ହରିଶ୍ଚନ୍ଦ୍ରଙ୍କ ଏକଲକ୍ଷ ସ୍ଵର୍ଣ୍ଣ ମୋହର ଦାନ

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବିଶ୍ବାମିତ୍ରଙ୍କ ପାଖରୁ ଫେରିଯାଇ ହରିଶ୍ଚନ୍ଦ୍ର ଅଯୋଧ୍ୟାକୁ ଗଲେ ଓ ପ୍ରଜାମାନଙ୍କୁ ଡକାଇ ଏହି ସମସ୍ତ କଥା ବୁଝାଇଦେଇ କହିଲେ–ଏଣିକି ତୁମର ରାଜା ହେଉଛନ୍ତି ମହର୍ଷି ବିଶ୍ବାମିତ୍ର । ତାଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ ଅଯୋଧ୍ୟା ଛାଡି ଅନ୍ଯତ୍ର ଚାଲିଯାଉଛି । ଏହାଶୁଣି ପ୍ରଜାମାନେ କାନ୍ଦିପକେଇଲେ । ଦୁଃଖରେ ସେମାନଙ୍କ ଆଖିରୁ ଘନଘନ ଅଶ୍ରୁ ଝରିବାକୁ ଲାଗିଲା । ବିଶ୍ବାମିତ୍ର ସେମାନଙ୍କୁ ବୁଝାଇ ଆଶ୍ବସ୍ତ କଲେ । ତତ୍ପରେ ନିଜର ପତ୍ନୀ ଶୈବ୍ଯା ଓ ପୁତ୍ର ରୋହିତାଶ୍ବଙ୍କୁ ସଙ୍ଗରେ ନେଇ ଅଯୋଧ୍ୟା ଛାଡି ଚାଲିଗଲେ । ହରିଶ୍ଚନ୍ଦ୍ର ପଥ ମଧ୍ୟରେ ଭାବିଲେ — ମୁଁ ଅଯୋଧ୍ୟାକୁ ସିନା ଛାଡିଆସିଲି, ସମଗ୍ର ସପ୍ତଦ୍ବୀପା ପୃଥିବୀ ତ ମୋର ଥିଲା । ସେ ସବୁଯାକ ମୁଁ ମହର୍ଷି ବିଶ୍ବାମିତ୍ରଙ୍କୁ ଦାନ କରିଦେଇଛି । ତେଣୁ ପୃଥିବୀରେ ମୋ ପାଇଁ ସ୍ଥାନ ନାହିଁ । ତେବେ ବର୍ତ୍ତମାନ ମୁଁ ରହିବି କେଉଁଠି ? ଏହାପରେ ସେ ଭାବିଲେ, କାଶୀଧାମ ହେଉଛି ପୃଥିବୀରୁ ଅଲଗା । ତହୁଁ ସେ କାଶୀଧାମକୁ ଯାଇ ଶୈବ୍ଯା ଓ ରୋହିତାଶ୍ବଙ୍କ ସହିତ ରହିଲେ ।

ମାସକ ମଧ୍ୟରେ ହରିଶ୍ଚନ୍ଦ୍ର ମୁନିଙ୍କୁ ଏକ ଲକ୍ଷ ସ୍ବର୍ଣ୍ଣ ମୋହର ଦକ୍ଷିଣା ଦେବାର କଥା । ମାସ ଆସି ପୂରିବାକୁ ବସିଲା । ଆଜି ମାସର ଶେଷ ଦିନ । କିନ୍ତୁ ଏତେଗୁଡିଏ ସ୍ବର୍ଣ୍ଣ ମୋହର ପାଇବା ସମ୍ଭବ ହେଲା ନାହିଁ । କ’ଣ କରାଯିବ ? ଏହି କଥା କହି ହରିଶ୍ଚନ୍ଦ୍ର ବଡ଼ ବିକଳ ହେଲେ । କହିଲେ, ପ୍ରାଣ ହାରି ଦିଅନ୍ତି; କିନ୍ତୁ ଋଣଗ୍ରସ୍ତ ବା ସତ୍ଯଭଗ୍ନ ହୋଇ ମଲେ ଲୋକ ନରକରେ ପଡେ । ହରିଶ୍ଚନ୍ଦ୍ରଙ୍କ ବିକଳ ଦେଖି ପତ୍ନୀ ଶୈବ୍ଯା ତାଙ୍କୁ କହିଲେ–ଏ ସଂସାର ହେଉଛି ଦୈବର ଅଧିନ । ଦୈବଯୋଗରେ ଆମକୁ ଏ ବିପତ୍ତି ପଡିଛି । ଆପଣ ବର୍ତ୍ତମାନ ମୋତେ ବିକି ସେହି ଅର୍ଥକୁ ଦକ୍ଷିଣା ସ୍ବରୂପ ଦିଅନ୍ତୁ । ଏହାଶୁଣି ହରିଶ୍ଚନ୍ଦ୍ର ବଡ଼ ବିକଳ ହେଲେ । ଏତିକିବେଳେ ବିଶ୍ବାମିତ୍ର ମୁନି ପହଞ୍ଚି ହରିଶ୍ଚନ୍ଦ୍ରଙ୍କୁ ଦକ୍ଷିଣା ମାଗିଲେ । ବିଶ୍ବାମିତ୍ର କହିଲେ–ଆଜି ମାସର ଶେଷଦିନ । ଏପର୍ଯ୍ୟନ୍ତ ତୁ ମୋତେ ଦକ୍ଷିଣା ଦେଲୁ ନାହିଁ ? ହରିଶ୍ଚନ୍ଦ୍ର, ଶୈବ୍ଯା ଓ ରୋହିତାଶ୍ବ ବିଶ୍ବାମିତ୍ର ମୁନିଙ୍କ ପାଦତଳେ ପଡି ନମସ୍କାର କଲେ । ମୁନିଙ୍କୁ ହରିଶ୍ଚନ୍ଦ୍ର କହିଲେ–କଣ୍ଟବେଳ ଏପର୍ଯ୍ୟନ୍ତ ଯାଇ ନାହିଁ । ଆପଣଙ୍କ କଣ୍ଟ ସମୟ ଆଜି ସୂର୍ଯ୍ଯାସ୍ତ ପର୍ଯ୍ୟନ୍ତ ରହିଛି । ଏହି ସମୟ ମଧ୍ୟରେ ମୁଁ ନିଶ୍ଚୟ ଆପଣଙ୍କୁ ଦକ୍ଷିଣା ଦେଇଦେବି । ବର୍ତ୍ତମାନ ମୁଁ ମୋ ପତ୍ନୀକି ବିକିବା ପାଇଁ ହାଟକୁ ଯାଉଛି । ହାଟକୁ ଶୀଘ୍ର ଯିବା ପାଇଁ କହି ହରିଶ୍ଚନ୍ଦ୍ର ସେଠାରୁ ଚାଲିଗଲେ ।
ହାଟରେ ପହଞ୍ଚି ହରିଶ୍ଚନ୍ଦ୍ର ‘ ଦାସୀ କିଏ କିଣିବ ହୋ ?’ ବୋଲି ବାରମ୍ବାର ଡାକଛାଡିଲେ । ତହୁଁ ସ୍ବୟଂ ଇନ୍ଦ୍ର ଏକ ବ୍ରାହ୍ମଣର ଛଦ୍ମ ବେଶରେ ସେଠାରେ ପହଞ୍ଚି ଅଧଲକ୍ଷେ ଟଙ୍କାରେ ଶୈବ୍ଯାଙ୍କୁ କିଣିଲେ । ରୋହିତାଶ୍ବ ଶୈବ୍ଯାଙ୍କ କାନି ଧରିଲା । ବ୍ରାହ୍ମଣ ରୋହିତାଶ୍ବକୁ କିଣିବାକୁ ମନା କରନ୍ତେ ଶୈବ୍ଯା କହିଲେ- ହେ ବ୍ରାହ୍ମଣ, ପିଲାଟିକୁ ମାଗଣାରେ ଆପଣ ମୋ ସହିତ ନିଅନ୍ତୁ । ବ୍ରାହ୍ମଣ କହିଲେ- ଦୁଇଜଣଙ୍କୁ ପୋଷିବାକୁ ମୋର ଶକ୍ତି ନାହିଁ । ତହୁଁ ଶୈବ୍ଯା କହିଲେ- ହେ ବ୍ରାହ୍ମଣ, ମୋତେ ଖାଇବାପାଇଁ ଆପଣ ଯାହା ଦେବେ ତାକୁ ଆମେ ମାଆ ପୁଅ ଦୁଇଜଣ ଖାଇବୁ । ତା’ ପାଇଁ ଆପଣଙ୍କୁ ଅଧିକ କିଛି ଦେବାକୁ ପଡିବ ନାହିଁ । ଏଥିରେ ବ୍ରାହ୍ମଣ ରାଜି ହେବାରୁ ରୋହିତାଶ୍ବକୁ ନେଇ ଶୈବ୍ଯା ସେହି ବ୍ରାହ୍ମଣ ପଛେ ପଛେ ଚାଲିଲା ।

ଦକ୍ଷିଣା ପାଇଁ ଆହୁରି ଅଧଲକ୍ଷେ ସ୍ବର୍ଣ୍ଣ ମୋହର ଆବଶ୍ୟକ । ନିଜକୁ ବିକ୍ରି କରିବା ପାଇଁ ହାଟ ମଧ୍ୟରେ ହରିଶ୍ଚନ୍ଦ୍ର ‘ ଦାସ କିଏ କିଣିବ ହୋ ?’ ବୋଲି ବାରମ୍ବାର ଡାକଛାଡିଲେ । ତହୁଁ ସ୍ବୟଂ ଧର୍ମ ଏକ ଭୟଙ୍କର ଚଣ୍ଡାଳ ବେଶରେ ପହଞ୍ଚି ଅଧଲକ୍ଷେ ଟଙ୍କାଦେଇ ହରିଶ୍ଚନ୍ଦ୍ରଙ୍କୁ କିଣିଲେ । ଏହି ସମୟରେ ବିଶ୍ବାମିତ୍ର ମୁନି ସେଠାରେ ପହଞ୍ଚିବାରୁ ହରିଶ୍ଚନ୍ଦ୍ର ତାଙ୍କୁ ଏକ ଲକ୍ଷ ସ୍ବର୍ଣ୍ଣ ମୋହର ଦକ୍ଷିଣା ସ୍ବରୂପ ଦେଲେ । ଦକ୍ଷିଣା ପାଇ ବିଶ୍ବାମିତ୍ର ତତକ୍ଷଣାତ୍ ସେଠାରୁ ଚାଲିଗଲେ । କ୍ରମଶଃ…..

ସଂଗ୍ରହକାରୀ-କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ଵର, ମୋ-୯୮୫୩୧୪୨୫୧୦


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