ମୋ ଜୀବନର ଅଭୁଲା ସ୍ମୃତି

ଲେଖକ ପରିଚୟ

କୌଶିକ କୁମାର ହୋତା
ରାଇରଙ୍ଗପୁର, ମୟୁରଭଞ୍ଜ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୋ ମନ ଭାରି ଦୁଃଖ ହେଲା l ଭିନ୍ନକ୍ଷମ ବୋଲି ମୋ ସହିତ କେହି ସାଙ୍ଗ ହେଉନଥିଲେ l ଖେଳିବାକୁ ମୋର ଭାରି ଇଚ୍ଛା ହେଉଥିଲା l ଖେଳଛୁଟିରେ ମୋତେ କେହି ନ ମିଶାଇବାରୁ ପଡିଆ ମୁଣ୍ଡରେ ବସି ସମସ୍ତଙ୍କୁ ବଲବଲ କରି ଅନଉଥିଲି l ମନେ ମନେ ଭାବୁଥିଲି ସତରେ ମୁଁ କେତେ ହିନୀକପାଳିଆ l ଶ୍ରେଣୀରେ ମୋତେ ଗୋଟିଏ କଡରେ ବସାଇ ସମସ୍ତେ ଦୂରରେ ବସୁଥିଲେ l କାହିଁକିନା ମୁଁ ଥିଲି ଗରୀବ ଘରର ପିଲା l ଭଲ ପୋଷାକପତ୍ର, ସ୍କୁଲବ୍ୟାଗ, ଖାତା ବହି, କଲମ ଥିଲା ମୋ ପାଇଁ ସାତ ସପନ l ବାପା ପରଘରେ ମୂଲଲାଗି ଯାହା ଦି ପଇସା ରୋଜଗାର କରନ୍ତି ସେଥିରେ ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଘରଚଳେ l ତା’ ସହିତ ପୁଣି ବୋଉ ବେମାରିଆ ଲୋକ l ଜଣକ
ରୋଜଗାରରେ ଏତେ ସବୁ ଗୁଜୁରାଣ ମେଣ୍ଟାଇବା ଭାରି ପଡେ ବାପାଙ୍କୁ l

ଏଇ କାଲି ପରି ମନେ ପଡୁଛି l ସେଦିନ ପ୍ରଧାନଶିକ୍ଷକ ବ୍ରଜବନ୍ଧୁ ସାର ଆମ ପଞ୍ଚମ ଶ୍ରେଣୀକୁ ଆସି କଳାପଟାରେ ଦରଖାସ୍ତଟିଏ ଲେଖିଦେଲେ l କହିଲେ ସମସ୍ତେ ନିଜ – ନିଜ ଖାତାରେ ଏଇଟି ଲେଖିନିଅ l ଯେ ଯାହାର ଖାତା କଲମ ବାହାର କରି ଲେଖିବାରେ ଲାଗିପଡ଼ିଲେ l ମୋ ସାଙ୍ଗ ଅତନୁ ତା’ କଲମଟି ଖୋଜୁଥାଏ l ପ୍ରଧାନଶିକ୍ଷକ ଅତନୁ କାହିଁକି ଲେଖୁନାହିଁ ବୋଲି ପଚାରିବାରୁ ସେ ତା’ କଲମଟି ପାଉ ନାହିଁ ବୋଲି କହିଲା l ଅନେକ ଖୋଜା ଖୋଜି ହେଲା l କଲମଟି ମିଳିଲାନାହିଁ l ବିରଞ୍ଚି କହିଲା -“ସାର ଏଇ କୌଶିକ କଲମଟି ଚୋରି କରି ନେଇଥିବ l ” ଏ କଥା ଶୁଣି ମୁଁ ତା’ କଲମ ଚୋରେଇ ନାହଁ ବୋଲି ସାରଙ୍କୁ କହିଲି l ପ୍ରଧାନଶିକ୍ଷକଙ୍କ ନିର୍ଦ୍ଦେଶରେ ସମସ୍ତଙ୍କ ବହି ବସ୍ତାନି ତନ୍ନ ତନ୍ନ କରି ଖୋଜାଗଲା l ଶେଷରେ ମୋରି ବ୍ୟାଗରୁ କଲମଟି ବାହାରିଲା l ପ୍ରଧାନଶିକ୍ଷକ ମୋତେ ଭାରି ବିରକ୍ତ ହେଲେ l କହିଲେ” ତୁ ଗରୀବ ଓ ଭିନ୍ନକ୍ଷମ ପିଲା ବୋଲି ତୋତେ ମୁଁ ଆଜି ଛାଡିଦେଲି l” କରିଥିବା ଭୁଲ ପାଇଁ ସମସ୍ତଙ୍କ ସାମନାରେ କାନଧରି କ୍ଷମା ମାଗିବାକୁ ସେ ମୋତେ ନିର୍ଦ୍ଦେଶ ଦେଲେ l ଚୋରି ନକରି ମଧ୍ୟ ଚୋର ସାଜିଥିବାରୁ ମୁଁ ମୁହଁ ତଳକୁ ପୋତି ସାରଙ୍କ ନିର୍ଦ୍ଦେଶକୁ ମାନି କ୍ଷମା ମାଗିଲି l ମାତ୍ର ଆଖିରୁ ମୋର ଧାର – ଧାର ଲୁହ ଝରି ପଡିଲା l

