କଳିଯୁଗରେ ଗର୍ଜନ କରୁଥିବା ବ୍ରହ୍ମଣୀ ବେଙ୍ଗ ବିଷୟରେ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ହସ୍ତିନାପୁରରେ ଜଣେ ବ୍ରାହ୍ମଣ ଥିଲେ । ତାଙ୍କ ନାମ ଥିଲା ଧନେଶ୍ବର ପଣ୍ଡା । ବାଉରୀ ନାମକ ଜଣେ ଧର୍ମ ପରାୟଣ ବ୍ଯକ୍ତି ତାଙ୍କର ହଳିଆ ଥିଲେ । ଦୈନିକ ହଳନେଇ ବିଲକୁ ହଳ କରିବା ପାଇଁ ଯାଆନ୍ତି ବାଉରୀ । ସବୁଦିନ ପରି ଦିନେ ବାଉରୀ ବଳଦଯୋଚି ବିଲକୁ ଗଲା । ବିଲରେ ଚଷୁ ଚଷୁ ଲଙ୍ଗଳ ମୁନରେ କିଛି ପଦାର୍ଥ ପାଇଲା । ସେହି ପଦାର୍ଥକୁ ହିଡ ଉପରେ ରଖିଦେଇ ହଳ କରୁ କରୁ ଦିନ ଆସି ଦିପ୍ରହର ହେଲାଣି ତାକୁ ଜଣା ନଥାଏ । ତରତର ହୋଇ ଲଙ୍ଗଳକୁ କାନ୍ଧରେ ପକାଇ ପାଇଥିବା ଦ୍ରବ୍ଯକୁ ଧରି ଆସି ବିପ୍ରଙ୍କ ଘରେ ପହଞ୍ଚିଲା । ବଳଦକୁ ଫିଟାଇ ଦେଇ ଆଣିଥିବା ଦ୍ରବ୍ଯକୁ ବିପ୍ରଙ୍କ ଦୁଆର ମୁହଁରେ ରଖିଦେଇ କହିଲା ବିଲ ଚଷୁ ଚଷୁ ଏହି ଗରାଟି ପାଇଲି । ତେଣୁ ଏ ଗରାଟି ଆପଣଙ୍କର, ଏଥିରେ ମୋର କୌଣସି ଅଧିକାର ନାହିଁ । ମୋର ମୂଲ ଗଣ୍ଡାକ କେବଳ ମୂଳ ଅଟେ । ଆପଣଙ୍କ ଗରାଟା ରଖନ୍ତୁ ଆଉ ଆଜିକାର ମୂଲ ଦିଅନ୍ତୁ । ଏହାଶୁଣି ବିପ୍ର କହିଲେ ବିଲ ମୋର ହୋଇପାରେ, ଯେହେତୁ ତୁମେ ଏହାକୁ ପାଇଛ ତେଣୁ ଏ ଗରାଟି ତୁମର, ମୋର ସେଥିରେ ଅଧିକାର ନାହିଁ ତୁମେ ତୁମ ଘରକୁ ନେଇଯାଅ । ବାଉରୀ କହିଲା ମୁଁ ଏହାକୁ କେବେଵି ନେଵି ନାହିଁ କାରଣ ତୁମ ବିଲରୁ ମୁଁ ଏହାକୁ ପାଇଛି , ତେଣୁ ସମ୍ପୂର୍ଣ୍ଣ ରୂପେ ଏହା ତୁମର ଅଟେ । ମୋର କେବଳ ମୂଲ ଦରକାର । ତୁମର ଯଦି ଇଚ୍ଛା ଅଛି ନିଅ ନହେଲେ ଫିଙ୍ଗିଦିଅ । ଏହି କଥାରୁ ଦୁଇ ଜଣଙ୍କ ମଧ୍ୟରେ କଳି ଆରମ୍ଭ ହେଲା । ଶେଷରେ ନିଷ୍ପତ୍ତି କଲେ ଚାଲ ଏହାର ସମାଧାନ ପାଇଁ ରାଜାଙ୍କ ପାଖକୁ ଯିବା ସେଠାରେ ଏକଥା ବିଚାର ହେବ । ଉଭୟଙ୍କ କଳିକୁ ରାଜାଙ୍କ ଡଗର ଶୁଣିପାରି ଆସି ପହଞ୍ଚିଲା ଏବଂ କଳି ଲାଗିବାର କାରଣ ପଚାରିଲା ବୁଝିଲା । ବିପ୍ର କହିଲା ମୋ ବିଲରେ ହଳ କରୁ କରୁ ମୋର ହଳିଆ ବାଉରୀ ଏ ଗରାଟିକୁ ପାଇଲା । ମୋତେ ଆଣି ଦେଉଛି , ମୁଁ ନ ନେବାରୁ ମୋ ସହିତ କଳି କରୁଛି । ଉଭୟଙ୍କ କଥା ଶୁଣି ଡଗର ସହଦେବଙ୍କୁ କହିବା ପରେ ରାଜାଙ୍କୁ ଜଣାଇଲା । ରାଜା ସବୁ ଶୁଣିଲା ପରେ ଆଦେଶ ଦେଲେ ସେ ଦୁଇ ଜଣଙ୍କୁ ମୋ ପାଖକୁ ନେଇ ଆସ । ଏଠାରେ ତାଙ୍କର ବିଚାର ହେବ । ରାଜାଙ୍କ ଆଦେଶ ପାଇ ଡଗର ସେ ଦୁଇ ଜଣଙ୍କୁ ଆଣି ହାଜର କଲା । ରାଜା ପଚାରନ୍ତେ ବିପ୍ର ବହିଲା- ଏ ମୋର ହଳିଆ ବାଉରୀ ମୋ ବିଲକୁ ହଳ ନେଇ ଯାଇଥିଲା । ବିଲ ଚଷୁ ଚଷୁ ଏ ଗରାଟିକୁ ପାଇଲା । ଘରକୁ ଆଣି ମୋତେ ଦେଲା । ମୁଁ ନ ନେବାରୁ ଆମ ଦୁଇ ଜଣଙ୍କ ମଧ୍ୟରେ କଳି ଆରମ୍ଭ ହୋଇଛି । ଏକଥା ଶୁଣି ରାଜା କଳିକାଳ ପୋଥି ଫିଟାଇବାକୁ ସହଦେବଙ୍କୁ କହିଲେ । ସହଦେବ କଳିକାଳ ପୋଥି ଫିଟାଇବା ସଙ୍ଗେ ସଙ୍ଗେ କଳିକାଳ ଯାଇ ଉଭୟଙ୍କ ମଧ୍ୟରେ ପ୍ରବେଶ ହେଲା । ଯାହାଫଳରେ ଉଭୟଙ୍କ ମଧ୍ୟରେ ଘୋର କଳି ଆରମ୍ଭ ହୋଇଗଲା । ତହୁଁ ବିପ୍ର କହିଲେ ହଳିଆର ଆଜିର ମୂଲ ହେଲା ମୂଳ । ମୋ ବିଲରୁ ଏ ଗରା ପାଇ ଥିବାରୁ ଏହା ମୋର । ତା’ର ଏଥିରେ କୌଣସି ଅଧିକାର ନାହିଁ । ବାଉରୀ କହିଲା ଯେହେତୁ ମୁଁ ଏହାକୁ ପାଇଛି ତେଣୁ ଏ ଗରା ମୋର । ମୁଁ ଏହାକୁ ତୋତେ ଦେବିନାହିଁ । କାରଣ ମୋର ପୂର୍ବ ପୁରୁଷମାନେ ପୋତିକି ରଖିଥିଲେ , ସମୟ ଆସିଲା ମୋତେ ପ୍ରାପ୍ତ ହେଲା । ତୋ ଘରୁ ମୁଁ ତ ଟେକି ଆଣିନାହିଁ , ମୋ ସହିତ କାହିଁକି ଗୋଳ କରୁଛୁ ।
ଏହା ଶୁଣି ରାଜା ଯୁଧିଷ୍ଠିର କହିଲେ ଟିକିଏ ରୁହ,କଳିକର ନାହିଁ । ପରଧନ ପାଇଁ ଗୋଳ କାହିଁକି ଏତେ । ଏ ହେଉଛି ବସୁମତୀ ପଦାର୍ଥ । ମା’ ବସୁମତୀ ଏହାକୁ ତା’ କୋଳରେ ସାଇତି କରି ରଖିଥିଲା । ପରଧନ ପାଇଁ ଗୋଳ କରି ଅଧର୍ମ ଅର୍ଜନ କର ନାହିଁ । ରାଜା ଯୁଧିଷ୍ଠିରଙ୍କ କଥା ନ ଶୁଣି ଉଭୟେ ଆହୁରି ଜୋର କଳିଗୋଳ ଲାଗିଲେ । ଉଭୟଙ୍କ କଳିଗୋଳ ଶୁଣି ଶୁଣି ବିରକ୍ତ ହୋଇ ଯୁଧିଷ୍ଠିର କହିଲେ, ମୋ କଥା ନ ଶୁଣିଲ ଯେବେ ତୁମ ଦୁଇ ଜଣଙ୍କୁ ମୁଁ ଅଭିଶାପ ଦେଉଛି ଶୁଣ । ହେ ବ୍ରାହ୍ମଣ, ତୁମେ ଆଜିଠାରୁ ମଣ୍ଡୁକୀ ହୋଇଯାଅ । କଳି ଯୁଗରେ ତୁମେ ବ୍ରାହ୍ମଣୀ ବେଙ୍ଗ ହୋଇ ଘୋର ଗର୍ଜନ କରିବ । ତୁମର ଏ ଗର୍ଜନ କେବେବି ବନ୍ଦ ହେବନାହିଁ । ଏ ମୋର କଥା ସବୁଦିନେ ରହିବ । ପୁଣି ବାଉରୀକୁ ଶାପଦେଇ ଯୁଧିଷ୍ଠିର କହିଲେ- ବାଉରୀ, ତୁ ଅଭକ୍ଷ ହେବୁ , ଶାଳମାଛ ହୋଇ ପାଣିରେ ରହିବୁ । କୌଣସି ଶୂଦ୍ରଲୋକ ତୋତେ ଗ୍ରାସ କରିବେ ନାହିଁ । ଅଚ୍ଛବ ଲୋକ ହିଁ ତୋର ମାଂସ ଗ୍ରାସ କରିବେ । କାରଣ ତୁ ନୀଚ ହୋଇ ବଳିଆର ଦେଖାଇ ବ୍ରାହ୍ମଣ ଉପରକୁ ମାଡି ପଡିଲୁ । ତେଣୁ ତୋତେ ଶାପ ଦେଲି ତୁ ଏହି ଦଣ୍ଡ ନିଶ୍ଚୟ ଭୋଗିବୁ । ଯୁଧିଷ୍ଠିରଙ୍କଠାରୁ ଶାପପାଇ ଦୁଇଜଣ ସେଠାରୁ ଫେରି ଆସି ମିଳିଥିବା ଜାଗାରେ ଗରାକୁ ନେଇ ଥୋଇଦେଲେ । ତା’ ପରେ ସହଦେବଙ୍କୁ ଚାହିଁ ରାଜା ପଚାରିଲେ- ସହଦେବ, ସତ ଛାଡିକି କାହିଁକି ଏ ଦୁଇଜଣ କଳି କଲେ ! ସହଦେବ କହିଲେ-ସହସ୍ର ବର୍ଷ ହେଲା ସେମାନଙ୍କର ଭୋଗ ହେଲାଣି । ଏବେ କଳି ପ୍ରବେଶ ହେଲା, ତେଣୁ କଳି କଲେସିନା କଳିଯୁଗ ହେବ । ସେଥିପାଇଁ ଭୋଜବଂଶ ଓଡ଼ିଶାରେ ଏବେ ରାଜ୍ୟ ପାଇବ । ସେ ବଂଶ ବହୁତ ଦିନ ରାଜା ହେବେ । ଆଠ ସହସ୍ର ବର୍ଷ ପରେ ରାଜ୍ୟ ଛାଡିବେ । ଯୌବନ ପୃଥ୍ବୀରେ ମଦମତ୍ତା କରିବ ଯାହାକୁ ଦେଖି କଳିଯୁଗ ଲୋକେ ଚିନ୍ତିତ ହେବେ । କହୁଁ କହୁଁ କଳି ଆସି ପ୍ରବଶ ହୋଇ କହିଲା- ଦଶ ସହସ୍ର ବର୍ଷ ଶେଷ ହେଲାଣି, ତୁମ୍ଭର ଏଥିରେ ଆଉ ନୃପପଣ ନାହିଁ । କଳିଯୁଗ ହେବାର ତୁମେ କ’ଣ ଜାଣିନ ଗୋସାଇଁ । ଯେଉଁଦିନ ହରି ଦ୍ବାରକାକୁ ଗଲେ ସେହିଦିନ ଦାରୁରୂପେ ଅବତାର ନେଲେ । ସଙ୍ଗରେ ନନ୍ଦିଘୋଷ ସହିତ ଶାସ୍ତ୍ର ଶସ୍ତ୍ର ମଧ୍ୟ ନେଲେ । ଦେବତାଙ୍କ ଶସ୍ତ୍ର ଦେବତାମାନଙ୍କୁ ଦେଇ ଦାରୁବ୍ରହ୍ମ ରୂପରେ କ୍ଷେତ୍ରକୁ ଗଲେ । ମହାଦୁଷ୍ଟ ମାନଙ୍କ ଠାରେ କୌଣସି ଅସ୍ତ୍ର ନ ରଖିବା ପାଇଁ ଭୀମଙ୍କ ହାତରୁ ଦେବଅସ୍ତ୍ରକୁ ମଧ୍ୟ କାଢିନେଲେ । ଏତେ ଦିନ ଯାଏ କାହିଁକି ତୁ ତୁନି ହୋଇ ରହିଥିଲୁ । କଳିଯୁଗ ଆସିଲାଣି ବୋଲି ମୋତେ ତୁ କାହିଁକି କହି ନଥିଲୁ । ଯୁଧିଷ୍ଠିରଙ୍କ ଶାପ ପାଇ ପୂର୍ବର ସେହି ବ୍ରାହ୍ମଣ ଧନେଶ୍ୱର ପଣ୍ଡା ଏ କଳିଯୁଗର ବ୍ରାହ୍ମଣୀ ବେଙ୍ଗ ହୋଇ ଗର୍ଜନ କରୁଥିବାର ଆମର ଦୃଷ୍ଟି ଗୋଚର ହେଉଛି ।

ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *