ଦିନକ ପାଇଁ ସତ୍ୟବାନ – ନୂତନ କୁମାର ବେହେରା

ଲେଖକ ପରିଚୟ

Blog | +

ଏହି ବିଷୟଟି 8 ଜଣ ପାଠକ ପଢି ସାରିଛନ୍ତି

        ଭାରି ତରବରିଆ ହୋଇ ବଜାରକୁ ବାହାରି ପଡିଲେ ଭ୍ରମରବର ବାବୁ, ହେଲେ ହେବ କଣ ? ସେ ନିଜ ଧରମ ପତିନୀଙ୍କ ଆଜ୍ଞାବହ ହେଲା ପରି ଏ ଯୌତୁକିଆ ଅଠର ବରଷର ତଳର ସ୍କୁଟରଟି ଆଉ ଏବେ ତାଙ୍କ ବୋଲ ବା ଗେଲରେ ନାହିଁ। ଢିଙ୍କି କୁଟିଲା ପରି କୁଟି କୁଟି ଦଣ୍ଡେ ପହରେ ଘର୍ ଘର୍ ଫଟ୍ ଫଟ୍ କରି ଗର୍ଜି ଉଠିଲା ତାଙ୍କର ବାହନ ସେ ପୁରୁଣା ଚେତକ୍। 

