ଓଡିଆ ସଂସ୍କୃତି ଓ ସାହିତ୍ୟ ପରିପୂରକ ବିଶ୍ଳେଷଣ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ଭାରତୀୟ ପରମ୍ପରା ଓ ସଂସ୍କୃତି କହିଲେ ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅବସ୍ଥିତି ମଧ୍ୟରେ ଗୋଟିଏ ରାଜ୍ୟରେ ଅବସ୍ଥାନ କରୁଥିବା ଗୋଷ୍ଠୀ ମଧ୍ୟରେ ସୀମିତ ଥିବା ଚଳଣିକୁ ବୁଝାଏ । ଏହା ସର୍ବଭାରତୀୟ ସତ୍ୟର ଏକ ବିଶେଷ ଦିଗ ଓ ବିଶ୍ଵାସ । ସାମଗ୍ରିକ ଭାବେ ଏହାକୁ ହିଁ ଆମେ ଭାରତୀୟ ସଂସ୍କୃତି ବୋଲି କହିଥାଉ, ଯାହା ଆମ ଚଳଣି, ବିଶ୍ଵାସ ଓ ପରମ୍ପରା ଉପରେ ଆଧାରିତ । ଆମ ଭାରତୀୟ ପରମ୍ପରା ଓ ସଂସ୍କୃତି ଅନେକ ପ୍ରାଚୀନ । ସମଗ୍ର ବିଶ୍ଵକୁ ଏହି ସଂସ୍କୃତିର ଅବଦାନ କିଛି କମନୁହେଁ । ଏହାମଧ୍ୟରୁ ଆମେ ଯଦି ଓଡିଶାର କଥାକୁ ବିଚାର କରିବା, ତେବେ ଗୋଟିଏ ହେଲା ଜଗନ୍ନାଥ ସଂସ୍କୃତି ଓ ଅନ୍ୟଟି ଓଡିଶାର ଅଧିବାସୀଙ୍କ ଚଳଣି ସହ ଜଡିତ । ଓଡିଶାର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ସଂପ୍ରଦାୟର ଲୋକମାନେ ବସବାସ କରନ୍ତି । ଅଞ୍ଚଳଭିତ୍ତିରେ ପ୍ରଥା, ପରମ୍ପରା ଓ ଚଳଣି ଅନେକ ହୋଇଥିଲେ ବି ଜଗନ୍ନାଥ ସଂସ୍କୃତି ଏକ ଓ ଅଭିନ୍ନ । ଯାହାକି ସମଗ୍ର ବିଶ୍ଵବାସୀଙ୍କୁ ବିମୋହିତ କରିଥାଏ ।
ଓଡିଶାବାସୀଙ୍କ ସମ୍ମାନ ଓ ମୂଳ ଆଧାର ହିଁ ପ୍ରଭୁ ଜଗନ୍ନାଥ । ଶ୍ରୀଜଗନ୍ନାଥ ହେଉଛନ୍ତି ଏକ ଉଚ୍ଚ ମାନବୀୟ ଦେବତା । ସେ ଦାନ୍ତ ଘଷନ୍ତି, ସ୍ନାନ କରନ୍ତି, ନୂଆ ନୂଆ ପୋଷାକ ପରିଧାନ କରନ୍ତି, ଭିନ୍ନ ଭିନ୍ନ ଅଳଙ୍କାର ପିନ୍ଧନ୍ତି, ଛପନ ପ୍ରକାର ବ୍ୟଞ୍ଜନ ଉପଭୋଗ କରନ୍ତି ଏବଂ ଛତିଶି ବର୍ଗର ସେବାୟତ ତାଙ୍କ ସେବାକାର୍ଯ୍ୟ ଲାଗି ନିୟୋଜିତ ରହିଥାନ୍ତି । ପ୍ରଭୁଙ୍କୁ ଜ୍ଵର ରୋଗ ବି ହୁଏ ଆଉ ଉପଶମ ପାଇଁ ସେ ଔଷଧ ମଧ୍ୟ ସେବନ କରିଥାନ୍ତି । ଏକ ମାନବୀୟ ମୂଲ୍ୟବୋଧ ଉପରେ ପ୍ରଭୁଙ୍କ ଦୈନନ୍ଦିନ ଜୀବନଯାତ୍ରା ପରିଚାଳିତ ହୋଇଥାଏ । ମନୁଷ୍ୟ ଜୀବନର ଏକ ସକାରାତ୍ମକ ଚିତ୍ର ପ୍ରଭୁଙ୍କ ଜୀବନଚର୍ଯ୍ୟାରେ ପରିଲକ୍ଷିତ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟେକ କାର୍ଯ୍ୟ ସାଂସାରିକ ଜୀବନଶୈଳୀର ଏକ ନିଦର୍ଶନ ଭଳି ପ୍ରତୀୟମାନ ହୁଏ ।

