ମୋ ମାଆ ମାଟି ଆଠମଲ୍ଲିକ – ରମେଶ ଚନ୍ଦ୍ର ମିଶ୍ର

ଲେଖକ ପରିଚୟ

ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ - ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସବୁଜିମାଘେରା ବଣ ପରବତ
ଏଇ ମୋର ମାଟି ଆଠମଲ୍ଲିକ
ଉତ୍କଳ ମାଆ କଟୀର ମେଖଳା
ଉଚ୍ଚମାଥ ପଞ୍ଚଧାର ପର୍ବତ । ୧

ଝରଝର ତାନେ ପାହାଡି କନ୍ୟା
ଝର୍ଝରି ବହେ ଗିରିକୋଳରୁ
ମନୋରମ ଶୋଭା ହରିନିଏ ମନ
ବହୁଛି ସେ କାହିଁ କେଉଁ କାଳରୁ । ୨

ଶୁଣାଯାଏ କେତେ ମୁନି ସନ୍ନ୍ୟାସୀ
ଏଇ ଗିରିକୋଳେ ବସି ତପରେ
କରନ୍ତି କଠୋର ସାଧନା ଗୁପତେ
ଦେଖିନାହାଁନ୍ତି କେ ନର ଆଖିରେ । ୩

କେତେ ଅଉଷଧି, ଉଦ୍ଭିଦ, ଗୁଳ୍ମ
ପ୍ରକୃତି ମାଆ ମଣିଷ ପାଇଁ
ସଜାଇଛି ଏଥି କେଡେ ସରାଗରେ
କରୁଣା ଭଣ୍ଡାର ଦେଇଛି ଫେଇ । ୪

କଳକଳ ତାନେ ବହେ ମହାନଦୀ
ଲକ୍ଷ ଜନତା ଅଧରେ ହସ
ଯୋଗାଏ ଖାଦ୍ୟ ଶସ୍ୟ ଭଣ୍ଡାର
ଢାଳିଦିଏ ସତେ ସ୍ନେହ ଆଶିଷ । ୫

ମାଆ ବିନିକେଈ କୂଳେ ଉଭାହୋଇ
ଦୁଇହାତ ଟେକି ଶରଣ ଦିଏ,
ଏ ମାଟି ଇଷ୍ଟ ମାଆ ମାହେଶ୍ବରୀ
ଅଭୟ ପଣତ ଘୋଡାଇଥାଏ । ୬

ଉଷ୍ମ ପ୍ରସ୍ରବଣ ଦେଉଳଝରୀରେ
ଚୌରାଅଶୀ କୁଣ୍ଡ ଜୀବନ-ଗୀତା
ପଢେ ଗମ୍ଭୀରେ ମାନବ କଲ୍ୟାଣେ
କିଆବନ ଆହା ! କି ସୁଶୋଭିତା ।

ବାବା ଶିବ ଶମ୍ଭୁ ସିଦ୍ଧେଶ୍ବରଙ୍କ
ମହିମା କେ ମୁଖେ ବଖାଣିପାରେ
ଲାଗିଥାଏ କେତେ ମେଳା ମଉଚ୍ଛବ
ଜନ ମୁଖୁ ସଦା ହରଷ ଝରେ । ୮

ଏ ମାଟିର ରାଜା, ଏ ମାଟିର କବି
କେତେ ଗୁଣୀ, ଜ୍ଞାନୀ ଜାତିର ଯଶ
ମହେନ୍ଦ୍ର ନରେଶ, ଜମେଶ୍ବର ମିଶ୍ର
ରଚିଗଲେ ଏ ମାଟି ଇତିହାସ । ୯

ପଠାଣି ସାମନ୍ତ “ସିଦ୍ଧାନ୍ତ ଦର୍ପଣ”
ପ୍ରକାଶିତ କଲେ ମହେନ୍ଦ୍ର ରାଜା,
ସେଥିପାଇଁ ସିନା ଜଗତ ଜାଣିଲା
ଗୁଣଗ୍ରାହୀ ରୂପେ ଉଡିଲା ଧ୍ବଜା । ୧୦

ଏ ମାଟି ମାଆର ମୁଖ ଉଜ୍ଜ୍ବଳ
ପୁରୁଣା ସଂସ୍କୃତି ଦଣ୍ଡନାଚ,
ଚିତ୍ରକଳାରେ “ମହାନନ୍ଦିଆ”
ପୃଥିବୀରେ କଲେ ନାଆଁ ସୁସଞ୍ଚ । ୧୧

ଏ ମାଟି ମଣିଷ ଅତି ହିଁ ସରଳ
ଶାନ୍ତି କବିତା ନିଇତି ପଢେ,
ଭାଇଚାରା ଭାବ ହୃଦରେ ସାଇତି
ଜୀବନ-ଜୀବିକା ଆଦରି ବଢେ । ୧୨

ବହୁ ଜାତି, ଜନଜାତିର ମିଶ୍ରଣ
ବାଦ ବିସମ୍ବାଦ ନାହିଁ ରେ ନାହିଁ,
ସଭିଏଁ ଦେଖନ୍ତି ଆତ୍ମୀୟ ପଣେ
ସଂପ୍ରୀତି ମନ୍ତ୍ର ଯାଆନ୍ତି ଗାଇ । ୧୩

ସାହିତ୍ୟ, ସଂସ୍କୃତି, ଜ୍ଞାନ ଗରିମାରେ
ଉତ୍କଳେ ମୋ ମାଟି କରିଛି ନାଆଁ
ଜନମଭୂଇଁ ମୋ ଗରୀୟସୀ ପରା
ଜନମି ତା’ କୋଳେ ପୁତ ମୋ କାୟା । ୧୪

ରମେଶ ଚନ୍ଦ୍ର ମିଶ୍ର,
ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