କବିତା – ଅମାନିଆ ପ୍ରଜାପତି – ସୁନୀଲ କୁମାର ବେହେରା

ଲେଖକ ପରିଚୟ

Blog | +

ଏହି ବିଷୟଟି 8 ଜଣ ପାଠକ ପଢି ସାରିଛନ୍ତି

ଅମାନିଆ ପ୍ରଜାପତି
ସବୁଜିମା ଏଇ ସୁନ୍ଦର ଧରାରେ
ଜନମିଛି କେଉଁ କାଳୁ
ଅମାନିଆ ହୋଇ ଉଡିଉଡି ବୁଲେ
ସିନ୍ଦୂରା ଫାଟିବାବେଳୁ।।୧।।
ଫୁଲରୁ ଫୁଲକୁ ମୃଦୁ ଚୁମ୍ବନରେ
କରେ ମୁଁ କେତେ ଇଙ୍ଗିତ
ସେଇ ଇଙ୍ଗିତରେ ଫୁଲମନେ ଭରେ
ପ୍ରେମ ପ୍ରଣୟ’ର ଗୀତ।।୨।।
ଅମାନିଆ ମନ ବନ୍ଧୁତା କର‌ଇ
ନାନା ରକମର ଫୁଲେ
କିଆ ଓ କେତକୀ  ଅଭିମାନ କରି
ଛଳନାର ଗୀତ ବୋଲେ।।୩।।
କ‌ଇଁ କୁମୁଦ ଯେ ଅନାଇ ରୁହନ୍ତି
କେତେବେଳେ ଯିବି ମୁହିଁ
ରଜନୀଗନ୍ଧା ତ କ୍ଷଣକୋପ କରି
କୁହେ ନ ଆସିଲେ ନାହିଁ।।୪।।
ସୂରୁଜମୁଖୀର ବିଳାପିତ ନେତ୍ର
ଅକୁହା କଥାକୁ କୁହେ
ହେନା ଯୁଇ ଯାଇ ଚମ୍ପା ଓ ମାଳତୀ
ଉଷ୍ମ ଚୁମ୍ବନକୁ ଚାହେଁ।।୫।।
ଅପରାଜିତାଟି ରଙ୍ଗଣୀକୁ କୁହେ
ମୁଁ କାଳେ ତା ପ୍ରେମିକ
ଏଇ କଥାଶୁଣି କୋପେ ପଦ୍ମରାଣୀ
ଅନ୍ତରରେ କରେ ଶୋକ।।୬।।
ଫୁଲ ରାଇଜରେ ହୁଏ ଆଲୋଚନା
ମୁଁ କାଳେ ଜଣେ ନାୟକ
ମୋର ମନ କଥା କହିବି କାହାକୁ
କିଏବା ମାରିବ ଭୋକ।।୭।।
ମନ ମୋର ଅଛି ଅଳକାପୁରୀ’ର
ପାରିଜାତ ପୁଷ୍ପଠାରେ
ଅନାଇ ଅଛି ମୁଁ ତା ଫେରିବା ପଥ
ରାତିସରେ ଉଜାଗରେ।।୮।।
ପାରିଜାତ ପାଇଁ ଦିବା ସ୍ବପ୍ନ ଦେଖେ
ସୁଖ ସଂସାରଟେ ପାଇଁ
ଅନ୍ତରରେ ରଖି ଭଲପାଇବାକୁ
କାହାକୁ ପାରେନା କହି।।୯।।
ନୁହେଁ ମୁଁ ନାୟକ ନୁହେଁ ମୁଁ ଗାୟକ 
ଅମାନିଆ ମନ ମୋର
ଶୟନେ ସପନେ ଜାଗରଣେ କରେ
ପ୍ରତୀକ୍ଷା ପାରିଜାତ’ର ।।୧୦।।
ସୁନୀଲ କୁମାର ବେହେରା
ନୂଆଗାଁ-ପଥରବନ୍ଧ/ଟାଙ୍ଗୀ/ଖୋର୍ଦ୍ଧା।
ମୋ-୮୦୧୮୯୯୭୬୯୬
       ୯୩୪୮୫୪୭୯୪୧
HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments