ପାନ୍ଥଶାଳା – ଗଗନ ବିହାରୀ ନାୟକ
ପାନ୍ଥଶାଳା କାନ୍ଥେ
କାହିଁକି ଲେଖିଲ ନାଆଁ ।
ଲିଭେଇ ଦେବ ସେ
ପୂବେଇ ମେଘଟା
ବହି ତା’ପୂବେଇ ବାଆ (0)
ଦିନଥିଲା ତୁମେ
କଥା ଦେଇଥିଲ
ଛାଡିବନି ହାତ ମୋର ।
ଅଧାବାଟରେ ତୁମେ
ବାଟଭୁଲି ଗଲ
ହଜାଇ ସ୍ମୃତିକୁ ମୋର ।
ଦେଖିଯାଅ ଥରେ
ତୁମ ନାଆଁ ସାଥେ-
ଅଲିଭା ଅଛି ମୋ ନାଆଁ (୧)
ଶ୍ରାବଣ ଆସିଲା
କେତେ ଭିଜେଇଲା
ଭିଜିଲା ମୋ’ ଆଖି ଦୁଇ ।
ନିଦାଘଟା କେତେ
ଜାଳିଲା ପରାଣ
ସହି ନେଲି ତୁମ ପାଇଁ ।।
ଆଜି ମୁଁ ଏକାକି
ଦୁନିଆଁ ହାଟରେ
କହେନା କେ’ ଟିକେ ଆହା(୨)
ଗଗନ ବିହାରୀ ନାୟକ, ଭୁବନେଶ୍ବର
