ଖୋଇ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଖୋଇ ରବିନ୍ ଖଣ୍ଡାୟତରାୟ .

କାମ ଥିବା ବେଳେ ଆଦର ସତ୍କାର ଆଉ କାମ ସରିଯିବା ପରେ ହତାଦର କରିବା ମଣିଷର ଏକ ଖୋଇ । ଯେମିତି ହଳ କରିପାରୁନଥିବା ହଡ଼ା ବଳଦ, ଖୀର ଦେଉନଥିବା ବୁଢ଼ୀ ଗାଇର ଉପକାରିତାକୁ ଭୁଲିଯାଇ କେଇଟା ଟଙ୍କାପାଇଁ ବିକିଦିଏ । ଯେମିତି ବଂଚିଥିବା ତକ ଛାଇ ସହିତ ଅମୂଲ୍ୟ ଅମ୍ଳଯାନ ପ୍ରଦାନ କରୁଥିବା ଗଛଟି ଫଳ ଫୁଲ ଦେବା ବନ୍ଦ କରିଦେଲେ ତାକୁ କାଟିପକାଏ । ସେମିତି ଯାହାଙ୍କ ପାଇଁ ଦୁନିଆକୁ ଦେଖି ଜାଣି ପାଂଚଜଣରେ ଜଣେ ହୋଇଥାଏ, ସେହି ବାପାମାଆଙ୍କର ରୋଜଗାର କମିଗଲେ ଆଉ ବୟସ ବଢ଼ିଗଲେ, ତାଙ୍କୁ ପରିବାର ପାଇଁ ବୋଝ ଭାବି ହତାଦର କରିଥାଏ । ଆଉ ଯଦି କୋଉ ଭାଇର ରୋଜଗାର କମ୍ ଥାଏ ତାକୁ ଅନ୍ୟମାନେ ନ୍ୟୁନଦୃଷ୍ଟିରେ ଦେଖନ୍ତି । ଏମିତି କାହିଁକି ହୁଏ? ଏହିପରି ଅନେକ ପ୍ରଶ୍ନ ନିଜେ ନିଜକୁ ପଚାରିବା ଦରକାର । କାରଣ ଦିବ୍ୟଜ୍ଞାନ ଦେଇ ଦେବ ଶିଶୁଟିଏ ଭାବରେ ସବୁ ମଣିଷଙ୍କୁ ଭଗବାନ ଜନ୍ମ ଦେଇଛନ୍ତି । ଆଜି ସଂସାରର ଦୁର୍ଗତି ଆଉ ମାନବିକ ବିଚାରର ଅଧୋଗତି ପାଇଁ ଆମର ଏମିତି କେତେଗୁଡ଼ିଏ କର୍ମ ଦାୟୀ । ଯେବେ ସେ କର୍ମରେ ସଂସ୍କାର ଆସିବ, ତେବେ ଏମିତି ଖୋଇଗୁଡ଼ିକ ଆପେ ବଦଳିଯିବ ଆଉ ତା’ପାଇଁ ଜୀବନ ପଥରେ ମଧ୍ୟ ପରିବର୍ତ୍ତନ ଆସିଯିବ । ଅନ୍ୟଥା ଏମିତି ଖୋଇ ଯାହା ପାଖରେ ଯେତେ ଅଧିକ ରହିଥିବ; ମାନବିକତାର ମାପକାଠିରେ ସେ ସେତେ ନିମ୍ନସ୍ତରର ମଣିଷ ଭାବରେ ଗଣାହେବେ । ଆଉ ଜୀବନକୁ ଆନନ୍ଦ, ଉତ୍ସବମୟ କରିପାରୁଥିବା ଶ୍ରେଷ୍ଠ ଜୀବ ମାନବ ହୋଇ ସୁଦ୍ଧା, ନିଜ ଜନ୍ମର ଫାଇଦା ଉଠାଇବାରେ ସେ ସେତିକି ଅସମର୍ଥ ଥିବେ । କାରଣ ଭୋଗରେ ନୁହେଁ ବରଂ ତ୍ୟାଗରେ ଆଉ ନିଜପାଇଁ ନୁହେଁ ବରଂ ପର ପାଇଁ ବଂଚିବା ହିଁ ଅସଲ ଆନନ୍ଦ ଦେଇଥାଏ ।
