ଜେଜେଙ୍କ ବଙ୍କୁଲୀ ବାଡ଼ି ଓ ବାପା – ଡକ୍ଟର ଲକ୍ଷ୍ମଣ ସାହୁ

ଲେଖକ ପରିଚୟ

ଡକ୍ଟର ଲକ୍ଷ୍ମଣ ସାହୁ
ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, ମହାନଦୀବିହାର, କଟକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 30 ଜଣ ପାଠକ ପଢି ସାରିଛନ୍ତି

କିମ୍ବଦନ୍ତୀ, ଇତିହାସ, ପୁରାଣ କି ଲୋକ କଥା ନହୋଇ ପାରେ, କିନ୍ତୁ ଗପ ହେଲେବି କଥାଟି ସତ । ସକାଳ ପାଇ ଆସିଥିଲା, ବାପା ଗଡ ଲେଉଟାଇ ଧୀରେ କହିଲେ “ତୋ ବୋଉ ଆସିଛି, ସେ ମୋତେ ଦେଖା ଚାହାଁ କରିବ, ଆଉ କେତେ ଦିନ ଛୁଟି ନେଇ ରହିବୁ, କଲେଜରେ ଥରେ ବୁଲି ଆସେ ।” ବୋଉ ଓ ଭାଇଙ୍କ ସମର୍ଥନ ପାଇ କଲେଜ ଆସିଲି । ପିଲାଙ୍କ ଟେଷ୍ଟ ଚାଲିଥିବାରୁ, ଭୋକେସନାଲ ପିଲାଙ୍କୁ ପଢାଇବାକୁ ସିଆରଆଇ ଗଲି । ରାସ୍ତା ଭିଡ, ଚାହିଁ ଦେଖିଲି ଗୋଟିଏ ବିରାଟ ପଟୁଆର, ବାଜା, ଖଇ, ପଇସା, ଲାଲ ଫଗୁରେ ଚାରିଆଡ ଧୂମାଳ ପାଲଟି ଯାଉଥିଲା । ‘ ରାମ ନାମ ସତ୍ୟ ହେ ‘ ଗଗନ ପବନ କମ୍ପାଇ ଦେଉଥିଲା, ଦେଖିଲି ଜଣେ ଆଖପାଖ ଜଣାଶୁଣା ବଡଲୋକର ହୃଷ୍ଟପୁଷ୍ଟ ଡଉଲଡାଉଳ ୩୦/୩୫ ବର୍ଷ ଯୁବକର ଆକସ୍ମିକ ମୃତ୍ୟୁ ଘଟିଛି । ମନଟା ବିରସ ପାଲଟି ଗଲା, ତା’ ସତ୍ତ୍ୱେ କ୍ଳାସରେ ପହଞ୍ଚିଲା ପରେ ପିଲାମାନେ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘କବିତା ସବୁଠାରୁ ବଞ୍ଚିତ କରି..’ ପଢାଇବାକୁ କହିଲେ, ମନଟାକୁ ଅଧିକ ବିରସ କରି ଦେଲା । କାହିଁକି କେଜାଣି ମନଟା ଖରାପ ଲାଗିଲା, ଫେରି ଆସିଲି ଟ୍ରେନକୁ । ଟ୍ରେନ ଛାଡିଲା ବେଳକୁ ଆଖି ପତା ନଇଁ ଆସିଲା ବେଳେ ଅତୀତ ମୋ ପାଖରେ ଆସି ଦଣ୍ଡାୟମାନ ହେଲା, ମେଞ୍ଚାଏ ଛେପ ଛାତିରେ ପକାଇ ଦେଇ ଅତୀତକୁ ସାଉଁଟି ନେଉଥିଲି । ସେଦିନର କଥା ଧୀରେ ଧୀରେ ଆଖି ସାମ୍ନାରେ ନାଚି ଗଲା..!!

ଦୀର୍ଘ ଦିନ ପରେ ଗାଁ’କୁ ବସରେ ଯିବାର ମାଦକତା ଅବଦମନ କରି ପାରି ନଥାଏ । ବାପା ଓ ବୋଉର ତାଗିଦ ତୁ ଗାଁ’କୁ କେବେ କଷ୍ଟକରି ଆସେନା । କିନ୍ତୁ ସେଦିନ ବୋଉ ମୁହଁ ବାରମ୍ବାର ଆଖିରେ ପଡିବାରୁ ବାହାରି ଗଲି । ବସର କଣ୍ଡକ୍ଟର ଭିଡ ଭିତରେ ସିଟ୍ ଟିଏ ଦେବାରୁ, ତାଙ୍କୁ ଧନ୍ୟବାଦ ଦେଲି । ଅଥଚ ସେ ହସିଦେଲେ , କାରଣ ବୁଝିବା ଅବସ୍ଥାରେ ନଥିଲି । ଗାଁ ବସ୍ , ବସ୍ ପୁରା ଖୁନ୍ଦାଖୁନ୍ଦି , ଅଣନିଶ୍ୱାସ ଲାଗୁଥିଲେ ବି ବସ୍ ର କଡ ଝରକା ପାଖରେ ବସିଥିବାରୁ ଆଶ୍ୱସ୍ତ ଲାଗୁଥିଲା । ଧୈର୍ଯ୍ୟ ଚ୍ୟୁତ ଘଟିବା ପୂର୍ବରୁ ହର୍ଣ୍ଣ ବଜାଇ ବସଟି ଗନ୍ତବ୍ୟ ସ୍ଥଳରୁ ଗଡିବା ଆରମ୍ଭ କଲା । ହୋହାଲ୍ଲା , କେଁ କାଁ ଶବ୍ଦରେ ବସଟି ସାରା ହୁଲ୍ ସ୍ତୁଲ୍ କମ୍ପୁଥିଲା । ଘୋ ଘୋ ଶବ୍ଦରେ କାନଦ୍ୱୟ ସବ୍ଧପାଲଟି ଯାଉଥିଲା । ଧୀର ମନ୍ଥର ଗତି ହେଲେ ବି ଖୋର୍ଦ୍ଧା ଟପି ବସଟି କିଛି ଷ୍ଟପଜ ଗଲା ପରେ ବସ୍ ରୁ ଭିଡ କମିକମି ଆସୁଥିବା ବେଳେ ମୋତେ କେନ୍ଦ୍ର କରି ଏକ ମୃଦୁ ଗୁଞ୍ଜୁରଣ ଆରମ୍ଭ ହୋଇଗଲା । କିଏ ଜେଜେ ନାତି କିଏ ବାପାଙ୍କ ପୁଅ କହି ଅନାଉଥିବା ବେଳେ ମୁଁ ଇତସ୍ତତଃ ହୋଇ ପଡୁଥିଲି । ଆଲୋଚନା ସରଗରମ ହେଲା । ଜେଜେଙ୍କ ବଙ୍କୁଳୀ ବାଡିକୁ ନେଇ ।

