ଏକ ଦୃଷ୍ଟିପାତ : ଉଭେଇ ଯାଉଛି ମୌସୁମୀ – ପବିତ୍ର କୁମାର ନାୟକ

ମୌସୁମୀ ନାଆଁ ଟି ଶୁଣିଲା କ୍ଷଣି କିଛି ଅଜଣା ଶିହରଣ ଖେଳି ଯାଏ ଦେହସାରା । ଏକ ଅହେତୁକ ଭାବନା ଜାତ ହୁଏ ମନ ଭିତରେ । ଯେଉଁଠି ବଞ୍ଚିବାର ମହକ ଅନୁଭବ କରିପାରେ ପ୍ରତ୍ୟେକ ଜୀବନ । ତପ୍ତ ଧରଣୀକୁ ଶୀତଳ କରିବା ପାଇଁ ମୌସୁମୀ ମାଡ଼ି ଆସେ କେଉଁ ଏକ ଅଜଣା ରାଇଜରୁ। ମୁକ୍ତି ଅପେକ୍ଷାରେ ଥିବା ଅହଲ୍ୟା ସତେ ଯେମିତି ମୌସୁମୀର ସ୍ପର୍ଶ ପାଇ ମୁକ୍ତି ପାଇଯାଏ । ବର୍ଷ ବର୍ଷ ଧରି ପ୍ରବାହିତ ହେଉଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତ କିଛି ବର୍ଷ ହେବ ତା’ର ଆଗମନରେ ବ୍ୟତିକ୍ରମ ଘଟାଇଛି । ଭାରତୀୟ ପାଣିପାଗ ବିଭାଗ ଆଜି ନିଶ୍ଚିତ ହେଇ ପାରୁ ନାହିଁ ମୌସୁମୀ କେବେ ଭାରତ ଭୂ-ଖଣ୍ଡକୁ ଛୁଇଁଵ । ଏମିତି ରେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ! ମୌସୁମୀ କଣ ତା’ର ଗତିପଥ ବଦଳେଇ ଦେଇଛି ? ସାଧାରଣତଃ ମୌସୁମୀ ଜୁନ ମାସ ପହିଲାରେ ଭାରତକୁ ଛୁଇଁ ଥାଏ ଏବଂ ତା’ର ପହିଲି ସ୍ପର୍ଶରେ ଭାରତର ଦକ୍ଷିଣ ପଶ୍ଚିମ ପାର୍ଶ୍ୱକୁ ଭିଜେଇ ଦିଏ । ସମୟ ଅନୁଯାୟୀ ଆଗକୁ ବଢିବା ସହିତ ସମସ୍ତଙ୍କ ମନରେ ଖୁସି ବୁଣିଦେଇ ଅଗ୍ରସର ହୁଏ ହିମାଳୟର ପାଦ ଦେଶକୁ ଚୁମିବା ପାଇଁ । ସାଥିରେ ଆଣିଥିବା ଜଳୀୟ ବାଷ୍ପରେ ଭାରତ ବର୍ଷକୁ ସମ୍ପୂର୍ଣ୍ଣ ରୂପେ ଭିଜେଇ ଦିଏ । ତା’ର ନୂତନ ସ୍ପର୍ଶରେ ଜୀଇଁବାର ବାଟ ସମସ୍ତଙ୍କୁ ଦେଖେଇ ଦିଏ ।

ଗତ ଦୁଇ ଦଶକ ହେଲା ବନ୍ୟା ଓ ମରୁଡି ଆମ ପିଛା ଛାଡୁନାହିଁ । ପୂର୍ବରୁ ଭାରତର ମୂଳ ସ୍ଥଳ ଭାଗର ଶତକଡ଼ା ୨୧.୩୯ ପ୍ରତିଶତ ଜଙ୍ଗଲ ଥିଲା, ବର୍ତ୍ତମାନ ତାହା ଆସ୍ତେ ଆସ୍ତେ ଲୋପ ପାଇବାରେ ଲାଗିଛି । ଯାହା ଆମ ପାଇଁ ନିଶ୍ଚିତ ଚିନ୍ତାର ବିଷୟ । ବର୍ତ୍ତମାନ ଆକଳନ ଅନୁଯାୟୀ ଜଙ୍ଗଲ ଜମିର ପରିମାଣ ବଢ଼ିଛି; କିନ୍ତୁ ଜଙ୍ଗଲରେ ବୃକ୍ଷର ପରିମାଣ ଢେର କମି ଯାଇଛି । ଆମେ ସମସ୍ତେ ଜାଣିଛେ, ବୃକ୍ଷ ବିନା ଜୀବ ଜଗତର ଅସ୍ତିତ୍ବ ହିଁ ନାହିଁ ,ତଥାପି ଆମେ ଅସଚେତନ ହୋଇ ନିଃସହାୟ ବୃକ୍ଷ ଗୁଡିକୁ ଅବାଧରେ କାଟି ଚାଲିଛେ । ଆମ ବ୍ୟକ୍ତିଗତ ସ୍ୱାର୍ଥ ଆମକୁ ବିନାଶର ଚରମ ସୀମାରେ ଆଜି ପହଞ୍ଚାଇ ଦେଇଛି । ଏବେବି ସମୟ ରେ ବ୍ୟତିକ୍ରମ ଘଟିନାହିଁ । ଆମ ହାତରେ ସମୟ ଅଛି । କେବଳ ସଚେତନ ଅନୁଶାସନ ଆଉ ପ୍ରଚାରର ଅଭାବ ଯୋଗୁଁ ଆଜି ମାନବ ଜାତି ତଥା ପୃଥିବୀ ପ୍ରତି ଘୋର ବିପଦ ମାଡ଼ି ଆସୁଛି । ପୃଥିବୀର ଦ୍ବିତୀୟ ଜନ ବହୁଳ ଦେଶ ଭାବେ ସାରା ବିଶ୍ୱରେ ପରିଚିତ ଆମ ଭାରତ ବର୍ଷ । ଏହା ମୁଖ୍ୟତଃ ଗୋଟିଏ କୃଷି ପ୍ରଧାନ ଦେଶ ,ଏବଂ ଏହାର ଶତକଡ଼ା ୪୬ ପ୍ରତିଶତ ଚାଷ ଜମି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପରେ ନିର୍ଭର କରିଥାଏ । ଥରେ ଭାବି ଦେଖନ୍ତୁ ନା’ ଯଦି କୌଣସି କାରଣ ବଶତଃ ଗୋଟିଏ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ହୋଇଯାଏ ତେବେ ୧୦୦ କୋଟି ଜନ ସାଧାରଣଙ୍କ ଅବସ୍ଥା କଣ ହେବ ?

