ଉଡ଼ୁଛି ମିଛ ଖବର ଓ ତାଲାବନ୍ଦୀର ପ୍ରହାର

ଲେଖକ ପରିଚୟ

ସନ୍ତୋଷ କୁମାର ମହାନ୍ତି
ନବଜୀବନ ସମାଜ, ସଫା, କଟକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସାରା ବିଶ୍ୱରେ କରୋନା କାୟା ବିସ୍ତାର କରିଛି | ଧନୀ ,ଗରିବ ,ଜାତି ,ଧର୍ମ ,ଲିଙ୍ଗ ଓ ଭାଷାର ଭେଦ କରୋନା ଦେଖୁନାହିଁ | କିଏ କେତେବେଳେ କରୋନା କବଳକୁ ଆସି ଯାଇଥିବ କହିବା ଓ ଭାବିବା ଏବେ କାଠିକର ହୋଇ ପଢୁଛି | ପ୍ରତିଷେଧକ ବାହାରି ନଥିବାରୁ ସଂଗରୋଧ ଓ ଗୃହବନ୍ଦୀ ହିଁ ଏକ ମାତ୍ର ପ୍ରତିଷେଧକଭାବେ ଗଣା ଯାଉଛି | କରୋନା ଦ୍ୱାରା ଜୀବନ ଜୀବିକା ଗଭୀର ମାତ୍ରାରେ ପ୍ରଭାବିତ ହୋଇଛି | ତା ସହିତ କରୋନା ମହାମାରୀ ସମୟରେ ଖବର କାଗଜ ଶିଳ୍ପ ମଧ୍ୟ ଅନେକ କ୍ଷତି ସମ୍ମୁଖୀନ ହୋଇ ମଧ୍ୟ ନିଜର ଦାୟିତ୍ୱ କରି ଚାଲିଛି | ଆଗରୁ ବିଶ୍ୱରେ ହଇଜା,ବସନ୍ତ,ମିଳିମିଲା ,ଫ୍ଲୁ ,ପ୍ଲେଗ ସମେତ ଅନେକ ମହାମାରୀରେ ଅଗଣିତ ଲୋକ ମରିଛନ୍ତି |ପୂର୍ବରୁ ସୂଚନା ପ୍ରସାରଣର ଏତେ ବ୍ୟାପକତା ଆସି ନଥିଲା | ତେଣୁ ମହାମାରୀ ସହ ସେତେବେଳେ ଅନେକ ଗୁଜବ ବି ବ୍ୟାପୁ ଥିଲା | ତା ସହ ଗାଁ ,ଗହଳିର ଖବର ସରକାରଙ୍କ ପାଖରେ ପହଂଚି ପାରୁ ନଥିଲା | କିନ୍ତୁ ଏବେ ସେ ସମୟ ନାହିଁ | ତଥାପି ଆଜିର ସମୟରେ କରୋନା ଯୋଗୁ ସମ୍ବାଦପତ୍ର ଗୁଡିକର ପ୍ରସାରଣ ବ୍ୟାହତ ହୋଇଛି | ବୃହତ୍ତର ପାଠକ ଗୋଷ୍ଠୀ ପାଖରେ ସେମାନଙ୍କ ପ୍ରିୟ ଖବରକାଗଜ ପହଂଚି ପାରୁନାହିଁ | ମଣିଷ ଲକ ଡାଉନ ହେଲା ଭଳି ଖବର ଗୁଡିକ ମଧ୍ୟ ଲକ ଡାଉନ ହେଇ ଯାଉଛନ୍ତି |
ସାରା ଭାରତରେ ତାଲା ପଡିଛି | ସେମିତି ତ ଖବର କିଛି ଘଟୁ ନାହିଁ | ଯାତାୟାତ ତ ପୁରା ଠପ, ତେଣୁ ଦୁର୍ଘଟଣା ନାହିଁ କହିଲେ ଚଳେ |ଅଯଥା ରାଜନୀତି ଆଉ ହେଉନି| ନୂଆ ଚଳଚ୍ଚିତ୍ର ବି ମୁକ୍ତିଲାଭ କରିବାର ନାହିଁ | ସବୁ ପ୍ରକାର ଉତ୍ସବ ଓ ପର୍ବପର୍ବାଣିରେ ରୋକ ଲାଗିଛି | ତେଣୁ ଖବର କାହିଁ ଯେ ଲୋକ ଖବରକୁ ଅପେକ୍ଷା କରିବେ | ଖବର କାଗଜ ନ ପହଁଚିଲେ ଅସୁବିଧା କଣ ? ଲୋକ ଟିଭି ଦେଖି ଖବର ଜାଣି ଯିବେନି ?
