ମୋ ଗଛ ଚଢା – ରମେଶ ଚନ୍ଦ୍ର ମିଶ୍ର
କିଶୋର ବୟସେ ହାଇସ୍କୁଲ୍ ରେ ମୁଁ
ନବମ ଯେବେଳେ ପଢୁଥିଲି
ହଷ୍ଟେଲର କିଛି ସାଙ୍ଗ ସହିତ
ବାଳୁଙ୍ଗା କାମଟେ କରିଥିଲି । ୧
ସକାଳୁଆ କ୍ଲାସ୍ ସାରି ଖରାଦିନେ
ଦିପହର ଖରାବେଳଟାରେ
ଖିଆପିଆ କରି ଶୋଇପଡିଥିଲି
ସାଙ୍ଗଟେ ଡାକିଲା ଚାପାସୁରେ । ୨
ନଡିଆ ଖାଇବା ପାଇଁ ଯାଉଅଛୁ
ଯିବୁ ଯଦି ଆସ୍ ଚଟାପଟ୍
ନ ବୁଝି ନଶୁଝି ବାହାରିପଡିଲି
ଚାଲିଲି ସାଙ୍ଗରେ ଫଟାଫଟ୍ । ୩
ବଇଣ୍ଡା ଛକର ଚନ୍ଦନ ପୋଖରୀ
ହିଡରେ ନଡିଆ ଗଛ ଠିଆ
କାନ୍ଧି କାନ୍ଧି ହୋଇ ଫଳ ଝୁଲୁଥିଲା
ନଥିଲେ ସେଠାରେ କେ ଜଗୁଆ । ୪
ତିନି ଜଣ ସାଙ୍ଗ ଗଛରେ ଚଢିଲେ
ଦୁଇଜଣ ତଳେ ରହିଥିଲୁ
ଗୋଟାଇବୁ ଯାହା ଖସିବ ନଡିଆ
ଉପରକୁ ଚାହିଁ ଜଗିଥିଲୁ । ୫
ଉପରୁ ସାଙ୍ଗଟେ ଛଳେଇ କହିଲା
ଚଢୁନୁ ଗଛରେ ଖାଇନୁଣ୍ଢା
କିଛି ତ ଜାଣିନୁ, ମଣିଷ ଭିତରେ
ତୁ ଖାଲି ଗୋଟେ ଓଲି ଷଣ୍ଢା । ୬
ଭେଦିଗଲା କଥା ମୁଣ୍ଡରେ ମୋର
ଖେଳିଗଲା ଶିରା ପ୍ରଶିରାରେ
ସେରେଣ୍ଡି ସେରେଣ୍ଡି ଚଢିଲି ଗଛରେ
ବସିଗଲି ଯାଇ ଅଗପରେ । ୭
ତୋଳିଲି ନଡିଆ ଯାହା ରହିଥିଲା
ଏବେ ଓହ୍ଲାଇବା କଥା ହେଲା
ଅଗରୁ କେମିତି ଗଛକୁ ଆସିବି
ବୁଦ୍ଧି ବାଟ ଆଉ ନ ଦିଶିଲା । ୮
ଆନ ସାଙ୍ଗ ସବୁ ଓହ୍ଲାଇ ଗଛରୁ
ମୋ ଆଡକୁ ଚାହିଁ ରହିଥିଲେ
ଜଗୁଆଳି ଡାକ ଶୁଭିଲାଣି ବୋଲି
ମୋତେ ଚମକାଇ ଦେଲେ । ୯

ଥରିଲା ମୋ ଦେହ ହେଲା ବୁଦ୍ଧିବଣା
କେମିତି ଆସିବି ଗଛ ଦେହେ
କାହିଁକି ଚଢିଲି ଗଛରେ ରାଗରେ
ଶୋଧୁଥିଲି ଆପଣାକୁ ବୁହେ । ୧୦
ନ ଓହ୍ଲାଇଲେ ଧରାପଡିଯିବୁ
ପଡିଗଲେ ଯିବି ଯମପୁର
କାହିଁକି ଆସିଲି ଏ ବୁଦ୍ଧି କରିଲି
ଘାରି ହେଉଥିଲି ବାରବାର । ୧୧
ଚଢିଯିବା ସିନା ସହଜ ଏମିତି
ଓହ୍ଲାଇବା ଭିଡ ଜାଣିଥିଲେ
ଚଢି ମୁଁ ନଥାନ୍ତି, ଭାବି କାନ୍ଦୁଥିଲି
ନିରୁପାୟ ହୋଇ ବିକଳରେ । ୧୨
ଛଳେଇବା ସାଙ୍ଗ କହିଲା ଭାଇରେ
ଏ ନୁଣ୍ଢାକୁ କିଆଁ ଡାକୁଥିଲ
କେତେ ମାଡ ଆମ ଭାଗ୍ଯରେ ଯାହା
ହିସାବ ଖାତାରେ ଯୋଡିଦେଲ । ୧୩
ପଶି ଗଲା ବୁକେ ସାଙ୍ଗର ଟାହି
ପଡିଲେ ପଡିବି ଯାଉ ପ୍ରାଣ
ମାଆ ମଙ୍ଗଳାଙ୍କୁ ସୁମରି ହୃଦରେ
ଓହ୍ଲାଇବି ମନ କଲି ଟାଣ । ୧୪
କଉଶଳ କରି ବୁଦ୍ଧି ଖଟାଇ
ଅଗରୁ ଗଛକୁ ଆସିଗଲି
ଜାବୋଡି ଗଛକୁ ଆଣ୍ଟେ ଛାତିରେ
ଧୀରେ ଧୀରେ ତଳେ ଓହ୍ଲାଇଲି । ୧୫
ଭାଗ୍ଯବଳେ ସିନା ତଳକୁ ଆସିଲି
ହୃଦେ ଟାଣିହେଲା ତିନିଗାର
ନ ଜାଣିବା କାମେ ହାତ ଦିଏ ଯିଏ
ଲଜ୍ଜା ଅପମାନ ହୁଏ ସାର । ୧୬