ମୋ ଜନ୍ମର ପାଞ୍ଚ ସାତଟି ବର୍ଷ ପରେ ଜେଜେ ଆଉ ନଥିଲେ । ତାଙ୍କର ଲମ୍ବା , ଚଉଡା ମୋଟା ତମ୍ବା ବର୍ଣ୍ଣ ପ୍ରଶସ୍ଥ ଛାତି , ଘନ ଗହରା କେଶ , ବାଘୁଆ ନିଶ , ରାଜକୀୟ ଆକୃତି ମୋତେ ଅସ୍ପଷ୍ଟ ଥିଲା । ଜେଜେ ଥିଲେ ବଦରାଗି , ଏକ ଜିଦିଆ , ନଛୋଡବନ୍ଧା ସାଢେ ଛ ‘ଫୁଟର ମଣିଷ । ତାଙ୍କର ଚାରି ଫୁଟର ନୋଳି ଲଗା ବଙ୍କୁଳୀ ବାଡିକୁ ଏବେବି ବୋଉ ଲୁଚି ଲୁଚି ପୂଜା କରେ । ବଙ୍କୁଳୀ ବାଡିଟା ଜେଜେଙ୍କର ନୁହେଁ , ଜେଜେଙ୍କ ଜେଜେଙ୍କ କୋଉ ସାତପୁରୁଷର ଇତିହାସ , ସମ୍ମାନର ପ୍ରତୀକ । ପୁରୁଷାନୁକ୍ରମେ ସେଇ ବାଡିକୁ ନେଇ ଆଖପାଖ ଚାରି ପାଞ୍ଚଟି ମୌଜାର ମାମଲାତି କରି ଆସୁଥିଲେ ଜେଜେ । ବେଳେବେଳେ ଗଡଜାତ ରାଜାଙ୍କ ପାଖକୁ ଘୋଡାରେ ବସି ଯିବା , ରାଜାଙ୍କ ସହ ମନ୍ତ୍ରଣା କରିବା , ପାରିଧି କରିବା କୁଆଡ଼େ ଜେଜେମାନଙ୍କ ସଉକ ଥିଲା । ଚାରି ପାଞ୍ଚଟି ମୌଜାର , ଅଖଣ୍ଡ ମୁଲକର ଜେଜେ ମାନେ ଥିଲେ ହର୍ତ୍ତାକର୍ତ୍ତା , ଦଇବ ବିଧାତା । ବଙ୍କୁଳୀ ବାଡିଟି ଥରେ କଚାଡି ଦେଲେ ଏକଜୁଟ ଥିବା ଜନତା ଥରହର ହେଉଥିଲେ । କୋଉଠି ପୋଖରୀ ଗାଡିଆ ଖୋଲିବା , କୋଉଠି ଶିକାର ପାଇଁ ମଞ୍ଚା ବନ୍ଧା ହେବ , ଆଡି ବନ୍ଧ , ଦେଉଳ ତୋଳା , ଚୂନ ଲାଗିବ , ଚାଷ ଠାରୁ ଆରମ୍ଭ କରି କୂଅ ଉଝୁଳା , ମାଛଧରା , ଆମ୍ବ ତୋଳା , ଭୋଜି ଭାତ , ଯାନିଯାତ୍ରା , ନ୍ୟାୟ ନିସାପ ଆଦିରେ ଜେଜେ ମାନଙ୍କ ହୁକୁମ ମାନିବା ଶିରୋଧାର୍ଯ୍ୟ ଥିଲା ।

ଜେଜେମାନଙ୍କ ବହପ କମ୍ ନଥିଲା । ଚାରି ପାଞ୍ଚ ଖଣ୍ଡ ମୌଜାରର ଚାରିକଡରେ ପଡିଆ , ଗୋଚର ଅନାବାଦୀ ସବୁ ଜମିର ମାଲିକାନା , ଜାଣେ ନାହିଁ ସେସବୁ ତାଙ୍କ ନାମରେ କାଗଜ ପତ୍ର , ପଟ୍ଟା ପାଉତି ଥିଲା କି ନାହିଁ । କିଛି ସବର୍ଣ୍ଣ ଅସବର୍ଣ୍ଣଙ୍କୁ ନେଇ ଗୋଷ୍ଠୀ କରି ନାନା ଧମକ ଚମକରେ ତାଙ୍କ କଡା ଶାସନ । କାହିଁ ଶୀତ କାକର , ଖରା , ବର୍ଷା , ପଞ୍ଛାଏ ଜେଜେଙ୍କ ପାଖରେ ପିକା ଟାଣି ବାଘୁଆ ନିଶକୁ ମୋଡି ଗଁଗଁ ହେଉଥିବା ଶୁଣିଛି । ଶୁଣିଛି , କଥାଟା ଅପସନ୍ଦ , କର୍ଣ୍ଣ କଟୁ ହେଲେ ବି ସାତ ମୁଲକର ସାତ ସାତ ରହଣି ପାଇଁ ଜେଜେଙ୍କ ସ୍ୱତନ୍ତ୍ର ଜଣେ ଜଣେ ରକ୍ଷିତା ଥିଲେ । ଜେଜେ ଗଲେ ସେମାନେ ପାରୁପର୍ଯ୍ୟନ୍ତ ତାଙ୍କର ଦେହ ସୁଖଠାରୁ ଆଉ ଯେତେ ସବୁ ଭଲ ମନ୍ଦ ବୁଝୁଥିଲେ । ମୋର ମନେ ପଡିଯାଏ , ଫକୀରମୋହନଙ୍କ ଛମାଣ ଆଠଗୁଣ୍ଠ ଉପନ୍ୟାସର ମଙ୍ଗରାଜଙ୍କ ଚରିତ୍ର । କିନ୍ତୁ , ଜେଜେ ସେମିତି ନଥିଲେ । ତାଙ୍କର ଭଲଗୁଣ ଜେଜି ମା’ଙ୍କୁ କେବେବି ଥରେ ଅବହେଳା କରୁନଥିଲେ । ଚମ୍ପା ପରି ରକ୍ଷିତା କି ଦାସୀ ପୋଇଲି ନଥିଲେ । ଥିଲେ ଅସହାୟ , ସ୍ୱାମୀ ପରିତ୍ୟକ୍ତତା , ନିର୍ଯ୍ୟାତିତ , ଅସହାୟ ,ନାରୀ ଯେଉଁମାନେ ବିନାଦିଗ୍ଧାରେ ଜେଜେଙ୍କ ସହଚର୍ଯ୍ୟା ଆଶା କରୁଥିଲେ । ସେମାନଙ୍କ ଆସିବା ଯିବା ସବୁକିଛି ଜେଜିମା ବୁଝୁଥିଲେ । ପୁଅଟି ପାଇବା ଆଶାରେ ଜେଜୀ ମାଙ୍କ ସାତସାତଟି ଝିଅ ଜନ୍ମ କରିବା ରହସ୍ୟ ଜେଜେ ଜେଜିଙ୍କୁ କେତେ ଭଲ ପାଉଥିଲେ । କାହାଠାରୁ କଣ ଶୁଣି ଜେଜେଙ୍କ ପୁରୁଷ ପଣିଆକୁ ସଂଦେହ କରୁନଥିଲେ ।