ସେଦିନ ଛୁଟିଘଣ୍ଟା ବାଜିଲା l ସମସ୍ତେ ଖୁସିମନରେ ଧାଡିବାନ୍ଧି ଛିଡାହେଲେ l ଜାତୀୟ ସଂଗୀତ ଗାନପରେ ପୁଣି ଧାଡି ବାନ୍ଧି ଘରକୁ ଫେରିଲେ l ଭିନ୍ନକ୍ଷମ ହେତୁ ମୋତେ କେହି ସାଙ୍ଗ କଲେ ନାହିଁ l ମୁଁ ମୋ ଆଶାବାଡ଼ିଟି କାଖରେ ଯାକି ଏକୁଟିଆ ମନମାରି ଚାଲିଲି l ସ୍କୁଲ ଫାଟକ ସାମନାରେ ଜାତୀୟ ରାଜପଥ l ଦ୍ରୁତଗାମୀ ଗାଡି ମଟର ଯା’ ଆସ କରୁଥିବାରୁ ଫାଟକର ଉଭୟ ପଟର ରାସ୍ତାରେ ଦୁଇଟି ହମ୍ପସ ଦିଆଯାଇଥାଏ l ମୁଁ ଠିକ ସେଇଠି ପହଞ୍ଚିବା ବେଳକୁ ମୋ ସାମନା ଦେଇ ମଟର ସାଇକେଲ ରେ ଜଣେ ଭଦ୍ରଲୋକ ଚାଲିଗଲେ l ଠିକ ସେଇ ହମ୍ପସ ପାଖରେ ତାଙ୍କ ଗାଡ଼ିରୁ ଗୋଟିଏ ବ୍ୟାଗ ଖସିପଡିଲା l ରାସ୍ତାରେ ଆଉ କେହି ନଥିବାରୁ ମୁଁ ପାଖକୁ ଯାଇ ବ୍ୟାଗଟି ଉଠାଇ ଆଣିଲି l ବ୍ୟାଗକୁ ଖୋଲି ଦେଖିଲି ତା ଭିତରେ ବିଡା ବିଡା ନୋଟ ଭର୍ତ୍ତି ହୋଇଥିଲା l ଏତିକି ବେଳକୁ ଭଦ୍ରଲୋକ ଜଣକ ବହୁଦୂର ଚାଲିଯାଇଥିଲେ l ମୁଁ ବଡ଼ପାଟିରେ ଯେତେ ଡାକିଲେବି ସେ ଶୁଣିପାରିଲେ ନାହିଁ l ବ୍ୟାଗଟି ସ୍କୁଲବ୍ୟାଗ ଭିତରେ ଭର୍ତ୍ତି କରି ଘରକୁ ଯିବା ବାଟରେ ମୁଁ ଭାବୁଥାଏ ବ୍ୟାଗଟି ଯଦି ବାପା, ବୋଉଙ୍କୁ ଦେଖାଇବି ସେମାନେତ ଅଭାବି ଲୋକ, ନିଶ୍ଚୟ ଏ ଟଙ୍କାତକ ନେଇଯିବେ l ମନେ-ମନେ ଚିନ୍ତାକଲି ଘରେ କାହାକୁ ବି ଏ କଥା ଜଣାଇବି ନାହିଁ l ସେତିକି ବେଳକୁ ଶ୍ରେଣୀ ଶିକ୍ଷିକା ମମତା ଗୁରୁମାଙ୍କ କଥା ମୋର ମନେପଡିଲା l ସେ କହୁଥିଲେ କାହାରି ଜିନିଷ କେବେ ଚୋରି କରିବ ନାହିଁ, କି ଠକି ନେବ ନାହିଁ l ଏହା ଖୁବ ଅନ୍ୟାୟ କଥା l ମହାତ୍ମା ଗାନ୍ଧୀ ପରା ସବୁବେଳେ ସତ୍ୟରେ ଚାଲୁଥିଲେ l ସେଇଥିପାଇଁତ ସେ କେତେବଡ଼ ମଣିଷ ହୋଇପାରିଥିଲେ l ଏ କଥା ଭାବି ମୁଁ ସେ ଟଙ୍କା ବ୍ୟାଗଟିକୁ ସ୍କୁଲବ୍ୟାଗ ଭିତରେ ଲୁଚାଇ ରଖିଲି l

