ଅନିମାର ପ୍ରଥମ ସାବିତ୍ରୀ ବ୍ରତ – ଅନ୍ନପୂର୍ଣ୍ଣା ଦାସ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ବାହାଘରକୁ ଦଶଦିନ ପୁରିବା ଆଗରୁ ସେମାନଙ୍କୁ ଅଲଗା ହେବାକୁ ପଡିଥିଲା । ଅତନୁ ଇଞ୍ଜିନିୟର ଆଉ ଅନିମା ଅଧ୍ୟାପିକା । ପିଲାମାନଙ୍କ ପରୀକ୍ଷା ଦାୟିତ୍ୱ ଅନିମାର ଥିବାରୁ ତାକୁ ଆସି କଲେଜରେ ଯୋଗ ଦେବାକୁ ହେଲା । ଅନିମାକୁ କଲେଜରେ ଛାଡି ଦେଇ ଅତନୁ ଫେରିଯାଇଥିଲେ ତାଙ୍କ କର୍ମଭୂମି ମହାରାଷ୍ଟ୍ର କୁ । ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣିବା ଆଗରୁ ସମୟ ଆଉ କର୍ମ ଚାପରେ ଅଲଗା ହେବାକୁ ପଡ଼ିଥିଲା ସେମାନଙ୍କୁ । ବାହାଘର ପରେ ଅଲଗା ରହିବାର କଷ୍ଟ କେବଳ ଅନୁଭବି ମାନେ ହିଁ ବୁଝିପାରିବେ ।

ଆଗକୁ ମଇ ମାସ କଲେଜରେ ଖରାଛୁଟି, ଅନିମାର ପ୍ରଥମ ସାବିତ୍ରୀ ବ୍ରତ । ତେଣୁ ଶାଶୁଙ୍କ ଆଦେଶ ସାବିତ୍ରୀ ବ୍ରତ ପରେ ସେ ତାଙ୍କ ପୁଅ ପାଖକୁ ଯାଇପାରିବ । ଯଥା ସମୟରେ ତା’ ଭାଇ ଭାର ଆଣି ଶାଶୁଘରେ ପହଞ୍ଚିଲା । ଭାଇକୁ ଶାଶୁଘରେ ଦେଖି ଅନିମା ଯେମିତି ଖୁସି ଥିଲା ତାହା ପ୍ରତ୍ୟେକ ଭଉଣୀ ମାନଙ୍କ ଅନୁଭବ । ଭାଇ କିନ୍ତୁ ଦେଖୁଥିଲା ତା ଭଉଣୀ ହାତର ଶଙ୍ଖା, ମଥାର ସିନ୍ଦୂର, ମୁଣ୍ଡର ଓଢ଼ଣା, ପାଦର ଅଳତା ଆଉ ଛମଛମ ପାଉଁଜିକୁ । ଅନିମା ପାଦ ଛୁଇଁ ପ୍ରଣାମ କଲା ତା ଭାଇ ତାକୁ ତୋଳିଧରିଲା । ତା’ ହୁଣ୍ଡି ଭଉଣୀଟାକୁ ବୋହୁ ବେଶରେ ଦେଖି ଭାରି ଖୁସି ସେ ।

ମୁଣ୍ଡ ଆଉଁସି ଦେଇ କହିଲା- “ଅହି ସୁଲକ୍ଷଣି ହେଇଥା”। ତା’ ଆଖିରେ ଥିଲା ଦି ଧାର ଛଳଛଳ ଲୁହ ଆଉ ଓଠରେ ଧାରେ ହସ ।

ଆଜି ସାବିତ୍ରୀ, ଶାଶୁଙ୍କ ନିର୍ଦ୍ଦେଶରେ ସୁନା ଆଉ ନୁଆ ଶାଢ଼ୀରେ ଅନିମା ସାଧବ ବୋହୁ ପରି ସଜେଇ ହେଇଛି । ଆଜି ସେ ଆଉ ଜଣେ ସାବିତ୍ରୀ । ସେ ଆଜି ଲୋଡିବ ତା’ ସତ୍ୟବାନଙ୍କ ନିରାମୟ ଜୀବନ ଓ ଲମ୍ବା ଆୟୁଷ । ପୂଜା ସରିବା ପରେ ଶାଶୁ କହିଲେ ଯା’ତାକୁ ଟିକିଏ ଭିଡିଓ କଲ କରି ପ୍ରଣାମ କରିଦେ । ଅନିମା ମନରେ ସ୍ୱାମୀପାଇଁ ଭକ୍ତି ଅପେକ୍ଷା ଲାଜ ଥିଲା ଅଧିକ । ସେ ହାତ ଯୋଡି ଆଶୀର୍ବାଦ କାମନା କଲା । ଟିକିଏ ହସିଦେଲେ ଅତନୁ ହେଲେ ସେ ହସରେ ମାଦକତା ନଥିଲା । ଲାଗୁଥିଲା ମଣିଷ ଟି ଯେମିତି କୋଉ ଏକ ଅକୁହା ଯନ୍ତ୍ରଣାରେ ଛଟପଟ ହେଉଛି ।

କଣ ହେଇଛି ତୁମର ?? ଅତନୁ କହିଲେ କିଛି ନାହିଁ।ଅନିମାର ମନ ମାନିଲାନି, କିଛି ତ ଗୋଟେ ହେଇଛି । ଅନିମା ବ୍ୟସ୍ତ ହେଇ ପଡୁଥିଲା ତାକୁ ସବୁ କେମିତି କେମିତି ଲାଗୁଥିଲା । ବହୁତ ସମୟ ପରେ ଅତନୁ କହିଲେ ବ୍ୟାଙ୍କରୁ ନୋଟିସ ଆସିଛି କାଲି ଭିତରେ ମତେ ସେଟେଲମେଣ୍ଟ ବିଲ୍ ଦୁଇଲକ୍ଷ ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ହେବ ।ଏତିକି କହି ସେ ଦିର୍ଘ ନିଶ୍ୱାସ ଟିଏ ନେଲେ । ପୁଣି କହିଲେ ଯଦି ନହେଇ ପାରେ କାଲି କିଛି ବି ଘଟିଯାଇ ପାରେ, ଚାକିରୀ ଯିବାର ଭୟ ମତେ…….. ଆଉ ଅଧିକ କିଛି କହିପାରି ନଥିଲେ ଅତନୁ ।

ଅନିମା ନିର୍ବାକ ହେଇଯାଇଥିଲା । ଶାଶୁ-ଶଶୁର ନିରବ । ଶାଶୁ କହିଲେ ମୋରି କିଡିନ୍ ଅପରେସନ ପାଇଁ ଲୋନ ନେଇ ମୋ ପୁଅ ହଇରାଣ ହଉଚି । ଅନିମା ବି ନିରୂପାୟ ଥିଲା କାରଣ ତା’ ଚାକିରୀକୁ ମାସ ଚାରିଟା ପୂରି ଥିଲା । ଆଉ କିଛି ଉପାୟ ନପାଇ ସେ ଖୋଲିଥିଲା ତା’ ବେକର ହାର, କାନରୁ କାନଫୁଲ, ହାତରୁ ସୁନାଶଙ୍ଖା ଆଉ ମୁଦି ।ସବୁ ଏକାଠି କରି ଦୈଡିଯାଇଥିଲା ବ୍ୟାଙ୍କକୁ । ସୁନାତକ ବନ୍ଧା ପକେଇ ଟଙ୍କା ଧରି ଫେରିବା ବେଳକୁ ମଇ ମାସର ଡହଡହ ଖରା ତା’ଛାଇକୁ ହଜେଇ ଦେଇ ଥିଲା । ଆଉ ତାକୁ ଯେମିତି କେହିଜଣେ କହୁଥିଲା ସାବିତ୍ରୀ ଟିଏ ହେବା ଏତେ ସହଜ ନୁହେଁ ଲୋ ଝିଅ । ସାବିତ୍ରୀ ଟିଏ ହେବାକୁ ହେଲେ ଯେତେକ ସଉକ ଅଛି ତାକୁ ବାନ୍ଧି ବୁନ୍ଧି ଗଣ୍ଠିଲି କରି କୋଉ କୋଣରେ ଫିଙ୍ଗି ଦେବାକୁ ହୁଏ । ସମାଜର ଆଡ଼ଆଖିକୁ ଦେହରେ ଚନ୍ଦନ ପରି ନେସି ଦେବାକୁ ହୁଏ । ଆଉ ଶେଷରେ ଇଶ୍ଵର ଆଉ ସମୟ ସହ ଯୁଝିବାକୁ ହୁଏ । ଏତିକି କରି ପାରିଲେ ତୁ ସିନା ପାଲଟିବୁ ସାବିତ୍ରୀ ।

ଅନ୍ନପୂର୍ଣ୍ଣା ଦାସ

Leave a Reply

Your email address will not be published. Required fields are marked *