ବାପା ଏ ଘରକୁ ପୋଷ୍ୟ ପୁଅ ହୋଇ ଆସିଥିଲେ । ଯଦିଓ ବାପା ଏଘରର ସଂପତ୍ତିର ଲୋଭ ନେଇ ନୁହେଁ । ବାପାଙ୍କ ବାପା ( ଜେଜେ ) ଓ ଏଘରର ଜେଜେଙ୍କ ସହ ବନ୍ଧୁତ୍ୱ ସୂତ୍ରରେ ଥିଲେ । ବାପା ଥିଲେ ଦୁଇ ଭାଇ , ପୁଣି ବାପାଙ୍କ ବାପା ( ଜେଜେ )ଙ୍କ ଦୁଇ ପତ୍ନୀ ଓ ଉଭୟଙ୍କ ପୁତ୍ର ସନ୍ତାନ ଯୋଗୁଁ ଜେଜେ ବାପାଙ୍କୁ ତାଙ୍କର ମିତ୍ରଙ୍କ କଥା ଭାଙ୍ଗି ନପାରି ବାପାଙ୍କୁ ଜେଜେଙ୍କ ହାତରେ ଟେକି ଦେଇ ଥିଲେ । ଧନ ସଂପତ୍ତିରେ ଜେଜେ ଦ୍ୱୟ କମ୍ ନଥିଲେ , କେବେ ବିବାଦ ଘେରରେ ନଥିଲେ । କୁହାଯାଏ ବନ୍ଧୁ ହେବତ ଏପରି , ମହାଭାରତର ସୂତ୍ରଧର କୃଷ୍ଣ ବା ମହାଦାନୀ ବୀରଶ୍ରେଷ୍ଠ କର୍ଣ୍ଣ ଭଳି । ଜଣେ ଅସ୍ତ୍ର ନଧରି ଧର୍ମ ପଥିକ ସଖାମାନଙ୍କ ଜୀବନ ରକ୍ଷାର ପଣ ନେଇ ଥିଲେ , ଆଉ ଜଣେ ଅସ୍ତ୍ର ଧାରଣ କରି ଅଧର୍ମର ପଥିକ ଦୁର୍ଯ୍ୟୋଧନର ବନ୍ଧୁ ସାଜି ନିଜ ଭାତ୍ରୃମାନଙ୍କ ବିପକ୍ଷରେ ମହାଭାରତ ଯୁଦ୍ଧରେ ମୃତ୍ୟୁ ପର୍ଯ୍ୟନ୍ତ ବନ୍ଧୁଙ୍କ ହାତ ଛାଡି ନଥିଲେ । ସେଭଳି ରହସ୍ୟମୟ ଏ ଦୁଇ ବନ୍ଧୁ । ଦୁଇ ବନ୍ଧୁ ନିଜ ନିଜର ବଙ୍କୁଳୀ ବାଡି ଧରି ମୁହାଁମୁହିଁ ହୁଅନ୍ତି । ଜଣେ ଦୁଇ ଚାରିଟା ଦିନ ଗାଁରେ ନଥିଲେ , ଅପର ବନ୍ଧୁ ବନ୍ଧୁଙ୍କୁ ଖୋଜି ଆଣିବା , ବିଚିତ୍ର ଲାଗେ , ମାନ ଅଭିମାନ ଭାଙ୍ଗି ପୁଣି କୋଳାକୋଳି ପର୍ବ । ଦାନ ଧର୍ମ , ପୋଖରୀ ଖୋଳା , କୂପ ଖୋଳା , ମନ୍ଦିର , ଚଉରା , ଚଉପାଠି , କୋଠ ଘର , କୋଉ ମନ୍ଦିରରେ , ଘଣ୍ଟ ଘଣ୍ଟି ମନ୍ଦିରରେ ଦାନ କରିବା , ପୁରୀ ଜଗନ୍ନାଥ ବାଇଶ ପାହାଚରେ ପଥର ପକାଇବା ଜେଜେଙ୍କ ଧର୍ମ ବିଶ୍ୱାସର ସଙ୍କେତ ଦିଏ । ଗାଁ’ ମୁଣ୍ଡରେ ନିଆଁ , ବାତ୍ୟା ପବନରୁ ରକ୍ଷା କରିବା ନିମନ୍ତେ ବରଗଛ ଲଗାଇବା , ବର ଓସ୍ତ ବିବାହ କରିବା ଆଦି ଭୂମିକା ନିର୍ବାହ କରି ଚାରିଆଡେ ନିଜର ଯଶ ବଢାଉଥିଲେ । ଗାଁର ଜାନି , ଯାତ୍ରା , ଝାମୁ ଯାତ୍ରା ଠାରୁ ଦୋଳ ଯାତ୍ରା , ସଂଧ୍ୟାରେ ପୁରାଣ ପଢା , ଯନ୍ତାଳ , ରାଜାଙ୍କ ବେଠି , ଏସବୁ ସେ ନିଜେ ତଦାରଖ କରୁଥିବା ବେଳେ ବାପାଙ୍କୁ କୌଣସି ପ୍ରକାର କାର୍ଯ୍ୟ କରିବା ଦେଉ ନଥିଲେ । ବାପା ଥିଲେ ଜେଜେ – ଜେଜିମାର ଆଖି , ତାଙ୍କୁ କେହି ପଦେ କହିପାରୁନଥିଲେ , ଯେହେତୁ ସମସ୍ତଙ୍କ ଜେଜେଙ୍କ ବଙ୍କୁଳୀ ବାଡିର ଭୟ ଆତଙ୍କିତ କରୁଥିଲା ।