ଓଡିଆ ଭାଷା ସାହିତ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଭାବ କିଛି କମନୁହେଁ । ଆଧୁନିକ ଓଡିଆ ଭାଷା ହେଉଛି ଏକ ବିବର୍ତ୍ତନ ରୂପ । ଏକାଦଶ କିମ୍ବା ଦ୍ଵାଦଶ ଶତାବ୍ଦୀରେ ଗଙ୍ଗବଂଶୀୟ ରାଜତ୍ଵ ସମୟରୁ ଚୋଡଗଙ୍ଗଦେବ ଶ୍ରୀମନ୍ଦିରରେ ମାଦଳାପାଞ୍ଜିର ପ୍ରଚଳନ କରାଇଥିଲେ । ଏଥିରେ ଶ୍ରୀମନ୍ଦିର ତଥା ଶ୍ରୀଜଗନ୍ନାଥଙ୍କ ସହ ଜଡିତ ସମସ୍ତ ତଥ୍ୟ, ଶ୍ରୀଜଗନ୍ନାଥଙ୍କ ରୀତି ନୀତି ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ସମସ୍ତ ବିବରଣୀ ଓଡିଆ ଭାଷାରେ ଉଲ୍ଲେଖ ରହିଛି । ଆଧୁନିକ ଓଡିଆ ସାହିତ୍ୟର ପିତା ଭାବରେ ଓଡିଶାର ଆଦିକବି ସାରଳା ଦାସ । ସେ ତାଙ୍କ ରଚନାବଳୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବୌଦ୍ଧ ଅବତାର ଭାବରେ ପ୍ରଣାମ ଜଣାଇ ଥିଲେ । ମାଦଳାପାଞ୍ଜି ଓ ସାରଳା ସାହିତ୍ୟର ଅନେକ ପୂର୍ବରୁ ପ୍ରାୟ ସପ୍ତମ ଶତାବ୍ଦୀରୁ ସୃଷ୍ଟି କରାଯାଇଥିବା ଓଡିଆ ସାହିତ୍ୟରେ, ପ୍ରଭୁ ଜଗନ୍ନାଥଙ୍କୁ ଗୁରୁ ଭାବେ ମଧ୍ୟ ବର୍ଣ୍ଣନା କରାଯାଇଛି । ଓଡିଆ ଭାଷାରେ ରଚିତ ଦୋହା ଗୁଡିକର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲେ ଶ୍ରୀଜଗନ୍ନାଥ । ସାରଳାଯୁଗ ପରେ ଅନେକ ଓଡିଆ କବିଙ୍କ କବିତାରେ ଶ୍ରୀଜଗନ୍ନାଥଙ୍କ ବିଷୟରେ ବର୍ଣ୍ଣନା ଗୁଡିକ ଦେଖିବାକୁ ମିଳେ । ରାମ ବିବାହ, ଗୁପ୍ତଗୀତା, ଲକ୍ଷ୍ମୀପୁରାଣ, କାଞ୍ଚି କାବେରୀ ଆଦି ରଚନାବଳୀ ଗୁଡିକ ଏହାର ଜ୍ଵଳନ୍ତ ନିଦର୍ଶନ । ଏସବୁ ଦୃଷ୍ଟିରୁ ବିଚାର କଲେ, ଜଗନ୍ନାଥ ସଂସ୍କୃତି ଦ୍ଵାରା ଆମ ଓଡିଆ ସାହିତ୍ୟର ସମୃଦ୍ଧିକୁ ଆମେ ଅସ୍ଵୀକାର କରିପାରିବା ନାହିଁ । ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ସମ୍ପୃକ୍ତ ସଂସ୍କୃତି ହିଁ ଏକ ବଳିଷ୍ଠ ମାନଦଣ୍ଡ ଅଟେ । ସାଂସ୍କୃତିକ ମୂଲ୍ୟବୋଧ ସାହିତ୍ୟକୁ ସରସ ସୁନ୍ଦର କରି ଗଢି ତୋଳିବାରେ ଏକ ବଳିଷ୍ଠ ଭୂମକା ଗ୍ରହଣ କରିଥାଏ । ସଂସ୍କୃତି ବ୍ୟତିରକେ ସାହିତ୍ୟର ରୂପାୟନ ଅସମ୍ଭବ । ଆଉ ସଂସ୍କୃତିର ଏହି ସମ୍ମୋହନ ଓ ବଳିଷ୍ଠ ପରିଚୟ ହିଁ ସାହିତ୍ୟ ଦ୍ଵାରା ସମ୍ଭବ ହୁଏ । ତେଣୁ ସାହିତ୍ୟ ଓ ସଂସ୍କୃତି ପରସ୍ପର ପରିପୂରକ ।