         ବାବୁ ଭ୍ରମରବର ଆଗକୁ ମାଡି ଯିବା ଆଗରୁ ତାଙ୍କ ଧରମ ପତିନୀ ଶ୍ରୀମତୀ ଡମ୍ଫଣ ଦେବୀ ପଛରୁ ସେ ସ୍କୁଟର ପରି କର୍ଣ୍ଣକଟୁ ସ୍ଵରେ ରଡି ଛାଡିଲେ, ହେଇ, ଶୁଣୁଛ ? ସବୁ ଗୋଟି ଗୋଟି କରି ଆଣିବ। ସାବିତ୍ରୀ ବ୍ରତ ଭାରି କଠିନ୍। ସ୍ଵୟଂ ଯମଙ୍କ ପୂଜା, ସେ ଭାରି କଡା ମିଜାଜ୍ ର ଦେବତା। କିଛି ଊଣା ହେଲେ ବା ପୂଜା ବିଧିରେ ଗଡବଡ ହେଲେ କଞ୍ଚା କଞ୍ଚା ଗିଳି ପକାଇବେ। ହୁସିଆର୍, ନନାଙ୍କ ଚିଠା ମୁତାବକ ସବୁ…… 
             ବାବୁ ଭ୍ରମରବର ଜାଣନ୍ତି, ତାଙ୍କ ଶ୍ରୀମତୀଙ୍କ ତୁଣ୍ଡ ଭାରି ସୁତୁଣ୍ଡ ଥରେ ଖୋଲିଲେ ନନ୍ ଷ୍ଟୋପ୍,କବେ ହୁଏନା ଅପ୍। ସେଇ ନିତିଦିନିଆ ବାଣୀ ଶୁଣି ଶୁଣି ତ ଜୀବନ ଜାକି ବଞ୍ଚିଛନ୍ତି। କାଲି ପୁଣି ସ୍ଵାମୀ ନାମକ ଜୀବନ୍ତ ଯାନର ରିନ୍ୟୁୟାଲ୍ ( ନବୀକରଣ) ଡେଟ୍। ସବୁ ନ ଶୁଣି ଆଉ ଉପାୟ କଣ ଅଛି ଯେ..ଏ ବର୍ଷିକିଆ ସ୍ଵାମୀର ଜୀବନର ୱାରେଣ୍ଟ ପାଇଁ ତାଙ୍କର ଏ ଯୋଜନା। ତାଙ୍କ ସହଯୋଗ ବିନା ସେ ବା କରିବେ କେମିତି ? ମୁଣ୍ଡ ଟୁଙ୍ଗାରୀ ହଉ ହଉ କହି ଆଗକୁ ବଢିଲେ… 
           ଆଗରୁ ତ ଶୁଶୁର ଶାଶୁ ଆଣି ଥୋଇ ଦେଉଥିଲେ ବେଗେବେଗେ।ଏବେ ସେମାନେ ତ ଉପରକୁ ଟିକଟ କାଟି ବହୁ ଦିନରୁ ଚାଲି ଯାଇଛନ୍ତି। ଆଉ ଗୁଣବନ୍ତ ଶାଳକ ମହୋଦୟ ଫୋନ୍ ରେ ଫି ବରଷ ଅନୁରୋଧ ପୂର୍ବକ ଆଦେଶ ଦିଅନ୍ତି, ଭିଣୋଇ ଭାଇ, ଏ ବର୍ଷ ମୁଁ ଯାଇ ପାରୁନି। ଅପାକୁ କହି ଦେବ। ଆଉ ଏ ବର୍ଷ ବି ଅପାର ସାବିତ୍ରୀ ବ୍ରତ କଥା ଚଳେଇ ଦବ। ଦୈନିକ ଘଣ୍ଟା ଘଣ୍ଟା ଭାଇ ଭଉଣୀ ଭାଉଜ ଗପୁଛନ୍ତି। ଏ କଥା ବେଳକୁ ବାବୁ ଭ୍ରମରବର କହି ଜଣାଇବେ ପତିନୀ ଦେବୀଙ୍କୁ। ବାଃରେ କଥାର ପେଞ୍ଚ, ଅଭିନୟ କରିବାକୁ ତ ପାଇଛନ୍ତି ଖୋଲା ରଙ୍ଗମଞ୍ଚ। 
       ମାର୍କେଟ୍ ରେ ପହଞ୍ଚି ବାବୁ ଭ୍ରମରବର ଏଣେ ତେଣେ ଭ୍ରମର ପରି ଭ୍ରମି ଭ୍ରମି, ବହୁ କଷ୍ଟରେ ଠାବ କଲେ ଏକ ନିରାପଦ ଥାନ, ଯେଉଁଠି କି ନିଃସଂକୋଚରେ ରଖି ପାରିବେ ତାଙ୍କର ସୁଖଦୁଃଖର ସାଥୀ ବାହନ ସ୍କୁଟର୍ ଟିକୁ। ସେ ପୁଣି ତାଙ୍କର ଚିହ୍ନାଜଣା ପାନ ଦୋକାନ। ପାନ କେଇଖଣ୍ଡ କିଣି ପାଟିରେ ଗୋଟେ ଜାକି କହିଲେ, ଭାଇ ଏଇ ଗାଡି ରହିଲା। ଟିକେ ଆଖି ରଖିଥିବ। 
        ଦି ପାହୁଣ୍ଡ ଯାଇଛନ୍ତି କି ନାହିଁ, ପାନ ଦୋକାନୀ ଚାରି ପାଞ୍ଚ ଜଣ ଗରାଖଙ୍କୂ ଶୁଣାଇ, ଯଉ ତ ଗୋଟେ ଗାଡି, ଧଡଧଡି। ଏତେ କଞ୍ଜୁସ୍, ଗୋଟେ ନୂଆ ବାଇକ୍ କିଣିବାର ନାହିଁ। କହିଲା କଣ ନା, ଭାଇ ଆଖି ରଖିଥିବ। ଆରେ ଏଇଟା ତ ଯେଉଁଠି ବି ପଡେଇ ଦେଲେ କେହି ଚାହିଁବେ ନାହିଁ।କବାଡିବାଲା ବି ନେବ କି ନାହିଁ ? ଠୋ ଠୋ ହସି ହସି ଉଠିଲେ ସେଠି ସମସ୍ତେ। ପଛକୁ ଚାହିଁ ବାବୁ ଭ୍ରମରବର କିଛି ଶୁଣିଲେ କି ନାହିଁ। ମାର୍କେଟ୍ ଭିତରକୁ ଧସେଇ ପଶିଗଲେ। 
           ଶାଢୀ ଦୋକାନକୁ ଯାଇ ଯାହା ଦେଖିଲେ ତାଙ୍କର ହୋସ୍ ଉଡିଗଲା। ଖଚାଖଚ୍ ଭିଡ, ଜଣକୁ ଜଣେ କରୁଥାଏ ଉହାଡ। ଦି ଚାରିଟା ଦୋକାନ ବୁଲି ଦେଖିଲେ ସବୁଠି ସେଇ ଏକା କଥା। ଅଗତ୍ୟା ବାଧ୍ୟରେ ଗୋଟେ ଦୋକାନରେ ପଶିଲେ। ଝିଅ ବୋହୂ ମାନଙ୍କଠାରୁ ଟିକେ ଦୂରେଇ ରହି ଗୋଟେ ଫାଙ୍କା ଜାଗାରେ ନିଜକୁ ସୁରକ୍ଷିତ ମନେ କରି ଠିଆ ହୋଇ ଦୀର୍ଘ ନିଶ୍ଵାସଟିଏ ପକାଇଲେ।
–ବାବୁ, ଶାଢୀ ଦେଖାଅ, (ସେଲ୍ସ୍ ବୟକୁ ଚାହିଁ) 
— ସାର୍, କୁହନ୍ତୁ କେତେ ରେଞ୍ ର, କି ଶାଢୀ କଟନ୍ ନା ଫେନ୍ସି। 
— ସବୁ ପ୍ରକାର ଦେଖାଅ। 
           ଗୋଟେ ପରେ ଗୋଟେ ଆଣି ପାହାଡ ପରି ଗଦା କରି ଦେଲା। ଭ୍ରମରବର ବାବୁ ହୋଇଗଲେ ହରବର, କିଛି ଠିକ୍ ରେ କରି ପାରିଲେ ନାହିଁ ସ୍ଥିର, କେଉଁଟା ନେବେ ଘର। ତାଙ୍କୁ ଲାଗେ ଦୋକାନରେ ଶାଢୀ କିଣିବା ବୋଧହୁଏ ତାଙ୍କ ପାଇଁ ସବୁଠୁ କଠିନ କାମ। ଆଉ ତାଙ୍କ ପତିନୀ ଆସିଥିଲେ ତ ଘାଣ୍ଟି ଦେଇଥାନ୍ତେ ସାରା ବଜାର। ଗାଡିର ଅବସ୍ଥା ଟିକେ ଭଲ ନାହିଁ ବୋଲି ନ ଆସି ତାଙ୍କୁ ତ୍ରାହି କରି ଦେଇଛନ୍ତି। 
           ଯା ହେଉ ଠେଲାପେଲା ଭିତରେ ଗୋଟେ ପସନ୍ଦ କରି କାଉଣ୍ଟରକୁ ପଠାଇବାକୁ କହି ଆସି ପେମେଣ୍ଟ୍ କଲେ। ନେଲେ ସିନା ହେଲେ ମନଟା କୁନ୍ଥୁ କୁନ୍ଥୁ ହେଉଥାଏ, କାଳେ ପସନ୍ଦ ହେଲା କି ନାହିଁ। କିନ୍ତୁ ଭ୍ରମରବର ବାବୁ ଜଣନ୍ତି ତାଙ୍କ ଶ୍ରୀମତୀ ମନକଥା। ଶାଢୀର ରଙ୍ଗ, ପ୍ରିଣ୍ଟ୍ ବା ଧଡିର ଡିଜାଇନ୍ ଦେଖି ପସନ୍ଦ କରନ୍ତି ନାହିଁ। ତାଙ୍କର ପସନ୍ଦ ଦାମରେ। ଆଗେ ଶାଢୀର ରେଟ୍ ଦେଖି ପକାନ୍ତି, ଯଦି ଦାମ୍ ଟା ଉଚ୍ଚା ଥାଏ, ତେବେ ଆପତ୍ତି ଅଭିଯୋଗ କିଛି ନ ଥାଏ। ତେଣୁ ମନକୁ ମନ ସାନ୍ତ୍ଵନା ଦେଇହେଉଥାନ୍ତି, ନିଶ୍ଚୟ ପସନ୍ଦ ହେବ। 
          ତା’ପରେ ସେ ଫଳମୂଳ ଦୋକାନ ଆଡକୁ ମୁହାଁଇଲେ। ବାପ୍ ରେ ବାପ୍ କି ଦାମ୍ ! ଶୁଣି ପାଣିଚିଆ ହୋଇଗଲା ମନ। ସାଧାରଣ ଦିନଠାରୁ ଆଜି ଚାରିଗୁଣା ପାଞ୍ଚ ଗୁଣା। ପୁରା ନିଆଁ ଜଳୁଛି ବଜାର ସାରା ଦରଦାମ୍ ରେ। ନେବାକୁ ତ ପଡିବ, ଯା’ ବି ହେଉ। ତାଲିକା ମୁତାବକ ସବୁ କିଣି ଗଣ୍ଠିଲି ବାନ୍ଧିଲେ। 
