ମହାର୍ଘ୍ୟ ଶିରୀ – ପ୍ରଶାନ୍ତ କୁମାର ସାହୁ

ଲେଖକ ପରିଚୟ

ପ୍ରଶାନ୍ତ କୁମାର ସାହୁ
ଛତ୍ରଗଡ, ବାଲୁଗାଁ, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସକଳ ଜୀବନ ଦଇବର ଦାନ
ଆହା ! ନପାରିଲି ସଅଳ ବୁଝି,
ମଶାଣି ନୁହେଁ ତ ବହୁଦୂର ଧନ
ସାଉଁଟି ଶରଧା ଦିଅନ୍ତି ଶୁଝି l

ଯହିଁ ଦେଖ ତହିଁ କରୁଣାର ବାରି
ଵରଷି ଯାଉଛି ମୁଗ୍ଧେ ନୀରତ ,
କିଏବା ପାଇନି ଏ ମହାର୍ଘ୍ୟ ଶିରୀ
ଯାହାରି ଦାନରେ ଚାଲେ ଜଗତ l

ଅଜ୍ଞାନ ମନର ବିଶୃଙ୍ଖଳ ଇପ୍ସା
କରାୟତ କରି ବାହିଲା ଯେଣୁ,
ନ୍ୟୁନ ସଫଳତା ବଳେ ଅଂହ ଆଶା
ଭୁଲିଗଲା ଭବ୍ୟ କରୁଣା ରେଣୁ l

ଛନ୍ଦହୀନ ଏଇ ଜୀବନ ସରିତା
କୁଶବ୍ଦେ ଧାବିତ ବନ୍ଧୁର ପଥେ,
ବେସୁରା ସଙ୍ଗୀତେ ନାହିଁ ମୁଗ୍ଧତା
ଶୁଣିବାକୁ କେହୁ ରହିଣ ସାଥେ l

ନିବୀଡ଼ ହୋଇଲା ମନ ହାହାକାର
ଶୂନ୍ୟତାର ସୀମା ଗଲା ସେ ଡେଇଁ,
ଅବାକ ହୋଇଲା ବିରଳ ଅନ୍ତର
ବିଷାଦେ ଆପାଣା ଅତିଥି ହୋଇ l

କିମ୍ପା ଭୁଲିଗଲା ଶୁଦ୍ଧ ନେତ୍ର ମୋର
ସରଳ ପଥକୁ ନ ଆପଣାଇ ,
କେଉଁ ଭାବନାର ପ୍ରବାହ ହୁନ୍ଦର
ଆଲିଙ୍ଗନେ ଗଲା କୁଟିଳ ହୋଇ l

ପଲକେ ବଦଳେ ଏଠି ସବୁକିଛି
ହୃଦୟେ ପ୍ରତୀତ ସବୁ ନଶ୍ବର,
ମଶାଣିରେ ଖାଲି ଅମର ରହିଛି
ମିତ୍ରତା ଆଦର ସ୍ନେହ ମଧୁର l

ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ଼, ଖୋର୍ଦ୍ଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