ଦାର୍ଢ୍ୟତାଭକ୍ତି କଥାମୃତ – ରଘୁ ଅରକ୍ଷିତ ସମ୍ବାଦ – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି

ପତ୍ନୀ ଅନ୍ନପୂର୍ଣ୍ଣା ଙ୍କୁ ସଙ୍ଗରେ ଧରି ଶ୍ରୀକ୍ଷେତ୍ର ଅଭିମୁଖେ ଆଗେଇ ଚାଲିଥିଲେ ରଘୁ ଅରକ୍ଷିତ । ତାଙ୍କ ସହିତ ଥିଲେ କିଛି ପରିଚାରିକା ଏବଂ କିଛି ସେବକ। ହଠାତ୍ ଘୋଡ଼ା ମାନଙ୍କର ଟାପୁ ଶବ୍ଦ ଶୁଣି ସତର୍କ ରହିବାକୁ ପରାମର୍ଶ ଦେଲେ ରଘୁ । ଶବ୍ଦ କ୍ରମେ ନିକଟରୁ ନିକଟତର ହେବାକୁ ଲାଗିଲା ।”ଧର ଧର ହେଇ ଆଗରେ ଯାଉଛନ୍ତି ।”ଏକାଧିକ ସ୍ୱର ଶୁଣାଗଲା । ଅନ୍ଯନ୍ଯୋପାୟ ହୋଇ ସମସ୍ତଙ୍କୁ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ କହି ସେଇ ବିଶ୍ୱ ଚିନ୍ତାମଣି ଙ୍କୁ ସ୍ତୁତି କରିବାକୁ ଲାଗିଲେ ।”ହେ ବଳିୟାର ଭୁଜ,ଆଉ କେତେ ପରୀକ୍ଷା ନେବ ପ୍ରଭୁ । ତୁମ ବିନା ଆଜ୍ଞା ରେ ଗଛରୁ ପତ୍ରଟିଏ ମଧ୍ୟ ହଲିପାରେ ନାହିଁ । ମୁଁ କିଏ ମହାବାହୁ ? ଏହି ଦୁର୍ଗମ ପଥ ଅତିକ୍ରମ କରି ଏତେ କମ୍ ସମୟରେ ଏଠି ପହଞ୍ଚିଲି କିପରି ? ପୁଣି ପ୍ରାଣ ସଂକଟାପନ୍ନ ଅବସ୍ଥାରୁ ମୋତେ କିଏ ରକ୍ଷା କରିଛି ? ମୁଁ ତ ନିମିତ୍ତ ମାତ୍ର । ମୋର ବୋଲି କିଛି ହିଁ ନାହିଁ ।ସବୁ କିଛି ତୁମରି ନିର୍ଦ୍ଦେଶରେ ହିଁ ଚାଲିଛି ଇଚ୍ଛା ମୟ ।ହେ ଦୟାମୟ ଏ ସଂକଟରୁ ଆମକୁ ରକ୍ଷା କର ପ୍ରଭୁ ।” ଏହିପରି ସ୍ତୁତି କଲେ ଓ ଅନ୍ୟ ମାନଙ୍କୁ ସାମ୍ଭାବ୍ୟ ବିପଦ କଥା ଚିନ୍ତାକରି ପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ କହିଲେ । ହଠାତ୍ ସମ୍ମୁଖରେ ଦୁଇ ଜଣ ବୀର ଯୁବକ ଘୋଡ଼ା ଚଢ଼ି ଉପସ୍ଥିତ ହେଲେ ଏବଂ କୈ।ଣସି ଭୟ ନକରି ନିଜ ଗନ୍ତବ୍ୟ ପଥରେ ଅଗ୍ରସର ହେବାକୁ କହିଲେ । ସେମାନଙ୍କ ସୁରକ୍ଷା ର ଭାର ସେମାନେ ନେଉଛନ୍ତି ବୋଲି କହିଲେ । ସେମାନଙ୍କ ବୀରତ୍ୱ ପୂର୍ଣ୍ଣ କଥା ଏବଂ ଅପୂର୍ବ ତେଜୋଦୀପ୍ତ ଚେହେରା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଲା । ସେମାନଙ୍କ ପଶ୍ଚାତ୍ ଧାବନ କରୁଥିବା ସୈନ୍ୟ ମାନେ କ୍ରମେ ନିକଟତର ହେଲେ । କିନ୍ତୁ ଏ କ’ଣ ଦେଖୁଛନ୍ତି ସେମାନେ ? ରଘୁ ଅରକ୍ଷିତ ଙ୍କ ଚତୁଃପାର୍ଶ୍ଵରେ ଅନେକ ଯୋଦ୍ଧା ଅସ୍ତ୍ରଶସ୍ତ୍ର ରେ ସୁସଜ୍ଜିତ ହୋଇ ଚାଲୁଛନ୍ତି । ପ୍ରତ୍ୟେକ ଯୋଦ୍ଧା ଏକା ପ୍ରାୟ ଜଣା ପଡୁଥାନ୍ତି । ସମସ୍ତଙ୍କ ମୁଖରୁ ଅପୂର୍ବ ତେଜ ନିର୍ଗତ ହେଉଛି । ସେମାନେ ଯୁଦ୍ଧ କରିବେ କ’ଣ । ବିରାଡ଼ି କୁ ଦେଖି ମୁଷାପଲ ଙ୍କ ଅବସ୍ଥା ପରି ସେମାନେ ଛତ୍ରଭଙ୍ଗ ଦେଇ ଯିଏ ଯୁଆଡେ ପ୍ରାଣ ବିକଳରେ ପଳାୟନ କଲେ । ଧ୍ଵଜା ରୁ ସେମାନେ ଯେ ରାଜା ବାସୁ ମହାପାତ୍ର ଙ୍କ ସୈନ୍ୟ ଏହି କଥା ସ୍ପଷ୍ଟ ହୋଇଗଲା । ଏତେ ଘଟଣା ଘଟିଥିଲେ ମଧ୍ୟ ରଘୁ ଅରକ୍ଷିତ ଏବଂ ଅନ୍ୟ ସହଯାତ୍ରୀ ମାନେ କେବଳ ସୈନ୍ୟ ମାନଙ୍କ ଛତ୍ରଭଙ୍ଗ ଦେଇ ଚାଲିଯିବା ହିଁ ଜାଣି ପାରିଲେ । ଆଶ୍ଚର୍ଯ୍ୟର କଥା ଯେଉଁ ବୀର ଯୁବକ ଦୁଇ ଜଣ ତାଙ୍କୁ ଅଭୟ ବାଣୀ ଶୁଣାଇ ସେଇ ସୈନ୍ୟ ମାନଙ୍କ ସହିତ ଯୁଦ୍ଧ କରୁଥିଲେ ସେମାନେ ଯେପରି ସୈନ୍ୟ ମାନଙ୍କ ସହିତ କେଉଁ ଆଡେ ପବନରେ ମିଳେଇ ଗଲା ପରି ଅଦୃଶ୍ୟ ହୋଇଗଲେ । ଏହା କେବଳ ପ୍ରଭୁ ଜଗନ୍ନାଥଙ୍କ ଲୀଳା ଭାବି ତାଙ୍କ ହାତ ଦୁଇଟି ଉପରକୁ ଉଠିଗଲା । ସେ ଠାକୁରଙ୍କୁ ନାନା ପ୍ରକାରେ ସ୍ତୁତି କରିବାକୁ ଲାଗିଲେ ।”ହେ ମହାବାହୁ, ମୁଁ ଅଧମ ମଣିମାଙ୍କୁ ଚିହ୍ନି ପାରିଲି ନାହିଁ । ପୁଣି ଥରେ ପ୍ରଭୁ ଏ ଅଧମ ପାଇଁ କଷ୍ଟ ସ୍ବୀକାର କରି ରତ୍ନ ସିଂହାସନ ତ୍ୟାଗ କରି ମୋର ପ୍ରାଣରକ୍ଷା କରିବାକୁ ଚାଲି ଆସିଲ ।ହେ ବଳିୟାର ଭୁଜ ଏହିପରି ତୁମ ବିଶାଳ ଭୁଜତଳେ ମୋତେ ସବୁବେଳେ ରଖି ଥାଅ । ମୋର ଅଧିକ କିଛି ଲୋଡ଼ା ନାହିଁ ।” ଏହି ପରି ନିଉଛାଳି ହୋଇ ଜଗନ୍ନାଥଙ୍କ ନାମ ଗାନ କରି କରି ଆଗକୁ ଅଗ୍ରସର ହେବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଲେ । ଏବେ ସେମାନେ ନିର୍ଭୟରେ ଶ୍ରୀକ୍ଷେତ୍ର ଅଭିମୁଖେ ଆଗେଇ ବାକୁ ଲାଗିଲେ ।