ପୂର୍ବରୁ ସବୁକିଛି ଠିକ୍ ଥିଲା । ମନୁଷ୍ୟ ନିଜର ସର୍ବ ନିମ୍ନ ଚାହିଦା ପୂରଣ କରିବା ପାଇଁ ଅବାଧରେ ଜଙ୍ଗଲ ସବୁ ନଷ୍ଟ କରିବାରେ ଲାଗିଛି । କେବଳ ମୌସୁମୀ ନୁହଁ, ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ବି ଭାରତ ସମେତ ଅନ୍ୟାନ୍ୟ ଦେଶ ମାନଙ୍କରେ ମଧ୍ୟ ଘଟି ଚାଲିଛି । ମନୁଷ୍ୟ ସ୍ୱାର୍ଥପର ସାଜି ନିଜର ସର୍ବନିମ୍ନ ଆବଶ୍ୟକ ପୂରଣ ପାଇଁ କଳ କାରଖାନା ଓ ଅଟ୍ଟାଳିକା ମାନ ନିର୍ମାଣ କରିବାରେ ଲାଗିଛି । ସେଥି ପାଇଁ ବିସ୍ତୀର୍ଣ୍ଣ ଜଙ୍ଗଲ ସବୁ ସଫା କରି ସେଇଠି ନୂତନ ଶିଳ୍ପ କାରଖାନା ସବୁ ଗଢିଵାରେ ଲାଗିଛି । ଏକଥା ବି ଠିକ୍ ଯେଉଁଠି ୧୦୦ କୋଟି ଜନ ସାଧାରଣଙ୍କ ଆବଶ୍ୟକତାକୁ ଅନୁଭବ କରି ଆମେ କଳ କାରଖାନା ତିଆରି କରିଅଛେ,କିନ୍ତୁ ଜଙ୍ଗଲ ର ବିଶେଷତ୍ୱକୁ ଆମକୁ ଆଖି ଆଗରେ ରଖିବାକୁ ପଡ଼ିବ । ପୃଥିବୀ ପୃଷ୍ଠରୁ ବୃକ୍ଷଲତା ଲୋପ ପାଇବା ହେତୁ ତାପମାତ୍ରାରେ ତାରତମ୍ୟ ପରିଲକ୍ଷିତ ହେଉଛି । ପଶ୍ଚିମ ଦିଗରୁ ମାଡ଼ି ଆସୁଥିବା ତତଲା ପବନ ଏବେ ଆସ୍ତେ ଆସ୍ତେ ପୂରା ଭାରତକୁ ନିଜ କବଳରେ ନେଇ ସାରିଛି । ଦିନ ଥିଲା ଏହା କେବଳ ସୀମିତ ଅଞ୍ଚଳରେ ଦେଖିବାକୁ ମିଳୁଥିଲା । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ମୁଖ୍ୟ ବାଧକ ହେଉଛି ଏହି ତତଲା ପବନ ଯାହା ମୌସୁମୀକୁ ଭାରତ ଭୂଖଣ୍ଡକୁ ପ୍ରବେଶ କରିବାରେ ଦେଇ ନଥାଏ । ମଧ୍ୟ ଓ ପୂର୍ବ ଭାରତରେ ଜଙ୍ଗଲ ସବୁ ନଷ୍ଟ ହେବା ହେତୁ ଏହା ଅବାଧରେ ନିଜ ସ୍ଥିତି ସବୁଠି ଜାହିର କରୁଛି ।