ମୋ ଜନ୍ମର ଜେଜେଙ୍କ ବୟସ ନଥିଲା , ଜେଜିମା ‘ ଚାଲିଯିବାର ଠିକ୍ ବର୍ଷିକିଆ ଦିନ ସଂଧ୍ୟାରେ ଜନ୍ମ । ବୋଉଠୁ ଶୁଣିଛି ସ୍ୱାଧୀନତା ପରବର୍ତ୍ତୀ ରାଜାଙ୍କ ଶାସନ ଚାଲିଯିବା ସହ ଜେଜେଙ୍କ ଗାଁ ମାମଲାତି ଚାଲିଗଲା । ଜେଜେଙ୍କ ଅଖଣ୍ଡ ମୂଲକ ଜମିବାଡି ସବୁ ଗଲା , କିଏ କେତେ ମାଡି ବସିଲେ , ବଙ୍କୁଳୀ ବାଡ଼ିର କରାମତି କାମ କଲାନାହିଁ । ଜେଜେଙ୍କ ଯୁଆନ୍ ବୟସର ଗରମ ରକ୍ତ ଆଉ ନଥିଲା , ତା’ସତ୍ତ୍ୱେ ତାଙ୍କ ହାତମୁଠାରେ ଥିବା ସିପାହୀ ଆଉ ନଥିଲେ । ଜେଜେ ବେଶୀ ଭାଙ୍ଗି ପଡ଼ିଥିଲେ , ତାଙ୍କ ଅଜଣାରେ ବିଶ୍ୱାସ ଜମାଇଥିବା ଶାଳକମାନେ ସବୁ ଦୂର ପ୍ରାନ୍ତର ଜମିକୁ ନିଜ ନାମରେ କରାଇନେବା । ସାତସାତଟି ଝିଅକୁ ସାଧବ ମହାଜନ ଘରେ ବିବାହ ଦେଇ ଅର୍ଥ କାଙ୍ଗାଳ ହୋଇପଡୁ ଜେଜେ ମାନସିକ ସ୍ଥିତି ହରାଇ ପଡିଥିବା ବେଳେ ଜେଜିମାର ମୃତ୍ୟୁକାଳୀନ ଦୁଃଖ ତାଙ୍କର ବୟସ ଖସାଇ ଦେଇଥିଲା ବେଳେ ଝିଅମାନେ ଜେଜେଙ୍କ ପୋଷ୍ୟ ପୁଅ ବାପାଙ୍କ ଠାରୁ ଭାଗନେବାକୁ ଅଡି ବସିବା ଓ ବାପା ଜେଜେଙ୍କୁ କୋର୍ଟ କଚେରୀକୁ ଟାଣି ନନେଇ ସବୁ ଭାଗ ଭାଗ କରି ଦେଇଦେବା । ଜେଜେ ନିରୁପାୟ ଥିଲେ , ସାତପୁରୁଷର ତାଙ୍କ ବାପ ଗୋସିବାପ ଅମଳର ଖାମଦାନୀ , ବଙ୍କୁଳୀ ବାଡିର କରାମତି ଦୁର୍ବଳ ହୋଇ ପଡୁଥିବା ଦେଖି ..!!! ବୋଉ କହେ ପିଲା ବେଳେ ଜେଜେଙ୍କ ଘରକୋଣରେ ଥିବା ବଙ୍କୁଳୀ ବାଡି ଲୁଚି ଲୁଚି ମୁଁ ଧରି ଆସିଲେ ସେ ରାଗେ , ଛଡାଇ ନିଏ , ମୁଁ କାନ୍ଦେ ..!! ଜେଜେ ହସି ଦେଇ କହନ୍ତି – ” ବୋହୂ ମା , ଚଗଲା ପିଲାଟା , ଅବୁଝା , ବଗୁଲିଆ ବୁଝୁନି ତ ବାଡି ମୋ ନାତିକୁ ଦେଇ ଦିଅ , ଆଉ ସେ ବାଡିର କଣ ‘ ପ୍ରୟୋଜନ ଅଛି । ଏଘରେ ଏଇ ନାତି ଟୋକା ଦିଟାର ହସ ଦେଖିବି ବୋଲି କେତେ ବାଳଭୋଜି ପିଲାଙ୍କୁ ଦେଇଛି ..!!

ମୁଁ ‘ ଥିଲି ମୋ ଭାଇ ଓ ଦୁଇ ଭଉଣିଙ୍କ ପରେ ଚତୁର୍ଥ ନମ୍ବର । ଜେଜେଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ , କିନ୍ତୁ ଶେଷ ପର୍ଯ୍ୟନ୍ତ ମୁଁ ‘ ତାଙ୍କ କୋଳ ଛାଡି ନଥିବା ବୋଉ କହେ । ଏପରି ଶେଷ ସମୟରେ ରାତ୍ରି ଭୋଜନ ପରେ ସାମାନ୍ୟ ଅସୁସ୍ଥ ନଥିବା ଜେଜେ କେମିତି ବିଶ୍ରାମ ନେବାକୁ ବିଛଣା ସଜାଡୁ ସଜାଡୁ ଛାତି ଯନ୍ତ୍ରଣା କହି ଟଳି ପଡିଲେ । ସାରା ଗାଁ’ ଓ ଆଖପାଖ ଗାଁ ସେଦିନ ଅନିଦ୍ରା ରହି ଆଖିରୁ ଲୁହ ବୁହାଇ ଟୋକେଇରେ ବୁହା ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଶୁଣିଲେ ଦେହ ଶିତେଇ ଯାଏ । ରାମ ନାମ ସତ୍ୟ ‘ ଧ୍ୱନିରେ ଗାଁ ଦାଣ୍ଡ ଉଛୁଳି ପଡିଲା , ଜେଜେଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସବୁ ବୁହା ହୋଇ ଶ୍ମଶାନ ଗଲା । ତାଙ୍କ ବଙ୍କୁଳିବାଡି ଖୋଜା ଗଲା ।

ପରେ ବହୁ କଷ୍ଟରେ ବୋଉ ତାକୁ ସାଇତି ଲୁଚେଇ ଦେଇ ଥିବା ସ୍ୱୀକାର.. କଲା । ଘରର ବୋହୂ ପଣରେ ନିତି ଦିନ ଇଶାଣରେ ଫୁଲ ଦେଇ , ଚଉରା ତୁଳସୀ ମୂଳେ ପାଣି ଦେଇ ନିବୁଜ୍ କୋଠରୀର ଚାବି ଖୋଲି ବଙ୍କୁଳିବାଡିକୁ ଦେଖେ । ଲାଲ ଛିଟ କପଡ଼ାରେ ଟିକେ ପୋଛି ଅଗୁର କର୍ପୂର ମିଶ୍ରିତ ପୋଲାଙ୍ଗ ତେଲରେ ପୋଛି କଜଳ ସିନ୍ଦୂର ଟୋପା ଲଗେଇ ଫୁଲଟି ଦେଇ ଓଢଣା ଟାଣି ପ୍ରଣିପାତ କରେ । କୋଠରୀରୁ ବାହାରି ଆସିଲା ବେଳେ କଦାଶ୍ଚ କେତେବେଳେ ସାମ୍ନାରେ ବୋଉକୁ ଭେଟିଲେ ତାର ଆଖି ଲୁହ ଝରୁଥିବା ଦେଖି ପଚାରିବାକୁ ଭୟ ଲାଗେ ..!!!

ମନେ ମନେ ଭାବେ ଏମିତି ଏବଙ୍କୁଳି ବାଡ଼ିର ଇତିହାସକୁ ବିଚାରୀ ବୋଉ କେତେ କାଳ ତା’ ଛାତିରେ ସାଇତି ରଖିବ..???

