ମୋ ଗାଁ ମୋ ମାଆ – ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଲେଖକ ପରିଚୟ

ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଶ୍ରୀକ୍ଷେତ୍ର ବିହାର, ଆଇଗିଣିଆ, ଭୁବନେଶ୍ୱର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

କେଡେ ମନୋହର କି ଅମୃତମୟ
ଏ ଜନମ ମାଟି ମୋର
ବଡ ଭାଗ୍ୟବାନ ପାଇଅଛି ସ୍ଥାନ
ପାଇଛି ପରସ ତାର ।
ଭୂଗୋଳ ବହିରେ ମାତର ବିନ୍ଦୁଏ
ମୋର ଗାଆଁ ମୋର ମାଆ
ଯେଉଁ ଗାଆଁଟିରେ ଜନମ ମୋହର
ନାମ ତାର “ତିଗିରିଆ” ।
ତା ମାଟି ପବନ ବିସ୍ତୃତ ଆକାଶ
ପିଇ ସେହି ମାଟି ଜଳ
ଏନ୍ତୁଡିରେ ପାଇ ମୋ ବୋଉର ସେକ
ପାଇଛି ଦେହରେ ବଳ ।
ପ୍ରଭୁ ଜଗନ୍ନାଥ ଲୀଳା କରୁଛନ୍ତି
ମୋ ଗାଆଁ ମାଟିରେ ରହି
“ପ୍ରସନ୍ନମଣି” ସେ ନାମ ବହିଛନ୍ତି
ସଭିଙ୍କ ଆରାଧ୍ୟ ସେହି ।
ପନ୍ଥେଇ,ମଙ୍ଗଳା ଜଗି ରହିଛନ୍ତି
ବିପଦ ବେଳରେ ସାହା
ପ୍ରଭୁ “ଶଙ୍କର୍ଷଣ” ଆଶିଷ ବଳରେ
ପାଇଅଛୁ ଆମେ ରାହା ।
ମାଆର ପରଶେ ହୋଇଅଛୁ ବଡ
ଦେଇଛୁ ତାକୁ କଷଣ
ଯେଉଁଠାରେ ଥାଏ ଭୁଲିବା କଠିନ
ମୋ ମାଆର ଆକର୍ଷଣ ।
ଯିଏ ବି ଯେଉଁଠି ରହିପାରେ ଯାଇ
ଜନମ ମାଟିର ମୋହ
ସେକଥା ଭାବିଲେ ଦେହ ରୋମାଞ୍ଚିତ
ଆସୁଛି ମନରେ କୋହ ।
ସ୍ବର୍ଗଠାରୁ ବଡ ଅଟେ ମୋର ମାଆ
ପାଇଛି ତା କୋଳେ ସ୍ଥାନ
ମୋ ଗାଆଁ ଶ୍ମଶାନେ ଆଶା ମୁଁ ବାନ୍ଧିଛି
ହୋଇବାକୁ ଦିନେ ଲୀନ ।

Leave a Reply

Your email address will not be published. Required fields are marked *