Generic selectors
Exact matches only
Search in title
Search in content
post
page
Filter by Categories
ପ୍ରାଚୀନ କାହାଣୀ
ବଣମଲ୍ଲୀ ୱେବ ପୋଷ୍ଟ

ପରିଚୟ

ବଣମଲ୍ଲୀର ମହକ ହେଉଛି ଇଣ୍ଟରନେଟ ଦୁନିଆରେ ଏକ ମଞ୍ଚ ଯାହା ପାଠକ, ଲେଖକ ଏବଂ ସେମାନଙ୍କର ସୃଜନୀକୁ ବିଶ୍ଵ ସମ୍ମୁଖରେ ଉପସ୍ଥାପିତ କରିଥାଏ । ଆପଣଙ୍କ ଆଖପାଖରେ ହଜାର ହଜାର ଲୋକ ବଣମଲ୍ଲୀର ମହକ ଡିଜିଟାଲ ପୋର୍ଟାଲକୁ ବ୍ୟବହାର କରି ନିଜ ନିଜର ସାହିତ୍ୟିକ ସୃଜନଶୀଳତାକୁ ପରିପ୍ରକାଶ କରିବା ସହିତ ଓଡିଆ ଭାଷାର ସମୃଦ୍ଧି ପଥରେ ନିଜକୁ ସାମିଲ କରିପାରିଛନ୍ତି । ବଣମଲ୍ଲୀର ମହକ, ଏହାର ଅର୍ଥ ହେଉଛି "ଲୋକଲୋଚନର ଆଢୁଆଳରେ ମହକ ବାଣ୍ଟି ଚାଲିଥିବା କଳିକାଟିଏ" । ସେଇ କଳିକାର ମହକକୁ ଆପଣମାନଙ୍କ ନିକଟରେ ପହଞ୍ଚାଇବାର ଏହା ଏକ ପ୍ରୟାସ ମାତ୍ର । ବଣମଲ୍ଲୀର ମହକ ହେଉଛି ଏକ ଆତ୍ମ-ପ୍ରକାଶନ ୱେବସାଇଟ୍ । ଏହା ଏକ ପ୍ଲାଟଫର୍ମ ଯାହା ଲେଖକ ଏବଂ ପାଠକମାନଙ୍କୁ ଏକ ଭର୍ଚୁଆଲ୍ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ । ଯୁଗ ସହିତ ତାଳ ଦେଇ ପାଠକ ଏବଂ ଲେଖକମାନେ ସେମାନଙ୍କର ଲାପଟପ୍, ଡେସ୍କଟପ୍ କିମ୍ବା ମୋବାଇଲ୍ ସ୍କ୍ରିନ୍ ଉପରେ ଏହାର ଉପଯୋଗ କରିପାରିବେ ।

ଓଡିଆ ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା କିଛି ସାରସ୍ଵତ ପ୍ରେମୀ ଓ ସଂସ୍କୃତି ସଚେତକଙ୍କ ପ୍ରଚେଷ୍ଟାରେ ବଣମଲ୍ଲୀର ମହକର ସୃଷ୍ଟି । ବିଜ୍ଞାନର ଦ୍ରୁତ ପ୍ରଗତିରେ ଓଡିଆ ସାହିତ୍ୟ ଓ ସଂସ୍କୃତିର ଆଦର ଅଭ୍ୟର୍ଥନା ତଥା ଇଣ୍ଟରନେଟ ମାଧ୍ୟମରେ ଓଡିଆ ସାହିତ୍ୟ ଓ ସଂସ୍କୃତିର ବିଶ୍ଵବ୍ୟାପୀ ପ୍ରସାରଣ ଏହି ଅଭିଯାନର ମୂଳଲକ୍ଷ୍ୟ । ଅନାଦର ବଣମଲ୍ଲୀର ପ୍ରତିଟି ପାଖୁଡାକୁ ସାଉଣ୍ଟି ଆଣି ତାହାର ଅପୂର୍ବ ମହକକୁ ଆସ୍ଵାଦନ ପୂର୍ବକ ସମଗ୍ର ବିଶ୍ଵ ଜନମାନସରେ ପହଞ୍ଚାଇବାର ଏକ ଯୁଗାନ୍ତକାରୀ ପ୍ରୟାସ ହେଉଛି ବଣମଲ୍ଲୀର ମହକ ।

ପରିବର୍ତ୍ତନଶୀଳ ମାନସିକତା..

