ବିଶ୍ଵାମିତ୍ର ଓ ହରିଶ୍ଚନ୍ଦ୍ର

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ବିଶ୍ବାମିତ୍ରଙ୍କୁ ହରିଶ୍ଚନ୍ଦ୍ର କହିଲେ- ହେ ପ୍ରଭୁ, ସେହି ନାରୀମାନଙ୍କର ଆକୁଳ କ୍ରନ୍ଦନ ମୁଁ ସହିପାରିଲି ନାହିଁ । ବିପନ୍ନା ନାରୀମାନଙ୍କୁ ରକ୍ଷାକରିବା କ୍ଷତ୍ରିୟର ଧର୍ମ । ମୁଁ କ୍ଷତ୍ରିୟ ଧର୍ମରେ ଥିବାରୁ ସେମାନଙ୍କୁ ମୁକ୍ତି କଲି । ଏହାଶୁଣି ବିଶ୍ବାମିତ୍ର କ୍ରୋଧରେ ଗର୍ଜନ କରି କହିଲେ- ତେବେ କ୍ଷତ୍ରିୟର ଧର୍ମ କ’ଣ ମୋତେ ବୁଝା । ହରିଶ୍ଚନ୍ଦ୍ର କହିଲେ-ଆପଣ ତ ସ୍ବୟଂ ଦିନେ ରାଜା ଥିଲେ । କ୍ଷତ୍ରିୟ ବିଦ୍ଯାରେ ଆପଣ ଧୁରନ୍ଧର । ସେ ବିଷୟରେ ମୁଁ ଆପଣଙ୍କୁ ଆଉ ଅଧିକ କ’ଣ କହିପାରିବି ? ତପୋବଳରେ ବର୍ତ୍ତମାନ ଆପଣ ବ୍ରହ୍ମର୍ଷି । ଯଦି ମୋତେ କ୍ଷତ୍ରିୟ ଧର୍ମ ବିଷୟରେ କହିବାକୁ ଆଦେଶ ଦେଲେ ତେବେ ତାହା ମୁଁ ଆପଣଙ୍କୁ କହୁଛି ଶୁଣନ୍ତୁ । କ୍ଷତ୍ରିୟର ଧରମ ହେଉଛି ସେ ଶକ୍ତି ଅନୁସାରେ ଦାନ ପ୍ରଦାନ କରୁଥିବ । ବଳବନ୍ତ ଶତ୍ରୁ ସହିତ ସଂଗ୍ରାମ କରିବ । ଗୋ,ବ୍ରାହ୍ମଣ, ନାରୀ ଓ ଭୟାତୁର ଲୋକମାନଙ୍କୁ ବିପଦରୁ ରକ୍ଷା କରିବ । କ୍ଷତ୍ରିୟରାଜା ତା’ ପ୍ରଜାମାନଙ୍କୁ ପୁତ୍ର ପରି ପାଳନ କରିବ ।

ତହୁଁ ବିଶ୍ବାମିତ୍ର ପଚାରିଲେ- ତେବେ କ୍ଷତ୍ରିୟ କେଉଁମାନଙ୍କୁ ଦାନ ଦେବେ ? କେଉଁମାନଙ୍କୁ ପାଳିବ ? ସଂଗ୍ରାମରେ କୋଉ ଶତ୍ରୁକୁ ବିନାଶ କରିବ ? ହରିଶ୍ଚନ୍ଦ୍ର କହିଲେ-କ୍ଷତ୍ରିୟ ଗୁଣବନ୍ତ ବିପ୍ରଙ୍କୁ ଦାନଦେବ । ଆତତାୟୀ ଶତ୍ରୁକୁ ହତ୍ଯାକରିବ । ଭୟାଳୁ ପ୍ରାଣୀଙ୍କୁ ରକ୍ଷା କରିବ । ଏହିସବୁ କଥା ସବୁବେଳେ ମୋ ହୃଦୟରେ ରହିଥାଏ । ତହୁଁ ବିଶ୍ବାମିତ୍ର ହରିଶ୍ଚନ୍ଦ୍ରଙ୍କୁ କହିଲେ-ଯଦି ତୋ ହୃଦୟରେ ଏପରି ଜ୍ଞାନ ଦୃଢ ଭାବରେ ଅଛି, ତେବେ ମୁଁ ତ ଜଣେ ବିପ୍ର । ମୋର ବିଦ୍ଯା,ଗୁଣ ଓ କୀର୍ତ୍ତି ଅନୁସାରେ ତୁ ମୋତେ କିଛି ଦାନ ଦେ ।
ମହର୍ଷି ବିଶ୍ବାମିତ୍ର ତାଙ୍କୁ ଦାନ ମାଗୁଛନ୍ତି, ଏଥିପାଇଁ ହରିଶ୍ଚନ୍ଦ୍ର ଆନନ୍ଦରେ ଉଦବେଳିତ ହୋଇପଡିଲେ ଓ ଗଦଗଦ ହୋଇ କହିଲେ- ମୋ ସୂର୍ଯ୍ୟବଂଶ ଆଜି ପବିତ୍ର ହେଲା । ମୋର ପୂର୍ବ ପୁଣ୍ଯବଳରେ ମୁଁ ଆଜି ଏ ସୁଯୋଗ ପାଇଛି । ହେ ମୁନିଶ୍ରେଷ୍ଠ, ଆପଣଙ୍କର ଯାହା ଇଚ୍ଛା ତାହା ମୋତେ ଆପଣ କୁହନ୍ତୁ । ମୁଁ ସତ୍ଯକରି କହୁଛି , ଆପଣଙ୍କ ଅଭିଳାଷ ମୁଁ ନିଶ୍ଚୟ ପୂର୍ଣ୍ଣ କରିବି । ତହୁଁ ବିଶ୍ବାମିତ୍ର ଦଶଦିଗପାଳଙ୍କୁ ସାକ୍ଷୀ ରଖି ରାଜା ହରିଶ୍ଚନ୍ଦ୍ରଙ୍କୁ ଦାନ ମାଗିଲେ- ହେ ରାଜା ହରିଶ୍ଚନ୍ଦ୍ର, ତୁ ତୋର ସମସ୍ତ ହାତୀ,ଘୋଡ଼ା, ରଥ,ସୈନ୍ୟ, ସେନାପତି, ଧନ,ରତ୍ନ, ନଗ୍ର,ସକଳ ସମ୍ପଦ,ନଦୀ, ଗିରି,ବନ ସହିତ ସମଗ୍ର ରାଜ୍ୟ ମୋତେ ଦାନ ଦେ ।

