ଓଡ଼ିଆ-ଓଡ଼ିଶା-ପଖାଳ
ଓଡ଼ିଆ,ଓଡ଼ିଶା,ପଖାଳ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
———- ——————– ———-
ସଜ ପଖାଳ କୁ ଆମ୍ବ କଷି ଲସି
ଲୁଣ ଲେମ୍ବୁ ଚଲ୍ହା ଦହି
ନଡ଼ିଆ ବରା କୁ ଶାଗ ଖରଡା ଲୋ
ପାଗପାଣି ଥିବ ହୋଇ ।।
କଞ୍ଚାମରିଚ କୁ କୁଲି ପିଆଜ ଲୋ
ସଙ୍ଗେ ଥିବ ବଡ଼ିଚୁରା
କଂସାଏ ପଖାଳ ସକାଳୁ ସକାଳୁ
କଟିଯିବ ଦିନ ସାରା ।।
କଖାରୁ ପତରେ ଛତୁପୋଡା ପୁଣି
ଆଳୁଚୋଖା ଭେଣ୍ଡି ଭଜା
ପେଟେଖାଇ ହେଣ୍ଡି ମାରନ୍ତି ଓଡିଆ
ସତେକି ସେ ଗୋଟେ ରାଜା ।।
ରାଶି ପାପଡକୁ ଧନିଆ ଚଟଣୀ
ମଦରଙ୍ଗା ଶାଗ ରାଇ
ବେଲାଏ ପଖାଳ ଅତି ଆଦରରେ
ଖାଏ ମୋ ଓଡ଼ିଆ ଭାଇ ।।
ନୀଚମନା କେତେ କହନ୍ତି ଗରୀବ
ଅଟଇ ଓଡ଼ିଆ ଜାତି
ଏ ଜାତି ଗୈାରବ ଆକାଶ ଛୁଆଁ ରେ
ଅଦ୍ଭୁତ ଏ ଜାତି ନୀତି ।।
ଏ ଜାତି ର ଭାଷା କେତେଯେ ପ୍ରାଚୀନ
ଏଠି ବିଜେ ଜଗନ୍ନାଥ
ଲକ୍ଷ୍ମୀ ହାତରନ୍ଧା ଦହି ପଖାଳ ରେ
ହୁଅନ୍ତି ପରା ତୃପତ ।।
ଏ ଜାତି ଐତିହ୍ୟ ପରମ୍ପରା ପ୍ରଥା
ଆଉ କାହିଁ ହେଲେ ନାହିଁ
ଆର୍ଯ୍ୟଭୂମୀ ଏହି ଓଡିଆ ଭୂଖଣ୍ଡ
ବିଶ୍ଵେ କେତନ ଉଡଇ ।।
ବାରମାସେ ତେର ଜାତରା ଏଠାରେ
ଆନନ୍ଦର ରୋଳ ଛୁଟେ
ପଖାଳ ଦିବସ ଅବସରେ ଆସ
ଖାଇବା ପଖାଳ ମୁଠେ ।।

