ଓଡ଼ିଆ ପରମ୍ପରାରେ ସାବିତ୍ରୀ ବ୍ରତ – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 10 ଜଣ ପାଠକ ପଢି ସାରିଛନ୍ତି

ଓଡ଼ିଆ ସଂସ୍କୃତି ଓଡ଼ିଆ ପରମ୍ପରା ବହୁ ପ୍ରାଚୀନ l ଜଗତର ନାଥ ଜଗନ୍ନାଥ ଉତ୍କଳୀୟ ମାନଙ୍କର ଆରାଧ୍ୟ ଦେବତା l ତାଙ୍କର ପୂଜା ପାତି ରୀତି ନୀତି ଅନୁଯାୟୀ ସଂସ୍କୃତି ଓ ପରମ୍ପରା ପ୍ରଚଳିତ l ହିନ୍ଦୁ ରମଣୀ ନିଜ ଘର ପରିବାର, ନିଜ ସନ୍ତାନ ପାଇଁ ବିଭିନ୍ନ ଉଷା ବ୍ରତ ପାଳନ କରି ଥାନ୍ତି l ବିଭିନ୍ନ ଦେବା ଦେବୀଙ୍କୁ ମାନସିକ କରି ଥାନ୍ତି l ସେହିପରି ଓଡ଼ିଶାର ସଧବା ନାରୀ ମାନେ ନିଜ ଶଙ୍ଖା, ସିନ୍ଦୁର ବଜ୍ର ହେଉ, ସ୍ୱାମୀଙ୍କର ଆୟୁଷ ଦୀର୍ଘାୟୁ ହେଉ କାମନା କରି ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପାଳନ କରି ଥାନ୍ତି l ଅପରାହ୍ନରେ ଲଷ୍ମୀ ନାରାୟଣଙ୍କୁ ପୂଜା କରାଯାଏ l ପୂଜାରେ ନୂଆ ଲୁଗା, ନାଲି ଶଙ୍ଖା, ସିନ୍ଦୂର, ଅଳତା, କଜ୍ଵଳ, ପାଣିଆ, ଆଇନା, ନଡ଼ିଆ, କଦଳୀ, ଆମ୍ବ, ପଣସ, ଗଜାମୁଗ, ତାଳସଜ, ସପୁରି, ଖଜୁରୀକୋଳି, ଜାମୁ କୋଳି, ଫୁଲ, ଚନ୍ଦନ, ଦୁବ, ବରକୋଳି ପତ୍ର, ଆମ୍ବ ଡାଳ, ହଳଦୀ, ସାବିତ୍ରୀ ବ୍ରତ ବହି ଇତ୍ୟାଦି ଆବଶ୍ୟକ ହୋଇଥାଏ l ପୂଜା ସରିଲା ପରେ ଗୁରୁଜନ ମାନଙ୍କୁ ଓ ସ୍ୱାମୀଙ୍କୁ ପ୍ରଣାମ କରାଯାଏ l ସେଦିନ ଫଳ ଆହାର କରି ଓଷେଇତି ଦିନ କାଟନ୍ତି l

