ନିର୍ଦ୍ଦୟ ବସନ୍ତ – ଦୀପିକା ଦାଶ

ଲେଖକ ପରିଚୟ

ଦୀପିକା ଦାଶ
ବ୍ରହ୍ମପୁର, ଗଞ୍ଜାମ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପ୍ରତିଶ୍ରୁତିର ଫର୍ଦ୍ଦ ଫର୍ଦ୍ଦ ପୃଷ୍ଠା
ଏଯାବତ୍ ସଞ୍ଚିତ
ହୃଦୟର ସୂକ୍ଷ୍ମ ଅଳିନ୍ଦରେ।
ମୋ ବିଶ୍ଵାସର ପ୍ରଦୀପ
ଅହରହ ଜଳୁଛି
ଚେତନାର ଅଦୃଶ୍ୟ ଇନ୍ଧନରେ ।

କିନ୍ତୁ ହାୟ ।
ବସନ୍ତର ମଳୟ ପବନରେ
ଲିଭି ଲିଭି ଆସୁଛି
ବିଶ୍ଵାସର ସେହି ପ୍ରଦୀପ।

ସମଗ୍ର ବୃନ୍ଦାବନ ବେଶ୍ ଜୀବନ୍ତ ଚଳଚଞ୍ଚଳ
,ବସନ୍ତର ପ୍ରାଦୁର୍ଭାବରେ
ତେବେ କିଆଁ ମୋରି ନିକଟରେ ହିଁ
ଏ ନିର୍ଦ୍ଦୟ ବସନ୍ତର ଏତେ ପକ୍ଷପାତ ?

ପ୍ରଚଣ୍ଡ ବିରହ ସନ୍ତାପ ବୃଦ୍ଧି
ମୋ ମନ ଗହନ କାନନରେ
ନିଘଞ୍ଚ ଅରଣ୍ୟରେ ଖୋଜିବୁଲେ
ମୋ ପ୍ରିୟ ନୀଳ ପୁରୁଷଙ୍କ ସନ୍ଧାନରେ ।

ମଳୟ ରଥେ ବିରାଜି
ବସନ୍ତ ବାଣ୍ଟିଚାଲିଛି ଦିଗ ବିଦିଗ
ଅପୂର୍ବ ଶୋଭା ସୌନ୍ଦର୍ଯ୍ୟ ।

ବଉଳ ଫୁଲ ସୁଗନ୍ଧର ତାନେ ତାନେ
ଗୁଞ୍ଜନ କରି ଉଠନ୍ତି ପ୍ରେମିକ ଭ୍ରମରମାନେ
ସମତାଳେ କୋଇଲିର କୁହୁକୁହୁ ରାବ
ଆଉ ଲବଙ୍ଗ ଲତାର ମୁରୁକି ହସ
ମୋ ମୁଖରୁ ଶୋଷି ଚାଲିଛି
ଶୃଙ୍ଗାର ରସ।

ତଥାପି ବସନ୍ତର ସାନିଧ୍ୟ ଠାରୁ
ବହୁ ଦୂରରେ ନିକୁଞ୍ଜକୁଟିର
ଯେଉଁଠି କେବଳ ଅବସ୍ଥାନ
ମୁୁଁ ଆଉ ମୋ ବିରହିଣୀ ହୃଦୟ ।

ନୀଳ ପୁରୁଷ !!
ତୁମ ଏକାନ୍ତ ମଥୁରା ଗମନ
କେତେ ଯେ ଅସହ୍ୟ
ଏବେ ତ ତମାଳ ପୁଷ୍ପରେ ଦେଖା ଯାଉଛି
ତୁମ ପୀତ ବସନ ପରିଧାନ
ସହାସ୍ୟ ବଦନ ।

ଜାଣିଛ ??
ମୋ ଅଶ୍ରୁ ମାନସରୋବରରେ
ପ୍ରତୀକ୍ଷାର ସନ୍ତରଣକାରୀ ହଂସମାନେ
ଏବେ କିନ୍ତୁ ଖୁବ୍ କ୍ଳାନ୍ତ ।

କେତକିର ପରିବ୍ୟାପ୍ତ ସୁବାଷ ରେ
କିଏ ଅବା ମୋହିତ ?
ତା ତୀକ୍ଷ୍ଣ କଣ୍ଟାରେ
ମୋ ଅନ୍ତର ବିଦିର୍ଣ୍ଣ ରକ୍ତାକ୍ତ ।

ମୁୁଁ ସମ୍ପୂର୍ଣ୍ଣ ବୁଡିଯିବା ପୂର୍ବରୁ
ନିସଂଗତା ର ଅତଳ ସାଗରରେ
ଫେରି ଆସ ,ଫେରି ଆସ ନୀଳ ପୁରୁଷ !!
ଚନ୍ଦନ ବୃକ୍ଷର ବାସ ସାଥେ ସାଥେ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