କବିତା – ରେ ଗୁଣବାନ ଶିଶୁ – ନାରାୟଣ ଚନ୍ଦ୍ର ସେନାପତି

ଏକ ସୁନ୍ଦର ବଗିଚାର ସୁରଭିତ କଢ଼ିଟିଏ
ଚାହିଁରହିଥାଏ ସ୍ନେହ ମମତାର ମଧୁ ପରଶକୁ
ଆନନ୍ଦରେ ବିକଶିତ ହୁଏ ହସି ହସି
ପିଇ ପିଇ ନୀତି ଆଦର୍ଶର
କେଇଟୋପା ପୁଣ୍ୟ ଗଙ୍ଗାଜଳ।
ଏକ କୋମଳ ଫରୁଆର କୁନି ଭଅଁରଟିଏ ସେ
ଲୋଡୁଥାଏ ଆଦର ଯତ୍ନର ପିଠି ଆଉଁସା
ଧୂଳି ବାଲି କାଠିକୁଟାର ନନ୍ଦନକାନନକୁ
କରିଥାଏ ସରାଗର ଖେଳପଡ଼ିଆ
ପ୍ରତିକ୍ଷଣ କରେ ଉପଭୋଗ
ନିଷ୍କପଟ ସରଳ ହୃଦୟକୁ ଛୁଇଁଛୁଇଁ।
ଏକ ନିର୍ମଳ ଚିହ୍ନ ବିହୀନ ସ୍ଲେଟଟିଏ ତା ମନ
ଚାହିଁଥାଏ ଉତ୍ସାହ,ପ୍ରୋତ୍ସାହନର ରଙ୍ଗୀନ ଖଡ଼ିକୁ
ଗୁରୁ ଗୁରୁଜନଙ୍କର କର୍ଣ୍ଣମନ୍ତ୍ର ତା ପାଇଁ ତନ୍ତ୍ରଟିଏ
ଯନ୍ତ୍ର ପରି କରୁଥାଏ କର୍ମ
ତ୍ୟାଗ ନିଷ୍ଠାର ଘର୍ଘର ଶବ୍ଦ କରି
ଜାଳିଦିଏ ବିଶ୍ୱ ଭ୍ରାତୃତ୍ୱର ଦୀପ
କରେ ଭାରତମାତାର ମଥା ଉନ୍ନତ
ଶୁଣେ…..ରେ ଗୁଣବାନ ଶିଶୁ,
ତୁ ପରା ଦେଶ ଜାତିର ସ୍ପନ୍ଦନ।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