ଆପଣ ଠିକ କହିଲେ ଯେ ଲୋକ ଟିଭି ଦେଖି ଖବର ଜାଣିବେ | କିନ୍ତୁ ଆମ ଦେଶର ନିଉଜ ଚାଁନେଲ ଗୁଡିକରେ ରାଜ୍ୟର ଗଳିକନ୍ଦିର ଖବର ପ୍ରସାରଣ ହୁଏ ନାହିଁ | ଅନେକ ସମସ୍ୟା ଲୋକ ଲୋଚନକୁ ଆସି ପାରେ ନାହିଁ | ଆଜି କରୋନା ଭଳି ମହା ବିପତ୍ତି ସମୟରେ ଜଣେ ଟିଭି ସାମ୍ବାଦିକ ଠାରୁ ଖବରକାଗଜ ସାମ୍ବାଦିକର ବହୁତ ପ୍ରୟୋଜନ ରହିଛି | କାରଣ ଲୋକ ମାନଙ୍କର ଗୋଟେ ମୁଦ୍ରିତ ସମ୍ବାଦପତ୍ରର ଖବର ଉପରେ ବେଶୀ ଭରସା ଥାଏ | କରୋନା ସମୟରେ ବସ୍ତି ଓ ଅପହଞ୍ଚ ଇଲାକାର ଖବର ନିଉଜ ଚାଁନେଲ ଗୁଡିକ ମାଧ୍ୟମରେ ବେଶୀ ଆସି ପାରୁନାହିଁ | ଚାଁନେଲ ଗୁଡିକରେ ସବୁ ଖବରକୁ ପ୍ରସାର କରିବା ସମ୍ଭବ ନୁହେ |ଏବେ ଅନେକ ପ୍ରମୁଖ ଖବର କାଗଜ ଗୁଡିକର ଏକାଧିକ ସଂସ୍କରଣ ରହିଛି | ତେଣୁ ଜ଼ିଲ୍ଲା ସ୍ତରରେ ମହାବିପତ୍ତି ସମୟରେ ଖବର ଗୁଡିକ ଲୋକମାନଙ୍କ ପକ୍ଷରେ ପହଂଚିବା ପାଇଁ ସବୁ ସମ୍ବାଦପତ୍ର ସଂସ୍ଥା ପ୍ରୟାସ କରୁଛନ୍ତି | କିନ୍ତୁ ତାହା ସଫଳ ହେଇପାରୁନି | ମାର୍ଚ୍ଚ ୨୨ ତାରିଖ ପର ଠାରୁ ଖବର କାଗଜ ପ୍ରସାରଣ ପୁରା ଦୟନୀୟ ସ୍ଥିତି ଦେଇ ଗତି କରୁଛି |
ଖବର କାଗଜ ଗାଁ ଗହଳିରେ ନ ପହଁଚିଲେ ବେଶୀ ଗୁଜବ ମାତୁଛି |ଅସାଧୁ ଓ ଖଳ ଲୋକମାନେ କରୋନା ନେଇ ନାନା ମିଥ୍ୟା ପ୍ରଚାର କରୁଛନ୍ତି | ଯୋଉଠି କରୋନା ପୀଡିତଟିଏ ବାହାରୁଚି ସେଠି ନାନା ଅଘଟଣ ଘଟୁଛି | କିଛି ଜାଗାରେ କରୋନା ପୀଡିତ ପରିବାର ଉପରେ ଗାଁରେ ଅତ୍ୟାଚାର ହେଉଛି | ଲୋକମାନେ ରୋଗକୁ ଘୃଣା ନ କରି ରୋଗୀ ଓ ତାର ପରିବାରକୁ ଘୃଣା କରୁଛନ୍ତି | କୋଉଠି ପୁଣି କରୋନା ପାଇଁ ଯାଉଥିବା ସରକାରୀ ସହାୟତା ହରିଲୁଟ ହେଉଛି | ଗାଁ ଗୁଡିକରେ କରା ଯାଇଥିବା ସଂଗରୋଧ ଗୃହ ଗୁଡିକରେ ନାନା ଅସୁବିଧା ଉପୁଜୁଛି | ସରପଞ୍ଚ ମାନଙ୍କୁ ଜ଼ିଲ୍ଲାପାଳ କ୍ଷମତା