ତମେ ଅଛ ହୃଦୟରେ – ସତ୍ୟବାଦୀ ସାହୁ

ଲେଖକ ପରିଚୟ

ସତ୍ୟବାଦୀ ସାହୁ
ଵଡଇଚ୍ଛାପୁର, ଜଟଣୀ, ଖୋରଧା | ଦୂରଭାଷ : ୯୪୩୭୨୮୭୨୮୦ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ତମେ ଆଜି କାହିଁ ଭାରି ମନେ ପଡ,
ଉଣେଇଶ ବର୍ଷ ହୋଇଥିଲା ତମକୁ
ମୋ ବୟସ ତେଇଶ ହେବ କି ନହେବ
ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ଆମେ,
ଲାଲ୍ ଠୁକ୍ ଠୁକ୍ ସାଧବ ବୋହୁ ସାଜି
ଯେତେବେଳେ ଆମ ଘରେ ପାଦ ଥାପିଥିଲ ତମେ
ପରିଵାରରେ ଖୁସି ଓ ଆନନ୍ଦ କହିଲେ ନସରେ,
ସଂସାର କ’ଣ ଜାଣି ନଥିଲ, କିନ୍ତୁ
ଖୁବ୍ ଶୀଘ୍ର ସମସ୍ତଙ୍କୁ ନିଜର କରିନେଲ
ଆପଣା ପଣରେ,
ସୁଖର ସଂସାର ବସିଗଲା
ଧୀରେ ଧୀରେ ଆମ ବସା
କୋଳାହଳମୟ ହୋଇଗଲା,
କୁନି କୁନି ପରଜାପତିଆ ଡେଣା ଲାଗିଥିବା
ଶିଶୁ ଶାଵକମାନେ ଖଣ୍ଡିଉଡା ଦେବାକୁ ଲାଗିଲେ,
କ୍ରମେ ସ୍ୱାଧୀନମନା ଵିହଙ୍ଗମାନେ
ମୁକ୍ତ ଆକାଶରେ ଉଡିଗଲା ପରେ ବି ;
ଜୀବନର ସାୟାହ୍ନରେ
ଆମ ସଂସାର ଠୁକ୍ ଠାକ୍ ଚାଲିଥିଲା
ଦୁହେଁ ଦୁହିଁଙ୍କୁ ଆଶ୍ରା କରି।

ହଠାତ୍ ଏକ କାଳରାତ୍ରିର ନିଶଦ୍ଦ ପ୍ରହରରେ
ଅଦିନିଆ ଝଡ଼ ଵତାସଟା କାହୁଁ ଆସି
ଆମ ବସା ଭାଙ୍ଗିଦେଲା,
ଝଡ ଵତାସର ନିର୍ମମ ସ୍ପର୍ଶରେ
ଖିନ୍ ଭିନ୍ନ ହୋଇଗଲା ଆମ
ଛୋଟିଆ ସଂସାର‌,
ଘନ ଅନ୍ଧକାର ଭିତରେ ତମେ ଉଡ଼ିଗଲ
କେଉଁ ଅଜଣା ଇଲାକାକୁ,
ନିଃସଙ୍ଗ ଜୀବନର ଚଉହଦି ଭିତରେ
ତମ ଫେରିବା ବାଟକୁ ଚାହିଁ ଚାହିଁ
ଆଖି ପାଣି ଆଖିରେ ମଲା ସିନା
ତମେ ଆଉ ଫେରିଲନାହି ସେ
ଅଫେରା ରାଇଜୁ।

ରାତି ଆସି ଅନେକ ହେଲାଣି
ରାତି ପାହିଲେ ପହିଲି ରଜ,
ଭାବନାର ସୂତା ଖିଅରେ
ସ୍ମୃତିର କୁସୁମ ଗୁନ୍ଥୁ ଗୁନ୍ଥୁ
ଝିଅ ଘରକୁ ରଜସଜ
ଅତି ଯତନରେ ବାନ୍ଧିଥିଲେ ବି, ଲାଗୁଛି
ମା’ର ସ୍ନେହ,ମମତା ଓ ମନ ଆଗରେ
ମୁଁ ଯେମିତି ଫିକା ପଡି ଯାଉଛି ।

‌ଵଡଇଚ୍ଛାପୁର, ଜଟଣୀ
ମୋ: ନଂ- ୯୪୩୭୨୮୭୨୮୦


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