଁ…. ପ୍ରେମୀ ନୁହେଁ…. ଶରୀରକୁ ଭଲପାଇଥିଲ କେବଳ ମୋର । ପଳାତକ…. ଭୀରୁ…. କାପୁରୁଷ ତୁମେ……।

କିଛି ସମୟ ପାଇଁ ସ୍ଥିର ହୋଇଯାଇଛି ସେ । ଝରକା ଦେଇ ଚାହିଁଲା ଅଦୂରର ସେହି ଆମ୍ବଗଛ ମୂଳକୁ । ନିରିଖେଇ ଚାହିଁଲା । କିଏ…..!! କେତେବେଳୁ…! ରବୀନ୍ଦ୍ର ତୁମେ…..!! ସମାଜର ସବୁ ବାଧାବନ୍ଧନରୁ ମୁକ୍ତ ହୋଇ ତୁମେ ଆସିଛ ! ଆସିଛ ତ ଆସିଛ, ହାତଠାରି ଡାକିବାଗୁଣଟି ଏବେ ବି ଅଛି ତୁମର । ରୁହ,ମୁଁ ଆସୁଛି….।
ପାଗଳୀ ପ୍ରାୟ ଧାଇଁଛି ସେ । ଧରିପକାଇବ ବୋଲି ଚେଷ୍ଟା କରି କଚାଡି ହୋଇ ପଡିଛି ସେ । ତୋଟା ଭିତରୁ ବୃଦ୍ଧାଟିଏ ସବୁ ଦେଖି ଆସି କହିପକାଇଲା, “ମା’ରେ, ଦେଖିକି ଧାଉଁନୁ । ଏତେ ତରତର କାହିଁକି ? ଏଠି ପରା କେହିନାହାଁନ୍ତି ଲୋ…..!!”


ଗ୍ରା/ପୋ- ହରିପୁର ଶାସନ, ନାଚୁଣି, ଖୋରଧା,
(ଶିକ୍ଷକ, ଗଙ୍ଗାଧରପୁର ପ୍ର. ଉ. ପ୍ରା. ବିଦ୍ୟାଳୟ, ଚିଲିକା ବ୍ଲକ)

ମନ୍ତବ୍ୟ ରଖନ୍ତୁ