ଦିଆଯିବା ପରେ କେତେକ ଜାଗାରେ ସରପଞ୍ଚ ମାନେ ଧରାକୁ ସରା ମନେ କରୁଛନ୍ତି |ପ୍ରଶାସନିକ ଅଧିକାରୀ ଓ ଲୋକ ମାନଙ୍କ ଉପରେ ସେମାନେ ନିଜର କ୍ଷମତାର ଅପ ପ୍ରୟୋଗ କରୁଛନ୍ତି | କିଛି ଜାଗାରେ ଡିଲର ମାନେ ଲୋକମାନଙ୍କ ପାଇଁ ଯାଉଥିବା ସରକାରୀ ସାମଗ୍ରୀ ଲୁଟିବାରେ ଲାଗିଛନ୍ତି |କରୋନା ସମୟରେ କିଛି ସ୍ଥାନରେ ଗୋଷ୍ଠୀ ହତ୍ୟା ,ଚୋରି ଓ ରାହାଜାନି ଭଳି ଘଟଣା ମଧ୍ୟ ଘଟୁଛି | କିନ୍ତୁ ତାହା ସବୁ ନିଉଜ ଚାଁନେଲକୁ ଆସି ପାରୁନାହିଁ |କିଛି ଖବର ଲୋକ ଲୋଚନକୁ ଆସୁଛି ଆଉ କିଛି ଖବର ସମ୍ବାଦପତ୍ରରେ ପ୍ରକାଶ ପାଇଲେ ମଧ୍ୟ ତାହା ଲୋକମାନେ ଜାଣି ପାରୁ ନାହାନ୍ତି |ଓଡିଶା ସମେତ ବିଭିନ୍ନ ସ୍ଥାନରେ ଅନ୍ୟାୟ ବିରୁଦ୍ଧରେ ଲଢେଇ କରୁଥିବା ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଅତ୍ୟାଚାର ଓ ମରଣାନ୍ତକ ଆକ୍ରମଣ ହେଉଛି |କରୋନା ସମୟରେ ଲୋକଙ୍କୁ ଲୁଟିବା ଓ କଳା ବଜ଼ାରୀରେ ମାତିବା ବି ଦେଶରେ ବଢୁଛି |
ଆଜି କରୋନା ଯୋଉ ଭଳି ବ୍ୟାପୁଛି ଘଟଣା ସବୁ ସେହି ଭଳି ଭାବେ ଘଟିଚାଲିଛି | ସମସ୍ତେ ଖବରକୁ ଅପେକ୍ଷା କରିଛନ୍ତି | କରୋନାର ଟୀକା କୋଉ ଦିନ ବାହାରିବ | ଗବେଷଣା କେତେ ବାଟ ଗଲା | କୋଉ ଦିନ ଲକ ଡାଉନ ଉଠିବ | ଯଦି ନ ଉଠିବ ତେବେ ଆଗକୁ କଣ ହେବ | କୋଉ ଅଂଚଳ ସଟ ଡାଉନ ତାଲିକାକୁ ଗଲା | କରୋନା ପୀଡିତ କେତେ ବଢିଲେ | ପୁଣି କେତେ ଭଲ ହେଇ ଘରକୁ ଫେରିଲେ | ବାହାରେ ରାଜ୍ୟରୁ ଆସୁଥିବା ଓଡ଼ିଆ ମାନଙ୍କ କଥା ଠିକ ଭାବେ ପ୍ରଶାସନ ବୁଝୁଚି ତ ? ସରକାର ଲକ ଡାଉନରେ କଣ ସବୁ କୋହଳ କଲେ | ବାହାରୁ ଆସୁଥିବା ଲୋକମାନଙ୍କୁ କରୋନା ହେଇ ନାହିଁ ତ ? ଯଦି ସରକାର କିଛି ଅଂଚଳକୁ ଗ୍ରୀନ ଓ Orange ଜୋନ କଲେ ସେଠି କଣ ହେବ ଆଉ କଣ ହେବନି ତାହା ଟିଭି