ଯୁଗର ଆଜି ଅନେକ ପରିବର୍ତ୍ତନ ଘଟିଛି । ଏହି ପରିବର୍ତ୍ତନ ସହିତ ତାଳ ଦେଇ ମଣିଷର ମାନସିକତାରେ ମଧ୍ୟ ଅଦ୍ଭୁତ୍ତପୂର୍ବ ପରିବର୍ତ୍ତନ ଘଟୁଛି । ବିଶେଷ କରି ଏହି ପରିବର୍ତ୍ତନର ରୂପରେଖ ଆମ ଯୁବପିଢୀ ମାନଙ୍କ ନିକଟରେ ଅଧିକ ଅନୁଭୂତ ହେଉଅଛି ଏହାକୁ ଆମେ ଅସ୍ଵୀକାର କରିପାରିବା ନାହିଁ । କମ୍ପୁଟର ଓ ମୋବାଇଲ ଫୋନ ମାଧ୍ୟମରେ ପଢିବାର ସଉକ ଆଜିର ଯୁବପିଢୀ ମାନଙ୍କ ନିକଟରେ ଢେର ଅଧିକ । ତେଣୁ ଏହି ଯାନ୍ତ୍ରିକ ପରିବର୍ତ୍ତନର ସ୍ଵର ସହିତ ତାଳ ଦେଇ ଆମ ସାହିତ୍ୟର ରୂପରେଖ ପ୍ରସ୍ତୁତ କରିବାର ଆବଶ୍ୟକତାକୁ ଆମେ କଦାପି ଅଣଦେଖା କରିପାରିବା ନାହିଁ । ବରଂ ଏହାର ଆଦରକୁ ଆମକୁ ଗ୍ରହଣ କରିବାକୁ ପଡିବ । ଯାହାକି ସାହିତ୍ୟର ସମୃଦ୍ଧି ଓ ପ୍ରସାର ଦିଗରେ ନିଶ୍ଚିତ ଭାବରେ ସହାୟକ ହୋଇପାରିବ ଏଥିରେ ଦ୍ଵିମତ ହେବାର ଅବକାଶ ନାହିଁ । ବୈଜ୍ଞାନିକ ପଦ୍ଧତ୍ତିରେ ସାହିତ୍ୟର ପ୍ରସାର ଓ ସମୃଦ୍ଧିକୁ ନିଶ୍ଚୟ ସାଂପ୍ରତିକ ପରିପ୍ରେକ୍ଷୀରେ ଆମକୁ ଗୁରୁତ୍ଵ ଦେବାକୁ ପଡିବ ।

ଅଞ୍ଚଳରୁ ବିଶ୍ଵବ୍ୟାପୀ..

ସାହିତ୍ୟ କ୍ଷେତ୍ରରେ ଆଜି ଅନେକ ପରିବର୍ତ୍ତନ ଘଟିଛି । ଅନେକ ପତ୍ରପତ୍ରିକା ମଧ୍ୟ ସାହିତ୍ୟର ସମୃଦ୍ଧି ଓ ବିକାଶ ଦିଗରେ ସହାୟକ ହୋଇପାରିଛନ୍ତି । ଛପା ଯାଉଥିବା ପତ୍ରପତ୍ରିକା କିଛି ଅଞ୍ଚଳର ପାଠକ ପାଠିକା ମାନଙ୍କ ନିକଟରେ ସୀମିତ ରହିବା ସହିତ ଏହାର ପ୍ରସ୍ତୁତି ନିମନ୍ତେ ଅର୍ଥର ବି ଆବଶ୍ୟକତା ଥାଏ । କିନ୍ତୁ ଇଣ୍ଟରନେଟ ମାଧ୍ୟମରେ ପ୍ରକାଶିତ ପୁସ୍ତକ କିମ୍ବା ପତ୍ରପତ୍ରିକାଟିଏ ଗୋଟିଏ ଅଞ୍ଚଳ ମଧ୍ୟରେ ସୀମିତ ନରହି ସମଗ୍ର ବିଶ୍ଵ ଦରବାର ପର୍ଯ୍ୟନ୍ତ ପହଞ୍ଚି ପାରିଥାଏ । ଖୁବ କମ ବ୍ୟୟରେ ସ୍ଵତନ୍ତ୍ର ୱେବ-ଡୋମିନ ମାଧ୍ୟମରେ ଗୋଟିଏ ଫିଙ୍ଗର କ୍ଲିକରେ ଏହା ସମଗ୍ର ବିଶ୍ଵର ପାଠକ ପାଠିକା ମାନଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ହୁଏ ।

ଆମ ସିଦ୍ଧାନ୍ତ..

