ତ୍ରିପୁରବନ୍ଦ୍ୟା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

(ଆସନ୍ତାକାଲି ସାବିତ୍ରୀ ବ୍ରତ ଉପଲକ୍ଷେ ସମସ୍ତ ମାତୃଜାତିକୁ ସମର୍ପିତ )

ଶୀଳତା, ଚାତୁର୍ଯ୍ୟ, ସତୀତ୍ବ, ନିଷ୍ଠା
ଏକାକାର ଯେବେ ହୋଇଯାଏ
ଧର୍ମ ଦେବତା ମୃତ୍ୟୁପତିଙ୍କ
ଉଚ୍ଚମସ୍ତକ ନଇଁଯାଏ । ୧

ନିଷ୍ଠା, ସାଧନା ଆକାଶ ଛୁଇଁଲେ
ଅସମ୍ଭବ କିଛି ରହେନାହିଁ
ମୃତ ଦେହେ ପ୍ରାଣ ସଞ୍ଚରିଯାଏ
ନିୟତି ବି ଦିଏ ମୁଣ୍ଡ ନୁଆଁଇ । ୨

କଠୋର ପ୍ରାଣର ଦୃପ୍ତ ଚେତନା
କଠିନ ବରଫ ଖଣ୍ଡ ପରି
ସତୀତ୍ବର ତୀବ୍ର କିରଣ ଜାଳରେ
ପାଲଟିଯାଏ ସେ ଶୀତଳ ବାରି । ୩

ମନ, ବଚନ ଓ କର୍ମ ଯାହାର
ଏକ ବିନ୍ଦୁଗାମୀ ହୋଇଯାଏ
ପ୍ରବଳ ଊର୍ଜ୍ଜା ଅଧିକାରୀ ସେହି
ସଫଳତା ପାଦେ ଲୋଟିଯାଏ । ୪

ଦୀପ୍ତ ଚେତନା ଜାଗ୍ରତ କରି
ସାବିତ୍ରୀ ସେଦିନ ଜନ୍ତୁପତି-
କଠୋର ପ୍ରାଣକୁ ଦୋହଲାଇ ଦେଲେ
ବଞ୍ଚାଇଦେଲେ ଆପଣା ପତି । ୫

ନାରୀ-ନାରାୟଣୀ ସୃଷ୍ଟିବୁକେ
କଲ୍ୟାଣମୟୀ ସୁମନୋହର
ତ୍ରିପୁରବନ୍ଦ୍ୟା ଆଦ୍ୟା ଜନନୀ
ସକଳ ଶକ୍ତି ମୂଳ ଆଧାର । ୬

Leave a Reply

Your email address will not be published. Required fields are marked *