ନିଉଜ ଚାଁନେଲ ଗୁଡିକରେ ଠିକରେ ଜଣାପଡୁନି | ଆଗକୁ ଆମ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ହେବ କି ନାହିଁ ? ମଦ ଦୋକାନ ଗୁଡିକ ଖୋଲିବା ନେଇ ପ୍ରଶାସନ କି ପ୍ରକାର ନିଷ୍ପତ୍ତି ନେଲେ |ଏହି ସବୁ ଖବର ପ୍ରତି ଲୋକମାନଙ୍କ ଆଗ୍ରହ ରହୁଛି | ଆଉ ଯଦିବି ତାହା ପ୍ରଚାରିତ ହେଉଛି ସବୁ ଜାଗାରେ ଲୋକ ଟିଭି ଏବେ ଦେଖି ପାରୁ ନାହାନ୍ତି | କାରଣ ଓଡିଶା ସମେତ ଭାରତର ଅନେକ ଜାଗାରେ କାଳ ବୈଶାଖୀ ତାଣ୍ଡବ ରଚୁଛି | କୋଉଠି ଲାଇନ ରହୁଛି ପୁଣି କୋଉଠି ଚାରି ଦିନ ଯାଏଁ ଲାଇନ ଆସୁନାହିଁ | ଲୋକ ମାନଙ୍କ ମୋବାଇଲ ବି ବନ୍ଦ ରହୁଛି |
ଦେଶର ଅନେକ ଲୋକ ସ୍ମାର୍ଟ ଫୋନ ଓ ଲାପଟପ ଯୋଗେ ସମ୍ବାଦପତ୍ରର ଅନ ଲାଇନ ସଂସ୍କରଣ ପଢୁଥିଲେ | ଏବେ ନେଟ ଓ ବିଦ୍ୟୁତ ସରବରାହ ଠିକ ରହୁ ନଥିବାରୁ ତାହା ବି ଠିକରେ ହେଇ ପାରୁନି | କିଛି ହ୍ୱାଟ୍ସ ଆପ୍ପ ଗ୍ରୁପ ଖବରକାଗଜକୁ ପି.ଡି.ଏଫ ଦ୍ୱାରା ପାଠକ ମାନଙ୍କ ପାଖରେ ପହଞ୍ଚାଉ ଥିଲେ | କିନ୍ତୁ ଏହା ଦ୍ଵାରା ସମ୍ବାଦପତ୍ର ସଂସ୍ଥା ମାନେ ବିପୁଳ କ୍ଷତି ସହୁ ଥିବାରୁ ତାହା ବେଆଇନ ବୋଲି ଧରାଗଲାଣି | ତେଣୁ ଆଉ ଗ୍ରୁପ(Group) ଗୁଡିକୁ ପ୍ରାୟ ସମ୍ବାଦପତ୍ର ଆସିବା ନେଇ ଆଶଙ୍କା ଦେଖା ଯାଇଛି | କିନ୍ତୁ ଗାଁ ଗହଳି ଓ ସହର ସବୁ ସମ୍ବାଦପତ୍ର ପାଠକ ଅନ ଲାଇନ ସଂସ୍କରଣ ସହ ଏବେବି ଯୋଡି ହେଇପାରି ନାହାନ୍ତି |
କରୋନା ସମୟରେ ଯେ ଟିଭି ,ରେଡ଼ିଓ ଓ ମୋବାଇଲ ଦ୍ୱାରା ଯେ ସବୁ ଖବର ଲୋକ ମାନଙ୍କ ନିକଟରେ ପହଂଚି ଯିବ ଏହା ଭାବିବା ଭୁଲ | ଖବରକାଗଜର ପ୍ରସାରଣ ହୋଇ ପାରୁ ନଥିବାରୁ ସୋସିଆଲ ମେଡିଆରେ ଅନେକ ମିଛ ଖବର ନିଜ କାୟା ବିସ୍ତାର କରୁଛି | ଲୋକେ କେବଳ ଖବର ଜାଣିବା ପାଇଁ ସମ୍ବାଦପତ୍ର ପଢ଼ନ୍ତି ତାହା ନୁହେ | ଏଥିରେ ପ୍ରକାଶିତ ମତ,ଅଭିମତ,ଖବର ସମୀକ୍ଷା ଓ ପ୍ରବନ୍ଧ ପଢି ଲୋକ ଅନେକ ସୂଚନା ଓ ତଥ୍ୟ ପାଇଥାନ୍ତି | କିନ୍ତୁ ତାହା ସମୂହ ପାଖରେ ପହଂଚି ପାରୁ ନାହିଁ |କରୋନା ଭଳି ମହାମାରୀ ସମୟରେ ନିଜ ଦେହ ପା କିପରି ଯତ୍ନ ନିଆଯିବ ସେ ଉପରେ ଅନୁଭବୀ ଡାକ୍ତର ମାନଙ୍କର ଲେଖା ସବୁ ପ୍ରକାଶ ପାଉଛି | ଟିଭିରେ ଡାକ୍ତର ମାନେ ବାହାରିଲେ ମଧ୍ୟ ଖବର କାଗଜରେ ଡାକ୍ତର ମାନଙ୍କ ଦ୍ୱାରା ଦିଆ ଯାଉଥିବା ତଥ୍ୟ ଅଧିକ ଉପଯୋଗୀ ହେଇପାରେ | କରୋନା ସମୟରେ ସରକାର ଦେଉଥିବା ସ୍ୱାସ୍ଥ ସମ୍ବଧୀୟ ସୂଚନା ଗୁଡିକ ଲୋକମାନେ ଠିକରେ ପାଇ ପାରୁ ନାହାନ୍ତି | ଅନେକ ଲୋକ ଓ ଅନୁଷ୍ଠାନ କରୋନା ସମୟରେ ଅସହାୟ ଲୋକଙ୍କ ସେବା କରୁଛନ୍ତି | ନିଜ ଜୀବନକୁ ବିପଦରେ ପକାଇ କିଛି ଲୋକ କରୋନା ସହ ଲଢ଼ୁଛନ୍ତି | ଏ ଖବର କଣ ନିଉଜ ଚାଁନେଲ ଗୁଡିକ ସବୁ ଦେଇ ପାରୁଛନ୍ତି | ଏହା କେବଳ ସମ୍ବାଦପତ୍ର ପୃଷ୍ଠା ମଣ୍ଡନ କରୁଛି |
କରୋନା ଯୋଗୁ ମଣିଷ ଗୃହବନ୍ଦୀ ହେଇ ଅନେକ ଅସୁବିଧା ଭୋଗୁଛି | କିନ୍ତୁ ବିଶ୍ୱ,ଦେଶ ଓ ରାଜ୍ୟ ଭିତରେ କରୋନା ସମୟରେ ଘଟୁଥିବା ଘଟଣା ଗୃହବନ୍ଦୀ ହେଇଗଲେ ସମାଜ ଉପରେ ଏହାର କୁପ୍ରଭାବ ପଡିବ | ଖବର ଯଦି ଲକ ଡାଉନ ଭିତରେ ଛଟପଟ ହେବ ତେବେ ମଣିଷର ଦୁଃଖ ଓ ତୃଣମୂଳ ସ୍ତରର କଥାକୁ କିଏ ଲୋକଲୋଚନକୁ ଆଣିବ | ପ୍ରଶାସନକୁ କିଏ ଭୁଲ ଠିକ ଚେତେଇଦେବ | ମୁଦ୍ରିତ ଖବର କାଗଜ ଗୁଡିକ କିପରି କରୋନା ମହାମାରୀ ଭଳି ବିପତ୍ତି ସମୟରେ ଓଡ଼ିଶାର କୋଣ ଅନୁକୋଣରେ ପହଂଚି ପାରିବ ସେ ଦିଗରେ ପ୍ରୟାସ କରାଗଲେ ଆମେ ସମସ୍ତଙ୍କର ମଙ୍ଗଳ ହେଇ ପାରିବ |

ସନ୍ତୋଷ କୁମାର ମହାନ୍ତି
ନବଜୀବନ ସମାଜ ସଫା,କଟକ-୭୫୪୦୨୨
ଦୂରଭାଷ-୯୭୭୭୭୬୬୩୪୬


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