ମୋ ଗାଁ ରେ ସଞ୍ଜ – ସଂଶୟ କୁମାର ସାହାଣ

ଲେଖକ ପରିଚୟ

ସଂଶୟ କୁମାର ସାହାଣ
ଅଲଣା, ନାଉଗାଁ ହାଟ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଦେବୀ ନଦୀ ପରେ ପଶ୍ଚିମ ଦିଗରେ
ସୂର୍ଯ୍ୟ ଯେବେ ଅସ୍ତ ଯାଏ
ପାଳେନ୍ଦି ଜଙ୍ଗଲୁ ଗାଈଆଳ ଭାଇ
ବଂଇଁଶୀର ସ୍ଵନ ଗାଏ

ଗୋଧୂଳି ଉଡଇ ବାଟଭେଡ଼ା ସାରା
ହମ୍ବା ରଡି ଶୁଭୁଥାଏ
ଗାଈ ଆଗେ ଆଗେ ଅଝଟ ବତ୍ସା ଟି
ନାଚି ନାଚି ଫେରୁଥାଏ।

ନିଡଗାମୀ ସବୁ ବିହଙ୍ଗମଙ୍କର
କିଚିରି ମିଚିରି ଶବ୍ଦେ
ମୋ ଗାଁ ପରିବେଶ ଚମକି ଉଠଇ
କାଉ କୋଇଲି ର ରାବେ।

ଖେଳ ପଡ଼ିଆରୁ ମୋ ଗାଁ ବାଳକ
ଘର ମୁହାଁ ଯେବେ ହୁଏ
ମାଆ ର ପଣତେ ମୁହଁ ଟିକୁ ପୋଛି
ଗୋଡ ହାତ ସବୁ ଧୁଏ।

ଅଲେଖ ମଠରୁ ଝାଟୁ ଦାଶ ବାବା
ମହିମା ଅଲେଖ ଡାକେ
କୁତାମ ଚଣ୍ଡୀଙ୍କ ମନ୍ଦିର ବେଢାରୁ
ଘଣ୍ଟ ଘଣ୍ଟା ଶବ୍ଦ ଆସେ।

ଗାଁ ଭୁଆଶୁଣି ତରବର ହୋଇ
ସଂଜ ବଳିତା ଟେ ବୋଳି
ମନ୍ଦିର ପ୍ରାଙ୍ଗଣେ ଉପସ୍ଥିତ ହୁଏ
ମୁଣ୍ଡରେ ଓଢଣା ତୋଳି।

ଭାଗବତ ଟୁଙ୍ଗି ଲୋକାରଣ୍ୟ ହୋଇ
ହୁଏ ବୃଦ୍ଧବୃଦ୍ଧା ମେଳି
ପୁରାଣ ପଢ଼ାର ଆସର ଜମଇ
ଭକ୍ତି ଭାବ ଯାଏ ଖେଳି।

ଆଖଡା ଟୁଙ୍ଗିରୁ ଦାମ ଆପଣେ ଙ୍କ
ତାକ ଥିନା ଥିନି ତାନ
ସନ୍ଧ୍ୟା ପରିବେଶ ଉଛୁଳି ଉଠଇ
ଆନନ୍ଦିତ ହୁଏ ମନ।

ଧଡି ଅବଧାନ ଚାଟଶାଳୀ ଠାରେ
ଡିବି ଲଣ୍ଠନ ଜଳାଇ
ଦିନର ପାଠକୁ ସନ୍ଧ୍ୟାରେ ଘୋଷାନ୍ତି
ବେତ ବାଡ଼ି କୁ ହଲାଇ।

ବଦଳି ଯାଇଛି ଗାଁ ପରିବେଶ
ନରମି ଯାଇଛି ସ୍ୱର
ସହରୀ ସଭ୍ୟତା ଗାଁ କୁ ଗ୍ରାସିଛି
ସବୁ ହୁଏ ନାରଖାର।

ଭାଗବତ ଟୁଙ୍ଗି ଗାଁ ରୁ ହଜିଛି
ନାହିଁ ସେ ଆଖଡା ଘର
ଗାଈଆଳ ଭାଇ ଗାଈ ରଖୁନାହିଁ
ଶୁଭୁନି ବଂଇଁଶୀ ସ୍ୱର।

ଯୁବକ ଶୂନ୍ୟ ହୋଇଛି ମୋ ଗାଁ
ସମସ୍ତେ ବିଦେଶ ମୁହାଁ
ଦାଦନ ଜୀବନ ଆଦରି ନେଇଛି
ନ ମିଳଇ ମୁହଁ ଚାହାଁ।

ନିତି ମୁଁ ଝୁରୁଛି ସେକାଳ ସଞ୍ଜକୁ
ହରାଇ ଗ୍ରାମ୍ୟ ଜୀବନ
ପାଇ ହଜାଇଛି ଖୋଜି ମୁଁ ପାଉନି
ବିଳାପୀ ଉଠଇ ମନ।

ସଂଶୟ କୁମାର ସାହାଣ
ଅଲଣା -୨ ,ନାଉଗାଁ ହାଟ
ଦୁରଭାଷ -୯୪୩୮୨୭୬୨୦୦/୭୯୭୮୧୫୬୩୩୮


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