ଅଳ୍ପ ଦିନ ମଧ୍ୟରେ ସେମାନେ ଶ୍ରୀକ୍ଷେତ୍ରରେ ପହଞ୍ଚି ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଏ ପ୍ରକାର ସଙ୍କଟରୁ ରକ୍ଷା କରିଥିବାରୁ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହିତ କୃତଜ୍ଞତା ଜଣାଇ ତାଙ୍କ କ୍ଷେତ୍ରରେ ରହି ସେବା କରିବାର ଅନୁମତି ଭିକ୍ଷା କଲେ । ଶ୍ରୀମନ୍ଦିର ଦକ୍ଷିଣ ଦିଗରେ ଏକ ବାସଗୃହ କିଣି ସେଠାରେ ଅବସ୍ଥାନ କଲେ । ପ୍ରଭୁଙ୍କ ସେବାରେ ସେ ନିଜକୁ ନିୟୋଜିତ କଲେ ।ତ୍ରିଧୂପ ସହିତ ପଞ୍ଚ ଅବକାଶ ନୀତି ସେ ପ୍ରତ୍ୟେହ ପାଳନ କରୁଥିଲେ । ଭକ୍ତିରେ ଗଦ୍ ଗଦ୍ ପ୍ରାଣ ହୋଇ ତାଙ୍କ ଚକ୍ଷୁ ରୁ ଲୋତକ ଝର ଝର ହୋଇ ବହି ଯାଉଥିଲା ।କଳାରାଟ ଦ୍ୱାର ନିକଟରେ ଗରୁଡ଼ ଙ୍କ ସନ୍ନିକଟ ରେ ସେ ବେଳେ ବେଳେ ସେ ଉଦ୍ଦଣ୍ଡ କୀର୍ତ୍ତନ କରୁଥିଲେ ‌। ପ୍ରତ୍ୟେକ ଦିନ ଭିକ୍ଷା ମାଗି ଯାହା କିଛି ପାଆନ୍ତି ସେଥିରେ ନିଜ ଉଦର ପ୍ରତିପୋଷଣ କରିବା ସହିତ ଅତିଥି ଅଭ୍ଯାଗତ ଙ୍କ ସେବା ରେ ମନଦେଇ ରଘୁ ଅରକ୍ଷିତ ପ୍ରଭୁଙ୍କୁ ଧ୍ୟାନ କରୁଥାନ୍ତି ।ତାଙ୍କ ପତ୍ନୀ ଏଥିରେ ତାଙ୍କର ପୂର୍ଣ୍ଣ ସହଯୋଗ କରନ୍ତି । ସାଧୁ ସନ୍ଥ ମାନଙ୍କ ପଦରଜରେ ତାଙ୍କ ଘର ପବିତ୍ର ହୋଇଯାଉଥିଲା । ଥରେ ସାତଜଣ ସାଧୁ ତୀର୍ଥ ଭ୍ରମଣ କରୁ କରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରି ଲୋକ ମାନଙ୍କ ମୁହଁରେ ରଘୁ ଅରକ୍ଷିତ ଙ୍କ ପ୍ରଶଂସା ଶୁଣି ତାଙ୍କ ଜୁଆରରେ ଉପସ୍ଥିତ ହେଲେ ।