ତା’ ପରଦିନ ସ୍କୁଲ ସମୟ ହେଲା l ମୁଁ ସ୍କୁଲବ୍ୟାଗ ଧରି ସ୍କୁଲରେ ଆସି ପହଞ୍ଚିଲି l ସେତେବେଳକୁ ପ୍ରଧାନଶିକ୍ଷକ ବ୍ରଜବନ୍ଧୁ ସାର ସ୍କୁଲରେ ପହଞ୍ଚି ସାରିଥିଲେ l ମୁଁ ବସ୍ତାନିରୁ ବ୍ୟାଗଟି ଖୋଲି ପ୍ରଧାନଶିକ୍ଷକଙ୍କୁ ବଢ଼ାଇ ଦେଇ କହିଲି “ସାର ଏଇ ବ୍ୟାଗଟି ମୁଁ କାଲି ସ୍କୁଲ ସାମନାରେ ରାସ୍ତାରୁ ପାଇଲି l ଜଣେ ଭଦ୍ରଲୋକ ମଟର ସାଇକେଲରେ ଯିବା ସମୟରେ ହଠାତ ବ୍ୟାଗଟି ତାଙ୍କ ଗାଡ଼ିରୁ ଖସିପଡିଲା l ମୁଁ ତାଙ୍କୁ ଡାକିଲାବେଳକୁ ସେ ବହୁଦୂର ପହଞ୍ଚିଯାଇଥିଲେ l ତେଣୁ ଏଇଟି ତାଙ୍କୁ ଆଉ ଫେରାଇ ପାରିଲି ନାହିଁ l ” ପ୍ରଧାନଶିକ୍ଷକ ବ୍ୟାଗଟି ଖୋଲି ଟଙ୍କାତକ ଗଣିଲେ l ପୁରା ଦଶଲକ୍ଷ ଟଙ୍କା ସେଥିରେ ଥିଲା l ଏହାସହିତ ପାସବୁକ ଟିଏ ମଧ୍ୟ ସେଥିରେ ଥିଲା l ସେଥିରୁ ଜାଣିଲେ ଏହା ପାଖ ସୁବର୍ଣ୍ଣପୁର ଗାଆଁର ଜୀବନକୃଷ୍ଣ ସାମନ୍ତରାୟଙ୍କର l ସେଇ ଗାଆଁରେ ପ୍ରଧାନଶିକ୍ଷକଙ୍କ ଭଉଣୀଘର l ଭଉଣୀକୁ ଫୋନ ଲଗାଇ ଜୀବନକୃଷ୍ଣ ବାବୁଙ୍କର ଫୋନ ନମ୍ବର ସେ ସଂଗ୍ରହ କଲେ l ପୁଣି ତାଙ୍କୁ ଫୋନ କରି ଗତକାଲି ହଜାଇଥିବା ବ୍ୟାଗ ସମ୍ପର୍କରେ ପଚାରିବୁଝିଲେ l ନିଜ ଝିଅ ବାହାଘର ପାଇଁ ଉଠାଇଥିବା ଟଙ୍କାବ୍ୟାଗ ହଜିଥିବାରୁ ଜୀବନକୃଷ୍ଣ ବାବୁ ଭାରି ବିବ୍ରତ ହୋଇପଡିଥିଲେ l ଖବର ପାଇ ସେ ସଙ୍ଗେ – ସଙ୍ଗେ ଆସି ଆମ ମାଣିକପୁରର ମାଣିକପାଟଣା ସରକାରୀ ଉ.ପ୍ରା. ବିଦ୍ୟାଳୟରେ ପହଞ୍ଚିଲେ l ସେତେବେଳକୁ ପ୍ରାର୍ଥନା ସଭା ଚାଲିଥିଲା l ପ୍ରାର୍ଥନା ସରିବା ପରେ ପ୍ରଧାନଶିକ୍ଷକ ମୋର ଆଦର୍ଶପଣିଆ କଥା କହି ଯେତେବେଳେ ଜୀବନକୃଷ୍ଣ ବାବୁଙ୍କୁ ଟଙ୍କାବ୍ୟାଗଟି ଫେରାଇଦେଲେ ସେତେବେଳେ ସେ ମୋତେ କୁଣ୍ଢାଇ ପକାଇଲେ l କହିଲେ -“ଆଜି ମୁଁ କୌଶିକର ସଚ୍ଚୋଟାତା ପାଇଁ ମୋର ଏକମାତ୍ର ଝିଅର ବାହାଘର ନିମନ୍ତେ ଉଠାଇଥିବା ଦଶଲକ୍ଷ ଟଙ୍କା ଫେରିପାଇଲି l ପ୍ରକୃତରେ ଏଭଳି ନିଃସ୍ୱାର୍ଥପର ପିଲା ବିରଳ l ସେ ଭିନ୍ନକ୍ଷମ ହେଲେବି ତା’ ଭିତରେ ଥିବା ମହତପଣିଆ ପାଇଁ ସେ ଆଜି ଆମ ସମସ୍ତଙ୍କର ଆଦର୍ଶ ପାଲଟିଯାଇଛି l ସେ ଗରୀବ ହରିଶ୍ଚନ୍ଦ୍ର ହୋତାଙ୍କ ପୁଅ ନୁହେଁ l ସେ ଆଜିଠାରୁ ମୋ ପୁଅ l ମୁଁ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ l ଜୀବନରେ ଅନେକ ପିଲାଙ୍କୁ ମୁଁ ଗଢିଛି l ମାତ୍ର ଏତେ ସଚ୍ଚୋଟ, ନିଃସ୍ୱାର୍ଥପର ପିଲା ମୋ ଜୀବନରେ ପାଇନାହିଁ l ତା’ ପାଇଁ ଆଜି ମୁଁ ମୋ ଝିଅର ବାହାଘର କରିବାକୁ ସମର୍ଥ ହୋଇପାରିଛି l” ସେଦିନ ଜୀବନକୃଷ୍ଣ ବାବୁ ତାଙ୍କ ଝିଅ ବାହାଘରକୁ ପ୍ରଧାନଶିକ୍ଷକଙ୍କ ସହିତ ମୋତେ ଓ ମୋ ବାପା, ମାଆଙ୍କୁ ନିମନ୍ତ୍ରଣ କରିଗଲେ l ଏତିକି ବେଳକୁ ଆମ ମାଣିକପୁର ଗାଆଁର ସବୁଲୋକ ସେଠାରେ ଜମା ହୋଇଯାଇଥିଲେ l ମୋ ବାପା ଆସି କହିଲେ -“ଆଜି ତୁ ମୋ ଆଖି ଖୋଲି ଦେଲୁରେ l ଯାହା ମୋ ଭଳି ଜଣେ ବୟସ୍କଲୋକ କେବେ କରିପାରିନଥାନ୍ତା, ତାହା ତୁ କରି ଆମ ମାଣିକପୁର ଗାଆଁର ଓ ଏ ମାଣିକପାଟଣା ବିଦ୍ୟାଳୟର ମାନ ମହତକୁ ବହୁତ ଉଚ୍ଚକୁ ନେଇଗଲୁ l ମୁଁ ଗରୀବ ହେଲେବି ତୋ ଭଳି ପୁଅ ପାଇ ଆଜି ଖୁବ ଧନୀ ପାଲଟି ଯାଇଛିରେ l” ସେତିକି ବେଳକୁ ପ୍ରାର୍ଥନା ସଭାରୁ ବାହାରି ଆସି ବିରଞ୍ଚି କହିଲା “ସାର, କାଲି ମୁଁ ଅତନୁର କଲମଟି କୌଶିକର ବ୍ୟାଗରେ ଭର୍ତ୍ତି କରିଦେଇ ତାକୁ ସମସ୍ତଙ୍କ ସାମନାରେ ଚୋର ବନାଇ ଦେଇଥିଲି l ଆପଣ ମଧ୍ୟ ତାକୁ ଦଣ୍ଡିତ କରିଥିଲେ l ମାତ୍ର ସେ ନିର୍ଦ୍ଦୋଷ l” ବିରଞ୍ଚି ମୋତେ କୁଣ୍ଢେଇପକାଇ କହିଲା ” ଯିଏ ଦଶ ଲକ୍ଷ ଟଙ୍କାର ମୋହ ରେ ପଡିଲା ନାହିଁ ତାକୁ ମୁଁ କଲମଚୋର କହି ଆପଣଙ୍କ ଠାରେ ଦଣ୍ଡିତ କରିଥିବାରୁ ତାଠାରୁ କ୍ଷମା ମାଗିନେଉଛି l ତା’ ଭଳି ଆଦର୍ଶ ପିଲାକୁ ମୁଁ ବନ୍ଧୁରୂପେ ପାଇଛି l ଏହାହିଁ ମୋ ପାଇଁ ଖୁବ ବଡ଼ କଥା ସାର l ” ଏ କଥା ଶୁଣିଲା ପରେ ପ୍ରଧାନଶିକ୍ଷକଙ୍କ ଆଖିରୁ ଦୁଇଟୋପା ଆନନ୍ଦାଶ୍ରୁ ନିଗିଡି ପଡିଲା l

