ମୋ ଗାଆଁ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଏପାଖେ ନଈ ସେପାଖେ ସୁନେଲି କ୍ଷେତ
ଚାରିପଟେ ମନ୍ଦିର,
ଘଞ୍ଚ ସବୁଜିମା ମଝିରେ ଦିଶେ
ମୋ ଗାଆଁ କେଡ଼େ ସୁନ୍ଦର।

ମାଟିକୁ ଛୁଇଁଲି ମାଆକୁ ଦେଖିଲି
ଘରୁ ବାହାରିଲେ ଗାଆଁ
ମାଆ ପରି ମୋତେ ଆପଣାର କରେ
ସିଏ ପରା ମୋ ଗାଆଁ

ଭାରି ବଢିଆ ସେ କଇଁଆ ଅଁଳା
ଲୁଣ ସାଥେ ଛେଚି ଖାଇବା,
ଲୁଚେଇ ଚୋରେଇ ଟିଫିନ ଛୁଟିରେ
ସାଙ୍ଗସାଥି ମେଳେ ଚୋବେଇବା।
ପ୍ରଣତି ମହାପାତ୍ର

ମାଆ ପାଖେ ଥିଲେ ବାପା ଭାଇ ଭଉଣୀ
କରୁଥାନ୍ତି ମୋତେ ଗେଲ,
ଗାଆଁରେ ଥିଲେ ବି ସାହି ପଡିଶାର
ପଡୋଶୀ ଲାଗନ୍ତି ଭଲ।

ଯେଉଁଠି ଥିଲେ ବି ମୋ ଗାଆଁ ମୋତେ
ହାତଠାରି ଡାକେ ପାଶେ,
ଯେତେ ଦୁଃଖେ ଥିଲେ ତା ପାଖକୁ ଗଲେ
ଦୁଃଖ ଭୁଲି ସୁଖେ ହସେ।

ଆଶା ଭରସାର ହିମାଳୟ ପରା
ମୋ ଗାଆଁ ମୋ ମାଆ,
ସେନେହ ମମତା ମଧୁର ଚନ୍ଦନ
ବାସ ତା ଦେହରେ ବୋଳା।

ମୋ ଗାଆଁରେ ରଜ ଝୁଲଣ ରଥଯାତ୍ରା
ବାରମାସେ ତେର ଓଷା,
ମୋ ଗାଆଁ କ୍ଷେତରେ ଫସଲ ହସାଏ
ମୋ ଗାଆଁ ଭାଇ ଚଷା।

ମନ୍ଦିର ମାଳିନୀ ମୋ ଗାଆଁ ପରା
ସବୁ ଦେବାଦେବୀ ଛନ୍ତି,
ଭାଇଚାରାର ମୋ ଗାଆ ମାଟି
ମିଳିମିଶି ସବୁ ପାଳନ୍ତି।

ଗାଆଁର ମୋହରେ ମାଆର ଡାକରେ
ଯାଇଥିଲି ମୋ ଗାଆଁ,
ସହର ପରିକା ରାସ୍ତା ଓ ବଜାର
ସ୍ଵଗୋତ୍ଵକ୍ତି କଲି
ଏ କଣ ମୋର ସେହି ଗାଆଁ।

ମୋ ଗାଆଁର ଗାଇଗୋଠ ଗାଇଆଳ ଡାକ
ଭାଗବତ ଟୁଙ୍ଗି ପୁଣି ଗାଧୋଇବା ତୁଠ,
ରାସ୍ତାଳିର ବାଦୀପାଲା କୈବର୍ତ୍ତ୍ୟଙ୍କ ଘୋଡାନାଚ
କୁଆଁର ପୁନେଇଁ ଆଉ ନାହିଁ ସେ ରାସ୍ତାଘାଟ।

ସୁରୁଜ ବୁଡିଲେ ଗାଆଁ ମନ୍ଦିରରେ
ଶୁଭେ ଶଙ୍ଖ ଘଣ୍ଟା ଧ୍ଵନି,
ସଞ୍ଜବତୀ ଜାଳନ୍ତି ନିଜ ପୁରେ ରହି
ଗାଆଁ କୂଳଭୁଆଷୁଣୀ ।

ଗାଆଁରେ ଗୋଧୁଳି ବେଳାରେ
ଚୁଲୀର ରୋଷେଇ ଧୂଆଁରେ
ମନ୍ଦିରର ଚନ୍ଦନ କର୍ପୁର ବାସ୍ନାରେ
ସଞ୍ଜବେଳେ ଗୀତା ଭାଗବତ ଶବ୍ଦରେ
ମୋ ଗାଆଁ ହସୁଥାଏ ଖିଲିଖିଲି
ନବବଧୁଲି ଟେ ପରି।

ମୋ ଗାଆଁ ପୋଖରୀରୁ ବଟିଆକକା
ଓଦରରେ ମାଛ ଧରେ ,
ମୋ ଗାଆଁରେ ଯେତେ ବୁଢା ଆଉ ଟୋକା
ଡିଆଁ ମାରନ୍ତି ମାଙ୍କଡ଼ ପଛରେ।

ହୋଲିଖେଳ ଆଉ ଅଷ୍ଟପ୍ରହରୀ
ଦଳଦଳ କୀର୍ତ୍ତନରେ,
ହରିବୋଲ ଆଉ ହୁଳହୁଳି ଶବ୍ଦେ
ମୋ ଗାଆଁ ନାଚେ ଆନନ୍ଦରେ।

ନିଆରା ଅନୁଭୂତି ସାଉଁଟେ ଗାଆଁରୁ
ବରଷା ଋତୁ ହୋଇଲେ,
କାଗଜରେ ଡଙ୍ଗା ବାଲିଛତୁ ତୋଳା
ଆଉ କି ମିଳେ ଭାବିଲେ।

ପଖାଳ ପାଖରେ ଖୁଡି ବଡମା ଓ ଭାଉଜଙ୍କ
ହାତ ଭଜା ଶାଗ ତରକାରୀ,
ରକ୍ତର ନହେଲେ ବି ଆପଣାର ଥାନ୍ତି
କିଏ ହେବ ମୋ ଗାଆଁ ଲୋକ ପରି।

ସବୁଜିମା ଭରା ବଡ଼ବିରୁଆଁ
ମୋ ଗାଆଁର ନାଆଁ,
ଗରବ କରେ ସଦା ମୁଁ ତାର
ଉଚ୍ଚେ ରଖିବି ତା ନାଆଁ।
ମୋ ଗାଆଁ ବଡ଼ବିରୁଆଁ।

ପ୍ରଣତି ମହାପାତ୍ର, ବାଲେଶ୍ବର

Leave a Reply

Your email address will not be published. Required fields are marked *