କବିତା – ପ୍ରିୟା ବିହୁନେ ମାେ ଗାଆଁ – ପ୍ରଦୀପ କୁମାର ପ୍ରଧାନ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମୋ ଗାଆଁ ମୁଣ୍ଡ ଚମ୍ପା ହସୁନି ସଜେଇ
ଦେହରେ ଫୁଲ ପସରା,
ତୋ ଗଭାରେ ଶୋଭା ପାଉଥିଲା ଯେଣୁ
ତା ମୂଲ ଅମୂଲ ପରା ।।
ମୋ ଗାଆଁ ପୋଖରୀ ତୁଠର ପଥର
ପଡ଼ିଅଛି ମୁହଁ ମାଡ଼ି,
ତୋ ପାଦ ପରଶ ପାଇଁକି ଟିକିଏ
ହେଉ ଅଛି ସଦା ଝୁରି ।।
ମୋ ଗାଆଁ ଦାଣ୍ଡରେ ତୋ ପାଦ ନୂପୁର
ରୁଣୁ ଝୁଣୁ ବାଜୁ ନାହିଁ,
ମୋ ଗାଆଁ ଦାଣ୍ଡ ଧନ୍ୟ ହୋଇ ଯିବ
ତୋ ଚରଣ ଧୁଳି ପାଇ ।।
ମୋ ଅଗଣାରେ ପୁନେଇଁ ଜହ୍ନଟା
ଖେଳୁ ନାହିଁ ଲୁଚକାଳି,
ତୋ ବିହୁନେ ପ୍ରିୟା ବାଦଲ ଉହାଡେ
ଲୁଚିଛି ମନକୁ ମାରି ।।
ଭେଟ ହୋଇଗଲେ ଦନେଇ ଭାରିଯା
ତୋ ଖବର ପଚାରୁଛି,
ତୋ ହାତରେ ଭଙ୍ଗା ପାନ ଖଣ୍ଡିକର
ଭାରି ପ୍ରଶଂସା କରୁଛି ।।
କୁନା କୁନି ନିତି ଘରକୁ ଫେରନ୍ତି
ତୋ ଫେରିବା ବାଟ ଚାହିଁ,
ତାଙ୍କ ପ୍ରିୟ ଖୁଡ଼ି ସେନେହ ସହିତ
ମନ ଲାଖି ଭେଟି ପାଇଁ ।।
ମୋ ଘର ମଥାନେ ଡାମରା କାଉଟା
ରାବିଦେଲେ କା’ କା’,
ଦାଣ୍ଡ ଦୁଆରକୁ ବାର ବାର ଯାଇ
ଦେଖି ଆସୁଛନ୍ତି ମାଆ ।।
ମୋ ନରମ ଶେଯ ତୋ ଦେହ ଉଷୁମ
ନିତି ରାତିରେ ଖୋଜୁଛି,
ତୋ ଫିକ୍ ଫିକ୍ ହସ କାନେ ତୁନୀ କଥା
ସପନରେ ଆସୁଅଛି ।।

# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ,
ଡି. ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର
ରଚନା : ପ୍ରଦୀପ କୁମାର ପ୍ରଧାନ
ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି.ଏ.ଭି. ପବ୍ଲିକ, ସ୍କୁଲ ବ୍ରହ୍ମପୁର ଦୂରଭାଷ : ୮୭୬୩୬୨୯୨୮୨
