ଅଞ୍ଜଳି ମୋ ଦିଅ ଭରି – ରଙ୍ଗନାଥ ରଥ
ମା’ ଗୋ ମାଆ ଅଞ୍ଜଳି ମୋ ଦିଅ ଭରି
ଜଗତର ଜନନୀ ମା’ ଅଭୟଦାୟିନୀ
ପତିତପାବନୀ ତୁମେ କୃପାର ସାଗରୀ ॥୦॥
ଅଞ୍ଜଳି ମୋ ଦିଅ ଭରି …..
ମାଗୁନାହିଁ ଧନ ଜନ ଯଶ ବଇଭବ
ସେହି ପାଦପଦ୍ମେ ମୋତେ ଟିକେ ଦିଅ ଠାବ
ଅଶେଷ କରୁଣା ପଡ଼ୁ ତୋ ପାଦରୁ ଝରି ॥୧॥
ଅଞ୍ଜଳି ମୋ ଦିଅ ଭରି …..
ପାପପଙ୍କେ ପଡ଼ି ଆଜି ଭୁଲିଛି ତୋ ନାମ
ଲୋଭ ମୋହ ମାୟାରେ ମୋ ଭରିଛି ଜୀବନ
ମାୟାଜାଲ କାଟିଦେ ମା’ ଦେଇ କୃପାବାରି ॥ ୨ ॥
ଅଞ୍ଜଳି ମୋ ଦିଅ ଭରି …..
ଅଳୀକ ସୁଖରେ ମଗ୍ନ ହେଲା ମୋର ମନ
ମଣିଷ ଜନମ କି ବା ହେବ ଅକାରଣ
ଡାକି ନିଅ ପାଶେ ତୁମ ଥରେ ହାତଠାରି ॥ ୩ ॥
ଅଞ୍ଜଳି ମୋ ଦିଅ ଭରି …..
ନ ଜାଣଇ ନାମଗାନ ପୂଜା ଆରାଧନା
ଭରସା କରିଛି ମାଆ ହରିନେ ଯାତନା
ଅବୋଧ ସନ୍ତାନେ ଏବେ ନିଅ କୋଳକରି ॥ ୪ ॥
ଅଞ୍ଜଳି ମୋ ଦିଅ ଭରି …..
ଗୀତିକାର – ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର
