ପ୍ରିୟପତ୍ର
ସାଇତି ରଖିଛି (ମୋ) ମନ ଆଇନାରେ
ମୋ ପ୍ରିୟାର ପ୍ରିୟପତ୍ର
ଆଖି ଯେବେ ପଡେ ମନ ଭରି ପଢ଼େ
ଲାଗେ ଅଦ୍ଭୁତ.. ବିଚିତ୍ର !
ତା ତମେ ସମ୍ବୋଧନ ହୃଦ ଶିହରାଇ
କରୁଥିଲା ଆନ୍ଦୋଳନ
ସେ ଶବଦେ ଥିବା ଲାଜବୋଳା ପ୍ରେମ
ହୃଦରେ ଦେଲା କମ୍ପନ।
କାହିଁ ଆସିଲନି ଦୁଇ ମଧୁ ଶବ୍ଦେ
ଲୁଚିଥିଲା ଅଭିମାନ
କଟି ଶବ୍ଦଟିରେ ରାଗବୋଳା ହସ
ଭରିଲା (ମୋ) ପ୍ରାଣେ ସ୍ପନ୍ଦନ।
(ତା) ମିଛୁଆ ଶବ୍ଦର ସତ ବିଶେଷଣ
ପଢି ଦେଉଥିଲି ହସି
ଲାଗୁଥିଲା ସିଏ ମୋର ପାଶେ ଉଭା
ସତେ କି ସରଗ ଶଶୀ।
ଗୋଟିଏ ଧାଡ଼ିର ଲେଖା ଖଣ୍ଡବାକ୍ୟ
ଆଉ କଥା ହେବିନାହିଁ
ଭାବିଲି ତୁରନ୍ତ ଦେଖା ମୁଁ କରିବି
ତ୍ରାହି ତ୍ରାହି ତ୍ରାହି ନାହିଁ।
ଆଜିପାଇଁ ଏତିକି ପଢି ଜାଣିଦେଲି
ସେ ପୁଣି ଲେଖିବ ପତ୍ର
ପ୍ରିୟାର ସେ ପତ୍ର ପ୍ରିୟପାଇଁ ପରା
ସ୍ମୃତି ଭରା ମହାତୀର୍ଥ।
ଭାବି ମୁଁ ନ ଥିଲି ସେ ପ୍ରଥମ ପତ୍ର
ହୋଇବ ଅନ୍ତିମ ପତ୍ର
ସେ ଅକ୍ଷର ମିଶି (ମୋ) ହୃଦୟେ ଗଢିବ
ଶୂନ୍ୟ ଶୁଷ୍କ ମାନଚିତ୍ର।
ଚାଲିଗଲା ପ୍ରିୟା ରଖିଦେଇ ସ୍ମୃତି
ମୋ ଦୁଃଖ ତା ହାତଲେଖା
ସେଦିନୁ ଖୋଜୁଛି ସପନେ ସ୍ପନ୍ଦନେ
ହେବ କି ତା ସାଥେ ଦେଖା।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