( ୨ )

ଘର ଛାଡି କଲେଜରେ ପଢିବା ବେଳେ ବୋଉ କି ବାପାଙ୍କ ଅନୁପସ୍ଥିତି କେବେ ଅନୁଭବ କରି ପାରୁନଥିଲି । କାରଣ ଅତି ସହଜ ମୁଁ ଭାଇ ଭାଉଜଙ୍କ ପାଖରେ ରହୁଥିଲି । ସବୁ ଦାୟିତ୍ୱ ଭାଇ ବୁଝୁ ଥିଲେ , ତା’ ସତ୍ତ୍ୱେ ଘରକୁ ଗଲେ ବାପାଙ୍କ ବିଷର୍ଣ୍ଣ ମୁଖ ଦେଖି ବିଚଳିତ ହୋଇ ପଡୁଥିଲି । ବୋଉକୁ ପଚାରିଲେ ବୋଉ କିଛି କହେନି , କେବଳ କହେ ” ଜେଜେ ଗଲା ପରେ ତୋ ବାପାଙ୍କ ଉପରେ ସବୁ ବୋଝ । ଆଗପରି ଜମି ବାଡିରୁ ଅମଳ ସେମିତି ନାହିଁ , ଭାଗଚାଷୀ ମାନେ ଜମି ପଡିଆ ପକାଇ ଦେଲେନି । ଘର ଜମିବାଡ଼ି ବୁଝୁଥିବା ହଳିଆ ଛାଡି ପଳେଇ ଗଲେଣି । ଆୟ ଠାରୁ ବ୍ୟୟ ଅଧିକ , ସାତସାତ ଭଉଣୀଙ୍କ ଯିବା ଆସିବା , ଗହଳି ଚହଳ , ଭଲମନ୍ଦ ଏକଲା ମଣିଷ ବୁଝିବେ କହିଲୁ ।”

ସତରେ ଭାଇଙ୍କ ଅଧ୍ୟାପକ ସରକାରୀ ଚାକିରୀ , ସେତ ସମୟ ଦିଅନ୍ତି ନାହିଁ । ସାତ ପିଉସୀ ନାନୀ ଓ ମୋ ଦୁଇ ବିବାହିତ ଭଉଣୀ ତଥା ଅନ୍ୟ ସବୁ ବନ୍ଧୁ ବାନ୍ଧବଙ୍କ କଥା , ବିଲବାଡି , ଗାଁ ବେଠି ସବୁ ସମ୍ଭାଳି ଥିବା ବାପାଙ୍କୁ ଧନ୍ୟ କହିବ ।” ତେବେ ଏଥିପାଇଁ କେବେବି ବିଚଳିତ ନୁହନ୍ତି , ତାଙ୍କ ବିଷାଦର କାରଣ ଜାଣିବା ମଧ୍ୟ ସହଜ ନୁହେଁ । ଭାଇଙ୍କର ଘରକୁ ଯିବା ଆସିବା ଯେହେତୁ କମ୍ ସେ ବାପାଙ୍କ ଉଦାସ ମୁହଁ ଦେଖିବା ସହଜ ହୁଏନି ।

ସେତେ ଅର୍ଥର ଅଭାବ ନଥିଲା , ଭାଇଙ୍କ ପଢିବା ସମୟରେ ସାମାନ୍ୟ ଅଭାବ ପାଇଁ ଭାଇ ଜାଣି ଶୁଣି ମେଡ଼ିକାଲ ଛାଡି କଳା ସାହିତ୍ୟର ଛାତ୍ର ଥିଲେ ଓ ପଢିବା ସମୟରୁ ସରକାରୀ ଚାକିରି ତାଙ୍କର ଥିଲା । ସେଭଳି କିଛି ନଥାଇ ବାପା ଉଦାସ ରହୁଥିଲେ । ବୋଉକୁ ପଚାରିଲେ , ସେ କେବଳ ମିଛ ବିନା ଆଉ କଣ କହିବ , ପୁଣି କଥା ବାଁରେଇ ପାଟି କରି କହିବୁ ” ତୁ ପିଲା , କିଛି ଜାଣି ପାରୁନୁ , ଏଣୁତେଣୁ କୁଡାଏ ..।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍ ଏ ଶେଷ କଲା ପରେ , ଘରେ କିଛି ମାସ ଥିଲି । ବାପା ସବୁବେଳେ ମୋ ପାଇଁ ବ୍ୟସ୍ତ , ସ୍ନାନ କରିବାକୁ ସାଙ୍ଗମାନଙ୍କ ସହ ପୋଖରୀ ଯିବା ମୋତେ ମନା । ମୋର ଖାଇବା ଡେରି ହେଲେ ବୋଉ ସହ ପାଟି , ଭଲ କେମିତି ଖାଇବି ଉଭୟ ଦୃଷ୍ଟିରେ ଦିଅନ୍ତି , କହନ୍ତି , ସାନ ସବୁଠାରୁ ଗେଲରେ ରହିବା ଦରକାର । ଯେଉଁ ଦିନ କେନ୍ଦୁଝରର ଉଖୁଣ୍ତା କଲେଜରୁ ନିଯୁକ୍ତି ପତ୍ର ପାଇଲି , ବାପାଙ୍କ ବିରକ୍ତ ମିଶ୍ରିତ ରାଗ କହିଲେ ନସରେ – ” ଏତେ ବାଟରେ ରହିବ , ତା’ ଦେହ ପା କେ ବୁଝିବ .. ! ତାଙ୍କ ଯୋଗୁଁ ଦୂରାନ୍ତ କଲେଜ ମୋତେ ଛାଡିବାକୁ ପଡିଥିଲା । ଗାଁ ନିକଟରେ ନବ ନିର୍ମିତ କଲେଜରେ କିଛି ଦିନ ରହି କଟକ ଆସିଥିଲି । କଟକରେ ରହିବା ଭିତରେ ବାପା ବୋଉ ଉଭୟେ ପଳେଇ ଆସନ୍ତି । ଆସିବା ସମୟରେ ଝିଅ ଘରକୁ ଗଲା ପରି ସବୁ ସଜାଡି ଆଣିଥାନ୍ତି । ମୁଁ ହସେ , କହେ ଏସବୁ କଣ ,ଏଠିତ ସବୁ ମିଳୁଛି । ଗାଁର ସଦ୍ୟ ବାଡି ପରିବା , ଅନ୍ୟାନ୍ୟ ପାଇବୁ କୋଉଠି ।” ଗଲାବେଳେ ଟଙ୍କା ବାରଣ ସତ୍ତ୍ୱେ ଦେଇଯାନ୍ତି । ତାଗିଦ୍ କରନ୍ତି ଆମେ ଆସିବୁ , ତୋର ଯିବା ଆବଶ୍ୟକ ନାହିଁ । ସତରେ ବାପା ଏକ ଅଟଳ ହିମାଳୟ ତ ପୁଣି ବଟବୃକ୍ଷ , ନିରାପଦର ସହସ୍ର ହାତ ମୋ ଉପରେ ଲମ୍ବି ଆସି ଥାଏ ।

