ମାନମୟୀ ଚିତ୍ରଲିପି – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମାଗିବିନାହିଁ ମୁଁ ଅଳସୀ ରାତିକୁ
ବିଳାସୀ ସ୍ଵପ୍ନ ପସରା
ମାଗିବି ନାହିଁ ମୁଁ ରୂପ ଚନ୍ଦ୍ରିକାରୁ
ରୋମାଞ୍ଚିତ ଜ୍ୟୋତ୍ସ୍ନାଧାରା l

ମାଗିବିନି ଆଉ ପୁଷ୍ପର ସୌନ୍ଦର୍ଯ୍ଯ
ଅବା ଅଙ୍ଗ ମକରନ୍ଦ
ଝୁମିବି ନାହିଁ ତା’ ମୋହିନୀ ମାୟାରେ
ଗାଇ ମୁଁ ଗୀତଗୋବିନ୍ଦ l

ମଳୟ ବାସରେ ପ୍ରଣୟକୁଞ୍ଜରେ
ହେବିନାହିଁ ମତୁଆଲା
ରେଶମୀ ଶେଯର ସପନକୁଞ୍ଜରେ
ଭାବନା ମଉଳିଗଲା l

ସାଗରକୁ ଜଳ ମାଗିବି କାହିଁକି
ବେଦନା-ଲହରି ମାରେ
ଧୋଇଦିଏ ସବୁ ସ୍ମୃତି ବେଳାଭୂମି
ବିଦ୍ରୋହ ରଖି ମନରେ l

ବସୁମତୀ ମୁଖେ ହସଦେବା ପାଇଁ
ଯେ କରୁଛି କୁଳୁନାଦ
ସେ ତଟିନୀ ଆଜି ବୁଝ ନାହିଁ କିମ୍ପା
ହୃଦ-ତଟିନୀ ଦରଦ l

ନୀଳ ଗଗନରେ ଥାଇ ଲୋ ବଉଦ
ଦେଲୁନାହିଁ ଟୋପେ ନୀର
କାହିଁକି ମାଗିବି ତୋତେ ମୁଁ ସଲିଳ
ଯେ ବୁଝେନି ତୃଷ୍ଣା ମୋର l

ଅମୃତର ଅଭିଳାଷ ନେଇ ବୃକ୍ଷ
ଯାଚି ଦେଉଥିଲ ଫଳ
କାହିଁଗଲା ପ୍ରୀତିଭରା ଆତ୍ମୀୟତା
ସବୁ ଲାଗୁଛି ନିଷ୍ଫଳ l

ମାଗିବିନି ମାଟି ମିଠା ସମ୍ମୋହନ
ନିବିଡ଼ ମମତା ମୂଲେ
ଶୁଣିବିନି ଆଉ ଅମୃତ ଗୀତିକା
ସବୁଜ ବନାନୀ ମେଳେ l

ଆନ୍ତରିକତାରେ ପଡ଼ିଗଲା ଯଦି
କେତେ କଟାଛଟା ଗାର
କାହିଁକି ଜାଳିବି ଶାନ୍ତିର ପ୍ରଦୀପ
ଅନ୍ତର ବେଦୀରେ ମୋର l

ମୁକୁଳା ମନର ଉଛୁଳା ଲହରି
ନ ଦେଖେ ଯେବେ ଭ୍ରମର
କାହିଁକି ସଞ୍ଚିତ କରିବି ଅମାପ
ପ୍ରେମ ପ୍ରୀତି ବିନ୍ଦୁ ଧାର ll

କୁମୁଦିନୀ ବେହେରା, ଅନୁଗୋଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