ଏ ବାବଦରେ ପ୍ରତି ବର୍ଷ ସରକାରୀ ସ୍ତରରେ କିଛି ନା କିଛି ଯୋଜନା ହେଉଛି । ଯୋଜନା କାର୍ଯ୍ୟକାରୀ କରିବା ପାଇଁ କୋଟି କୋଟି ଟଙ୍କା ବିନିମୟରେ ବିଭିନ୍ନ ସଂସ୍ଥା ସବୁ ଦାୟିତ୍ୱ ନେଉଛନ୍ତି । କିନ୍ତୁ ଦୁଃଖର ବିଷୟ କାର୍ଯ୍ୟ ଓ ନିୟମ ଗୁଡ଼ିକ କେବଳ କାଗଜ କଲମ ଭିତରେ ସୀମିତ ହୋଇ ରହି ଯାଉଛି। ପୃଥିବୀ ପୃଷ୍ଠରୁ ଜଙ୍ଗଲ ଲୋପ ପାଇବା ହେତୁ ଭାରତ ଭଳି ଅନେକ ଦେଶ ଏଭଳି ପରିସ୍ଥିତିକୁ ସାମ୍ନା କରୁଛନ୍ତି । ଏଥିରୁ ସ୍ପଷ୍ଟ ଭାବେ ବାରି ହେଉଛି, ମୌସୁମୀ ତା’ର ଗତି ପଥ ବଦଳାଇନି ; ବରଂ ଆମେ ତା ପଥ ଅବରୋଧ କରିଛେ । ଠିକ୍ ସମୟରେ ବର୍ଷା ନ ହେବା ,କେଉଁଠି ମରୁଡି ତ ପୁଣି କେଉଁଠି ବନ୍ୟା,ବେଳେ ବେଳେ ଅଦିନରେ ଝଡ଼ ବି ମାଡ଼ି ଆସିବା ପରିଲକ୍ଷିତ ହେଉଛି ।
ତେବେ ଏଠି ପ୍ରଶ୍ନଟିଏ : ଆମେ କଣ ଆମ ଭବିଷ୍ୟତ ଜାଳି ପୋଡି ପାଉଁଶ କରିଦେବା ? ବେଳ ଥାଉ ଥାଉ ଆମେ କଣ କିଛି କରି ପାରିଵାନି ? ଆସନ୍ତୁ ନା’ ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ହଜି ଯାଉଥିବା ଅତୀତକୁ ଫେରେଇ ଆଣିବା ପାଇଁ ପ୍ରାଣ ପଣେ ଚେଷ୍ଟା କରିବା ।

ଆମେ ଏକାଧାରରେ ସରକାରଙ୍କୁ ଦାୟୀ କରି କିଛି ଲାଭ ନାହିଁ । ଆମର କଣ କିଛି କର୍ତ୍ତବ୍ୟ ନାହିଁ ? ପ୍ରକୃତିର ଦାନ ସମସ୍ତଙ୍କ ସ୍ୱାଭିମାନ । ଆମେ ଏକତ୍ରିତ ହୋଇ ସୂଚନା ମାଧ୍ୟମରେ ସମସ୍ତଙ୍କୁ ଏ ବିଷୟରେ ଅବଗତ କରାଇବା, ତା’ ସହିତ ନିଜେ ବି ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗ କରିବା । ପ୍ରକୃତିର ସୁନ୍ଦର ସବୁଜ ବନାନୀ ସମସ୍ତଙ୍କ ପାଇଁ ତ ; ତା’ ହେଲେ ଆମେ ପଛଘୁଞ୍ଚା ଦେବା କାହିଁକି ? ପ୍ରକୃତିରେ ଯାହା ସବୁ ଘଟୁଛି, ସେଥିରେ ଆମ ମାନଙ୍କ ଭୂମିକା ବି କମ୍ ନୁହେଁ, ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଆମେ ମାନେ ନିଶ୍ଚୟ ସେଥିରେ ଜଡ଼ିତ । ସତର୍କର ଘଣ୍ଟି ବାଜି ସାରିଲାଣି ! ବର୍ତ୍ତମାନ ଆମକୁ ସମାଧାନର ବାଟ ବାହାର କରିବାକୁ ପଡ଼ିବ । ଯଦି ସରକାରୀ ଅନୁଷ୍ଠାନମାନ ସହ ଆମେ ମଧ୍ୟ ହାତ ମିଳାଇ ପ୍ରକୃତିର ସୁରକ୍ଷା କରିବା ତା’ହେଲେ ସେ ଦିନ ଦୂର ନାହିଁ ଯେଉଁଦିନ ମୌସୁମୀ ପୁଣି ତା’ର ସମୟ ଅନୁଯାୟୀ ଫେରିବ; ଏବଂ ତା’ର କୃପା ଦୃଷ୍ଟିରେ ପୁଣି ପୂରି ଉଠିବ ସମଗ୍ର ଭାରତ ବର୍ଷ ।


କେଲୁଆପଲ୍ଲୀ, ଗଞ୍ଜାମ

ମନ୍ତବ୍ୟ ରଖନ୍ତୁ