କେବେ କେବେ ଛୁଟିରେ ଗାଁକୁ ଗଲେ ବସ୍ ଅପେକ୍ଷାରେ ଥାନ୍ତି । ସେ ସମୟରେ ଗାଁ କୁ ଗୋଟିଏ ରାତି ବସ ପୁଣି ଗାଁ ଠାରୁ ଦୁଇ କିଲୋମିଟର ଦୂରରେ । ବୁଦବୁଦିକା ଜଙ୍ଗଲ , ବଡ ବଡ ଝଙ୍କାଳିଆ ଗଛ , ପିଶାଚ, ଚିଲୁଗୁଣିଙ୍କ ବାସ , ଗାଁ ମୁଣ୍ଡ ମଶାଣି , ଗାଁ ଠାକୁରାଣୀଙ୍କ ଚଳ ପ୍ରଚଳ । ଯଦିଓ ଏସବୁ ଅନ୍ଧ ବିଶ୍ୱାସରେ ମୋର ନଥିଲା , ହେଲେ ବାଟ ଦେଇ ନିର୍ଜନ ରାସ୍ତାରେ ଗଲା ବେଳେ ଛନକା ପସେ । ଵସରୁ ଘରକୁ ଯିବା ପୁଣି ରାତି ପାହାନ୍ତା ପହରରୁ ବସକୁ ଆସି ଅପେକ୍ଷା କରିବା ଏବେବି ଦେହ ଶିତେଇ ଯାଏ । ଫେରିବା ବେଳେ ମୋ ବ୍ୟାଗ ବ୍ୟତୀତ ବିରାଟ ଗଣ୍ଠିଲି କରି ବାପା କାନ୍ଧରେ ପକାଇ ବସରେ ଆସି ଚଢାଇଯାନ୍ତି । ଘରର ବୋଝ ବୋହୁଥିବା ବାପା , ମୋ ଗଣ୍ଠିଲିର ବୋଝ ତାଙ୍କ ପାଇଁ ନିଆରା , ଶତ ବାରଣ ସତ୍ତ୍ୱେ କହନ୍ତି , ସେଠି କଣ ଆରିସା , ମୁଢି , ଚଣା , ବାଦାମ , ରାଶି ଲଡୁ ମୁଆଁ ମିଳିବ..!!! ଘରକୁ ଗଲେ ତାଙ୍କର ଆନନ୍ଦ , ଫେରିବା ବେଳେ ରାତି ସାରା ବୋଉକୁ କହି ଏସବୁ ସଜାଡି କାନ୍ଧରେ ବୋହି ଆଣିବା , ମୁଁ ବସରେ ଚଢିବା ବେଳେ ତାଙ୍କର ମୁହଁ ଲୁଚାଇ ଆଖି ଛଳଛଳ କରିବା ମୋତେ କଷ୍ଟ ଦିଏ , ବେଶୀ , ସେ ସବୁ କଷ୍ଟକୁ କିପରି ହଜମ କରନ୍ତି । କହିଲେ , ହସନ୍ତି ଆଉ କହନ୍ତି – ” ନନ୍ଦ ତା’ କାହ୍ନୁ କୁ କାନ୍ଧରେ ବସାଇ କେତେ ଜହ୍ନ ତୋଳି ଆଣିଥିଲେ , ହେଲେ ସେ ଠକିଗଲେ । କିନ୍ତୁ ମୁଁ ଦିଟା ରତ୍ନ ପାଇଛି , କାନ୍ଧରେ ବସେଇ ଚାନ୍ଦ ତୋଳି ଦେଇଛି , ମୁଁ ତମ କାନ୍ଧରେ ଯିବି ! ଯୋଉ ବାପ ତା’ ପିଲା ପାଇଁ ସରଗ ଚାନ୍ଦ ତୋଳି ଆଣି ପାରେ ନାହିଁ , ସେ କି ବାପ ..!! ”

ଚାକିରୀ ଜୀବନ , ଟିକିଏ ଛୁଟି ପାଇଲେ ଗାଁକୁ ଦଉଡି ଯାଏ । ବିଶେଷତଃ ବାପା ହୋଇଗଲା ପରେ ବାପାମାନଙ୍କ ଦାୟିତ୍ୱ କେତେ ଏବେ ମୁଁ ବୁଝିଛି । ମୋ ପୁଅ ବବିର କଅଁଳ ଆଖି ଓ ବାବା ଡାକ ମୋତେ ଟାଣି ନିଏ । ପ୍ରତ୍ୟେକ ଦିନ ତା’କଥା ବେଶୀ ବେଶୀ ମନେ ପଡେ , ଯଦିଓ ମୋ ଅପେକ୍ଷା ବାପା ଓ ବୋଉ ତାର ଅଧିକ ଦାୟିତ୍ୱ ନେଉଥିଲେ । ବୋଉଠୁ ଶୁଣିଛି , ବବି ବାପାଙ୍କୁ ବହୁତ ହଇରାଣ କରେ , ବୁଲେଇ ନେବାକୁ ଅଝଟ ହୁଏ , ଖାଇବା ବେଳେ ବହୁତ ହଇରାଣ କରେ , କିନ୍ତୁ ବାପା ରାଗନ୍ତି ନାହିଁ । ବରଂ ଆଖି ଛଳଛଳ କରି କହନ୍ତି – ତୁ ଶୀଘ୍ର ଶୀଘ୍ର ବଡ ହେଇଯା , ବାପ ପଛକୁ ଲାଗିଯା । ଆମ ବୁଢା ବୁଢ଼ୀ ଦିଜନକ ପାଇଁ ବୋହୂ ମୋର ପଡିରହିଛି ।

ବାପା କିଛି ମାସ ପାଇଁ ଭାଇଙ୍କ ପାଖକୁ ଆସିଥିଲେ । ଦୁର୍ଗା ଛୁଟିରେ ଗାଁ ‘ କୁ ଯାଇଥିଲି , ବାପା ନଥିବାରୁ ଭଲ ଲାଗୁନଥିଲେ ବି ବବି ସହ ଖେଳିବା , ବୁଲିବା ଯୋଗୁଁ ବାପାଙ୍କ ଅନୁପସ୍ଥିତି ଅନୁଭବ କରୁନଥିଲି । କିଛି ଦିନ ଗଲା ପରେ ହଠାତ୍ ଦିନେ ଭାଇଙ୍କ ଫୋନ -” ଘରେ କାହାକୁ କିଛି ନକହି ଶୀଘ୍ର ଆସେ ।” କଲେଜ ବାହାନା କରି ଘରୁ ବାହାରି ଆସିଲି ।