ପଲ୍ଲୀକବି ନନ୍ଦକିଶୋର ବଳ ଲେଖିଛନ୍ତି, ‘କଠିନ କର୍ତ୍ତବ୍ୟ ପର ଉପକାରେ, ଅଛଇ ସଂଚିତ ସୁଖ / ସଂସାରେ ନିର୍ଲିପ୍ତ ହୋଇ ଦୂରେ ଥାଇ, ଏଡ଼ିପାରେ ନର ଦୁଃଖ’ । ଯଦି ଆପଣ କାହାପାଇଁ ଦୀପଟିଏ ଜାଳିଛନ୍ତି, ତେବେ କେବେ ହୁଏତ ତାହା ଆପଣଙ୍କ ଜୀବନ ପଥକୁ ଆଲୋକିତ କରିଦେବ । ଜୀବନର ଲମ୍ବା ଯାତ୍ରାପଥରେ ଉଠାଣି ଗଡ଼ାଣି ତ ନିଶ୍ଚୟ ଆସିବ; ତଥାପି ଆରାମରେ ଆଗେଇ ଚାଲିବାକୁ ହେବ । ଯେପରି ମାଟି ଆବୁଡ଼ା ଖାବୁଡ଼ା ହେଲେ ହେଁ ସେଥିରେ ଚାଲିବା ସହଜ କିନ୍ତୁ ମାର୍ବଲ ସୁନ୍ଦର ହେଲେ ମଧ୍ୟ ଗୋଡ଼ ଖସିଯିବାର ଆଶଂକା ଅଧିକ । ତେଣୁ ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ଅନୁକୁଳ ଫାଇଦା ଉଠାଇବାକୁ ଦିବ୍ୟଦ୍ରଷ୍ଟା ଋଷିସମୁହ ଆମମାନଙ୍କୁ ପରାମର୍ଶ ଦେଇଛନ୍ତି । ଯଦି ଜୀବନକୁ ଉପଭୋଗ କରିବାକୁ ଚାହୁଁଛ; ତେବେ ମନରେ କାମନା କମ୍ ରଖ । ଆଉ ସେ ଯାତ୍ରାର ଆନନ୍ଦ ନେବାର ଅଛି ତ ନିଜର ଆବଶ୍ୟକତାକୁ ମଧ୍ୟ କମାଇ ରଖ । କାରଣ କାମନାର ଅନଳ ସୁଖ, ସନ୍ତୋଷକୁ ଜାଳିପୋଡ଼ି ଛାରଖାର କରିଦେଇଥାଏ । ତେବେ ସବୁ ଭାବଭିତରେ ଅଭାବର, ନିରାଶାର ଆଉ ବହୁ ଅଭାବ ଭିତରେ ଭାବଭରା ଆଶା ହେଉଛି ଜୀବନ ଯୋଗ । ଏ ଯୋଗରେ ଯିଏ ଯେତେ ମାତ୍ରାରେ ଯୁକ୍ତ; ସଂସାର ମୋହମାୟାରୁ ସେ ସେତେ ମାତ୍ରାରେ ବିମୁକ୍ତ । ସର୍ବଦା ସୁଖ ସହିତ ଦୁଃଖର ଓ ଦୁଃଖ ସହିତ ସୁଖର ଘନିଷ୍ଠ ସମ୍ପର୍କ ରହିଛି । ଯାହାକୁ ପାଇଲେ ଯେତିକି ଅଧିକ ସୁଖ ମିଳେ ତାକୁ ହରାଇଲେ ସେତିକି ଅଧିକ ଦୁଃଖ ଅନୁଭବ କରିବାକୁ ପଡ଼େ । କାରଣ ଦୁଃଖର ଗୁରୁତ୍ୱ ବା ଲଘୁତ୍ୱ ବ୍ୟକ୍ତି ଉପରେ ନିର୍ଭର କରେ ନାହିଁ ଏହା ସମ୍ବନ୍ଧ ଉପରେ ନିର୍ଭର କରିଥାଏ ।
ମଣିଷର ଆଉ ଏକ ଖୋଇ ହେଲା; ସବୁବେଳେ ନିଜପାଖରେ କିଛି ନା କିଛି ବୁଜୁଳି ସାଥିରେ ଧରି ବୁଲୁଥାଏ । ବାହ୍ୟ ଦୃଷ୍ଟିରୁ ସେ ବୁଜୁଳିରେ କିଛି ବସ୍ତୁ ଥାଇପାରେ, ଯାହାକୁ କେତେବେଳେ କେଉଁଠି ରଖିଦେଲେ ବୋଝ ହାଲ୍‌କା ହୋଇଯାଏ । ମାତ୍ର ଅନ୍ତଃକରଣରେ ଯାଗା ମାଡ଼ି ବସିଥିବା କିଛି ବୁଜୁଳି ଆମକୁ ବ୍ୟତିବ୍ୟସ୍ତ କରିପକାଏ । ଋଷି ଅଷ୍ଟାବକ୍ର ତେଣୁ କହିଛନ୍ତି, ତୁମେ ପ୍ରତି ମୁହୂର୍ତ୍ତରେ ପରମାମ୍‌ôାଙ୍କ ଭିତରେ ହିଁ ରହିଛ । ସବୁ ବୋଝ ତାଙ୍କର । ତୁମେ ଅଯଥାରେ ମଝିରେ ବୁଜୁଳି ବାନ୍ଧି ବସିଯାଉଛ । ସେଇ ବୁଜୁଳି ହେଉଛି ଅହଂକାର । ତୋଫାନ ପରି ଚିତ୍ତର ଉଦ୍‌ବିଗ୍ନ ଅବସ୍ଥା ହେଉଛି ଅହଂକାର । ତୁମେ ଯେତିକି ଶାନ୍ତ ହେଉଥିବ ଅହଂକାର ସେତିକି ବିଦାୟ ନେଉଥିବ । ତେଣୁ ‘ଦେହାଭିମାନ’ ଅର୍ଥାତ ମୁଁ ହେଉଛି ଦେହ, ମୁଁ ହେଉଛି ମନ; ଏହିପରି ଭାବନା ଛାଡ଼ିବା ଯୋଗ୍ୟ । ଆହୁରି ସେହି ବୁଜୁଳି ହେଉଛି ଭ୍ରାନ୍ତିର, ଦ୍ୱନ୍ଦ୍ୱର, ସଂଘର୍ଷର । ଏହାକୁ ରଖିଦେଇ, ନିଜର ଭାବରୁ ଦୂରେଇ ରହି ଯାହାଙ୍କର ଏସବୁ ସୃଷ୍ଟି ତାଙ୍କୁ ତାହାକୁ ସମର୍ପଣ କରିଦିଅ ଏବଂ ବହିଯାଅ । ବହିଯିବା ହିଁ ଧର୍ମ । ସମର୍ପଣ ହେଉଛି ଧର୍ମର ମୂଳଭିତ୍ତି । ‘ମୁଁ’ଭାବ, ଅସ୍ମିତା, ଅହଂକାର ଏପରି ଜିନିଷ ଯାହାକୁ ନଷ୍ଟ କରିବାକୁ ପଡ଼ିବ, ଅନ୍ୟଥା ଜୀବନକୁ ଶାନ୍ତି ମିଳିପାରିବ ନାହିଁ । ଶାନ୍ତି ଯଦି ସବୁ ମଣିଷଙ୍କର ଏକାନ୍ତ କାମ୍ୟ! ତେବେ ଏମିତି ଖୋଇଗୁଡ଼ିକ ଜାବୁଡ଼ି ଧରି; ଜାଣିଶୁଣି ଆମେ ନିଜର ଏବଂ ତା’ସହିତ ଅନ୍ୟମାନଙ୍କର ଶାନ୍ତିଭଙ୍ଗର କାରଣ ହେବା ନାହିଁ ।
ପୁରୁଣାଗଡ଼, ଜଗତସିଂହପୁର ।
ମୋ.-୯୭୭୬୬୯୨୨୦୭ .


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