କିମ୍ବଦନ୍ତୀ କହେ, ମଦ୍ର ଦେଶର ରାଜା ଅଶ୍ୱପତି ନିସନ୍ତାନ ଥିଲେ l ସେ ବ୍ରହ୍ମାଙ୍କର ପତ୍ନୀ ସାବିତ୍ରୀଙ୍କୁ ସନ୍ତୋଷ୍ଟ କରିବା ପାଇଁ ଯଜ୍ଞ କଲେ l ସାବିତ୍ରୀ ଦେବୀ ପୂଜାରେ ସନ୍ତୋଷ୍ଟ ହୋଇ ପୁତ୍ର ବଦଳରେ ଆଦର୍ଶ କନ୍ୟା ରତ୍ନର ପିତା ହେବା ପାଇଁ ଆଶୀର୍ବାଦ ଦେଲେ l ନିର୍ଦ୍ଦିଷ୍ଟ ସମୟରେ କନ୍ୟା ରତ୍ନ ଜନ୍ମ ହେଲା l ରାଜା ରାଣୀ ଝିଅଟିର ନାମ ରଖିଲେ ସାବିତ୍ରୀ l ସେ ଯେତେ ବେଳେ ବିବାହ ଯୋଗ୍ୟ ହେଲେ ନିଜ ଇଛାରେ ସତ୍ୟବାନଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ କାମନା କଲେ l ନିଜ ପିତାଙ୍କୁ ଏ କଥା ଜଣାଇଲେ l ସେତେବେଳେ ନାରଦ ମୁନି କହି ଥିଲେ ସତ୍ୟବାନଙ୍କର ମାତ୍ର ଏକ ବର୍ଷ ଆୟୁଷ ଅଛି l ତୁମେ ତାଙ୍କୁ ବିବାହ କର ନାହିଁ l ସାବତ୍ରୀ କହିଲେ ” ମୁଁ ତ ତାଙ୍କୁ ମନେ ମନେ ପତି ରୂପେ ସ୍ଥିର କରି ସାରିଛି l ତାଙ୍କୁ ହିଁ ବିବାହ କରିବି l ତାପରେ ସତ୍ୟବାନଙ୍କ ସହିତ ତାଙ୍କର ବିବାହ ହୋଇଥିଲା l ଏକ ବର୍ଷ ପୂର୍ଣ୍ଣ ହୋଇଥିଲା ଜ୍ୟେଷ୍ଠ ଅମାବାସ୍ୟା ଦିନ l ସାବିତ୍ରୀ ଜାଣିଲେ ଆଜି ତାଙ୍କ ସ୍ୱାମୀଙ୍କର ଅନ୍ତିମ ଦିବସ l ସେ ନିଷ୍ଠାର ସହିତ ପୂଜା ସାରି ଦେଇ ସ୍ୱାମୀଙ୍କ ସହିତ ବଣକୁ ଗଲେ କାଠ ଆଣିବା ପାଇଁ l ସତ୍ୟବାନ ଗୋଟିଏ ଗଛରେ ଚଢ଼ି ଡାଳ ହାଣିବା ସମୟରେ ତା ମୁଣ୍ଡ ଘୁରାଇ ଦେଲା l ସେ ତଳେ କଚାଡି ହୋଇ ପଡି ମୃତ୍ୟୁ ବରଣ କଲେ l ସାବିତ୍ରୀ ମୃତ ସ୍ୱମୀଙ୍କୁ କୋଳରେ ଧରି ବସି ଥାନ୍ତି l ଯମ ଦୂତ ମନେ ସତ୍ୟବାନଙ୍କର ପ୍ରାଣ ନେବା ପାଇଁ ଆସି ପହଞ୍ଚି ଗଲେ l ସତୀ ସାବିତ୍ରୀଙ୍କ ତେଜରେ ଯମ ଦୂତ ମାନେ ପାଖରେ ପହଞ୍ଚି ନ ପାରି ଫେରି ଯାଇ ଯମ ରାଜାଙ୍କୁ ସବୁ କଥା କହିଲେ l ଯମ ରାଜା ନିଜେ କାଳ ଫାସ ଧରି ସାବିତ୍ରୀଙ୍କ ପାଖରେ ପହଞ୍ଚି ସତ୍ୟବାନଙ୍କ ପ୍ରାଣ ନେବାକୁ କହିଲେ l ସାବିତ୍ରୀ ସତ୍ୟବାନଙ୍କ ପ୍ରାଣ ଛାଡିଦେଲେ l ଯମ ରାଜ ସତ୍ୟବାନଙ୍କ ପ୍ରାଣ ନେଇ ଚାଲି ଗଲେ l ସାବିତ୍ରୀ ତାଙ୍କ ପଛେ ପଛେ ଗଲେ l କିଛି ଦୂର ଅତିକ୍ରମ କଲା ପରେ ଯମ ରାଜ ସାବିତ୍ରୀଙ୍କୁ ଦେଖି କହିଲେ ସତ୍ୟବାନଙ୍କ ପ୍ରାଣ ବ୍ୟତୀତ ଯେଉଁ ବର ମାଗୁଛ ମାଗ l ସାବିତ୍ରୀ ପ୍ରଥମ ବରରେ ଅନ୍ଧ ଶାଶୁରଙ୍କର ଚକ୍ଷୁ ଓ ହରାଇଥିବା ରାଜ୍ୟ ଫେରି ପାଇବାକୁ ବର ମାଗିଲେ l ଦ୍ଵିତୀୟ ବରରେ ନିସନ୍ତାନ ପିତାଙ୍କର ପୁତ୍ର କାମନା କଲେ l ତୃତୀୟ ବରରେ ସେ ନିଜେ ଶତ ପୁତ୍ରର ଜନନୀ ହେବା ପାଇଁ ବର ମାଗିଲେ l ଯମ ରାଜ ତଥାସ୍ତୁ ବୋଲି କହିଲେ l

ସେତେବେଳେ ସାବିତ୍ରୀ କହିଲେ ମୋ ସ୍ୱାମୀଙ୍କୁ ମୋତେ ଫେରାଇ ଦିଅ l ନ ହେଲେ ତୁମ ବର ଅକାରଣ ହୋଇ ଯିବ l ଏ କଥା ଶୁଣି ଯମ ରାଜ ନିରୁପାୟ ହୋଇ ଥିଲେ ଓ ସେ ସତ୍ୟବାନଙ୍କର ପ୍ରାଣ ଫେରାଇ ଦେଇ ଥିଲେ l ଦ୍ୱାପର ଯୁଗରେ ଧର୍ମ ରାଜ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ପଚାରି ଥିଲେ ନାରୀ ମାନେ କିପରି ସୁଭାଗ୍ୟବତୀ ହୋଇ ପାରିବେ ? ଶ୍ରୀକୃଷ୍ଣ ତାଙ୍କୁ ସାବିତ୍ରୀ ବ୍ରତ କଥା କହି ଥିଲେ l ପୁରାତନ ହେଉ ଅବା ଆଧୁନିକ l ପଡିଆ ରମଣୀ ସବୁବେଳେ ଚାହେଁ ସେ ସୌଭାଗ୍ୟବତୀ ହେଉ l ତା ସ୍ୱାମୀଙ୍କର ଜୀବନ ଦୀର୍ଘ ଜୀବି ହେଉ l ସେ ସୁଖରେ ଘର ସଂସାର କରୁ l ସ୍ୱାମୀଙ୍କ ପାଖରେ ତା ଜୀବନ ଶେଷ ହେଉ l ସ୍ୱାମୀଙ୍କ କାନ୍ଧରେ ସେ ମଶାଣି ମା କୋଳକୁ ଯାଉ l ଏ ବ୍ରତ ହେଉଛି ଆସ୍ଥା, ଭରସା, ବିଶ୍ୱାସର କଥା l ଓଡ଼ିଆ ପରମ୍ପରାରେ ସାବିତ୍ରୀ ବ୍ରତ ପିଢ଼ି ପରେ ପିଢ଼ି ପାଳିତ ହୋଇ ଆସିଛି l ଏହି ବ୍ରତ କରି ଓଡ଼ିଆ ରମଣୀ ଖୁସି ଅନୁଭବ କରେ l ଶାନ୍ତି ପାଏ l

ଗାନ୍ଧୀନଗର, ପୋଷ୍ଟ/ଜିଲ୍ଲା : ନବରଙ୍ଗପୁର


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