ରୋହିତାଶ୍ବକୁ ସର୍ପ ଦଂଶନର କାରଣ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ରୋହିତାଶ୍ବକୁ ସର୍ପ ଦଂଶନ କରିବ ବୋଲି ବିଶ୍ବାମିତ୍ର ମୁନି କାହିଁକି ଅଭିଶାପ ଦେଲେ ?

ହରିଶ୍ଚନ୍ଦ୍ରଙ୍କୁ ଚଣ୍ଡାଳ ପଚାରିଲେ- କ’ଣ ତୋ ନାଆଁ ? ହରିଶ୍ଚନ୍ଦ୍ର କହିଲେ-ମୋ ନାଆଁ ହରିଦାସ । ମୁଁ ତୁମର କି କି କାମ କରିବି ? ଚଣ୍ଡାଳ କହିଲା- ତୁ ମୋର ଦକ୍ଷିଣ ଶ୍ମଶାନକୁ ସବୁବେଳେ ଜଗିଥିବୁ । ଯିଏ ଶବ ପୋତିବାକୁ ସେଠିକି ଆସିବ ଶବ ଗୋଟିକେ ପଚାଶ କାହାଣ ତା’ ଠୁଁ ରଖିବୁ । ସେଥିରୁ ଦାଢେ ବି ଛାଡିବୁ ନାହିଁ । ଏହାଛଡା ସେଠି ମୋ ଘୁଷୁରୀ ପଲକୁ ଜଗାରଖା କରିବୁ । ଏଇ ହେଲା ତୋର କାମ । ହରିଶ୍ଚନ୍ଦ୍ର କହିଲେ-ମୋର ଗୋଟିଏ ମାତ୍ର କଥା ରକ୍ଷା କରିବ । ଚଣ୍ଡାଳ କହିଲା- କି କଥା ? ହରିଶ୍ଚନ୍ଦ୍ର କହିଲେ-ତୁମ ଘରେ ମୁଁ ଖାଇବି ନାହିଁ । ଚଣ୍ଡାଳ ଏଥିରେ ସମ୍ମତ ହୋଇ ନିଜ ଘରକୁ ଫେରିଗଲେ । ହରିଶ୍ଚନ୍ଦ୍ର ଦକ୍ଷିଣ ଶ୍ମଶାନକୁ ଯାଇ ଚଣ୍ଡାଳ କହିଥିବା କାମରେ ରହିଲେ । ଏଣେ ବ୍ରାହ୍ମଣ ଘରେ ଶୈବ୍ଯାଙ୍କୁ ବ୍ରାହ୍ମଣ ଦିନକୁ ସେରେ ଚାଉଳ ଖାଇବାକୁ ଦିଏ । ସେଥିରୁ ତିନିଭାଗ ଚାଉଳ ରୋହିତାଶ୍ବକୁ ଦେଇ ଏକଭାଗ ଚାଉଳ ଶୈବ୍ଯା ଖା’ନ୍ତି । ଏହା ଦେଖି ଦିନେ ଶୈବ୍ଯାଙ୍କୁ ବ୍ରାହ୍ମଣ କହିଲା-ଖାଇବା ବିନା ତୋ ଦେହ ଶୁଖିଯାଉଛି । ଏଥିରେ ତୁ କି କାମ କରିବୁ ? ଗୋଟିଏ କଥା କର । ତୋ ପୁଅ ଠାକୁର ପୂଜା ପାଇଁ ପ୍ରତିଦିନ ଫୁଲ ତୋଳିଆଣି ଦେଉ । ସେଥିପାଇଁ ମୁଁ ପ୍ରତିଦିନ ଆଉ ସେରେ ଲେଖାଏଁ ଚାଉଳ ଦେବି । ଏଥିରେ ଶୈବ୍ଯା ସମ୍ମତି ଦେଲେ । ରୋହିତାଶ୍ବ ପ୍ରତିଦିନ ଫୁଲ ତୋଳିଆଣି ବ୍ରାହ୍ମଣକୁ ଦେଲା ।
ରୋହିତାଶ୍ବ ଯେଉଁଠୁ ଫୁଲ ତୋଳେ ସେଇଟି ହେଲା ବିଶ୍ବାମିତ୍ର ମୁନିଙ୍କ ଉପବନ । ଛୋଟ ପିଲା । ଉଚ୍ଚକୁ ହାତ ପାଏ ନାହିଁ । ତେଣୁ ଉଚ୍ଚକୁ ଡେଇଁ ଡାଳକୁ ଧରି ଫୁଲ ତୋଳିଲା ବେଳେ ଡାଳ ଭାଙ୍ଗିଯାଏ । ଦିନେ ବିଶ୍ବାମମୁନି ସେହି ଭଙ୍ଗା ଡାଳସବୁ ଦେଖି ଧ୍ଯାନବଳରେ ଜାଣିଲେ ଯେ ହରିଶ୍ଚନ୍ଦ୍ରର ପୁଅ ରୋହିତାଶ୍ବ ଏହି ଡାଳସବୂ ଭାଙ୍ଗିଛି । ତହୁଁ ବିଶ୍ବାମିତ୍ରମୁନି ଅଭିଶାପ ଦେଲେ ଯେ ରୋହିତାଶ୍ବ ଯଦି ଏଠାକୁ ଆସେ ତେବେ ତାକୁ ସର୍ପ ଦଂଶନ କରିବ । ସେଦିନ ରାତ୍ରରେ ଶୈବ୍ଯା ସ୍ବପ୍ନ ଦେଖିଲେ ଯେ ସର୍ପାଘାତରେ ରୋହିତାଶ୍ବ ମରିଯାଇଛି । ସକାଳ ହେବାରୁ ଶୈବ୍ଯା ବଡ଼ ବିକଳ ହୋଇ ପୁଅକୁ ସେଦିନ ଫୁଲ ତୋଳି ଯିବାକୁ ମନାକଲେ । କିନ୍ତୁ ସ୍ବପ୍ନକଥା ସତ୍ଯ ନୁହେଁ ବୋଲି ମାଆଙ୍କୁ ବୁଝାଇ ସେଦିନ ସକାଳେ ରୋହିତାଶ୍ବ ଫୁଲ ତୋଳିବାକୁ ସେହି ବନକୁ ଗଲା । ଫୁଲ ତୋଳୁ ତୋଳୁ ରୋହିତାଶ୍ବକୁ ଗୋଟିଏ ବିଷଧର ସର୍ପ ଦଂଶନ କଲା । ସେଥିରେ ରୋହିତାଶ୍ବରର ମୃତ୍ୟୁ ହେଲା । ରୋହିତାଶ୍ବ ଫେରିବା ବିଳମ୍ବ ହେବାରୁ ପୁଅକୁ ଖୋଜିବାକୁ ଆସି ଶୈବ୍ଯା ସେଠାରେ ପହଞ୍ଚିଲେ । ସର୍ପାଘାତରେ ରୋହିତାଶ୍ବର ମୃତ୍ୟୁ ହୋଇଛି ଦେଖି ବଡ଼ ବିକଳ ହୋଇ ସେଠାରେ ସେ କାନ୍ଦି ଗଡିଲେ ଓ ପୁଅର ଗୁଣ ସୁମରି ବାହୁନିବାରେ ଲାଗିଲେ । ଶୈବ୍ଯା ନଫେରିବାରୁ ତାଙ୍କୁ ଖୋଜିବାକୁ ଆସି ସେହି ବ୍ରାହ୍ମଣ ସେଠାରେ ପହଞ୍ଚିଲେ । ସବୁ କଥା ଜାଣି ଶୈବ୍ଯାଙ୍କୁ ବ୍ରାହ୍ମଣ ପ୍ରବୋଧନା ଦେଲେ ଓ ମୃତ ପୁତ୍ରର ଶବ ସଂସ୍କାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇ ସେଠାରୁ ନିଜ ଘରକୁ ଚାଲିଗଲେ । ରୋହିତାଶ୍ବର ଶବକୁ ନେଇ ଘୋର ଅନ୍ଧକାରମୟ ରାତିରେ ଶୈବ୍ଯା ଦକ୍ଷିଣ ଶ୍ମଶାନରେ ପହଞ୍ଚିଲେ । କାନ୍ଦି କାନ୍ଦି ସେଠି ଶବଟିକୁ ଥୋଇ ଗାତ ଖୋଳିବାକୁ ଆରମ୍ଭ କଲାମାତ୍ରେ ହରିଶ୍ଚନ୍ଦ୍ର ସେଠାରେ ପହଞ୍ଚି ପଚାଶ କାହାଣ କଉଡି ଦାବି କଲେ । ଘୋର ଅନ୍ଧକାର ମଧ୍ୟରେ ଶୈବ୍ଯାଙ୍କୁ ହରିଶ୍ଚନ୍ଦ୍ର ଚିହ୍ନିପାରି ନ ଥିଲେ । ଶୈବ୍ଯା କାନ୍ଦି କାନ୍ଦି କହିଲେ-ପଚାଶ କାହାଣ କଉଡି ମୁଁ କୋଉଠୁ ପାଇବି ? ମୋ ପାଖରେ ତ କିଛିହେଲେ ନାହିଁ । ତେବେ ମୋ ପିନ୍ଧିଲା ଲୁଗାରୁ ଅଧେ କାଟିଦେଉଛି ନିଅ । ହରିଶ୍ଚନ୍ଦ୍ର କହିଲେ-ପଚାଶ କାହାଣରୁ ଗୋଟିଏ କଉଡି ଉଣାହେବ ନାହିଁ । ଯଦି ନ ଦେଇପାରିବ ତେବେ ଶବ ନେଇ ଅନ୍ୟ ସ୍ଥାନକୁ ଚାଲିଯାଅ ।

ସଂଗ୍ରହକାରୀ–କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *