ମୋ ଆଈମା ପଖାଳ
ମୋ ଆଈମା ପଖାଳ
ଆଜି ଯେବେ ଦେଖେ ପଖାଳ କଂସାକୁ
ଭାବେ ମୋ ଆଈମା କଥା
କେଡେ ସୁଆଦିଆ ଥିଲା ତା ପଖାଳ
ଲାଗେ ମନେ ବଡ଼ ବ୍ୟଥା।
ବାଢି ଦେଇଥାଏ ଶରଧା ପଖାଳ
ଢାଳି ଟିକେ ମୁହାଁ ଦହି
ବଢି ଚୁରା ସାଥେ ଲେଉଟିଆ ଶାଗ
ନେଉଥିଲା ମନ ମୋହି।
ବାଡ଼ି କଞ୍ଚା ଲଙ୍କା ରସୁଣର ବାସ୍ନା
ତା ସାଥେ ମଞ୍ଚା କାକୁଡି
କୋଶଳା ସୋରିଷ କୁଚ ବାଇଗଣ(ଭଜା)
ଖାଇ ମାରେ କି ଘୁଙ୍ଗୁଡ଼ି।
ପାଖ ପୋଖରୀର ସୁନୁସୁନିଆଁ ସହ
ନଦୀ ଭେଡ଼ି ମାଛ ଭଜା
ବାଡ଼ି ତଳ ଆମ୍ବ ନଶି ମିଶିଗଲେ
ମାରୁଥିଲି କେତେ ମଜା।
ପତରରେ କେବେ ପୋଡେ ରସୁଣକୁ
ମଞ୍ଜା କି ବାଲବଲିଆ
ପଖାଳ ସାଙ୍ଗକୁ ତା ପିଠି ଆଉଁସା
ଲାଗୁଥିଲା ମିଠା ଛୁଆଁ।
ସେ ଖାଏନା ଆମିଷ ଖାଏନା ଉଷୁନା
ଷୋହଳ ବର୍ଷୁ ବିଧବା
ହେଲେ ଶରଧାରେ ବାଢ଼େ ଆଇଁଷକୁ
ଲାଗୁଥିଲା ବଡ଼ କାବା !
ତା ପଖାଳ ଖାଇ ଖେଳୁଥିଲି ଯେବେ
ପଡ଼ିଆରେ ଫୁଟବଲ
ବଳ ଆଉ ବୁଦ୍ଧି ମାଡି ଆସୁଥିଲା
(କହେ)ବାଃ ବାଃ ରେ ବୁଢ଼ୀ କମାଲ!
କହୁଥିଲା ଯେବେ ଏ ମଣ୍ଡି ତୋରାଣି
ପିଇଦେରେ ବାବା ମୁନ୍ଦେ
ପେଟ ମନ ମୁଣ୍ଡ ଥଣ୍ଡା କରୁଥିଲା
ନିଦ କି ଆଖିକୁ ଛନ୍ଦେ !
ତା ମିଠା ପଖାଳ ଭରୁଥିଲା ଦେହେ
ଶତ ସିଂହର ବଳ
ପାଠ ଶାଠ କାମ ଯେତେ କରୁଥିଲି
କରୁଥିଲା ସେ ସଫଳ।

ସେଦିନ ପଖାଳ ଆଜିର ପଖାଳ
ଲାଗେ ଆକାଶ ପାତାଳ
ପଖାଳ ତ ଏକା ପ୍ରେମ ତ ଫରକ
ଫିକା ବୋଧେ ଏବେ କାଳ(ସମୟ)।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର

Excellent ! ସୁନ୍ଦର ସଂଯୋଜନା