ବାପା ଥିଲେ ମେଡିକାଲରେ । ଡାକ୍ତରମାନଙ୍କ ବହୁ ପ୍ରଚେଷ୍ଟା ପରେ ସବୁ ଉଦ୍ୟମ ଫେଲ୍ ମାଇଲା । ଶେଷରେ ଭଗବାନଙ୍କ ଉପରେ ଛାଡି ଘରକୁ ବାପାଙ୍କୁ ଆଣିବାକୁ ବାଧ୍ୟ ହେଲୁ । ବାପାଙ୍କ ଗୋଟିଏ ଇଚ୍ଛା ଘରକୁ ନେଇ ଚାଲ । ମୁଁ ହସପିଟାଲରେ ନୁହେଁ ମୋ ବାସଭବନରେ ଆଖି ବୁଜିବି , ମୋ ଗାଁ ସାଇ ଭାଇ ବନ୍ଧୁ , ନାତି , ନାତୁଣୀ ସମସ୍ତଙ୍କୁ ଦେଖିବାର ପ୍ରବଳ ଇଚ୍ଛା । ଶେଷରେ କଥା ନଲୁଚାଇ ଗାଁ ଖବର ଦେଲୁ । ଘରକୁ ଆଣିବା ପରେ ସେ ଅସୁସ୍ଥ ଥାଇବି ପୂର୍ବବତ ଚଳ ଚଞ୍ଚଳ ହୋଇ ପଡୁଥିଲେ ।

ପ୍ରତ୍ୟେକ ଦିନ ବାପାଙ୍କୁ ଔଷଧ ଦେବା , ତାଙ୍କ କଥା ବୁଝିବା ଭିତରେ ବାପାଙ୍କ ଅସ୍ପଷ୍ଟ ଭାଷା ବୁଝି ପାରେନି । ସେ ଗୁଣୁ ଗୁଣୁ ହୋଇ କଣ କହନ୍ତି । ସମସ୍ତଙ୍କ ଅପେକ୍ଷା ତାଙ୍କର ମୋ ପ୍ରତି ବଡ ଦୁର୍ବଳତା । ବେଳେବେଳେ ଭଗବାନଙ୍କ ଉଦ୍ଦେଶ୍ୟରେ ହାତଯୋଡି କୁହନ୍ତି । ଦିନେ ବୋଉ ପାଖରେ କଇଁକଇଁ କାନ୍ଦି ଉଠିଲେ , ବୋଉର ହାତଧରି କହିଲେ ” ମୁଁ ଗଲା ପରେ ଏ ବଗୁଲିଆ ପୁଅଟା କେମିତି ରହିବ , ସମସ୍ତେ ଭଲରେ ରହିଲେ , ଏହତଭାଗା କପାଳ ଶୂନ୍ୟ , ଜନ୍ମ ସିନା ଦେଲି କରମ ଦେଇନି । ତା’ସୁଖ ଦେଖିପାରିଲି ନାହିଁ .. ମୁଁ ପହଞ୍ଚି ଗଲାପରେ ସେ ଚୁପଚାପ ରହିଗଲେ । ” କଥାଟା ବାଆଁରେଇ ଦିଅନ୍ତି । କିଛି ପ୍ରଶ୍ନ କରେନି , ଚେଷ୍ଟା କଲେ ବି ତାଙ୍କ ଠାରୁ ଉତ୍ତର ପାଇବା ସହଜ ନୁହେଁ । କେବଳ ଅନୁଭବ କରେ , ସତରେ ବାପା କେତେ ଅସହାୟ । ନିଜ ଅସହାୟତା ପଣକୁ ଲୁଚାଇବାକୁ ଚେଷ୍ଟା କରି ଆପେ ଧରାପଡି ଯାଉଥିବା ବାପାଙ୍କୁ ଦେଖି ମୁଁ ନିଜକୁ ବଡ ଅପରାଧୀ ମନେ କରୁଥିଲି । ଦିନେ ବାପାଙ୍କ ହାତରୁ ତାଙ୍କ ଟଙ୍କା ଠୁଆ କାଠ ବାକ୍ସଟି ଖସି ପଡିଲା । ହଠାତ୍ ସେ ତଳକୁ ନଇଁ ପଡି ଗୋଟାଇ ନେଲେ , ବାକ୍ସ ଶୁନ୍ୟ ଥିଲା । କିନ୍ତୁ ବାପା ଟିକେ ବି ବିଚଳିତ ନହୋଇ ମହାଜନ ଠାଣିଲେ କହିଲେ କଣ ଦରକାର ଥିଲା । ନା ‘ କହି ମୁଁ ଦଉଡି ପଳାଇ ଆସିଲି , ଆଖି ଲୁହରେ ଭିଜି ଯାଇଥିଲା । ସତରେ ତାଙ୍କ ଅଭାବ ଆମେ କେହି ଯେମିତି ନଜାଣୁ , ତାଙ୍କର ଥିଲା ଏଭଳି ଏକ ଅଭିନବ ଉପାୟ ! ସେଦିନ ରାତିରେ ଖାଇବା ସମୟରେ ବାପା ପୂର୍ବପରି ମୋତେ ଚାହିଁପାରୁ ନଥିଲେ କି ମୁଁ ତାଙ୍କୁ ଚାହିଁ ପାରି ନଥିଲି । ଆମ ମନରେ କଷ୍ଟ ଦେଉନଥିବା ବାପାଙ୍କ କଥା ଭାବି ଭାବି ଶୋଇପାରି ନଥିଲି ।

ଟ୍ରେନରୁ ଓହ୍ଲାଇ ଘରେ ପହଞ୍ଚିବା ବେଳକୁ ସନ୍ଧ୍ୟା ନଇଁ ଆସିଥିଲା । ସବୁ ଦିନ ପରି ଘରେ ଗହଳ ନଥିଲା , କି ମୋ ପାଟି ଶୁଣି ବାପାଙ୍କ ଡାକ ନଥିଲା । ସଂପୂର୍ଣ୍ଣ ନିରବି ଯାଇଥିବା ଘର ଖାଁ ଖାଁ ଲାଗୁଥିଲା । ହଠାତ୍ ବାପାଙ୍କ ପୂର୍ବବତ ପାଟି ଶୁଭିଲା , ସମସ୍ତେ ଚଳଚଞ୍ଚଳ ହେଲୁ , ବାପା ଆମମାନଙ୍କୁ ଡାକି କହିଲେ ଯାଆ ସବୁ ଖାଇଦିଅ , ରାତି ଅନେକ ହେଲାଣି । ତାଙ୍କ କଥା ମାନି ନେଲୁ । ବାପାଙ୍କ ଖଟକୁ ଲାଗି ମୁଁ ମୋ ମୋ ଖଟରେ ଶୋଇଲି । ବାପା କିନ୍ତୁ ମୋତେ ଶୁଆଇ ନଦେଇ ଅନର୍ଗଳ କଥା ହେଲେ । ଭବିଷ୍ୟତରେ କଣ କରିବି , କେମିତି ଚଳିବି , ଦରମା ପାଇବି କି ନାହିଁ ନାନା କଥା । ଟିକିଏ ଆଖିରେ ନିଦ ଭରି ଆସିବା ବେଳେ ବାପା ମୋତେ ବାରମ୍ବାର କହୁଥାନ୍ତି ମୋତେ ଟିକେ କାନ୍ଧରେ ଧରି ରଖ , ବାରମ୍ବାର କଡଲେଉଟାଇ ଏପଟ ସେପଟ ହେଉଥିଲେ ବି ଶୀତ ଯୋଗୁଁ ସକାଳେ ତାଙ୍କୁ କାନ୍ଧରେ ରଖି ଖରା ପୋଇଁବାକୁ କହିଲି । ରାତି ପାହି ଆସୁଥିଲା , ବୋଉ ଆସି କହିଲା , ଯା ‘ ରାତି ସାରା ବାପାଙ୍କ ସହ କଥା ହେଲୁ , ମୁଁ ତାଙ୍କ ପାଖରେ ଅଛି , ଟିକେ ସେପଟେ ଶୋଇଯା । ମୁଁ ଆସି ଟିକେ ଶୋଇଛି । ବାପା ବୋଉକୁ ଦେଖି ଭାଇଙ୍କୁ ଡାକିବାକୁ କହିଲେ , ବୋଉ ବାପାଙ୍କୁ ଆଉଁସି ବାକୁ ଯାଇ କଣ ଅନୁଭବ କଲା ଏପର୍ଯ୍ୟନ୍ତ ମୋତେ ଅଜଣା , ବାପା ବୋଉକୁ କଣ କହିଲେ ତା’ ବି ଜାଣେ ନାହିଁ । ଭାଇ ବାପାଙ୍କ ପାଖରେ ପହଞ୍ଚିବା ମାତ୍ରେ ତାଙ୍କୁ କାନ୍ଧରେ ଥରେ ଧରିବାକୁ କହିଲେ । ଭାଈ ତାଙ୍କୁ ଧରିବା ଭିତରେ ବୋଉ ଆମ ସମସ୍ତଙ୍କୁ ଡାକି ଦୀପ ଲଗାଇ ଭାଗବତ ପଢିବାକୁ ଓ ନିର୍ମାଲ୍ୟ ଦେବାକୁ କହିଲା । କଥା କହୁଥିବା ବାପା ଟିକିଏ କାନ୍ଧରେ ରହି ନିର୍ମାଲ୍ୟ ପାଇବା ପରେ ପରେ ହଠାତ୍ ସ୍ଥିର ହୋଇଗଲେ । ନିମିଷେ ଦେହ ତାଙ୍କର ଅବଶ ଆସିଲା…!!!