ଭୋଜନ ର ବନ୍ଦୋବସ୍ତ କରିବାକୁ ସେମାନେ ରଘୁ ଙ୍କୁ ନିର୍ଦ୍ଦେଶ ଦେଲେ । ରଘୁ ଅରକ୍ଷିତ ଗୃହକୁ ପାଛୋଟି ଆଣି କର ପତ୍ର ଯୋଡ଼ି ବିନମ୍ର ଭାବେ ଆସନରେ ବସି କିଛି ସମୟ ବିଶ୍ରାମ ନେବାକୁ କହି ଭିତରକୁ ଗଲେ । ଘରେ କାଣି କଉଡିଟିଏ ସୁଦ୍ଧା ନଥାଇ କିପରି ସାଧୁଙ୍କର ଚର୍ଚ୍ଚା କରିବା ବୋଲି ପତ୍ନୀ ଙ୍କୁ କହିଲେ । ପତ୍ନୀ ନିଜ ଅଳଙ୍କାର ଖୋଲି କହିଲେ , “ସ୍ୱାମୀ ମୋର ଏ ଅଳଙ୍କାର ବଦଳରେ ଯଦି ସାଧୁ ସେବା ହୋଇ ପାରିବ ତେବେ ଏହା ମୋ ପାଇଁ ସୈାଭାଗ୍ୟ ର କଥା ହେବ । ତୁମେ ବିଳମ୍ବ ନକରି ମହାଜନ ଠାରେ ବନ୍ଧକ ରଖି କିଛି ଟଙ୍କା ଆଣିଲେ ସାଧୁଙ୍କ ଚର୍ଚ୍ଚା ହୋଇପାରିବ ।” ଏହା ଶୁଣି କିଛି କ୍ଷଣ ନୀରବ ହୋଇ ରଘୁ ପତ୍ନୀ ଙ୍କୁ କହିଲେ, “ମୋର ଏ ଦୀନହୀନ ବେଶ ରେ ବହୁମୂଲ୍ୟ ଅଳଙ୍କାର ହାତରେ ଦେଖି ଲୋକେ ମୋତେ ନିଶ୍ଚୟ ଚୋର କିମ୍ବା ଖଣ୍ଟ ବୋଲି ମନେ କରି ସେ ପ୍ରକାର ବ୍ୟବହାର ଦେଖାଇବେ । ତେଣୁ ତୁମେ ନିଜେ ଯାଇ ନେଇ ଆସ । ମହାଜନ ର ଘର ଅଳ୍ପ ଦୂରରେ ଅଛି । ମୁଁ ଏଠି ଅପେକ୍ଷା କରିଛି ।”ସ୍ୱାମୀ ଙ୍କ ନିର୍ଦ୍ଦେଶରେ ପତ୍ନୀ ମହାଜନଙ୍କ ପାଖରେ ପହଞ୍ଚିଲେ । ନିଜ ଅଳଙ୍କାର ଖୋଲି ମହାଜନ କୁ ସାତଦିନ କଣ୍ଟ ସହିତ ବନ୍ଧକ ରଖି କିଛି ଟଙ୍କା ଦେବାକୁ ଅନୁରୋଧ କଲେ । ମହାଜନ ରଘୁ ଅରକ୍ଷିତ ଙ୍କ ପତ୍ନୀ ର ରୂପ ଲାବଣ୍ୟ ଦେଖି ମୁଗ୍ଧ ହୋଇ ପାପ ଆଶାରେ କହିଲା ,”ତୁମର ଅଳଙ୍କାର ମୋର କଣ ହେବ । ମୋତେ ଗୋଟିଏ ରାତ୍ରି ପାଇଁ ଯଦି ନିଜକୁ ଦେଇ ପାରିବ ତେବେ ଇଚ୍ଛା ମୁତାବକ ଧନ ନେଇ ପାରିବ।” ଖୁବ୍ ଶୀଘ୍ର ଆସୁଛି କହି ସେଠାରୁ ଫେରି ଆସିଲେ ରଘୁ ଅରକ୍ଷିତ ଙ୍କ ପତ୍ନୀ । ସବୁକଥା ଶୁଣିଲା ପରେ ରଘୁ କହିଲେ,” ଏଇ ଶରୀର ପ୍ରଭୁଙ୍କ ଦାନ । ଯଦି ଭଗବାନ ଙ୍କ ଏହା ଏକ ମାତ୍ର ଇଚ୍ଛା ଆମେ ବା କ’ଣ କରିବା । ଅତିଥି ଦେବତାଙ୍କ ସେବାରେ ଯଦି ଏ ଶରୀରକୁ ଉତ୍ସର୍ଗ କରିବାକୁ ପଡ଼ିବ ତେବେ ଏହା ହିଁ ପ୍ରଭୁଙ୍କ ଇଚ୍ଛା ଭାବିବା ବ୍ୟତୀତ ଆମ ନିକଟରେ ଆଉ କିଛି ବିକଳ୍ପ ନାହିଁ । ତୁମେ ଏବେ ଯାଇ ତାକୁ ସମ୍ମତି ଜଣାଇ ସନ୍ଧ୍ୟା ପରେ ଆସିବାକୁ କହି ଧନ ନେଇ ଆସ । ବିଳମ୍ବ କରନାହିଁ ।”ସ୍ୱାମୀ ଙ୍କ କହିବା ମୁତାବକ ଆବଶ୍ୟକ ଅର୍ଥ ଆଣି ରଘୁ ଙ୍କୁ ଦେବାରୁ ଶୀଘ୍ର ରଘୁ ଅରକ୍ଷିତ ମନ୍ଦିରକୁ ଗଲେ । ରୋଷ ସେବକଙ୍କୁ କିଛି ଅର୍ଥ ଦେଇ ଠାକୁରଙ୍କ ଅମୃତ ମଣୋହି ଭୋଗ ପ୍ରସ୍ତୁତ କରି ଭୋଗ ଲଗାଇ ପହଞ୍ଚାଇ ଦେଲେ ସାଧୁ ଗୋସେଇଁ ମାନଙ୍କ ଚର୍ଚ୍ଚା ହୋଇ ପାରିବ ବୋଲି ଅନୁନୟ ବିନୟ ହୋଇ ଅନୁରୋଧ କଲେ । ତାଙ୍କ ମଧୁର ବ୍ୟବହାର ରେ ରୋଷ ସେବକ ଅଚିନ୍ତା ହୋଇ ଗୃହକୁ ଫେରି ସାଧୁ ମାନଙ୍କ ନିକଟରେ ରହିବାକୁ ପରାମର୍ଶ ଦେଲେ ଏବଂ ସଠିକ୍ ସମୟରେ ଭୋଗ ପହଞ୍ଚେଇ ଦେବାକୁ ପ୍ରତିଶ୍ରୁତି ଦେଲେ । ନମ୍ର ଭାବରେ ସେ ପତିପତ୍ନୀ ସାଧୁ ମାନଙ୍କର ଚର୍ଚ୍ଚା କଲେ। ତାଙ୍କ ବ୍ୟବହାର ଏବଂ ଆତିଥ୍ୟ ପରାୟଣତା ଦେଖି ସାଧୁ ମାନେ ଅନେକ କଲ୍ୟାଣ କଲେ ଏବଂ ତାଙ୍କ ଠାରୁ ବିଦାୟ ନେଲେ ।
ପଶ୍ଚିମ ଦିଗରେ ରକ୍ତିମ ଆଭା ସୂର୍ଯ୍ୟ ଦେବ ଙ୍କ ଅସ୍ତାଚଳ ଗାମୀ ହେବାର ସୂଚନା ପ୍ରଦାନ କରିବା ସହିତ ରଘୁ ଅରକ୍ଷିତ ଙ୍କ ପତ୍ନୀ ଙ୍କ ହୃଦ୍ ସ୍ପନ୍ଦନ ବଢ଼ିବାକୁ ଆରମ୍ଭ କଲା । ଏକ ଅନାଗତ ଆଶଙ୍କା ରେ ସେ ଆଶଙ୍କିତ ହେଲେ ମଧ୍ୟ ସବୁ କିଛି ସେଇ ଲୀଳାମୟ ଙ୍କ ଇଚ୍ଛା କହି ହାତ ଯୋଡ଼ି ଠାକୁରଙ୍କ ଉଦ୍ଦେଶ୍ୟରେ ମନେ ମନେ କହିଲେ ,”ନାହିଁ ମୋହରି ଆୟତ୍ତ, ଯାହା କରିବେ ଜଗନ୍ନାଥ” ।

ରଘୁ ଅରକ୍ଷିତ ସାନ୍ଧ୍ୟ କାଳୀନ ନିତ୍ୟକର୍ମ ସାରି ପତ୍ନୀ ଙ୍କୁ କହିଲେ, “ହେ ପ୍ରିୟେ ତୁମେ ମହାଜନଙ୍କୁ ଉଚିତ୍ ବ୍ୟବହାର ପ୍ରଦାକରିବ । ସେ ଆମର ସମ୍ମାନ ରକ୍ଷା କରିଛନ୍ତି । ଅବଶ୍ୟ ବିନିମୟରେ ସେ ଯେଉଁ ସର୍ତ୍ତ ରଖିଛନ୍ତି ତାହା ସାଧାରଣ ଜଣେ ସ୍ତ୍ରୀ ପକ୍ଷରେ ଆଦୌ ସମ୍ଭବ ନୁହେଁ । କିନ୍ତୁ ତୁମେ ସାଧାରଣ ନୁହଁ ।