ପହିଲି ଜ୍ୟେଷ୍ଠ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ପହିଲି ଜ୍ୟେଷ୍ଠ ବାରିଦର ଧାରା
ଅମିୟ ବିନ୍ଦୁ ପରି
ଜୀବନ୍ମୃତ ଦେହେ ପରାଣ ରୂପରେ
ଆକାଶୁ ପଡଇ ଝରି । ୧

ମାଟିରୁ ଆକାଶ ଆକାଶରୁ ମାଟି
ଆନନ୍ଦ-ଫଲ୍ଗୁ ଧାରା
ପ୍ରବାହିତ ହୁଏ ପ୍ରାଣରେ ପ୍ରାଣରେ
ସୃଜନ ସ୍ବପ୍ନ ଭରା । ୨

ମାଟିର ମହକ ଆନମନା କରେ
କବିର କଲମ ମୂନ
ଚଳଚଞ୍ଚଳ ଶବ୍ଦର ଛନ୍ଦ
ବାଧା ବନ୍ଧନ ହୀନ । ୩

କୁରେଇଁ ଫୁଲର ବାସ୍ନା ବିଭୋର
ପ୍ରେମିକ ଚିଟାଉ ଲେଖେ
ପ୍ରେମ ବିରହିଣୀ ପ୍ରବାସୀ-ନାୟିକା
ନିଇତି ସପନ ଦେଖେ । ୪

ଇନ୍ଦ୍ରଧନୁର ସପତ ରଙ୍ଗ
ମନରେ ଚିତ୍ର ଆଙ୍କେ
କ୍ଷଣେ ଦେଖାଦେଇ ଲିଭିଯାଏ ବୋଲି
ଦୁଃଖ ଲେଖଇ ବୁକେ । ୫

ଗହିର ବିଲରୁ ହଳିଆର ଗୀତ
ବଳଦ ହମ୍ବା ରଡି
କର୍ମେ ଜୀବନ ଜୀଇଁବା ବାର୍ତ୍ତା
ପବନେ ଯାଏ ସଂଚରି । ୬

ପଖାଳ କଂସା ଶିରପରେ ଥୋଇ
କୃଷକ ଘରଣୀ ଚାଲେ
ଶ୍ରାନ୍ତ କର୍ମୀ ପେଟେ ଦେବ ଦାନା
ଉଭା ହୁଏ ଆସି ବିଲେ । ୭

ଗାଆଁକୁ ଓହ୍ଲାଏ ସଞ୍ଜ ସୁନ୍ଦରୀ
କୃଷ୍ଣ କବରୀ ମେଲି
ଝିଙ୍କରୀ ସୁର ମଣ୍ଡୁକ ରବ
ପଡଇ କିବା ଉଚ୍ଛୁଳି । ୮

ଦିନ ଉଛୁଳାଏ କର୍ମର ଘଣ୍ଟ
ରାତି ଶୁଏ ମଊନରେ
ବିଜୁଳି ବରଷା ଘଡଘଡି ରବ
ରହି ରହି ଉଙ୍କିମାରେ ।  ୯

ଜ୍ୟେଷ୍ଠ ଶୁଣାଏ ଜୀବନ କବିତା
କର୍ମର ଗୀତିସୁର
ଧରାର ସତ୍ୟ ସୁଖ ଦୁଃଖ ଧାରା
ସୁବିମଳ ସୁରୁଚିର । ୧୦

ତାପସ କୁଟୀର, ବଇଣ୍ଡା, ଅନୁଗୋଳ।

Leave a Reply

Your email address will not be published. Required fields are marked *