ରଥଯାତ୍ରା – ଅନ୍ତର୍ଯ୍ୟାମୀ ସାହୁ
ଭାବର ଠାକୁର ଭକତ ତୋହର
ବନ୍ଧା ଭକତ ଭାବରେ,
ଭକ୍ତ ତୋ ଜୀବନ ଭକ୍ତ ତୋ ପରାଣ
ଭୋଲ ତୁ ଭକ୍ତ ପ୍ରେମରେ ।୧।
ଭାବକୁ ନିକଟ ଅଭାବକୁ ଦୂର
ପତିତ ଜନର ପ୍ରାଣ,
ଭକ୍ତଙ୍କୁ ଦର୍ଶନ ଦେବା ଛଲେ ପ୍ରଭୁ
ଭକ୍ତ ପରେ ତୁମ ଧ୍ୟାନ ।୨।
ରତ୍ନ ମଣ୍ଡପରୁ ଉଠି ଆସି ପ୍ରଭୁ
ରଥ ପରେ ବିଜେ କର,
ରାଜକୀୟ ରାଜ ଭୋଗବିଲାସକୁ
ତୁଚ୍ଛ ପରି ମନେକର ।୩।
ଶ୍ରୀମନ୍ଦିର ସୁଖ ଭୋଗ ତ୍ୟାଗ କରି
ବୃନ୍ଦାବନ ଲୀଳା କର,
ଭକ୍ତ ସୁଖ ପାଇଁ ଭକ୍ତ ସାଥେ ହରି
ସଙ୍ଗେ ହୁଏ ଏକାକାର ।୪।
ରତ୍ନ ବେଦୀ ଛାଡି ବୃନ୍ଦାବନ ମାଟି
ସଙ୍ଗେ ସାଥିଙ୍କର ମେଳେ,
ଧୂଳି ଧୁସରରେ ରଙ୍ଗ ବେରଙ୍ଗରେ
ଖେଳିବାକୁ କୌତୁହଳେ ।୫।
ଭକତ ବିଚରା ଚାହିଁ ଅଛି ପଥ
କେବେ ମୋ ପ୍ରଭୁ ଆସିବେ,
ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ
ରଥରେ ବିଜେ କରିବେ ।୬।
ଅନ୍ତର୍ଯ୍ୟାମୀ ସାହୁ
ପଲମ, ନର୍ଲା, କଳାହାଣ୍ଡି