           ଘରକୁ ଫେରି ବାବୁ ଭ୍ରମରବର ଯେତେବେଳେ ନତ୍ କରି ବସି ପଡି ବେଗ୍ ଥୋଇଲେ। ଭଲମନ୍ଦ କିଛି ନ ପଚାରି ଆଗ ବେଗ୍ଟା ରୁ ସବୁ ଭିଣି ପକାଇ ଓଲଟପାଲଟ କରି ଦେଖିଗଲେ ଶ୍ରୀମତୀ। ସବୁର ଟିକି ନିଖି ଦାମ୍ ବୁଝି, ଏକଦମ୍ ଖୁସ୍।  
–ହେଇଟି ଏ ଶାଢୀଟା କେତେ ?
–ଆରେ ସେଠି ଲେଖା ହୋଇଛି, ପଢୁନ… 
— ମୁଁ କଣ କହୁଥିଲି, ଏତେ ଦାମ୍ ର ଆଣି ନ ଥିଲେ ହୁଅନ୍ତା ନି ?
— ଆରେ ପନ୍ଦର ଶହ କି ଦୁଇ ହଜାର କି ଗୋଟେ ଦାମ୍, ତୁମ ତ ମୋର ସବୁ …ବେଶୀ ଟଙ୍କା ଥିଲେ ତୁମ ପାଇଁ ଆହୁରି ଦାମର ଆଣିଥାନ୍ତି। 
— ହଉ,ମୁଁ ତୁମ ପାଇଁ ଚା’ କରୁଛି। ତୁମେ ହାତଗୋଡ଼ ଧୋଇ ଫ୍ରେସ୍ ହୁଏ। 
          ବାବୁ ଭ୍ରମରବର ଶ୍ରୀମତୀ ମୁହଁ ଆଡକୁ ନିରେଖି ଦେଖିଲେ ସେ ମୁରୁକି ମୁରୁକି ହସି କିଚେନ୍ ରେ ପଶିଗଲେ। ବାଃ ରେ ସାବିତ୍ରୀ ବ୍ରତ। ସବୁଦିନ ମରି ମରି ବଞ୍ଚୁଥିବା ସ୍ଵାମୀ ରୂପକ ଗଛଟି ଯେମିତି ଅସରାଏ ବର୍ଷା ପାଇ ସତେଜ ହୋଇ ଉଠିଲା। କିଛି ନ ହେଲେ ବି ଏତେ ଅର୍ଥ ଶ୍ରାଦ୍ଧ ବିନିମୟରେ ଟିକିଏ କଅଁଳ କଥା ଆଉ ମୁରୁକି ହସ ତ ମିଳିଲା। ଏମିତି ବର୍ଷକୁ ଆଠ ଦଶଥର ସ୍ଵାମୀ ପୂଜା ଆଳରେ କିଛି ନା କିଛି ବ୍ରତ ଓଷା ପଡନ୍ତା କି, ଦିନକ ପାଇଁ ସତ୍ୟବାନ ସାଜୁଥିବା ସ୍ବାମୀମାନେ ତରିଯାନ୍ତେ। ଯୁଆଡେ ନାହିଁ ଯୁଆଡେ ଖର୍ଚ୍ଚ ତ ହେଉଛି ହେବ। ଅନ୍ତତଃ ଦୁଇ ପ୍ରାଣୀ ଗୋଟେ ସୁସ୍ଥ ବାତାବରଣରେ ଦିନ କାଟନ୍ତେ। 
            ସ୍ଵାମୀ ସ୍ତ୍ରୀଙ୍କ ମଧୁର ସମ୍ପର୍କ ଧନ ଦୌଲତ କି ଦାମୀ ଉପହାର ଦେବା ନେବାରେ ବଞ୍ଚେ ନା କିମ୍ଵା ଲୋକ ଦେଖାଣିଆ ପୂଜା ଆରାଧନା ବି ନୁହେଁ। ପରସ୍ପର ମଧ୍ୟରେଅଗାଧ ବିଶ୍ଵାସ, ଦୁଃଖସୁଖରେ ପ୍ରାଣ ଭରି ଭଲ ପାଇବା ହିଁ ଅତୁଟ ବନ୍ଧନର ମୂଳଉତ୍ସ। ଏ କଥା ବୁଝି ଗଲେ ଆଉ କିଛି ଜାମେଲା ରୁହନ୍ତା ନାହିଁ। 
      ବାବୁ ଭ୍ରମରବର ଏତେ ସବୁ ଭାବୁ ଭାବୁ ହାତଗୋଡ ଧୋଇ ପକାଇଲେ। ହାତ ଗୋଡର ଧୂଳିମଳି ଭଳି ତାଙ୍କ ମନରେ ଯେତେ ଗ୍ଳାନି ବି ଧୋଇ ହୋଇଗଲା। ସେ ପଟୁ ଧରମ ପତିନି ମଧୁର ସ୍ଵରରେ ଡାକୁଥାନ୍ତି,କୁଆଡେ ଗଲ, ହେଇଟି ଚା’ ନିଅ…. 


Writer’s Details: ନୂତନ କୁମାର ବେହେରା
କୋହି, ଗଡ଼ିଆ, ମୟୂରଭଞ୍ଜ
ପିନ୍ ୭୫୭୦୨୩, ଭ୍ରାମ୍ୟଭାଷ ୯୯୩୮୫୫୭୮୬୧
Content Category:
Submission Date: Aug 23, 2019

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments