ଟୋପାଏ ଅବିର ଧାଡିଏ କବିତା – ତପସ୍ୱିନୀ ଦାଶ

ଟୋପାଏ ରଙ୍ଗ ପିନ୍ଧିବୁ ବୋଲି
ସାରାଦିନ ତୋଅରି ଚିନ୍ତାରେ ଘାଣ୍ଟି ହେଲି
ହେଲେ ଲେଖି ପାରିଲିନି ଧାଡିଏ କବିତା,
ରଙ୍ଗୀନ କରିପାରିଲିନି ନିସ୍ତରଙ୍ଗ ସୀମନ୍ତ
ଶବ୍ଦମାନଙ୍କୁ ଗୋଟାଉ ଗୋଟାଉ
ତୁ ଧରାଦେଲୁ ।
ଧର ଦେଲା ତୋ ଭାବ,ତୋ ପ୍ରୀତି
ତୋ ସମ୍ମୋହନ
ମୁଁ ଗୋଟାପଣେ ଭିଜିଗଲି
ବିନା ବର୍ଷାରେ ।
ମଜ୍ଜିଗଲି :ବିନା ରଙ୍ଗରେ
ହଜିଗଲି:ଫଗୁଣର ମିଥ୍ୟା ଆଶ୍ୱାସନରେ
ତୋ ମନ୍ତୁରା କଥାର ଚାତୁରୀରେ
ତୁ ବୁଝେଇଦେଲୁ-
ଅନ୍ୟକୁ ଭିଜେଇବାରେ ,ରଙ୍ଗେଇବାରେ
ମଜା ଅଛି ।
ହେଲେ ନିଜେ ରଙ୍ଗ ହେଲେ ହାର
ଭିଜା ଦେହରେ ଶତ କଦମ୍ବ ର ରୋମାଞ୍ଚ
ଫଗୁଣ ର ବାସ୍ନା ,ବେପଥୁର ଶିହିରଣ
ବାଣ୍ଟିବାକୁ ଶିଖାଇଲୁ
ତୋ ପରଶରେ ଥିଲା ହୋଲିର ରଙ୍ଗ
ମିଠା ମିଠା ମିଠା
ତୁ କହିଲୁ ଜୀବନ ଏକ ମିଠା ମିଛଗଳ୍ପ
ଏଠି ଜିତିବାଠୁ ବେଶୀ ମିଠା ହାରିବା
ବଂଚିବା ପାଇଁ ସ୍ବପ୍ନ ଲୋଡ଼ା,
ବିନା ସ୍ୱପ୍ନରେ ଜୀବନ ଶ୍ମ୍ମଶାନ,ନିସ୍ତାରଙ୍ଗ,ନିଶବ୍ଦ
ଖାଇଫୁଟା ଖରା ହେଉ କି ଜହ୍ନରାତିର ଜଲ୍ସା
ସ୍ବପ୍ନଭୁକ ଆମେ
ରାତି ଥାଉ କି ନ ଥାଉ
ଆମେ କିନ୍ତୁ ସ୍ବପ୍ନ ଦେଖିବା
ମୁଁ ଗୋଟାଉଥିଲି
ତୁ ବଞ୍ଚିଥିବା ଆଞ୍ଜୁଳା ଆଞ୍ଜୁଳା ସ୍ବପ୍ନ
ରାତିର ରାଜନୀଗନ୍ଧା ପାଇଁ ସ୍ବପ୍ନ
ହେଲା ରଙ୍ଗମୟ
ସକାଳୁ ଝଡ଼ିଯିବି ଜାଣିବି;
ତୁ ବୁଝେଇଦେଲୁ-
କବିତା ଲେଖି ବଂଚିବା ଯାହା
ଝଡ଼ ବର୍ଷା ରାତିରେ ଗୁଡ଼ି
ଉଦେଇବା ତାହା ।
କବିତା ଲେଖାକୁ ହବି କରି
ବଞ୍ଚି ହେବ ସିନା,
ହେଲେ ଜୀବିକା ନୁହଁ ଜମା ।
ଦିନେ ଘଡ଼ିଏ ଲେସିହେବ ସିନା ରଙ୍ଗ
ଅନ୍ତର ରଙ୍ଗେଇବା ବଡ଼ କଷ୍ଟ ।
ହାସ୍ୟ କବିତା ଲେଖିବା,
ଆଉ ହସିବା
ଯେମିତି ଏକ କଥା ନୁହେଁ,
ରଙ୍ଗ ଖେଳିବା ,ରଙ୍ଗୀନହେବ ଯେମିତି ଏକ କଥା ନୁହଁ ।


ତପସ୍ୱିନୀ ଦାଶ, ବାରିପଦା

ମନ୍ତବ୍ୟ ରଖନ୍ତୁ: