ବଞ୍ଚିବାକୁ ମନା ତାକୁ – ନିଶିକାନ୍ତ କହଲସିଂହ
ଥାଳପାତି ମାଗୁଥାଉ ପେଟ ପାଇଁ
ଦୁଇମୁଠା ଅନ୍ନ
ସୁବାସିତ ଫୁଲବର୍ଷା ହେଉଛି ତ
ଆକାଶ ମାର୍ଗରୁ,
ଫୁଲରେ ଭରିଲେ ଥାଳ ମରେନା ତ
ଜଠର ଜ୍ଜ୍ଵଳନ
ତଥାପି ସେ ଚାହିଁଥାଉ ଦେବତା କେ ଆସିବେ ସ୍ଵର୍ଗରୁ ।।
ଦାଦନ ଦୁଃଖୀର ଗୋଟେ ଇଜ୍ଜତ ବା
ନିଜତ୍ୱ କି ଥାଏ
ସୁନାଖରା-ରୁପାଜହ୍ନ ଦିନ-ରାତି
ଯା’ ଘର କୁଣିଆ,
ମିଠା ଭାଷଣବାଜିରେ ତା ଜୀବନେ
କିବା ଆସେ ଯାଏ
ଲୁହ, ଝାଳ ସବୁ ଯା’ର ସମୁଦ୍ରର
ଜଳଠୁ ଲୁଣିଆ ।।
ଉଦ୍ଧାରିଲେ ଉଦ୍ଧାରୁ କେ ଦାଦନର
ଚଉଦ ପୁରୁଷ
ଭୁଲିଛି ଯେ ନିଜ ନାଆଁ, ଛାଡିଛି ଯେ
ନିଜ ଭିଟାମାଟି,
ବଞ୍ଚିବାକୁ ମନା ତାକୁ, ମରିବାକୁ
ମିଳେନାହିଁ ବିଷ
କିଣିଛି ସେ ପାଟିପାଇଁ ତାଲା ଆଉ ପିଠିପାଇଁ ଲାଠି ।।
ଯା’ ଲୋହିତ ରକ୍ତ ଏଠି ମଦଠାରୁ
ମିଳୁଛି ଶସ୍ତାରେ,
ମରିଲେ ମରୁ ସେ କ୍ଷୂଧା-କରୋନାର ଦୋଛକି ରାସ୍ତାରେ ।।
ଲୋକିପୁର, ଗଡ଼ମାଣତୀର, ଖୋର୍ଦ୍ଧା
ଦୂରଭାଷ – ୯୯୩୭୯୫୩୫୨୬