ତାପରଦିନ ଖବର କାଗଜର ପ୍ରଥମ ପୃଷ୍ଠାରେ ବଡ଼ ବଡ଼ ଛପା ଅକ୍ଷରରେ ମୋର ଫଟୋ ସହିତ ବାହାରି ପଡିଲା -“ମାଣିକପୁରର ସଚ୍ଚୋଟ କୌଶିକ” l ସମସ୍ତେ ମୋତେ ଭୁରି – ଭୁରି ପ୍ରଶଂସା କଲେ l ଯେଉଁଦିନ ଜୀବନକୃଷ୍ଣ ବାବୁଙ୍କ ଝିଅ ବାହାଘର ହେଲା, ସେଦିନ ମୁଁ ବାପାଙ୍କ ସହିତ ତାଙ୍କ ଘରକୁ ଯାଇଥିଲି l ତାଙ୍କର ପୁଅ ନଥିବାରୁ ମୁଁ ବେଦି ଉପରେ ସାନ ଭାଇ ରୂପେ ଚି଼ହ୍ନଟ ହୋଇ ଖଈ ପୋଡିଲି ଓ ଭଉଣୀକୁ ବିଦାୟ ଦେଲି l

ଏ ଭିତରେ ମାସଟିଏ ବିତିଗଲା l ସବୁକାମ ସରିବା ପରେ ଦିନେ ଜୀବନକୃଷ୍ଣ ବାବୁ ସସ୍ତ୍ରୀକ ଆମ ବିଦ୍ୟାଳୟରେ ଆସି ପହଞ୍ଚିଲେ l ବିଦ୍ୟାଳୟ ଫାଟକ ପାଖରେ ତାଙ୍କ କାର ଲାଗିଲା l କାରକୁ ଦୂରରୁ ଦେଖି ପ୍ରଧାନଶିକ୍ଷକ ବାହାରକୁ ଚାଲିଆସିଲେ l ଜୀବନକୃଷ୍ଣ ବାବୁ ପ୍ରଧାନଶିକ୍ଷକଙ୍କୁ ନମସ୍କାର ଜଣାଇଲେ l ଉଭୟ ଅଫିସରେ ବସି ମୋ ସମ୍ପର୍କରେ ଅନେକ କଥା ହେଲେ l ଶେଷରେ ମୋ ବାପାଙ୍କୁ ଡକାଗଲା l ତାଙ୍କର ଅନୁମତି ନେଇ ସେଦିନ ସେ ମୋତେ ତାଙ୍କ ଘରକୁ ନେଇଗଲେ l ତାପରଦିନ ମୋତେ ନେଇ ଓଲଟପୁରର ଭିନ୍ନକ୍ଷମ ଚିକିତ୍ସାଳୟରେ ସେ ପହଞ୍ଚିଲେ l ଡାକ୍ତରଙ୍କ ପରାମର୍ଶକ୍ରମେ ମୋ ଗୋଡ଼ରେ କୃତ୍ରିମ ଗୋଡ଼ ଖଞ୍ଜାଗଲା l ମୁଁ ପୁଣି ଭଲପିଲା ପରି ବିନା ଆଶାବାଡ଼ିରେ ଚାଲିବାକୁ ସକ୍ଷମ ହେଲି l ଯେଉଁଦିନ ମୁଁ ବିଦ୍ୟାଳୟରେ ଆସି ପହଞ୍ଚିଲି, ମୋର ସବୁ ସାଙ୍ଗ ମୋ ପାଖରେ ଘେରିଯାଇ ମୋତେ ଆପଣାର କରିନେଲେ l ମୋ ମୁହଁରେ ହସ ଫୁଟି ଉଠିଲା l

————-*————–
କୌଶିକ କୁମାର ହୋତା, ଦଶମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୂରଭଞ୍ଜ, ଓଡିଶା
ଦୂରଭାଷ :-9438745662.


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