(୨୦୦୫ ମସିହାରେ ପ୍ରକାଶିତ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ଇଂରାଜୀ ସନ୍ଦର୍ଭ “Influence of Jagannath Culture on People of Odisha” ରୁ କିଛି ତଥ୍ୟ ଆଧାରରେ ଲିଖିତ । )

ପ୍ରବନ୍ଧଟି ସୁଖପାଠ୍ୟ ହୋଇପାରିଛି। କିନ୍ତୁ କ୍ଷମା କରିବେ; ପ୍ରାରମ୍ଭରେ ଉଲ୍ଲେଖ କରିଥିବା “ଭାରତୀୟ ସମ୍ପ୍ରଦାୟ” ମୋ ପକ୍ଷେ ଶ୍ରୁତିମଧୁର ହୋଇପାରୁନି। କାରଣ ସମ୍ପ୍ରଦାୟ ଏକ ସଙ୍କୁଚିତ ମୂଲ୍ୟବୋଧ ଉପରେ ଆଧାରିତ। ଏଣୁ ଏହାର ପ୍ରୟୋଗ ଫଳରେ ଆମ ସଂସ୍କୃତି ଓ ପରମ୍ପରା ନିଜର ବ୍ୟାପକତା ହରାଇବାର ଶଙ୍କା ମନରେ ଜାଗ୍ରତ ହେଉଛି। ପ୍ରାବନ୍ଧିକ ମହାଶୟ ଏଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ। ସଂଶୋଧନ ଆବଶ୍ୟକ –
ନିର୍ଦ୍ଧିଷ୍ଟ ଭୌଗଳିକ = ନିର୍ଦ୍ଦିଷ୍ଟ ଭୌଗୋଳିକ,
ସାହିତ୍ୟକୁ ସମୃଦ୍ଧି କରିବା = ସାହିତ୍ୟକୁ ସମୃଦ୍ଧ କରିବା
ପ୍ରଣାମ ସାର, ଆପଣଙ୍କ ସୁଚିନ୍ତିତ ମତାମତ ନିଶ୍ଚିତ ଭାବେ ଗ୍ରହଣଯୋଗ୍ୟ । ସ୍ୱାଗତ କରୁଛି, ଏବଂ ଏଥିପ୍ରତି ନିଶ୍ଚୟ ସଚେତନ ହେବି । ନିଶ୍ଚୟ ସଂଶୋଧନ କରିବାକୁ ଚେଷ୍ଟା କରିବି ।
ଅଶେଷ ଧନ୍ୟବାଦ ମହାଶୟ।
ସାହିତ୍ୟ ସ୍ରଷ୍ଟା ନିଜର ଅଜାଣତରେ ବେଳେବେଳେ କେତେକ ଅନିଚ୍ଛାକୃତ ତ୍ରୁଟି କରିବସେ। ପାଠକ ଓ ସମାଲୋଚକମାନେ ସହାନୁଭୂତିଶୀଳ ହୋଇ ଏଥିପ୍ରତି ଲେଖକର ଦୃଷ୍ଟି ଆକର୍ଷଣ କରିବାର ନୈତିକ ଦାୟିତ୍ଵ ନେଇଥା’ନ୍ତି। ଲେଖକ ମଧ୍ୟ ଅହଂଶୂନ୍ୟ ହୋଇ ତାହା ବିଚାରକୁ ନେଇ ନିଜର ମହାନୁଭବତାର ପରିଚୟପୂର୍ବକ ସର୍ବାନ୍ତଃକରଣରେ ଗ୍ରହଣ କରିବାନେବା ଉଚିତ।
ଆପଣଙ୍କୁ ପୁନଶ୍ଚ ସାଧୁବାଦ ଜଣାଉଛି।
ଠିକ କହିଛନ୍ତି । ଏହାଦ୍ୱାରା ଜଣେ ଲେଖକର ଦାୟିତ୍ୱବୋଧ ବଢିବା ସହିତ ତାର ସୃଷ୍ଟି ଗୁଡିକ ମାର୍ଜିତ ହୋଇପାରିବ । ଏଥିରେ ଅହଂ ଭାବ ପୋଷଣ କରିବାର ପ୍ରଶ୍ନ ହିଁ ଉଠୁନି ।
Nice post
ଧନ୍ୟବାଦ
Nice
ଧନ୍ୟବାଦ