ଏହା ଶୁଣି ହରିଶ୍ଚନ୍ଦ୍ର ବିଶ୍ବାମିତ୍ରମୁନିଙ୍କୁ ଆସନରେ ବସାଇ , ପାଦ ଅର୍ଘ୍ଯ ଦେଇ ତା’ର ଫଳକୁ ଈଶ୍ବରଙ୍କ ଠାରେ ସମର୍ପଣ କରି , ଜଳ ଢାଳି ମହର୍ଷି ବିଶ୍ବାମିତ୍ରଙ୍କୁ ତାଙ୍କ କହିବା ଅନୁସାରେ ସକଳ ବିଷୟ ଦାନ ଦେଲେ ଓ ହାତଯୋଡି କହିଲେ-ଆଜି ମୋର ସପ୍ତପୁରୁଷ କୃତାର୍ଥ ହେଲେ । ମୋ ଜୀବନ ଆଜି ପବିତ୍ର ହେଲା । ଏହିଭଳି ନାନା କଥା କହି ହରିଶ୍ଚନ୍ଦ୍ର ନିରବ ହୁଅନ୍ତେ ବିଶ୍ବାମିତ୍ର ହରିଶ୍ଚନ୍ଦ୍ରଙ୍କୁ କହିଲେ-ହେ ହରିଶ୍ଚନ୍ଦ୍ର, ଯେବେ ଦାନ ଦେଲ ତେବେ ଦାନ ଅନୁସାରେ ଦକ୍ଷିଣାଦେବା ବିଧେୟ । ଏହାଶୁଣି ହରିଶ୍ଚନ୍ଦ୍ର କହିଲେ- ଦକ୍ଷିଣାରୂପେ ଏକ ଲକ୍ଷ ସୁବର୍ଣ୍ଣ ମୋହର ଆପଣଙ୍କୁ ମୁଁ ଦେବି । ମୁଁ ତ ଆପଣଙ୍କୁ ସର୍ବସ୍ବ ଦାନ କରିସାରିଛି । ଦକ୍ଷିଣାଦେବା ବର୍ତ୍ତମାନ ମୋ ପାଖରେ କିଛି ନାହିଁ । ସେଥିପାଇଁ ମୁଁ ଆପଣଙ୍କୁ ଏକ ମାସ ସମୟ ମାଗୁଛି । ମାସକ ମଧ୍ୟରେ ମୁଁ ଧନ ସଂଗ୍ରହ କରି ଆପଣଙ୍କୁ ଦକ୍ଷିଣା ଦେବି ।

ତହୁଁ ବିଶ୍ବାମିତ୍ର କହିଲେ- ମୋତେ ଦକ୍ଷିଣାଦେବାକୁ ତୁମେ ଯେ ଏକ ମାସ ସମୟ ମାଗୁଛ ସେଥିରେ ମୁଁ ସମ୍ମତ ହେଉଛି । ତୁମେ ତୁମ ରାଜ୍ୟ ମୋତେ ଦାନ କରିଦେଇଥିବା ହେତୁ ସେହି ରାଜ୍ୟରେ ଥିବା କୌଣସି ଧନକୁ ତୁମେ ମୋତେ ଦକ୍ଷିଣାରୂପେ ଦେଇପାରିବ ନାହିଁ । ବର୍ତ୍ତମାନ ଏ ରାଜ୍ୟ ମୋର । ଆଜି ତୁମେ ଏହି ରାଜ୍ୟ ଛାଡି ଚାଲିଯାଅ ।

ସଂଗ୍ରହକାରୀ-କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *