ବ୍ୟଙ୍ଗ କବିତା – ବିନାଶ କାଳେ ବିପରୀତ ବୁଦ୍ଧି – ଅମ୍ଳାନ ପ୍ରହରାଜ
ଲେଖକ ପରିଚୟ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ

ସୁନା ର ହରିଣ କିଏ ବା ଦେଖିଚି
କେ ଶୁଣିଛି ଦୁଇ କାନ।
ତଥାପି ଶ୍ରୀରାମ କୋଦଣ୍ଡ ଧରିଣ
ପଛେ ହେଲେ ଧାବମାନ,
କାହିଁକି ଏପରି ପ୍ରଶ୍ନ ?
ବିନାଶ କାଳେ ଏ ବିପରୀତ ବୁଦ୍ଧି
ବୋଲନ୍ତି ପଣ୍ଡିତ ଜନ।
ପାଣ୍ଡବ ଙ୍କ ପାଇଁ ପାଞ୍ଚ ପଡା ମାଗି
ଗଲେ ପ୍ରଭୂ ନାରାୟଣ।
କୁରୁସଭା ତଳେ ଅପମାନ ଦେଇ
ଫେରାଇଲା କୁରୁରାଣ,
ଏ ମହାଭାରତ ଜାଣ।
ବିନାଶ କାଳ ରେ ବିପରୀତ ବୁଦ୍ଧି
ନାଶ ଗଲେ କୁରୁଗଣ।
ମହର୍ଷି ଦୂର୍ବାସା ମହାକୋପୀ ଜାଣି
ଗର୍ବ ରେ ଯାଦବ କୁଳ।
ଶାମ୍ବର ପେଟ କୁ ଦେଖାଇ କହିଲେ
ଗର୍ଭେ ସୁତା କି ଦୁଲାଳ,
ପ୍ରସବିଲା ସେ ମୂଷଳ।
ବିନାଶ କାଳ ରେ ବିପରୀତ ବୁଦ୍ଧି
କ୍ଷୟ ଗଲେ ଯଦୁକୁଳ।
ଗୋବିନ୍ଦ ମୂଷା କୁ କେଳା ନଚାଇଲେ
ହୋଇଥାଏ ହାସ୍ୟ ରୋଳ।
ସେଇ ମୂଷା ଯଦି କେଳା କୁ ନଚାଏ
ଉପୁଜିବ ଗଣ୍ଡଗୋଳ,
କେଳା ଘର ହେବ ଖୋଳ।
ବିନାଶ କାଳ ରେ ବିପରୀତ ବୁଦ୍ଧି
ଏହି ତହୁଁ ଅଟେ ଫଳ।
ବାକ୍ ସ୍ୱାଧୀନତା ଆମ କୁ ଦେଇଛି
ଭାରତୀୟ ସମ୍ବିଧାନ।
ଶାସନେ ଶାସକ ତ୍ରୁଟି ବିଚ୍ୟୁତିର
ଆଲୋଚନା ଟା କି ଘୃଣ୍ୟ,
ବାକ୍ ସ୍ୱାଧୀନତା କ୍ଷୁର୍ଣ୍ଣ।
ହେଲେ ହେଁ ଜାଣିବ ବିନାଶ କାଳ ଟା
ଆଉ ନାହିଁ ବେଶୀ ଦିନ।
ଯେଉଁ ନେତା ମଣେ ଗଦି ଟା ତାହାର
ଚିର କାଳ ପାଇଁ ସ୍ଥାୟୀ।
ମଦ,ମାଂସ,ଅର୍ଥ ଲାଞ୍ଚ ବାଣ୍ଟିଦେଲେ
ହେବନାଇଁ ଧରାଶାୟୀ,
ଏପରି ଭାବନା ପାଇଁ,
ଲୋକେ ବୋଲିଥାନ୍ତି ବିନାଶ କାଳରେ
ବିପରୀତ ବୁଦ୍ଧି ଦାୟୀ।
ଘର ମାଲିକ ଠୁଁ ଚାକର ଦରମା
ଯଦି ମିଳୁଥାଏ ବେଶୀ।
ମାଲିକ କୁ ଦାସ ହୁକୁମ କରିବା
ଜଳଜଳ ଥାଏ ଦିଶି,
ଆନୁଗତ୍ୟ ଯାଏ ଖସି।
ବିନାଶ କାଳେ ଏ ବିପରୀତ ବୁଦ୍ଧି
ବୋଇଲେ କି ହେବ ଦୋଷୀ ?

ଅମ୍ଳାନ ପ୍ରହରାଜ (ବ୍ୟଙ୍ଗ ଗୋସେଇଁ)
ନିରାକାରପୁର, ଖୋରଧା