ଏତେ ବଡ଼ ତ୍ୟାଗ ତୁମେ ମୋରି ପରାମର୍ଶ ରେ ହିଁ ସ୍ୱୀକାର କରିଛ । ଏହା ବ୍ୟତୀତ ଆମର ଅନ୍ୟ କିଛି ଉପାୟ ନଥିଲା । ତେଣୁ ଏହା ସେଇ ପରମବ୍ରହ୍ମ ଙ୍କ ଇଚ୍ଛା ଭାବି ସବୁ କିଛି ସମର୍ପଣ କରିବାକୁ କୁଣ୍ଠା ପ୍ରକାଶ କରିବ ନାହିଁ ।କାଳେ ମୋର ଉପସ୍ଥିତି ଏ ପ୍ରକାର ବଳିଦାନ ରେ କିଛି ବିଘ୍ନ ଘଟାଇବ ସେଥିପାଇଁ ମୁଁ ଏଠାରୁ କିଛି ସମୟ ଦୂରେଇ ଯାଉଛି । ସେଇ ଚକାଡୋଳା ତୁମର ସହାୟ ।”ଏହା କହି ରଘୁ ଅରକ୍ଷିତ ସେଠାରୁ ଅନ୍ତର ହେଲେ । ପତ୍ନୀ ଅନ୍ନପୂର୍ଣ୍ଣା ଅନନ୍ଯୋପାୟ ହୋଇ ଠାକୁରଙ୍କୁ କିଛି ସମୟ ଧ୍ୟାନ କଲେ । ଅତିଥି ମହାଜନଙ୍କ ଆସିବା ସମୟ ହୋଇ ଯିବାରୁ ଠାକୁରଙ୍କୁ ସବୁ କିଛି ସମର୍ପଣ କରି ବିଛଣା ଉପରେ ଅପେକ୍ଷା କରି ରହିଲେ । ମହାଜନ ଠିକ୍ ସମୟରେ ସନ୍ତର୍ପଣରେ ଲୁଚି ଲୁଚି ଆସି ଭିତରେ ପ୍ରବେଶ କରି କବାଟ ଠକ୍ ଠକ୍ କଲେ । “ଭିତରକୁ ଆସ ,ଦ୍ୱାର ଖୋଲାଅଛି” ଶୁଣି ମହାଜନ କବାଟ ଖୋଲି ଭିତରକୁ ପାଦ ଦେଉ ଦେଉ ଅଟକି ଗଲେ । ଦିବ୍ୟ ସୁଗନ୍ଧ ରେ ସେ ଆତ୍ମବିଭୋର ହୋଇ ଗଲେ ।ଭିତରେ ସେ ଯାହା ଦେଖିଲେ ନିଜ ଚକ୍ଷୁ କୁ ସେ ବିଶ୍ୱାସ କରି ପାରିଲେ ନାହିଁ । ସ୍ୱୟଂ ଭଗବାନ ଙ୍କ କୋଳରେ ବିରାଜିତା ରଘୁ ଅରକ୍ଷିତ ଙ୍କ ପତ୍ନୀ ଦେବୀ ଅନ୍ନପୂର୍ଣ୍ଣା । ହସ ହସ ମୁହଁରେ ସେ ଜଗନ୍ନାଥଙ୍କ ଗୁଣ ଗାନ କରୁଥିବାର ତାଙ୍କୁ ଶୁଣାଗଲା ।ଏଣେ ଅନ୍ନପୂର୍ଣ୍ଣା କିନ୍ତୁ ଏ‌ସବୁ କିଛି ହେଲେ ଜାଣି ପାରୁନଥାନ୍ତି ।ମହାଜନଙ୍କ ର ଏ ଅବସ୍ଥା ମଧ୍ୟ ସେ ଜାଣି ପାରିଲେ ନାହିଁ । କେତେ ସମୟ ସ୍ଥିର ଭାବରେ ରହିଲା ପରେ ମହାଜନ ଲମ୍ବ ହୋଇ ସାଷ୍ଟାଂଗ ପ୍ରଣିପାତ କଲେ ଏବଂ ଅତ୍ୟନ୍ତ ବ୍ୟଥିତ ସ୍ୱରରେ କହିଲେ,”ହେ ମାଆ ଏ ଅଧମ ପୁତ୍ରକୁ ତୋର କ୍ଷମା କର । ମୋର ଅପରାଧର ତୁଳନା ନାହିଁ । ମୁଁ ପାପୀ କେବଳ ପାପ ଚିନ୍ତା ହିଁ କରିଛି । ନିଜ ପୁତ୍ର ଭାବି କ୍ଷମା ନକଲେ ଏ ଜୀବନ ଧରି ମୁଁ ରହି ପାରିବି ନାହିଁ ।”ଏହା କହି ମୁହଁ ତଳକୁ କରି ସେହି ସାଷ୍ଟାଂଗ ମୁଦ୍ରାରେ କ୍ଷମା ମାଗି ଚାଲିଥିବା ଅବସ୍ଥାରେ ରଘୁ ଅରକ୍ଷିତ ଗୃହ ମଧ୍ୟକୁ ପ୍ରବେଶ କଲେ । ନିମିଷକ ମଧ୍ୟରେ ପ୍ରଭୁଙ୍କ ସେହି ଭୁବନ ମୋହନ ରୂପ କେଉଁ ଆଡେ ପବନରେ ମିଳେଇ ଗଲା ପରି ଅଦୃଶ୍ୟ ହୋଇଗଲା । ରଘୁ କେବଳ ପ୍ରଭୁଙ୍କ ରୂପ ର ଝଲକ ଦେଖିବାକୁ ପାଇଥିଲେ କିନ୍ତୁ ସେଇ ଦିବ୍ୟ ସୁଗନ୍ଧ ସେ ମଧ୍ୟ ଅନୁଭବ କରି ପାରୁଥିଲେ । ମହାଜନ କୁ ତାଙ୍କର କୁକର୍ମ ର ପ୍ରୟାସ ପାଇଁ କ୍ଷମା କରିଥିବାରୁ ସେ ଉଠି ଉଭୟଙ୍କୁ ବାରମ୍ବାର ପ୍ରଣାମ କରିବାକୁ ଲାଗିଲେ ଏବଂ କହିଲେ,”ଧନ୍ୟ ତୁମେ ରଘୁ ଅରକ୍ଷିତ । ପ୍ରଭୁ ଯାହାର କାୟା ପଛେ ଛାୟା ପରି ରହିଛନ୍ତି ତାଙ୍କର ମୋ ଭଳି ପାପୀ କ’ଣ ବା କରି ପାରିବ ? ମୁଁ ତୁମ ପରି ଧର୍ମପରାୟଣ ବ୍ୟକ୍ତି ଙ୍କୁ ଅନେକ ମାନସିକ ଦଣ୍ଡ ଦେଇଛି । ଆଜି ଠାରୁ ମୋର ଯାହା କିଛି ସମ୍ପତ୍ତି ଅଛି ସେ ସବୁ ତୁମର । ମୁଁ ଆଜି ଠାରୁ ତୁମର ସେବକ । ମୋତେ ଯାହା ଆଦେଶ ଦେବ ମୁଁ ତାହା ହିଁ ପାଳନ କରିବି । ଏବେ ମୋତେ ମୋର ପ୍ରାୟଶ୍ଚିତ କରିବା ପାଇଁ ଅନୁମତି ଦିଅନ୍ତୁ ।”ଏହା କହି ସେ ଉଭୟଙ୍କୁ ପ୍ରଣାମ କରି ସେଠାରୁ ପ୍ରସ୍ଥାନ କଲେ।ସେହି ଦିନଠାରୁ ଭକ୍ତ ରଘୁ ଅରକ୍ଷିତ ଦାସଙ୍କ ସୁଖ୍ୟାତି ଚତୁର୍ଦ୍ଦିଗ ବ୍ୟାପିବାରେ ଲାଗିଲା ଓ ସେ ବହୁ ଦିନ ଧରି ଶ୍ରୀ କ୍ଷେତ୍ର ରେ ଅବସ୍ଥାନ କରିଥିଲେ। ଆଜି ମଧ୍ୟ ରଘୁ ଅରକ୍ଷିତ ଦାସଙ୍କ ଅନ୍ତିମ କର୍ମ ସ୍ଥଳୀ ଚଣ୍ଡିଖୋଲ ରୁ ଜାତୀୟ ରାଜପଥ ର ଅନତିଦୂରରେ ପାହାଡ଼ ଉପରେ ଓଳାଶୁଣି ଗୁମ୍ଫା ଅବସ୍ଥିତ । ଏହା ଏକ ତୀର୍ଥ ସ୍ଥାନ ରୂପେ ପରିଗଣିତ ହୋଇ ଆସୁଛି ।

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା – ଅନୁଗୋଳ,
ମୋବାଇଲ ନମ୍ବର – ୭୯୭୮୦୫୭୬୯୫


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