ବିଜ୍ଞାନର ଚରମ ଉନ୍ନତ୍ତି ବଳରେ ଆଜି ସମୃଦ୍ଧିର ସୀମା ନାହିଁ । ପୃଥିବୀରୁ ମହାକାଶ ଆଜି ଖୁବ ନିକଟ । ତେଣୁ ଏଭଳି ପରିସ୍ଥିତିରେ ଆମେ ସାହିତ୍ୟ ଓ ସଂସ୍କୃତିର ପଥରୋଧ କରିବା ଅର୍ଥାତ ଆମ ମନୁଷ୍ୟତାକୁ ବଳି ପକେଇଦେବା । ତେଣୁ ସଭ୍ୟତାର ଯାନ୍ତ୍ରିକ ବିକାଶ ପଥରେ ସାହିତ୍ୟ ଓ ସଂସ୍କୃତିକୁ ଆଦର ଅଭ୍ୟର୍ଥନାର ସହ ଉଚିତ ମାର୍ଗରେ ପରିଚାଳିତ କରିବା ଆମ ସମସ୍ତଙ୍କ ନିମନ୍ତେ ଗୁରୁ ଦାୟିତ୍ଵ । ସାଂପ୍ରତିକ ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା ମଧ୍ୟରେ ଡିଜିଟାଲ ପତ୍ରିକାଟିଏ ଇଣ୍ଟରନେଟ ମାଧ୍ୟମରେ ହାତ ପାଆନ୍ତାରେ ବିନା ମୂଲ୍ୟରେ ଖୁବ ସହଜରେ ପହଞ୍ଚିବା ସହିତ ବେଶ ଜନାଦୃତ ହୋଇ ପାରୁଛି ଆଜିର ଅଗଣିତ ପାଠକ ପାଠିକା ମାନଙ୍କ ନିକଟରେ । ଓଡିଆ ଭାଷା-ସାହିତ୍ୟ ତଥା ସଂସ୍କୃତିକୁ ବିଶ୍ଵ ବିଦିତ କରିବା, ନୂତନ ପିଢିର ସାହିତ୍ୟ ସ୍ରଷ୍ଟା ମାନଙ୍କ ନିମନ୍ତେ ଲେଖିବାର ସୁଯୋଗ ସୃଷ୍ଟି କରିବା ସହିତ ପ୍ରତିଷ୍ଠିତ ସାହିତ୍ୟ ସ୍ରଷ୍ଟା ମାନଙ୍କ ଠାରୁ ଅନେକ କିଛି ଶିକ୍ଷା ଲାଭ କରିବା ହେଉଛି ଏହି ପ୍ରୟାସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।

ଫେସବୁକ ପୃଷ୍ଠାରେ ଭେଟନ୍ତୁ

ପ୍ରଚ୍ଛଦପଟ୍ଟରେ..

ଆମେ ବଣମଲ୍ଲୀର ମହକ ଟିମ, ଓଡିଆ ସାହିତ୍ୟରେ ରୁଚି ରଖିଥିବା ସୃଜନଶୀଳ ବ୍ୟକ୍ତିମାନଙ୍କର ଏକ ଗୋଷ୍ଠୀ, ଯେଉଁମାନେ ଓଡିଆ ସାହିତ୍ୟକୁ ପଢିବା ଏବଂ ଲେଖିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି । ଆମେ ସର୍ବଦା ସାହିତ୍ୟରେ ନୂତନ ଧାରା ଓ ଚିନ୍ତାଧାରାକୁ ସମର୍ଥନ, ସମାଲୋଚନା ଏବଂ ଉତ୍ସାହିତ କରିବାକୁ ଭଲପାଉ । କାର୍ଯ୍ୟ ଓ ଜୀବନଧାରା ମଧ୍ୟରେ ସନ୍ତୁଳନ ଅତ୍ୟନ୍ତ ଜରୁରୀ, ଏହା ସର୍ବଦା ଆମ କାର୍ଯ୍ୟରେ ତଥା ଜୀବନରେ ପ୍ରକୃତ ସରସତା ଭରିଦେଇଥାଏ ଓ ପ୍ରେରଣା ସୃଷ୍ଟି କରିଥାଏ । ବଣମଲ୍ଲୀର ମହକ ଟିମ ଅତ୍ୟନ୍ତ ଅଭିନବ ଓ ଅଭିଜ୍ଞ, ଏବଂ ଓଡିଆ ସାହିତ୍ୟରେ ସମୃଦ୍ଧ ଚିନ୍ତାଧାରା ତଥା ସାଂସ୍କୃତିକ ମୂଲ୍ୟବୋଧ ସୃଷ୍ଟି କରିବାକୁ ପ୍ରତିବଦ୍ଧ ।

ସମ୍ପର୍କ

ଠିକଣା : ମଙ୍ଗଳାଯୋଡି, ଖୋରଧା, ଓଡିଶା - ୭୫୨୦୨୩

ଇମେଲ ଠିକଣା : mail@banamalli.org