କବିତା – କାନ ଡେରିଛନ୍ତି ଧେନୁ – ବି. ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ

ଶୁକରେ ତୁ ଯାଇ ବାରତା କହିବୁ
ମନମୋହନଙ୍କ ପାଶେ ,
ଗୋପର ତରୁଣୀ ପରାଣ ଧରିଛୁ
ତାଙ୍କରି ଦର୍ଶନ ଆଶେ ।
କହି ଯାଇଥିଲେ ସଅଳ ଫେରିବେ
ହେଲାଣି ବହୁତ ଦିନ ,
ଆମ ସାଥେ ପରା ଝୁରୁଛି ଯମୁନା
ଝୁରୁଛି ବି କୁଞ୍ଜବନ ।
ଯଶୋଦା ମାଆଙ୍କୁ ଅନ୍ନ ରୁଚୁନାହିଁ
କ୍ଷୀଣ ହୋଇଲାଣି ତନୁ ,
ତାଙ୍କ ବଂଶୀଧ୍ୱନି ଶୁଣିବାକୁ ଏଠି
କାନ ଡେରିଛନ୍ତି ଧେନୁ ।
ଆହୁରି ବି କେତେ ପ୍ରାଣୀ ଜପୁଛନ୍ତି
କୃଷ୍ଣ କୃଷ୍ଣ ଅନୁକ୍ଷଣ ,
ପ୍ରତୀକ୍ଷାର ଅନ୍ତ କରିଦେଇ କାଳେ
ମିଳିଯିବେ ତତକ୍ଷଣ ।
ସୁପକ୍ଵ ଫଳ ମୁଁ ଦେଉଅଛି ତୋଳି
ମନ ଆନନ୍ଦରେ ଖାଆ ,
ଶୁଣିଲୁ ଯା’ କିଛି ଶ୍ୟାମଙ୍କୁ କହିବୁ
ସଅଳ ତୁ ଉଡ଼ିଯାଆ ।
ମାମୁରିଆ ,ଛେଣ୍ଡିପଦା,ଅନୁଗୋଳ ।

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