ଜଗା ପାଇଁ ପଦେ – ସୁଧାକର ସେଠୀ
ବାଇଶି ପାହାଚ ଚଢି ପାରୁ ନାହିଁ
ମନରେ ଅଛି ମୋ କ୍ଷୋଭ
ରଥରେ ଦେଖି ଜଗା କାଳିଆକୁ
ଜାଗିଛି ମନେ ମୋ ଭାବ।
ଗୋଡ ନେଇଗଲୁ ପଙ୍ଗୁ କଲୁ ମୋତେ
ଶ୍ରୀମନ୍ଦିର ସିନା ମନା
ରଥରେ ଦେଖି ଶ୍ରୀବଦନକୁ
ହେଲି ମୁଁ ଆନ ମନା ।
କାନେ ଶୁଭିଯାଏ କିଏ କହିଦିଏ
ଏତ ଜଗତ କରତା
ସକଳ ଘଟରେ ସବୁରି କ୍ଷେତ୍ରରେ
ପୁରିଛି ତାର ବାରତା ।
ସ୍ଥାବର ଜଙ୍ଗମ କୀଟ ପତଙ୍ଗ
ସଭିଙ୍କର ସିଏ ସାହା
ଅଭାବରେ ଥିଲି ଏବେ ମୁଁ ଜାଣିଲି
ଏ ଥିଲା ସବୁ ଯେ ମାୟା।
ଗୋଡ ସିନା ନେଲ ରଖିଲ ପରାଣ
ଜଗତେ ଦେଲ ବାରତା
ଯାହା ମୁଁ ମାଗିଲି ଦେଲ ହାତ ଖୋଲି
ଉଡାଇ ଦେଲ ପତାକା ।
ସଭିଙ୍କ ଆଦର ସଭିଙ୍କ ସ୍ନେହେ
ଦେଖେ ତବ ରୂପ ଠାଣି
ହେ ପରମ ପିତା ଅଛି କି ବାରତା
ଦିଅହେ ଆଜି ବଖାଣି ।
ଭାବରୁ ନିକଟ ଅଭାବକୁ ଦୁର
ସବୁ ଯେ ତୁମ ଲୀଳା ଖେଳା
ଧନ୍ୟ ହେଲି ପ୍ରଭୁ ଧନ୍ୟ ହେଲି ଆଜି
ଲଭି ତବ କରୁଣା ।
ସୁଧାକର ସେଠୀ, ବାଲେଶ୍ବର