ସ୍ୱର୍ଗ ଦ୍ବାରଠୁ ତେରଦିନ ପର୍ଯ୍ୟନ୍ତ ସବୁ କ୍ରିୟା-କର୍ମ ଭଲରେ ଶେଷ ହେଇଥିଲା । ତେରଦିନ ଅପରାହ୍ନ ଚାରିଟା ବେଳକୁ ଭାଉଜ ଡାକ ଛାଡିଲେ , ଗେଟ୍ ପାଖରେ କେହି ଜଣେ ଗେଟ୍ ବାଡେଉଛି , ଆମେ ସମସ୍ତେ ଯାଇ ଯାହା ଦେଖିଲୁ ନିଜକୁ ବିଶ୍ୱାସ କରି ପାରିନଥିଲୁ । ଠିକ୍ ବାପାଙ୍କ ଆକୃତିର ଲୋକଟିଏ ଖାଇବାକୁ ମାଗୁଛି । ଭାଇ ସାଙ୍ଗେ ସାଙ୍ଗେ ଗେଟ୍ ଖୋଲି ବାହାର ପିଢିରେ ବସାଇ ଭାଉଜଙ୍କୁ ଖାଇବାକୁ ଦେବାକୁ କହିଲେ , ତାହା କରାଗଲା , ଖାଇ ସାରି ଲୋକଟି ଗାମୁଛା ପକାଇ ବିଶ୍ରାମ ନେବା ବେଳକୁ କିଛି ବାପାଙ୍କ ଵ୍ୟବହୃତ ଭଲ କାମିଜ , ଲୁଗା , ଶାଲ ଦେବାକୁ ମୋତେ କହିଲେ , ସେସବୁ ସ୍ମୃତିକୁ ସାଇତି ରଖିବାର ଇଚ୍ଛା ଥିଲେ ବି କାଢ଼ି ନେଇ ଦେଲି । ଛୋଟେଇ ଚାଲୁଥିବା ଲୋକଟି ଗୁଣୁଗୁଣୁ ହୋଇ ଆଖି ଛଳଛଳରେ ଆଶୀର୍ବାଦ ଦେଇ ବାହାରି ଗଲେ । ଭାଇଙ୍କ ନିର୍ଦ୍ଦେଶରେ ତାଙ୍କୁ ଥରେ ଅନୁଧ୍ୟାନ କରିବାକୁ ଗେଟ୍ ଖୋଲି ଖୋଜିଲି । ଆଶ୍ଚର୍ଯ୍ୟ କଥା ନିମିଷେ ଭିତରେ ସେ କୁଆଡେ ଲୁଚି ଗଲେ .. ଯେତେ ଖୋଜିଲୁ ପତ୍ତା ପାଇଲୁ ନାହିଁ .. !!!

ସେବେଠାରୁ ବାପାଙ୍କୁ କେବେ ସ୍ୱପ୍ନରେ ଥରେ ଦେଖିବା ପାଇନି । କେବଳ ସେ ମୋ ସ୍ମୃତିରେ , ହୃଦୟରେ ଲୁଚି ରହି ଅହରହ ଚାଲି ଆସନ୍ତି । ଆଖିର ଲୁହରେ ତାଙ୍କୁ କେବଳ ଝାପ୍ସା ଝାପ୍ସା ଦେଖେ ଖୁବ୍ ବିକଳ ହୋଇ .. ସାମ୍ନାରେ ରଖିବା ଥିବା ତାଙ୍କ ତୈଳାକ୍ତ ଚିତ୍ରରେ ସେ ଏବେ ବି ମୋ ପାଇଁ ବହୁତ ଉଦାସ ଲାଗନ୍ତି… !

ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ ,
ମହାନଦୀ ବିହାର , ନୂଆ ବଜାର , କଟକ -୪
ଦୂରଭାଷ : ୯୦୪୦ ୧୫୧୪୭୫


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

5 1 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
5 ମାସ ପୂର୍ବରୁ

ଧନ୍ୟବାଦ! ଭଲ ସ୍ମୃତି ଆଉ ଅନୁଭୂତି !!
ଗଡ ଲେଉଟାଇ = କଡ଼ ଲେଉଟାଇ, ପୁରା = ପୂରା, ପ୍ରଶସ୍ଥ ଛାତି = ପ୍ରଶସ୍ତ ଛାତି, ପଞ୍ଛାଏ = ପଞ୍ଝାଏ, ବିନାଦିଗ୍ଧାରେ = ବିନା ଦ୍ଵିଧାରେ, ସହଚର୍ଯ୍ୟା = ସାହଚର୍ଯ୍ୟ, ଭାତ୍ରୃମାନଙ୍କ = ଭ୍ରାତାମାନଙ୍କ, ବେଶୀ = ବେଶି, ଚାକିରୀ = ଚାକିରି, ଏଣୁତେଣୁ କୁଡାଏ = ଏଣୁତେଣୁ ଗୁଡ଼ାଏ,